ହାନ୍ କାଙ୍ଗ୍ ଓ ‘ହ୍ୱାଇଟ୍ ବୁକ୍’
।। ପ୍ରଦୀପ କୁମାର ରାୟ ।।
[ସଂପ୍ରତି ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦକ୍ଷିଣ-କୋରିଆର ବହୁଚର୍ଚ୍ଚିତ ଲେଖିକା ହାନ୍ କାଙ୍ଗ୍ ପାଇଛନ୍ତି ନୋବେଲ ପୁରସ୍କାର। ୨୭ ନଭେମ୍ବର ୧୯୭୦ରେ ଦକ୍ଷିଣକୋରିଆର ଗ୍ୱାଙ୍ଗଜୁରେ ଜନ୍ମଗ୍ରହଣ କରିଥିବା ଏହି ୫୪ ବର୍ଷିୟା ଲେଖିକାଙ୍କ ଦ ଭେଜିଟେରିଆନ୍, ୟୋର୍ କୋଲ୍ଡ ହେଣ୍ଡସ୍, ଦ ଉଇଣ୍ଡ କ୍ଳୋଜ୍, ଗ୍ରୀକ୍ ଲେସନ୍ ଆଦି ଉପନ୍ୟାସ ତାଙ୍କୁ ବିଶ୍ୱସ୍ତରୀୟ ଖ୍ୟାତି ଆଣି ଦେଇଛି।
ତାଙ୍କର ଏକ ଗଦ୍ୟ କବିତା ସଂକଳନ “The white book” କୁ ନେଇ ଏଠି ଏକ ଚମତ୍କାର ଭାବଗମ୍ଭିର ଆଲେଖ୍ୟ ବାଢ଼ିଛନ୍ତି ସୁଖ୍ୟାତ ଓଡ଼ିଆଲେଖକ ଓ ପ୍ରବୀଣ ଅନୁବାଦକ ଶ୍ରୀ ପ୍ରଦୀପ କୁମାର ରାୟ ମହୋଦୟ।
ତେବେ କ’ଣ କହନ୍ତି ଶ୍ରୀ ରାୟ ଲେଖିକା ହାନ୍ କାଙ୍ଗ୍ ଓ ‘ହ୍ୱାଇଟ୍ ବୁକ୍’କୁ ନେଇ….]
ଦକ୍ଷିଣ କୋରିଆର କବି, ଗାଳ୍ପିକା ତଥା ଔପନ୍ୟାସିକା, ସିଓଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆର୍ଟସ୍ର କ୍ରିୟେଟିଭ୍ ରାଇଟିଂ ବିଭାଗର ପ୍ରଫେସର ହାନ୍ କାଙ୍ଗ ଚଳିତବର୍ଷ ସାହିତ୍ୟରେ ନୋବେଲ୍ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ତାଙ୍କର ଏହି ନୋବେଲ ସ୍ଵୀକୃତି ପଶ୍ଚାତରେ ରହିଛି କ୍ଷୁରଧାର ଓ କାବ୍ୟମୟ ଗଦ୍ୟ, ଯାହା ଇତିହାସର ଯନ୍ତ୍ରଣାଦଗ୍ଧ ଘଟଣାକୁ ଉପଜୀବ୍ୟ କରି ମାନବ-ଜୀବନର ଭଙ୍ଗୁରତାକୁ ଉନ୍ମୋଚିତ କରେ। ଆଲୋକର ପାଦ-ପ୍ରଦୀପକୁ ନେଇଆସେ ଜୀବନର ନାନା ଉତ୍ଥାନ, ପତନ, ଦୁଃଖ-ବେଦନାର