Home » Magazine » ପ୍ରଶାନ୍ତ ପତି : ଆଲୋଚନା : ପ୍ରମତ୍ତ ପ୍ରତିବାଦର ପ୍ରାଞ୍ଜଳ ପଦାବଳୀ, କବି ପ୍ରତାପ ପଣ୍ଡାଙ୍କ କଳାବତୀ ।

ପ୍ରଶାନ୍ତ ପତି : ଆଲୋଚନା : ପ୍ରମତ୍ତ ପ୍ରତିବାଦର ପ୍ରାଞ୍ଜଳ ପଦାବଳୀ, କବି ପ୍ରତାପ ପଣ୍ଡାଙ୍କ କଳାବତୀ ।

ନିରବଚ୍ଛିନ୍ନ ଭାବରେ କୈଶୋରୋତ୍ତୀର୍ଣ୍ଣ ବୟସରୁ କାବ୍ୟ-ସାଧନାରେ ନିମଜ୍ଜିତ କବି ପ୍ରତାପ କୁମାର ପଣ୍ଡା, ଚଳିତ ଦଶନ୍ଧିରେ ଏକ ଦେଦୀପ୍ୟମାନ କାବ୍ୟତାରକା ରୂପେ ପ୍ରତିଭାତ ହୁଅନ୍ତି ଓଡ଼ିଆ କବିତାକାଶରେ ।

         ଏଯାବତ୍ ତାଙ୍କର ତିନୋଟି କବିତା ପୁସ୍ତକ ଭାବନୈବେଦ୍ୟ, ସପ୍ତପର୍ଣ୍ଣୀ ଏବଂ କଳାବତୀ ଓଡ଼ିଆ ବାଣୀମନ୍ଦିରର କାବ୍ୟତପୋବନକୁ ବାଙ୍ମୟ ଝଙ୍କାରରେ ଝଙ୍କୃତ କରି କଳକଳ ଛଳଛଳ ନିନାଦରେ ଝର୍ଝରିତ କରିଛି ।

        ପ୍ରେମକୁ ଉପଜୀବ୍ୟ କରି ଏହି ତିନିଗୋଟି କାବ୍ୟଗ୍ରନ୍ଥ ଗଢ଼ିଉଠିଥିଲେ ହେଁ “ଭାଵନୈବେଦ୍ୟ”ରେ ପ୍ରେମଭକ୍ତି, “ସପ୍ତପର୍ଣ୍ଣୀ”ରେ ପୂର୍ବରାଗ-ଅନୁରାଗର ବିରହ ଓ ମିଳନର ଶୋକୋଚ୍ଛ୍ବାସ ଏବଂ ଅନ୍ତର୍ଦାହ ଭିତରେ ପ୍ରେମ କାରୁଣ୍ୟମୟ ହୋଇ ଉଠିଥିବା ବେଳେ “କଳାବତୀ” କାବ୍ୟଗ୍ରନ୍ଥ ମାନବିକ ପ୍ରେମ, ସ୍ବଦେଶାନୁରାଗ ଏବଂ ବିଶ୍ବପ୍ରେମରେ ରସୋଚ୍ଛଳ ।

        ପ୍ରେମର ତିନିଗୋଟି ଭାବ-ତରଙ୍ଗର ମହାତ୍ରିବେଣୀ ସଙ୍ଗମରେ ଗଙ୍ଗା, ଯମୁନା ଓ ସରସ୍ବତୀର ଏ ତ୍ରିଧାର-ସଙ୍ଗମ ଓ ଭାଵର ମହାସ୍ନାନ କାବ୍ୟମୋଦୀ ପାଠକଙ୍କ ପାଇଁ ଏକ ମହାବାରୁଣୀଯୋଗ କହିଲେ ଅତ୍ୟୁକ୍ତି ହେବନାହିଁ। ଉଦାର ମାନବତାବୋଧରେ “ସପ୍ତପର୍ଣ୍ଣୀ”ର ପ୍ରେମରେ ଘଟିଛି ଉତ୍ତରଣ, ଯେଉଁଥିରେ ମଣିଷର ପ୍ରାଣ ପ୍ରାଚୂର୍ଯ୍ୟପୂର୍ଣ୍ଣ ମୁକ୍ତି ହିଁ ହୋଇଉଠିଛି ଏକମାତ୍ର କାମ୍ୟ। ମାନବିକ ମୁକ୍ତିର ଏହି ଦିବ୍ୟଭାବ ଓ ଚେତନାରୁ ସୃଷ୍ଟି ହୋଇଛି “କଳାବତୀ”,  ଯାହା ପୁଣ୍ୟମୟୀ ଅନ୍ତଃସଲିଳା ସରସ୍ବତୀର ବାଙ୍ମୟ ଝରଣା ରୂପେ ତାଙ୍କ କାବ୍ୟସ୍ବରରେ ସୃଷ୍ଟି କରିଛି ଅନନ୍ୟ ପ୍ରବାହ ।

