




ଦରଜାରେ ହାତମାର ନାହିଁ
ବଖରା ଖାଲି।
ଅନ୍ଧାର ଭିତରେ ବାହାରେ କିଏ
ଓ କ’ଣ ରହିଛି କି ପେଟରାରେ, ମାଟିକଳସୀରେ…
କିଛି ନିପାରିଲା ଅନୁପଯୁକ୍ତ ସମୟ..!!
ପାଦ ବଢ଼ାଅନି ଅନ୍ଧାର ଢୋକିନେବ
ହାତ ଚଳାଅନି ଆକାଶର ଖଳାରେ
ଧ୍ଵସ୍ତ ବିଧ୍ୱସ୍ତ ଆଲୋକର ରବରେ
ଧ୍ରୁପଦ ରାଗିତ ହେବ…
ତୁମେ ଅପେକ୍ଷା କର
କାନମୁଣ୍ଡାରେ ଶବ୍ଦଶୁଳର ଆଘାତ
ବାଜିବାଜି ପାହିବା ଯାଏ,
ସେଇ ଶୂନ୍ୟତାର ପାହୁଡ଼ ପିନ୍ଧି ଦିକଦାର୍ ହୁଅ
ଆଖି ପିଛଡ଼ାର ନିଃଶବ୍ଦ ପଞ୍ଜୁରୀର
ନିର୍ଜଳା ନିଷେଧପକ୍ଷୀର କାତରତାରେ।
ତୁମେ କାବିଲ୍ ହୁଅ
ଫାଙ୍କା ଓ ଟକମକ ଫୁଟୁଥିବା କାମନାମାନଙ୍କୁ
ଠେଲିଦିଅ ଆଷାଢ଼ୀ ମେଘକୁ
ଓ ଦେଖିବ ଯେ କେଉଁ ଡାକ୍ତରଖାନାରେ
ଡାକ୍ତରାଣୀ ବିବସ୍ତ୍ରହୋଇ ଶୋଇଥିବ ଲାସ୍ହୋଇ…
ଯୌବନର ଶରୀରାନ୍ତ ଚଉଦଟି କ୍ଷତ ଓ ବାହାରେ
ପଙ୍ଗପାଳ ଉଡ଼ି ଆସୁଥିବେ ଆକାଶରେ
ବାହାବା ନେବାକୁ କେରା କେରା ଦୁଃଖ ଫସଲର।
ଯଦିଓ ତୁମେ ଥିବ ସେ ବାଲିବନ୍ତରେ…
ଯେଉଁଠି କଇଁଚ ପିଠିରେ ସୂର୍ଯ୍ୟ
ସକାଳରେ ଚଲାବୁଲା କରେ
ଯେଉଁଠି ଉଇହୁଙ୍କାରେ ଗୁଡ଼େଇ ହୋଇଥାଏ ଅଜଗର
ପରଶୁଥାଏ ଅପସ୍ମାର ପ୍ରତିଥର
ମୂଢ଼ଗର୍ଭ ଶିଶୁର ମୂର୍ଚ୍ଛିତ ପ୍ରହର।
ପ୍ରଥମେ ଶୂନରୁ ଆରମ୍ଭ କର
ବର୍ଣ୍ଣମାଳା ଚାକୁଳି ପକାଅ
ଶବ୍ଦାର୍ଥକୁ ଭିନ୍ନକରି ମଞ୍ଚାରୁ ଢ଼ଳିପଡ଼ ତଳକୁ
ଓ ମାଟି ଉପରେ ପଡ଼ିଗଡ଼ିବା ପୂର୍ବରୁ
ଭସ୍ମ ହୁଅ କି ବିମ୍ବିତ ହୁଅ ନିଜ ଅନୁସାରେ…
ପ୍ୟାଣ୍ଟସାର୍ଟ ପରିହିତ ଶିଶୁର ପାଟିରେ
ସମୁଦ୍ର ଦେଖିବା ଚାଲ,
ଆକାଶ ଖୋଜିବା ଓ
କିଆବୁଦା ମୂଳେ ସେଇ ମୃତଶିଶୁର ଅବାଂଛିତ
ଜନ୍ମନେବାର ସୂର୍ଯ୍ୟୋଦୟକୁ।
There is 1 comment
ଉଚ୍ଚକୋଟୀର କବିତା। କବି ଙ୍କୁ ପ୍ରଣାମ।