ଅନୁଭୂତି, ଐତିହାସିକ ଟ୍ରମା, ଅଦୃଶ୍ୟ ଅନୁଶାସନ । ତାଙ୍କର ନୀରିକ୍ଷାଧର୍ମୀ ଓ କାବ୍ୟମୟ ଲେଖନଶୈଳୀ ଗଦ୍ୟସାହିତ୍ୟର ଭଣ୍ଡାରରେ ଏକ ଅଭୂତପୂର୍ବ ବ୍ୟତିକ୍ରମୀ ସଂଯୋଜନ, ଯାହା ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ଦେଇଛି । ଏହି ପ୍ରସଂଗରେ ନୋବେଲ କମିଟି କହନ୍ତି, ‘କାବ୍ୟର ସମ୍ମିଶ୍ରଣ ଘଟାଇ ଗଦ୍ୟର ନୂତନ ଧାରାର ପବର୍ତ୍ତନ କରାଇଛନ୍ତି ହାନ କାଙ୍ଗ। ତାଙ୍କର ଲେଖନୀ ବିଭିନ୍ନ ଧରଣର ଶୈଳୀକୁ ଏକତ୍ର କରି ନୂତନ କିଛି ତିଆରି କରିଛି। ଏସବୁ ସୃଷ୍ଟି ନୃଶଂସତା, ଶୋକ, ପିତୃତଂତ୍ର ପରି ଜଟିଳ ବିଷୟଗୁଡ଼ିକୁ ସମ୍ବୋଧନ କରିଥାଏ।”
ହାନ୍ କାଙ୍ଗଙ୍କର ସୃଷ୍ଟି ସମୂହ ଭିତରେ ‘ଦ ଭେଜିଟାରିଆନ୍’ ଉପନ୍ୟାସକୁ ଶ୍ରେଷ୍ଠ ସୃଷ୍ଟି ଭାବରେ ବିବେଚନା କରାଯାଇଥାଏ। ଏହା ମୂଳତଃ ୧୯୯୨ ମସିହାରେ କୋରୀୟ ଭାଷାରେ ରଚିତ ତାଙ୍କର କ୍ଷୁଦ୍ରଗଳ୍ପ ‘ଦ ଫୁଟ୍ ଅଫ୍ ମାଇଁ ଓମ୍ୟାନ୍’ ର ଭାବବସ୍ତୁ ଉପରେ ଆଧାରିତ ଏକ ପୂର୍ଣ୍ଣାଙ୍ଗ ଉପନ୍ୟାସ ।କ୍ଷୁଦ୍ରଗଳ୍ପ ରଚନାର ଦୀର୍ଘ ଦଶବର୍ଷ ପରେ ସେହି କ୍ଷୁଦ୍ରଗଳ୍ପଟିକୁ ସେ ଉପନ୍ୟାସର ରୂପ ଦିଅନ୍ତି। ୨୦୦୭ ମସିହାରେ ତାହା ପ୍ରଥମେ କୋରୀୟ ଭାଷାରେ ପ୍ରକାଶିତ ହୁଏ ଏବଂ ୨୦୧୫ ମସିହାରେ ତାହା ଇଂରାଜୀରେ ଅନୁବାଦ କରନ୍ତି କୋରୀୟ ଭାଷାର ଜନପ୍ରିୟ ବ୍ରିଟିଶ ଅନୁବାଦିକା ଡ଼େବୋରାହ୍ ସ୍ମିଥ୍। ଇଂଲଣ୍ଡ ଏବଂ ଆମେରିକାରେ ଏହି ଉପନ୍ୟାସର ଇଂରାଜୀ ଅନୁବାଦ ପ୍ରକାଶ ପାଇବା ପରେ ହିଁ ହାନ୍ କାଙ୍ଗାଙ୍କର ଭାଗ୍ୟର ଦରଜା ଖୋଲିଯାଏ। ୨୦୧୬ ମସିହାରୁ ସମଗ୍ର