        ଦୁଇ ଦୁଇଟି ବିଶ୍ବଯୁଦ୍ଧୋତ୍ତର ପୃଥିବୀର ପାଂଶୁଳ ପୃଷ୍ଠପିଠିକାରେ ସମୟର ଶୋକପ୍ରାର୍ଥନା ଭିତରେ ଲୁହ ଓ ଲହୁରେ ଜଡ଼ସଡ଼ ଭାରତବର୍ଷ ଲାଭକରିଛି ସ୍ବାଧୀନତା । ଶୋଷଣ, ପେଷଣ, ପୀଡ଼ନର ଶହଶହ କାଳରାତ୍ରୀର ଅବସାନ ପରେ ସ୍ବାଧୀନତାର ନୂତନ ସୂର୍ଯ୍ୟୋଦୟ ଜୀବନକୁ ହରିତାଭରଙ୍ଗରେ ବର୍ଣ୍ଣିଳ କରିଦେବ ବୋଲି ରାତି ରାତି ଉଜାଗର ରହି ଯେଉଁ ଅଭ୍ୟୁଦୟର ସ୍ବପ୍ନ ଦେଖିଥିଲେ ଭାରତୀୟମାନେ, ସେ ସ୍ବପ୍ନଭଙ୍ଗର ଧୂମିଳ, ଧୂସର, ଧ୍ବାନ୍ତ, ଧୂମଛାୟାର କୃଷ୍ଣ-ଆସ୍ତରଣ, ସ୍ବର୍ଣ୍ଣିମଉଷାର ନବପ୍ରଭାତକୁ ନୈରାଶ୍ୟର କୁଜ୍ଝଟିକାରେ ଭରିଦେଇଥିଲା ।

         ସ୍ବାଧୀନତା ପାଲଟି ଯାଇଛି ଭାରତୀୟଙ୍କ ପାଇଁ ସ୍ବପ୍ନଭଙ୍ଗର ଏକ ଫିକା ଫଟୋଗ୍ରାଫ । ସ୍ବାଧୀନତା ପରବର୍ତ୍ତୀ ସମୟର ଅସମାନ୍ତର ଛନ୍ଦପତନ ଭିତରେ ଧର୍ଷିତ ଇତିହାସର ଦୀର୍ଘଶ୍ୱାସ, ସ୍ବାଧୀନତାର ନୂତନ ସୂର୍ଯ୍ୟୋଦୟର ଆହ୍ଲାଦକୁ ଅନୁଭବ କରିବାକୁ ଦେଇନି । ଗଣତନ୍ତ୍ରର ଘଟିଛି ଗର୍ଭପାତ । ମୁକ୍ତି ପାଲଟିଯାଇଛି ମରୀଚିକା ।  ନାରଙ୍ଗୀ-ଧଳା-ସବୁଜ ରଙ୍ଗର ପତାକା ଦେଇପାରିନି ଆଶ୍ଵାସନା ଦେଶର କଳାବତୀମାନଙ୍କୁ; ତେଣୁ ତାଙ୍କର ବିଦଗ୍ଧ ଆତ୍ମାରୁ ଝରିପଡ଼ିଛି:

        ସେ ନାରଙ୍ଗୀ ଧବଳ ସବୁଜେ

        କଳାବତୀ ଭାଗ୍ୟକୁ ତା’ ଖୋଜେ

        ଯେବେଠାରୁ ଉଡ଼ିଲାଣି ଫରଫର ତ୍ରିରଙ୍ଗା ଆକାଶେ

        ଦେଶପ୍ରେମ ସଂଗୀତର ମଧୁସ୍ବର ଶୁଭିଲାଣି ଦେଶେ

        ସେବେଠାରୁ ପ୍ରଗତିକୁ ଚାହିଁ ଚାହିଁ ଚାତକ ପରାଏ

        ଯନ୍ତ୍ରଣାରେ ବହୁଥିବା ଆଖିଲୁହେ ନିଜକୁ ଭିଜାଏ

        ଏମିତି ସେ ନଦୀ ସମ ବହୁଥାଉ ବର୍ଷ ପରେ ବର୍ଷ

        ମେଣ୍ଟୁଥାଉ ରାଜନୀତି ଶୋଷ ।

ସେହିଭଳି ଆଉ ଏକ ପଂକ୍ତିରେ,

        ବହୁରୂପୀ ସମ ରାଜନେତା

        ଲୁଟି ଲୁଟି ଶତଶତ କଳାବତୀ ଆଶା ଆକାଂକ୍ଷାକୁ

        ଚମକାଇ ଚାଲିଛନ୍ତି ନିଜ ମଥା ମଣି ମୁକୁଟକୁ…

        ଗଣତନ୍ତ୍ରରେ ଗଣକୁ ଗର୍ଭସ୍ଥ କରିଛି ତନ୍ତ୍ର । ପଳାତକ ସମୟର ପାଉଁଶ ଉପରେ ଶୋକାର୍ତ୍ତ ସମୟର ପାଦଚିହ୍ନ । ସ୍ବାଧୀନତା ପୂର୍ବ ଓ ସ୍ବାଧୀନତା ପରର ଉପଲବ୍ଧିର “କଳାବତୀ” କାବ୍ୟଗ୍ରନ୍ଥର “କଳାବତୀ” କବିତାଟି ହେଉଛି ସମଗ୍ର ସଂକଳନର ନାନ୍ଦୀମୁଖ। ପ୍ରଲମ୍ବିତ ବ୍ୟଥା, ବେଦନା ଓ ବିଷାଦର ବର୍ଣ୍ଣମାଳା ହେଉଛି, ସମଗ୍ର କାବ୍ୟଗ୍ରନ୍ଥ। ବ୍ୟଙ୍ଗ ଓ ବିଦ୍ରୁପାତ୍ମକ ଶୈଳୀର ସ୍ବାଧୀନତାକୁ ଝୁଣି ଝୁଣି ରକ୍ତାପ୍ଲୁତ ମାଂସକୁ ପଳପଳ ଖାଉଥିବା ରାଜନୈତିକ ଛଳନାର କୃତ୍ରିମ ମୁଖାଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଖୋଲିଚାଲିଛନ୍ତି କବି ।

        କ୍ରାନ୍ତିର କେତନକୁ ତଥାପି ଭରସା କରିଛନ୍ତି କବି। ତାଙ୍କର କବିସତ୍ତା ଶୋକାର୍ତ୍ତ ଓ ଶୀତଳତାରେ କବଳିତ ହୋଇଥିଲେ ମଧ୍ୟ ତନ୍ମଧ୍ୟରେ ଫୁଟିଉଠିଛି ପରିବର୍ତ୍ତନର ସୁଦୀପ୍ତ ଆଶାବାଦ । ଏ କାବ୍ୟଗ୍ରନ୍ଥ ଉଦ୍ଦିପନାର ଉଜ୍ଜ୍ବଳ ଇସ୍ତାହାର ନହେଲେ ବି କ୍ରାନ୍ତିର ଐତିହ୍ୟ ଉଦ୍ଦେଶ୍ୟରେ ଝରିପଡ଼ିଛି ଦେଶପ୍ରେମର ଅନ୍ତରଙ୍ଗ ଆବେଦନ:

        ଉଡ଼ୁଥାଉ ସଦାକାଳ ପାଇଁ

        ମାତୃଭୂମି ଅସ୍ମିତା ସେ ହୋଇ

        ବିଜୟର କମ୍ବୁନାଦେ ଉତ୍ଫୁଲ୍ଲିତ ହେଉ ମୋ ଭାରତ

        ଗଙ୍ଗାସମ ବହୁଥାଉ ଦେଶବାସୀ ଭରସାର ସ୍ରୋତ

        ପୂର୍ଣ୍ଣହୋଇ ମନୋରଥ ଆଉଥରେ ହସୁ କଳାବତୀ

        ମୁଖେଗାଇ ଏ ଦେଶର ସ୍ତୁତି ।।

        ଭୂଗୋଳର ଭଙ୍ଗାଥାଳରେ ଆଞ୍ଜୁଳା ଆଞ୍ଜୁଳା ଇତିହାସର ଅଶ୍ରୁଳ ଅସମାପୀକା ହେଉଛି କଳାବତୀ କାବ୍ୟ। ଦିଗରୁ ଦିଗନ୍ତ, ଭୂମିରୁ ଭୂମା, ଭାଗ୍ୟରୁ ଭବିତବ୍ୟ, ଦୁଆରରୁ ଦିଗବଳୟ, ଧୂସରତାରୁ ଧ୍ରୁବତ୍ବ, ନଦୀରୁ ନକ୍ଷତ୍ର, ତୃଷ୍ଣାରୁ ତପସ୍ୟା, ସର୍ଜନାରୁ ସ୍ବପ୍ନ, ନୀଡ଼ରୁ ନିର୍ବାଣ ଯାଏ ଲଟେଇ ଯାଇଥିବା ସହସ୍ରାଭ ସ୍ବପ୍ନର ସମ୍ଭାବନା “କଳାବତୀ”ର ପ୍ରତିପଂକ୍ତିରେ । ବିଲୟ ଓ ସୃଷ୍ଟିର ସନ୍ଧିକ୍ଷଣରେ ସଂଘର୍ଷର ଶବ୍ଦାଞ୍ଜଳି ହେଉଛି କଳାବତୀ ।

        କବିଙ୍କର ଦୀର୍ଘଶ୍ୱାସଦଗ୍ଧ ଦୁଃଖର ଦୀର୍ଣ୍ଣଦର୍ପଣ ଆଗରେ ଜାତିହୀନ, ମାନଚିତ୍ରହୀନ, ନାମହୀନ, ବାଲି, ମାଟି, ଗୋଡ଼ି, ପଥରର କ୍ଷତାକ୍ତ, ରକ୍ତାକ୍ତ, ଧୂସର ଭୂଖଣ୍ଡର ସୀମାନ୍ତରେ ଫଟାମାଟିର ନିର୍ଜଳ ଆଁ ଭିତରେ ଛିଡ଼ାହୋଇଛି ହାତରେ ଦା’ ଧରି ଏକାକିନୀ ଆକୃତିଟିଏ… ସେ ହେଉଛି ସ୍ୱେଦଜର୍ଜର, ରଣଝଙ୍କୃତ କବିଙ୍କର କାବ୍ୟନାୟିକା କଳାବତୀ…। ସଂତପ୍ତ ଶରଶଯ୍ୟାର ଆହତ ଅବଶିଷ୍ଟାଂଶ, କଳାବତୀର ପୃଷ୍ଠଭୂମି ହୈମନ୍ତିକ ସ୍ବପ୍ନର ନୀଳନିର୍ବାଣ ହେଉଛି କଳାବତୀର ଅଗ୍ରଭୂମି ।

