



ମୁକ୍ତି
।। ବସନ୍ତ ବିଶ୍ଵକର୍ମା ।।
ଜୀବନଟା ଏକ ଜନ୍ମ-ମୁତ୍ୟୁର ଆବର୍ତ୍ତନ
କେବେ ଦେହଟା ଦହନ ହୁଏ
ତ କେବେ ମନଟା ମନ୍ଥନ ହୁଏ…
ତଥାପି ସେ ମୁକ୍ତି ଖୋଜୁଥାଏ
ତା’ ସମାଧିର କାନ୍ଥରେ ବସି
ଗୋଟିଏ ଅତୃପ୍ତ ଆତ୍ମା ହୋଇ ।
ସେ ଦିନ ମୁତ୍ୟୁକୁ ମାଗିଲି
ଦେ ଭରିଦେ ମୋ ମୃତ ଦେହାଂଶରେ
ମୁଠାଏ ଅମୃତ…
ସଞ୍ଚରିତ ହେଉ ମୋ ଜୀବାତ୍ମାରେ
ମୋ ଅସ୍ତିତ୍ଵର ଜୀବାଶ୍ମ।
ହେ’ ମୁତ୍ୟୁ…!!
ଶୁଣିଥିଲି ତମେ ଆବେଗର ଆଜୀବନ ଆସ୍ଥାନଟିଏ
ହେଲେ ଆଜି ଜାଣିଲି
ତମେ ଏକ ଆବଦ୍ଧତାର ପୁନଃଜନ୍ମର ପ୍ରସ୍ଥାନଟିଏ
ହେ, ମୁତ୍ୟୁ
ମୋତେ ମୁକ୍ତି ଦିଅ ମୋକ୍ଷ ନୁହେଁ
ନାହିଁ ନିର୍ବାଣ…
ମୋତେ ଆଉ ଗୋଟିଏ ଜନ୍ମ ଦିଅ
ମୋ ଅବଶିଷ୍ଟ ଜୀବନର କରୁଥିବି ଅଶ୍ରୁତର୍ପଣ
ବେଳେ ବେଳେ ଭାରି ଇଚ୍ଛାହୁଏ
ପୁଣି ଫେରି ଯିବାକୁ
ସେହି ଦୁଃଖ ଆଉ ଯନ୍ତ୍ରଣା ସିକ୍ତ ଅତୀତକୁ…
ମର୍ମନ୍ତୁଦ ମୁତ୍ୟୁ ପାଖକୁ…
ଯେଉଁଠି ଜୀବନ ଲାଗେ ନିଃସଙ୍ଗ,
ନିଃସଙ୍ଗ ଜୀବନର ନୀରବତା…
ଯେଉଁଠି
ନିର୍ଜୀବ ହୃଦୟ ହୋଇଯାଏ କ୍ଳାନ୍ତ ନିର୍ଜନତା
ନୀରବ ଶବ୍ଦସବୁ ଶବ ପାଲଟିଯାଆନ୍ତି
ଶତ ସହସ୍ର ଶତାବ୍ଦୀର ଆଦିମ ଚିତ୍କାରରେ
ତଥାପି ମୁଁ ମୁକ୍ତି ଖୋଜୁଛି ଅତୃପ୍ତିରେ
ଆଜି ମୁଁ ମୁକ୍ତିର ମଶାଲ ଧରି ଖୋଜୁଛି ମୁତ୍ୟୁର ଠିକଣା
ଆଉ ଅନୁଭବ କରୁଛି ମୁତ୍ୟୁର ମଧୁର ମଧୁର ସ୍ପର୍ଶକୁ
ଯାହାର ସାନ୍ନିଧ୍ୟରେ
ମୁଁ ଶ୍ମଶାନ ପାଲଟି ଯାଉଛି
ମୋ ସମଗ୍ର ସତ୍ତା, ମୋ ସ୍ଥିତି ଓ ସ୍ଥାପତ୍ୟ ବିସର୍ଜିତ
ମୋ ଅସ୍ତିତ୍ଵ ମୋ ଅସ୍ମିତା ନିର୍ବାପିତ…
ମୁଁ ନିଃସଙ୍ଗ ପଦାତିକ, ମୁକ୍ତ ଯାଯାବର
ସହସ୍ର ଖ୍ରୀଷ୍ଟାବ୍ଦର ଶୁଭୁଛି ଆଦିମ ଚିତ୍କାର ।
ଆଦିମ ଆଘାତରେ ଆହତ
ମୋ ଅତୀତ ବର୍ତ୍ତମାନ ଆଉ ଭବିଷ୍ୟତ…
ମୁଁ କ୍ଷତାକ୍ତ ଆଉ ମୁତ୍ୟୁଦେଶେ କାରାସକ୍ତ
ତଥାପି ମୋ ପିଣ୍ଡକୁ
ପାଣ୍ଡୁଲିପିରେ ସମର୍ପିତ କରିଦେଉଛି
ମୋ ବଞ୍ଚିବା ଆଉ ଜିଇଁବାର ଜୀବାତ୍ମାକୁ
ପରମାତ୍ମା ନିକଟରେ ପୁନଃଜନ୍ମର ପ୍ରାରବ୍ଧ ପାଇଁ ।
ମୋର ଗୋପନପାପ ସବୁ ପୁଣ୍ୟ ଅର୍ଜୁଥିବେ
ପବିତ୍ର ଆତ୍ମାର ଶୁଦ୍ଧ ଦେହାଂଶରେ
ଆତ୍ମଗୋପନ କରିଥିବ
ମୋ ପାପର ପ୍ରାୟଶ୍ଚିତ ପାଇଁ…
ଆଉ ମୁଁ ମୁକ୍ତି ପାଇଯିବି
ଅତୃପ୍ତ ପୃଥିବୀରୁ
ମୁକ୍ତିଃ… ମୁକ୍ତିଃ… ମୁକ୍ତିଃ…
ରାଉରକେଲା, #9090971896