ବିଶ୍ଵରେ ଜଣେ ଔପନ୍ୟାସିକା ଭାବରେ ସେ ପ୍ରସିଦ୍ଧି ଅର୍ଜନ କରନ୍ତି। ଏହାପରେ ଏହି ଉପନ୍ୟାସଟି ବିଶ୍ଵର ଅନ୍ୟାନ୍ୟ ୧୩ଟି ଭାଷାରେ ଅନୁଦିତ ହୁଏ । ଇଂରାଜୀ ଭାଷାରେ ଅନୁବାଦ ହେବା ଫଳରେ ୨୦୧୬ ମସିହାରେ ଏହି ଉପନ୍ୟାସ ପାଇଁ ସେ ‘ମ୍ୟାନ୍ ବୁକର୍ ଇଣ୍ଟର ନ୍ୟାସନାଲ୍ ପୁରସ୍କାର’ ଲାଭ କରନ୍ତି, ଏବଂ ଏହି ଉପନ୍ୟାସ ତାଙ୍କୁ ୨୦୨୪ବର୍ଷ ପାଇଁ ନୋବେଲ୍ ପୁରସ୍କାର ବି ଆଣିଦିଏ।
ତିନୋଟି ପର୍ବରେ ରଚିତ ଏହି ଉପନ୍ୟାସରେ ଇୟଂ ହେ ନାମକ ଜଣେ ନାରୀର ନିରାମିଷାଶୀ ହୋଇ ଉଠିବାର କାହାଣୀ କୁହାଯାଇଛି, ଯିଏ ମାଂସ ଖାଇବା ପାଇଁ ଅନିଚ୍ଛା ପ୍ରକାଶ କରିବା ପରେ ତାଙ୍କର ସ୍ଵାମୀ, କର୍ତ୍ତ୍ବତ୍ଵବାଦୀ ବାପା ଏବଂ ଅନ୍ୟମାନଙ୍କ ଦ୍ଵାରା ନିର୍ଯ୍ୟାତିତ ହେଉଥାନ୍ତି । ଏହି ନିଷ୍ଠୁରତାର ଆତଙ୍କ ନେଇ ‘ନିଶ୍ଚଳ ଏକ ବୃକ୍ଷ ପରି’ ବଂଚି ରହିବାର ପ୍ରଚେଷ୍ଟା କରୁଥାନ୍ତି ସେହି ନାରୀ, ଇୟଂ ହେ। ତାଙ୍କର ଉଦ୍ଭିଦମୟ ସେହି ରାଜ୍ୟ ଏକ ପକ୍ଷରେ ଯେପରି ଆକର୍ଷଣୀୟ, ଅପର ପକ୍ଷରେ ସେହିପରି ଅଂଧକାର ଏବଂ ବିପଜ୍ଜନକ ମଧ୍ଯ।
ହାନ କାଙ୍ଗଙ୍କର ୟୋର କୋଲ୍ଡ ହ୍ୟାଣ୍ଡସ (୨୦୦୨), ଦ ଇଉଣ୍ଡ୍ କ୍ଲୋଜ୍ (୨୦୧୦), ଗ୍ରୀକ୍ ଲେସନ (୨୦୧୧) ପରି ଏକାଧିକ ଲୋକପ୍ରିୟ ଉପନ୍ୟାସ ପରେ ୨୦୧୬ ମସିହାରେ ପ୍ରକାଶ ପାଏ ଦ ହ୍ୱାଇଟ ବୁକ୍। ଏହା ଏକ ଆତ୍ମଜୈବନିକ ଗଦ୍ୟକବିତାର ସଙ୍କଳନ। ଏହି ସଙ୍କଳନରେ ତାଙ୍କର ୬୪ଟି ସଂକ୍ଷିପ୍ତ ଗଦ୍ୟକବିତା ରହିଛି, ଯାହା ଜନ୍ମ ପରେ ମାତ୍ର ଦୁଇଘଣ୍ଟା ପାଇଁ ବଞ୍ଚିରହିଥିବା ଏବଂ ସଦ୍ୟ ମୃତ୍ୟୁବରଣ କରିଥିବା ଭଉଣୀର