        ଉଭୟଭୂମିର ମଧ୍ୟାନ୍ତର ଦ୍ରାଘିମାରେ କବି ପ୍ରତାପ ପଣ୍ଡାଙ୍କର “କଳାବତୀ” ଗଭୀର ଆଶାବାଦର ମହାସ୍ରୋତଟିଏ ହୋଇ ଝରି ପଡ଼ିଛି କାବ୍ୟପିଠିକାର କାନଭାସ୍ ଉପରେ । କଳାବତୀର ମନ୍ତ୍ରାୟୀତ ଧ୍ବନି କ୍ରାନ୍ତିକାରୀ କବିଆତ୍ମାର ସାଲିସବିହୀନ ଇସ୍ତାହାର, ନିର୍ଜଳା ଶୂନ୍ୟଭୂମିରେ ଅନାହତ ଓ ସଂଭ୍ରାନ୍ତ ଚିତ୍କାର । ଶୋକାର୍ତ୍ତ ଶିଶିରିତ ଉଷାର ଧୂସର ଦିବାସ୍ୱପ୍ନ ଏବଂ ବିଭୀଷିକାମୟୀ ଅସଂଖ୍ୟ ନିର୍ଯ୍ୟାତିତ କାଳରାତ୍ରୀର ପର୍ଯ୍ୟୁସିତ ଦୁଃସ୍ବପ୍ନ ହେଉଛି କଳାବତୀର ଅଦୃଶ୍ୟର ଦୃଶ୍ୟ ଓ ଚେତନାର ଚିତ୍ର ।

        ଚର୍ବ୍ୟ, ଚୋଷ୍ୟ, ଲେହ୍ୟ, ପେୟ, ନଭଶ୍ଚୁମ୍ଭୀ ପ୍ରାସାଦମାଳା, ସ୍ବପ୍ନାଭ ବିଳାସ ଏବଂ ଐଶ୍ୱର୍ଯ୍ୟମୟ ଜୀବନର ନବ୍ୟସମ୍ଭ୍ରାନ୍ତତାର ରାଜନୈତିକ ବୁର୍ଜୁଆଙ୍କର ହର୍ଷୋନ୍ମୋଦିତ ଜୀବନ ଏବଂ ଅନ୍ୟପଟରେ ଦଳିତ, ଶୋଷିତ, ନିଷ୍ପେଷିତ, ନିର୍ଯାତିତ, ସାଧାରଣ, ନିମ୍ନମଧ୍ୟବିତ୍ତ, ଚାଷୀ, ମୂଲିଆ ଓ ଶ୍ରମିକମାନଙ୍କର ପଞ୍ଜରାଥରା ଜୀବନର‌ ଅନ୍ଧକାରମୟ ଦିଗବଳୟ ଓ ଆଦିଗନ୍ତ ଆକାଂକ୍ଷାର ଅଶ୍ରୁତଆବେଦନ ହେଉଛି, କଳାବତୀ କାବ୍ୟ ।

        ଧର୍ମର ଧୂସରଝଡ଼, ବନ୍ୟା, ମରୁଡ଼ି, ଦୁର୍ଭିକ୍ଷ, ଦଙ୍ଗାହଙ୍ଗାମା, ମହଣମହଣ ଦୁର୍ଭାଗ୍ୟର ଦାରୁଣ ଦୁର୍ଭାରରେ ଭାରାକ୍ରାନ୍ତ ଭାରତବର୍ଷର ଲକ୍ଷ ଲକ୍ଷ କଳାବତୀ । ବିଶ୍ବାୟନ, ଘରୋଇକରଣ , ଉଦାରୀକରଣର ଅଘୋଷିତ ଅସାମ୍ବିଧାନିକ ରାଜନୈତିକ ରୈଖିକ ରାଜିନାମାର ଦୀର୍ଘରାତ୍ରୀ ହେଉଛି କାବ୍ୟନାୟିକା କଳାବତୀ ।

       କଳାବତୀର ଭାରତବର୍ଷ ହେଉ ପ୍ରକୃତ ମଣିଷର ଭାରତବର୍ଷ, ପକ୍ଷୀର ଭାରତବର୍ଷ, ସଜଫୁଟାଫୁଲର ଭାରତବର୍ଷ, ଫସଲର ଭାରତବର୍ଷ, ଭୃଣର ଭାରତବର୍ଷ, ପ୍ରାଣର ଭାରତବର୍ଷ ଓ ସ୍ବପ୍ନର ଭାରତବର୍ଷ ।

