Home » Magazine » ପ୍ରଦୀପ ବନ୍ଧ : କବିତା : ଦୁଃଖ

ପ୍ରଦୀପ ବନ୍ଧ : କବିତା : ଦୁଃଖ

ଯେତେବେଳେ ଦେଖ ଖାଲି ଦୁଃଖର ଢେଉ
ଅଯାଚିତ ମାଡ଼ିଆସେ ଜଞ୍ଜାଳର ସୁଅ
ଆଖି ଯୋଡ଼ାକ
ଲୁହର ସମୁଦ୍ରରେ ନୌକା ଭଳି ଭାସୁଛି
ସେଠି ନାଉରି ବି ହାର ମାନିବା
କିଛି ନୂଆକଥା ନୁହଁ

ଆଖି ଖୋଲିଲେ ଅସହାୟତା
ଆଖି ବୁଜିଲେ ଓଠଥରା କୋହ
ଜୁଡୁବୁଡୁ ଝାଳ ଗହଗହ ଅନ୍ଧାର
ଘୋ’ ଘୋ’ ଝଡ଼ ଓ ପ୍ରଳୟ

ନିତି ନିତି ପବନ ବି ପଠାଏ
ଖଣ୍ଡେଲେଖା ଲୁହରଙ୍ଗର ଲଫାପା
ନୀରବତାର ନକ୍ସା  ବଦଳେ
ବଦଳେ ସୁଖର ଠିକଣା
ବଦଳେ ହସ ଖୁସିର ବିଛଣା

ଆଖି ଆଇନାରେ 
ଆକାଶ ବି ରଙ୍ଗ ବଦଳେଇ
ଘୋଡ଼ିହୁଏ କୁହୁଡି ରଙ୍ଗର ଚାଦର
ମୁଁ ତଥାପି ବେଫିକର
ଯେତେ ଝରୁଛି ଝରୁ ଏ ଆଖିର ଲୁହ
ହେଇପାରେ ସକାଳ ଖୁସି ବାଣ୍ଟିବା ଆଗରୁ
ମୋତେ ଦେଇଯାଇଛି ମେଞ୍ଚେ ଲୁଣିଆ ଜହର

ରକ୍ତମୁଖା ରାତି ବି ଶାନ୍ତିରେ ଶୋଇଯାଏ
ନିଘୋଡ଼ ନିଦରେ
ତମେ କିନ୍ତୁ ମୋ ଚାରିକଡ଼େ ଘେରି ବସିଥାଅ
ସ୍ଥିର ମୁଦ୍ରାରେ

ପଲକ ପଡ଼ିଲେ ଜାଣିପାରେନି
କେତେବେଳେ ସୁଖ ଆସି
ଆଉଁଶି ଦେଇ ଚାଲିଯାଏ ତା ବାଟରେ
ତମେ କିନ୍ତୁ ସେମିତି ଦାନ୍ତ ନିକୁଟି
ହି ହି ହସୁଥାଅ
ମୋ ତକିଆ ପାଖରେ

ସବୁଦିନ ସବୁଜିମା ସକାଳର ରଙ୍ଗ ବଦଳେ
ଦୁଃଖିନୀ ପକ୍ଷୀକୁ ଆହାର ମିଳେ
ବିବ୍ରତ ପିମ୍ପୁଡ଼ିଙ୍କୁ ବି
ରାସ୍ତାକଡ଼ରେ ଶୋଇଥିବା ଦୀନଦରିଦ୍ରଙ୍କୁ ବି
କିନ୍ତୁ ମୋ ହସର ରଙ୍ଗ
ସମାନ ସବୁବେଳେ

ବିଛଣା ଛାଡୁ ଛାଡୁ ବହିବସ୍ତାନି କାଖେଇ
ଗୋଟେ ପରେ ଗୋଟେ ଆସେ ଦୁଃଖର ଖବର
ମୁଁ ଅଟକଳ କରୁ କରୁ 
ଘଣ୍ଟାକଣ୍ଟାର ବିବ୍ରତ ସମୟ ମୋତେ ଅସ୍ତବ୍ୟସ୍ତ କରେ
ମୁଁ ପୁଣି ଘୋଡ଼ିହୁଏ ବିଛଣାରେ
ସେହି ଦୁଃଖର ଚାଦର

ପ୍ରତିଦିନି ସକାଳୁ ସକାଳୁ
ମାଲିକକୁ ଚା ଦେଲାବେଳେ
ସେ ମୋ ହସ ଦେଖି କହେ: ପ୍ରଦୀପ ତୁ ଏମିତି ହସୁଥା ସବୁବେଳେ

ମୁଁ ଭାବେ ଏ କି ଅଜବ କଥା ମ…
ମୋ ଶୁଖିଲା ଓଠର ହସ ଯଦି
ଏତେ ମଧୁର ଆଉ କାହା ପାଇଁ ଓଷଦ…
ତାହେଲେ ହସି ହସି ସହିଯିବି ଶହେ-ଦୁଃଖ
ଆଉ କେତେ ଦୁଃଖ ଦବୁ ଦେ’ରେ ଦଇବ
ହସୁଥିବି
ହସି ହସି ବାଣ୍ଟୁଥିବି ଏଇ କାଣିଚାଏ ସୁଖ।

Leave a Reply

Your email address will not be published. Required fields are marked *