ସ୍ମୃତି କାତରତାରୁ ଉଦ୍ଭବ। ଏହି ଗଦ୍ୟ-କବିତା ସଂକଳନରେ ହାନ୍କାଂ ନିଜ ଭିତରେ ଜମାଟ ବାନ୍ଧି ରହିଥବା ଗଭୀର ଅବବୋଧର ଆଲୋକରେ ଜୀବନ ଓ ମୃତ୍ୟୁକୁ ‘ରଂଗ ଓ ରୂପ’ର ପ୍ରିକମ୍ରେ ପ୍ରତିଫଳିତ କରାଇଛନ୍ତି । ୨୦୧୮ ମସିହାରେ ଏହି ଗଦ୍ୟ- କବିତା ସଂକଳନ The White Book ‘ମ୍ୟାନ୍ ବ୍ଲକର ଇଣ୍ଟରନ୍ୟାଶନାଲ୍ ପ୍ରାଇଜ’ ପାଇଁ ସର୍ଟ ଲିଷ୍ଟରେ ସ୍ଥାନପାଏ।
ହାନ୍ କାଙ୍ଗଙ୍କ ପାଇଁ ସାହିତ୍ୟ ଚର୍ଚ୍ଚା ସତେ ଯେମିତି ଶଲ୍ୟ ଚିକିତ୍ସକଙ୍କ ପରି ଏକ ଅସ୍ତ୍ରୋପଚାର, ଯେଉଁଠାରେ ମାନବିକ ଆତ୍ମାକୁ ବ୍ୟବଚ୍ଛେଦ ମାଧ୍ୟମରେ ସେ ତାହାର ଅନୁସଂଗଗୁଡ଼ିକର ଚାରିପାଖରେ ସୂକ୍ଷ୍ମସୂତାର ଆଖ୍ୟାନ ବୁଣନ୍ତି । ଏହା ମାଧ୍ୟମରେ ସେ ମାନବ ଜୀବନରେ ବେଦନା, କ୍ଷତ, ଆକାଂକ୍ଷା ଓ ମୁକ୍ତିର ଥମ୍କୁ ପାଠକମାନଙ୍କ ଭିତରେ ସଂଚାରିତ କରନ୍ତି।
ହାନ୍କାଙ୍ଗଙ୍କର ‘ଦ ହ୍ଵାଇଟ୍ ବୁକ୍ସ’ର କେତୋଟି ଅନୁଚ୍ଛେଦର ଅନୁବାଦ ଏଇଠି ଉପସ୍ଥାପିତ:
// ଥନର କ୍ଷୀର…! //
ବାଇଶବର୍ଷ ବୟସ୍କା ଜଣେ ନାରୀ ଘର ଭିତରେ ଶୋଇ ରହିଛନ୍ତି ଏକା…। ଶନିବାର ସକାଳ । ତଥାପି ଘାସ ଉପରେ ଲାଖି ରହିଛି ପ୍ରଥମ ଶିଶିର। ତାଙ୍କର ପଚିଶବର୍ଷ ବୟସ୍କ ସ୍ଵାମୀ କୋଦାଳଟି ଧରି ପାହାଡ଼ ଉପରକୁ ଯାଇଛନ୍ତି, ଗତକାଲି ଜନ୍ମିଥିବା ଶିଶୁଟିକୁ କବର ଦେବାପାଇଁ। ନାରୀଟିର ଫୁଲିଥିବା ଆଖି ଠିକ୍ ଭାବରେ ଖୋଲୁନାହିଁ। ଦେହର ବିଭିନ୍ନ ସ୍ଥାନରେ ଦରଜ, ଦୁଇ ଆଣ୍ଠୁ ଫୁଲିଯାଇଛି। ଏବଂ ଠିକ୍ ସେତେବେଳେ, ପ୍ରଥମଥର ପାଇଁ, ସେ ତାଙ୍କ ଛାତିରେ ଉଷ୍ମତାର ବନ୍ୟା ଅନୁଭବ କରନ୍ତି। ସେ ଉଠି ବସନ୍ତି, ଅନଭ୍ୟସ୍ତ ହାତରେ ସ୍ତନକୁ ଚାପି ଧରନ୍ତି। ପ୍ରଥମେ ଏକ ଜଳୀୟ, ହଳଦିଆ ଅଠାଳିଆ, ତା’ପରେ ମସୃଣ ଧଳାକ୍ଷୀର… |