ମୁନିକଣ୍ଠର ବେଦଧ୍ବନି, ଉପନିଷଦର ଆର୍ଷବାଣୀ, ଗୀତାର ଗୂଢାର୍ଥ, ଶାସ୍ତ୍ରର ଶ୍ଳୋକ, ସଂହିତାର ସୂତ୍ର, ସନ୍ଥସଂସ୍କୃତିର ବଚନିକା, ଅଷ୍ଟାଦଶ ପୁରାଣର ନ୍ୟାସ, ଦାର୍ଶନିକଙ୍କ ଦର୍ଶନର ପ୍ରାଞ୍ଜଳ ବ୍ୟାଖ୍ୟା ପରେ ବି କଳାବତୀର ଭାରତବର୍ଷରେ ବିଡ଼ମ୍ବନା ।

        କବି ଚାହିଁଛନ୍ତି ସ୍ବେଦସିକ୍ତ କଙ୍କାଳସାର ମାମୁଲି ମଣିଷର କୋଟରଗତ ମିଞ୍ଜି ମିଞ୍ଜି ପାଉଁଶିଆ ଆଖିରୁ ଝରିପଡୁଥିବା ଧାର ଧାର ଲୁଣିଲୁହରେ ଲେଖାହେଉ ଅନ୍ୟମାନଙ୍କର ଭାଗ୍ୟ ଲେଖୁଥିବା ଚତୁର ଚିତ୍ରଗୁପ୍ତମାନଙ୍କ ପାଞ୍ଜି, ଏହି କଳାବତୀର ଭାରତବର୍ଷରେ ।

           ରାଜନୈତିକ ମୁକ୍ତିର ପତାକା ନୁହେଁ ଶୋଷଣର ଦୀର୍ଘାୟିତ ରାତ୍ରିର ତିମିରିତ ବକ୍ଷକୁ ବିଦୀର୍ଣ୍ଣ କରି ପ୍ରକୃତ ମାନବିକ ସ୍ବାଧୀନତାର ଜୈତ୍ରକେତନ ତା’ର ଲୋହିତାଭ, ଶ୍ବେତାଭ ଏବଂ ନୀଳାଭ ରଙ୍ଗରେ ଫରଫର ହୋଇ ଉଡୁ ବ୍ୟୁହବଦ୍ଧ ସାମନ୍ତବାଦୀ ବ୍ୟବସ୍ଥାର ନିର୍ଣ୍ଣାୟକ ଶୂଳବିଦ୍ଧ କରି ଏବଂ ଆବାହନ କରୁ କଳକାକଳି ଗୁଞ୍ଜରିତ ଏକ ସ୍ବର୍ଣ୍ଣାଭ ଲୋହିତପ୍ରଭାତକୁ ।

           କଳାବତୀର ଭାରତବର୍ଷ ହେଉ ଏକ ନବୀନ ସୂର୍ଯ୍ୟାୟିତ ଅମୃତଭାରତବର୍ଷ ।

କବିଙ୍କର” କଳାବତୀ” ଚାହିଁଛି ନିରନ୍ଧ୍ର ଅନ୍ଧକାରର ସୁଶୀତଳ ସୁଡ଼ଙ୍ଗ ମଧ୍ୟରେ କଙ୍କାଳମାନଙ୍କ ଶାୟିତସ୍ବପ୍ନ ପୁରୁଷାୟିତ ହୋଇ ଜାଗିଉଠୁ ନିଭୃତରେ ନିଃଶବ୍ଦରେ, ଉଦ୍ଭାସିତ କରି ଭବିଷ୍ୟ ଭାରତବର୍ଷର ବିଷଣ୍ଣ ଭୂଗୋଳକୁ। ଅଶ୍ରୁଳ ମହାକାବ୍ୟର ଶୋକଗୀତିକା ଗାଉ ନଥିବ ଅଶ୍ରୁସିକ୍ତା ଭାରତବର୍ଷ । କଳାବତୀ ଚାହିଁଛି ଚିରଚିନ୍ମୟୀ ଚୈତ୍ୟଭୂ ଉତିଷ୍ଠମାନ ଆତ୍ମାର ଭାରତବର୍ଷ । ବିଶ୍ବମନୀଷାର ଭାରତବର୍ଷ । କଳାବତୀ ସ୍ବପ୍ନ ଦେଖିଛି ଚରୈବତୀ ଚରୈବତୀର ଏକ ମନ୍ତ୍ରାଭିଷିକ୍ତ ଭାରତବର୍ଷ ।

