ତା’ ତ୍ୟାଗକୁ ନିଅଣ୍ଟ ମୋ ସମର୍ପଣ
।। ବିଜୟିନୀ ଜେନା ।।
ତା’ ତ୍ୟାଗକୁ ନିଅଣ୍ଟ ମୋ ସମର୍ପଣ
କେଉଁ ନିହାଣର ସୂକ୍ଷ୍ମଘାତରେ
କେଡ଼େ ଚାତୁରୀରେ, କଳାକଉଶଳରେ,
ରଚିଥାଏ ସିଏ ସଂସାର ନୀଡ଼…
ଟିକିଏ ବାଆ ବହିଲେ ଦୋହଲୁଥାଉ ପଛେ
ସେଠି ନିଇତି ହାରୁଥାନ୍ତି ଈଶ୍ୱର।
ସେ ନାଟରାଜ।
ଦୁଃଖର କୁହାଟ ଆଗରେ ତା’ର ଭୈରବନାଟ
ତାକୁ ଡରେ ଅନ୍ଧାର, ହାରୁଥାନ୍ତି ଈଶ୍ୱର ।
ସେ ଆଖିରେ କଜ୍ଜଳ ନାଏନି ତ
ଟାଣିଥାଏ ଲକ୍ଷ୍ମଣରେଖା
ଲୁହକୁ ଦେଇଥାଏ ରାଣ ସେ ରେଖା ଡେଇଁବା ମନା।
ହାତରେ ଦୁଇପଟ ପାଣିକାଚ ତା’ ଐଶ୍ୱର୍ଯ୍ୟ
ଛିଣ୍ଡାକସ୍ତା ତଳ ପଞ୍ଜରା ଭିତରେ
ଧପ୍ ଧପ୍ କରୁଥାଏ ଶିରାପ୍ରଶିରାର ଇନ୍ଦ୍ରଜାଲରେ
ରକ୍ତ ଟଳଟଳ ପୁଳେ ମାଉଁସ
ଯନ୍ତ୍ରଣାର ଟକ୍ ମକ୍ ନିଆଁ
ସେଠୁ ଉତୁରୁଥାଏ
ଗୁରୁଗମ୍ଭୀର ମଙ୍ଗଳସଂଗୀତ l
ଧମନୀରେ ତା’ର ପେନ୍ଥା ପେନ୍ଥା
ଲାଲ ଟହଟହ କୃଷ୍ଣଚୂଡ଼ା
ହସୁଥାଏ
ଭୋକକୁ ବୋଧ ଦେବା ଯାଏଁ
ତା’ ସମ୍ମୋହନରେ ସଚରାଚର ବଶୀଭୂତ
ସିଏ ବାରୁଣୀ ସାନିଧ୍ୟ
କାଳକାଳ ଯାଏଁ ଅଗଣାରେ ଲକ୍ଷ୍ମୀପାଦ
କିଏ କର୍ତ୍ତl ? କିଏ କର୍ମ ?
ନିଜେ ନିଜକୁ ତ ଆଙ୍କୁଥାଏ।
ସେ ପାଦରେ ଅଳତା ନାଇନି ତ
ନାଇଥାଏ ପୁଳେ ଚକାଟାମାଟି
ତା’ ପାଖରେ ନିଇତି ହାରୁଥାନ୍ତି ଈଶ୍ବର
ସେ ଧୃତିମତି।
ସେ’ତ ପ୍ରେମପ୍ରଣୟର ଆଦ୍ୟ ଓଁକାର
ନିଜେ ବିଷ ପିଇ ବାଣ୍ଟୁଥାଏ ପିୟୂଷ
ସିଏ ଆଶୁତୋଷ
ଭସ୍ମ ଜୁଡୁବୁଡୁ ତା’ ସଂସାରୀପଣ
ତା’ ତ୍ୟାଗକୁ ନିଅଣ୍ଟ
ମୋ ସମର୍ପଣ ।
ରାଉରକେଲା