// ସେ… //
ତା’ର ଜିଇଁ ରହିବାର କଥା ଭାବେ, ସେଇ କ୍ଷୀର ପିଇ। ମୁଁ ଗତାନୁଗତିକ ଶ୍ଵାସପ୍ରଶ୍ଵାସର କଥା ଭାବେ; ସ୍ତନବୃନ୍ତରେ ଟିକିଟିକି ନରମ ଓଠର କଥା ଭାବେ।
ଭାବେ, ତାକୁ କ୍ଷୀର ଛଡ଼ାଇବା ଏବଂ ତା’ପରେ ଭାତ-ଡାଲିରେ ବଢ଼ିଉଠିବା, ବଡ ହେବା, ଜଣେ ନାରୀ ହୋଇ ଉଠିବା, ଗୋଟିଏ ଗୋଟିଏ ସଂକଟ ଭିତରେ।
ପ୍ରତିଥର ମୁଁ ସେହି ମୃତ୍ୟୁର କଥା ଭାବେ, ଯେତେବେଳେ ସେ ଦୃଢ଼ ଭାବରେ ଆଗେଇ ଯାଏ ତା’ର ପିଠିରେ ମୃତ୍ୟୁକୁ ବୋହିନେଇ ।
ମର ନାହିଁ । ଈଶ୍ଵରଙ୍କ ରାଣ, ମର ନାହିଁ ।କାରଣ ଏହି ଶବ୍ଦଗୁଡ଼ିକ ହିଁ ଏଭଳି, ତା’ର ଶରୀରରେ ଗୋଟିଏ ତାବିଜ୍ ପରି । ଏବଂ ମନେହୁଏ ମୋ ପରିବର୍ତ୍ତେ ଏଠାକୁ ସେ ଆସିଛି । ଏହି କୌତୁହଳମୟ ସହର ପାଖକୁ, ଯାହାର ମୃତ୍ୟୁ ଏବଂ ଜୀବନ ତା’ର ନିଜର।
// ଧଳାଲୁଗାର ଥାନ…//
ନବଜାତ ଶିଶୁର ଚାରିପାଖରେ ଗୁଣ୍ଡ ବରଫ ପରି ଧଳାକନା। ଗର୍ଭରୁ ବାହାରିଲେ ଯେପରି ଭାବରେ ତାକୁ ନର୍ସ କନାରେ ଶକ୍ତ ଭାବରେ ଗୁଡ଼ାଇ ଦିଏ, ଯେପରି ଆକସ୍ମିକ ଅଭିକ୍ଷେପଣରେ ଧକ୍କା ଖାଇ ଅସୀମତା ଆଡ଼କୁ ନେଇ ନଯାଏ ।
ବ୍ୟକ୍ତି ଯେତେବେଳେ ଫୁସ୍ଫୁସ୍ ଭରି ପ୍ରଥମ ଶ୍ଵାସ ନେବା ଆରମ୍ଭ କରେ, ସେହି ବ୍ୟକ୍ତି ଜାଣେ ନାହିଁ ଏମାନେ କିଏ କେଉଁଠାରୁ ଆସିଛନ୍ତି ଏବଂ କ’ଣ ଆରମ୍ଭ ହେଲା। ସମସ୍ତ ଅଳ୍ପବୟସ୍କ ପ୍ରାଣୀଙ୍କ ଭିତରେ ସବୁଠାରୁ ଅସହାୟ, ଏପରିକି ନବଜାତ ଗୋଟିଏ କୁକୁଡ଼ାଚିଆଁ ଠାରୁ ମଧ୍ୟ ସେ ପ୍ରତିରକ୍ଷାହୀନ।