        କଳାବତୀ ଚାହିଁଛି- ପ୍ରତିଟି ପ୍ରଭାତ ହେଉ ଜବାକୁସୁମାର୍ଚିତ ସୂର୍ଯ୍ୟସ୍ନାତ ସକାଳ ଏବଂ ପ୍ରତିଟି ରାତ୍ରି ହେଉ ଶ୍ବେତ କୁମୁଦଚର୍ଚ୍ଚିତ ଜ୍ୟୋସ୍ନାୟିତ ରାତ୍ରି । କଳାବତୀରେ କାବ୍ୟକାରଙ୍କ ସ୍ବପ୍ନ ଆନୟନ କରୁ ଏକ ନବୀନକ୍ରାନ୍ତିର ଏବଂ “କଳାବତୀ”ର ମନ୍ତ୍ର ନିର୍ଘୋଷିତ ହେଉ କାଳାନ୍ତର ବ୍ୟାପୀ ।

        ଜୀବନର ଧ୍ରୁପଦ ଭାଷ୍ୟକାର ଶ୍ରୀଯୁକ୍ତ ପଣ୍ଡା ସାଂପ୍ରତିକ ସମୟର ଏକ ଚିରଉଜ୍ଜ୍ବଳ ଚେତନାର ଚକ୍ରବାଳ । ଗଭୀର ବେଦନା ବୋଧରୁ ଅଶ୍ରୁଭିଜା କବିତା ପଂକ୍ତି ଝରିପଡ଼ିଛି, ଛଦ୍ମତାର ମୁଖାପିନ୍ଧା ମଣିଷର ଆବିଷ୍କାର ଭିତରେ ଲୁହ ଓ ଲହୁରେ ଲୁତ୍ ପୁତ୍ ମଣିଷର ଅବିକଳ ଆକୃତିଟିକୁ ଚିହ୍ନାଇଦେଇ ଦେଖେଇ ଦେଇଛନ୍ତି, ସତରେ ଏ ଛଦ୍ମ ସ୍ବାଧୀନତା ଭିତରେ ସାଧାରଣ ମଣିଷଟି କେତେ ଦୁଃଖୀ ଏବଂ ନିଃସହାୟ । ସେଥିପାଇଁ ହୃଦୟର ସକଳ ଦରଦ ଦେଇ ଆଙ୍କିଛନ୍ତି ମଣିଷର ଚିତ୍ର ଚରିତ୍ର ତାଙ୍କର କବିତାର କାନଭାସରେ ।

        ଜୀବନବୋଧର କବି ପ୍ରତାପ କୁମାର ପଣ୍ଡାଙ୍କ କାବ୍ୟଭୂମିର ଫସଲ ଅନନ୍ୟ । ବଂଚିତ ଏବଂ ବିଡ଼ମ୍ବିତ ଜନଗଣଙ୍କୁ ନ୍ୟାୟ ପ୍ରଦାନ ପରିପ୍ରେକ୍ଷୀରେ ତାଙ୍କର ରଚନାରାଶି ଗୋଟିଏ ଗୋଟିଏ ପ୍ରଜ୍ବଳିତ ପ୍ରେରଣା । ଗଭୀର ଅନ୍ତର୍ଦୃଷ୍ଟି, ନିବିଡ଼ ଅନୁଭବ ଏବଂ ପ୍ରଖର ପ୍ରତ୍ୟୟର ସ୍ପର୍ଶରେ ତାଙ୍କ କବିତାସବୁ ହୋଇଉଠିଛି ଦେଶକାଳର ଦୃଶ୍ୟପଟ୍ଟ। ନୂତନ ବାକଭଙ୍ଗୀ ଏବଂ ପରିମିତ ଶବ୍ଦ ପ୍ରୟୋଗର ବାଞ୍ଛନୀୟ ବିଚକ୍ଷଣତା ତାଙ୍କ କବିତାକୁ କରିଛି ସ୍ଵତଃସ୍ପୁର୍ତ୍ତ ସରଳ ଓ ସାବଲୀଳ ।