ନାରୀ ଜଣକ ରକ୍ତକ୍ଷରଣ ହେତୁ ଶେତାମୁହଁରେ କାନ୍ଦୁଥିବା ଶିଶୁଟିଆଡ଼କୁ ଚାହେଁ । ହତବାକ୍ ହୋଇ ସେ ତା’ର କନାରେ ଗୁଡ଼ାହୋଇଥିବା ଶରୀରଟା ନିଜ କୋଳକୁ ନିଏ । କେମିତି ଏହି କାନ୍ଦ ବନ୍ଦ ହେବ ତଥାପି ସେ ଜାଣେନା । କେମିତି ଥିଲା ସେ, ଅସହ୍ୟ ଯନ୍ତ୍ରଣା ଭିତରେ। ଅପ୍ରତ୍ୟାଶିତ ଭାବରେ ଶିଶୁଟି କାନ୍ଦିବା ବନ୍ଦ କରେ। ଅଚିହ୍ନା ଏକ ବାସ୍ନା ପାଇଁ ବି ହୋଇପାରେ। କିମ୍ବା ସେ ଚାହିଁ ରହିଛି ଅଚିହ୍ନା ଦୁଇଟି କଳା ଆଖିଡୋଳା ଏବଂ ନାରୀଟିର ମୁହଁଆଡ଼କୁ। ଜାଣେ ନା, ଏହା ଏଭଳି କେଉଁ ମୁହୂର୍ତ୍ତ, ଯେଉଁଠାରେ ଦୁଇଜଣ ମିଶି ଯାଉଛନ୍ତି, ଯୋଡ଼ି ହୋଇ ଯାଉଛନ୍ତି। ନୀରବତାର ମୁହୂର୍ତ୍ତ ପ୍ରଭାବିତ ହେଉଛି ରକ୍ତ-ଗନ୍ଧରେ ଯେତେବେଳେ ଦୁଇଟି ଶରୀରର ମଝିରେ ଶୋଇରହିଛି ଧଳାକନାର ଥାନ… ।
// ଡେଣା…//
ସହରର ଉପକଣ୍ଠରେ ହିଁ ସେ ପ୍ରଜାପତିଟାକୁ ଦେଖୁଥିଲା। ନଭେମ୍ବରର ଏକ ସକାଳରେ, ଗୋଟିଏ ଏକଲା ଧଳା ପ୍ରଜାପତି, ଡେଣା ଦୁଇଟା ବୁଜି ହୋଇ ରହିଥିଲା। ଗ୍ରୀଷ୍ମକାଳରୁ କୌଣସି ପ୍ରଜାପତି ଦେଖାଯାଇ ନାହାନ୍ତି, ଏଇଟା କୋଉଠି ଲୁଚି ରହିଥିଲା ? ପୂର୍ବ ସପ୍ତାହରେ ପବନର ତାପମାତ୍ରା ଅନେକଟା କମି ଯାଇଥିଲା, ଏବଂ ସଂଭବତଃ ଏହାର ଡ଼େଣା ବାରମ୍ବାର ଜମାଟ ବାନ୍ଧି ଯିବା ଫଳରେ ସେଠାରୁ ଧଳାରଂଗ ହଜିଯାଇଛି ଏବଂ କିଛିଅଂଶ ସ୍ପଷ୍ଟ ହୋଇଯାଇଛି। ଏତେଟା ସ୍ପଷ୍ଟ ଯେ କଳା ପୃଥିବୀର ପ୍ରତିବିମ୍ବ ସେଠାରେ ଚକ୍କ୍ଚକ୍ କରେ। ବର୍ତ୍ତମାନ ଆହୁରି କିଛିଟା ସମୟ ଦରକାର ଯେଉଁଠାରୁ, ଡ଼େଣାରୁ ଧଳାରଙ୍ଗଟା ପୂରାପୂରି ପୋଛି ହୋଇଯିବ। ଡେଣା ସେତେବେଳେ ଅନ୍ୟ କିଛି ହେବ, ଡେଣା ନୁହଁ… ଏବଂ ପ୍ରଜାପତି ଏଭଳି କିଛି ହେବ ଯାହା ପ୍ରଜାପତି ନୁହେଁ ।
// ଅଂଧାରରେ କିଛି ବସ୍ତୁ…//
କିଛି ବସ୍ତ୍ର ଅଂଧାରରେ ବି ଧଳା ଦେଖାଯାଏ ।
ଯେତେବେଳେ ଅଂଧାରରେ, ଏଭଳି କୌଣସି କ୍ଷୀଣ ଆଲୁଅ ଆସି ପଡ଼େ, ସେତେବେଳେ ସେହି ବସ୍ତୁଗୁଡ଼ିକ ଯେଉଁଗୁଡ଼ିକ ଧଳା ନୁହେଁ, ଧୂଆଁଳିଆ ବାଷ୍ପ ପରି ଧଳା ମନେହୁଏ । ରାତିରେ, ମୁଁ ଡ୍ରଇରୁମର କଣର ସୋଫାରେ ବିଛଣା ପକାଇ ସେହି ହାଲକା ଆଲୁଅରେ ଶୋଇ ରହିଥାଏ। ଶୋଇବାର ଚେଷ୍ଟା କରିବା ପରିବର୍ତ୍ତେ, ମୁଁ ଅପେକ୍ଷା କରେ, ସମୟର ସଂଗେସଂଗେ ମୋର ଇନ୍ଦ୍ରିୟ ସବୁକୁ ଅନୁଭବ କରିବା ପାଇଁ । ଝର୍କା ବାହାରର ଗଛଗୁଡ଼ିକ ଧଳାପ୍ଲାଷ୍ଟରର କାନ୍ଥରେ ଛାୟା ପକାଏ । ମୁଁ ସେହି ବ୍ୟକ୍ତିଙ୍କ ସଂମ୍ପର୍କରେ ଚିନ୍ତା କରେ, ଯିଏ ଏହି ସହର ପରି, ତାରି ଚେହେରା ସହିତ ମିଶାଏ | ତା’ର ଚେହେରା ଓ ଭାବ ସବୁକୁ ଏକତ୍ରିତ ହେବାର ଅପେକ୍ଷା କରେ, ଯେମିତି ମୁଁ ଅଭିବ୍ୟକ୍ତିଗୁଡ଼ିକୁ ପଢ଼ିପାରିବି।
// ନିଃଶ୍ବାସର ମେଘ…//
ଶୀତ ସକାଳରେ, ଶ୍ଵାସର ସେହି ପ୍ରଥମ ଧଳାମେଘଟି ପ୍ରମାଣ କଲା ଯେ, ଆମେ ଜୀବିତ ଅଛୁ | ଆମର ଶରୀରର ଉଷ୍ଣତା ତାହାର ପ୍ରମାଣ। ଥଣ୍ଡା ପବନ ଅନ୍ଧାରି ଫୁସ୍ଫୁସ୍ ଭିତରକୁ ପଶିଯାଏ। ଭିଜାଇ ଦିଏ ଶରୀରର ଉଷ୍ଣତାକୁ ଏବଂ ଧୂସର ଧଳା ରଂଗ ଧାରଣ କରି ନିଃଶ୍ବାସ ଛାଡ଼େ। ଆମ ଜୀବନର ଅଲୌକିକ ଏହି ପ୍ରସାରଣ କେବଳ ମାତ୍ର ସେହି ଶୂନ୍ୟବତାସରେ।
// ରୁମାଲ୍…//