        “କଳାବତୀ” କାବ୍ୟଗ୍ରନ୍ଥ ଜୀବନ ଓ ଜଗତର ନିତାନ୍ତ ନିକଟବର୍ତ୍ତୀ ହେବା ଦିଗରେ ଏକ ଚଲାପଥ । ବିଦୀର୍ଣ୍ଣ ବେଦନା ଓ ବିକ୍ଷୁବ୍ଧ ବ୍ୟଙ୍ଗର ବ୍ୟଞ୍ଜନା ମଧ୍ୟରେ ଜୀବନ-ଜିଜ୍ଞାସା ଓ ଜଗତ-ଜିଜ୍ଞାସାର ବୃହତ୍ତର ବଳୟକୁ ଉନ୍ମୋଚିତ କରି ସମୟର ଶ୍ରୁତିଲିଖନକୁ ନିଜର ଭଙ୍ଗା ଗଢ଼ା ଶବ୍ଦସଜ୍ଜା ମଧ୍ୟରେ କରିଛନ୍ତି ଲିପିବଦ୍ଧ ।

       “କଳାବତୀ” କାଳାନ୍ତର କ୍ରାନ୍ତି, ଶବ୍ଦମାନଙ୍କର ସଂଘର୍ଷର ବୀରୋଚିତ ବିଦ୍ରୋହ । ” କଳାବତୀ” ପ୍ରମତ୍ତ ପ୍ରତିବାଦର ପ୍ରାଞ୍ଜଳ ପଦାବଳୀ । କବି ଓ କବିତାର ସହାବସ୍ଥାନ ଯେ ସୁଦୂର ପ୍ରସାରୀ ଓ ସାର୍ବଜନୀନ, ଏହା ସ୍ପଷ୍ଟ ଅନୁମିତ ହୁଏ “କଳାବତୀ” କାବ୍ୟର ଛତ୍ରେ ଛତ୍ରେ, ପଦରେ ପଦରେ, ଶବ୍ଦରେ ଶବ୍ଦରେ..।

There are 3 comments

  1. ନମସ୍କାର,
    ଅନ୍ତରରୁ ଅଶେଷ ଅଶେଷ ଧନ୍ୟବାଦ” ଚଉକାଠ”ର ସମ୍ପାଦକ ଏବଂ ପ୍ରକାଶକଙ୍କୁ,ମୋର କବିତା ପୁସ୍ତକର ଆଲୋଚନାକୁ ପତ୍ରିକାରେ ସ୍ଥାନିତ କରିଥିବାରୁ।
    ବିନମ୍ର ପ୍ରଣାମ ଏବଂ ଅଶେଷ ଅଶେଷ ଧନ୍ୟବାଦ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପତି ସାର୍ ଙ୍କୁ ମୋର ପୁସ୍ତକକୁ ନିଜର ବହୁମୂଲ୍ୟ ସମୟ ଦେଇ ଆଲୋଚନା କରିଥିବାରୁ । ମୁଁ ଧନ୍ୟ ହେଲି 🙏🙏

  2. ଆଜି ପ୍ରଶାନ୍ତ ପତି ସାର ଙ୍କର ଆଲୋଚନା ଶୁଣି ସରିଲା ପରେ ପୁଣି ଥରେ କଳାବତୀ ପଢିବା ପାଇଁ ଇଛା ହେଉଛି l କଳାବତୀ ର କବି ପ୍ରତାପ କୁମାର ପଣ୍ଡା ମହୋଦୟ ତଥା ଆଲୋଚକ ମହୋଦୟ ଙ୍କୁ ଅଜସ୍ର ଅଭିନନ୍ଦନ ଜଣାଉଛି l ଆଶା କଳାବତୀ ଲୋକମାନଙ୍କର ହୃଦୟ କୁ ଛୁଇଁ ବହୁତ ଆଗକୁ ଯାଉ l 🙏🙏👍

  3. ଆପଣ ଆଲୋଚନା ପଢ଼ି,ଶୁଣିଥିବାରୁ ଆନ୍ତରିକ ଧନ୍ୟବାଦ।
    🙏🙏

Leave a Reply

Your email address will not be published. Required fields are marked *