ଗ୍ରୀଷ୍ମ ଶେଷରେ, ଦିନେ ଅପରାହ୍ନରେ ସେ ଯେତେବେଳେ ନିର୍ଜନ ଟେନମେଣ୍ଟ ଭବନ ପାଖଦେଇ ଚାଲିଚାଲି ଯାଉଥିଲେ, ଏହା ଦେଖିଥିଲେ। ଉପର ମହଲାର ଜଣେ ମହିଳା ବାରଣ୍ଡାର ରେଲିଂ ଉପରେ ତାଙ୍କର ଧୁଆଲୁଗା ଶୁଖାଇଥିଲେ, ଆଉ ଠିକ ସେତେବେଳେ ଲୁଗାଟି ଖସି ପଡିଯାଏ। ତାହା ଗୋଟିଏ ରୁମାଲ, ଯାହା ଧୀରେ ଧୀରେ ମାଟିର ଛାତିରେ ଭାସିଗଲା। ଯେମିତି ଅର୍ଦ୍ଧେକ ଡେଣା ମେଲିଥିବା ପକ୍ଷୀ । ଗୋଟିଏ ଆତ୍ମା କିଛି କ୍ଷଣ ଭିତରେ ଯେମିତି ଖସିପଡ଼େ ।
// ତୁଷାରପାତ…//
ତା’ର ଯେଉଁଦିନ ଜନ୍ମ ହୁଏ, ସେହି ଦିନଟି ଥଲା ତୁଷାରପାତ ଠାରୁ ମଧ୍ଯ ଥଣ୍ଡା । ତଥାପି ବାପା-ମା ନାମ ରଖିଥିଲେ ସିଓଲ- ତୁଷାକୁ ହିଁ ସେମାନେ ବାଛିନେଇଥିଲେ । ବଡ଼ ହେଲା ପରେ, ସେଇ ତୁଷାର ପ୍ରତି ଥିଲା ତା’ର ଅସମ୍ଭବ ସଂବେଦନ। ଏବଂ ତା’ର ନାମ ଥଣ୍ଡାକୁ ବି ଲାଜେଇ ଦେଉଥିଲା।
କିନ୍ତୁ ସେ ହିମ ଆଚ୍ଛାଦିତ ମାଟି ଉପରେ ଚାଲି ଯାଉ ଯାଉ ଅର୍ଦ୍ଧଶୀତଳ ପୃଥିବୀକୁ ଅନୁଭବ କରିବାକୁ ଭଲ ପାଉଥିଲେ। ପ୍ରଥମ ତୁଷାରପାତ, ଯାହା ଏଯାବତ୍ ଆରଂଭ ହୋଇନାହିଁ, ବିଶୁଦ୍ଧ ଲବଣ-ସ୍ଫଟିକ ପରି ସୂକ୍ଷ୍ମ । ତୁଷାରପାତ ଆରଂଭ ହେବା ଫଳରେ ସୂର୍ଯ୍ୟାଲୋକ କିଛିଟା ଶେତା ପଡ଼ିଯାଏ | ଉଷ୍ମ ମୁହଁଗୁଡ଼ିକରୁ ବାହାରି ଆସେ ନିଃଶ୍ବାସର ଧଳାମେଘ। ଗଛଗୁଡ଼ିକ ସେମାନଙ୍କର ପତ୍ର ଝରାଇ ଦେଇ, କ୍ରମଶଃ ଭାର ହାଲ୍କା କରନ୍ତି। ପଥର ବା କୋଠା ପରି କଠିଣ ବସ୍ତୁ କିଛି ଗାଢ଼ ହୋଇରହିଛି । ପଛରୁ ଦେଖାଯାଏ, ଭାରୀ କୋଟ୍ ପରିହିତ ପୁରୁଷ ଓ ମହିଳାମାନେ ନିଃଶବ୍ଦ ଆଲୋଚନାରେ ମଗ୍ନ। ମଣିଷ ଏହା ବି ସହ୍ୟ କରିବା ଆରମ୍ଭ କରିଛି।
ଭୁବନେଶ୍ବର, ମୋ: ୯୪୩୭୫୩୪୭୭୩