



ଆଭୂଷଣ
।। ପ୍ରଦୀପ କୁମାର ପଣ୍ଡା ।।
ଈଶ୍ବରଙ୍କ ଚେହେରା କେମିତି ଦିଶେ..!
ମାଛ କଇଁଛ ସିଂହ ସବୁ ପୁରୁଣା ଘୁଣଖିଆ ବହି ପରି
କେଉଁଠି ଲାଳସା କେଉଁଠି ଭୟ କେଉଁଠି ଆତଙ୍କ।
ଈଶ୍ବର ବୋଲି ଯାହାଙ୍କ ଫଟୋ
ଟଙ୍ଗା ହୋଇଥାଏ
ମୋର ବୈଠକ ଘରେ
ସେ କାହିଁକି ଧରିଥାନ୍ତି ଧନୁ, ତ୍ରିଶୂଳ ବା ଚକ୍ର
ବୁଝିପାରିଲିନି ଏଯାଏଁ…
ସେ କଣ ଯୁଦ୍ଧଖୋର..!!
ଈଶ୍ବର କାହିଁକି କାହାକୁ ମାରନ୍ତି
କ୍ଷୀର ବାହାନାରେ ରକ୍ତ ଶୋଷନ୍ତି
ପୁଆତି ମାଆମାନଙ୍କର !
ଆଶ୍ଚର୍ଯ୍ୟ, ଈଶ୍ଵର କାହିଁକି
ମୋ ଭଳି, ଅନ୍ୟ ଅନେକ ମଣିଷଙ୍କ ଭଳି
କେବେ କେମିତି ପଶୁ ଭଳି, ପୋକ ଭଳି
ଆଚରଣ କରନ୍ତି !
ଈଶ୍ବର ବୋଲି ଯେଉଁମାନଙ୍କର ଚେହେରା
ମତେ ଦେଖାଇ ଦିଆ ହୋଇଛି
କାହିଁକି ଦିଶନ୍ତି ସେମାନେ ଭୋକିଲା, କାଙ୍ଗାଳ
ମୋ ପରି !
ମୋର ଘର ନାହିଁ ଈଶ୍ୱର !
ତୁମେ ଦେଇଥିବା ଚେହେରା ପିନ୍ଧି
ତୁମର ସଂସ୍ଥାପିତ ସଂସାରରେ
ହାତ ପାଦରେ ମୁଁ ଦହେ ମନ୍ଥେ ତୁମର ଇ ଆତ୍ମା
ଉପୁଜାଏ ପାପ ଆଭୂଷଣ, ପିନ୍ଧାଏ ତୁମକୁ।
ସମ୍ବଲପୁର, ଫୋନ୍. ୯୪୩୭୧୪୮୭୦୯
There is 1 comment
ଚମତ୍କାର କବିତା ! ଈଶ୍ୱରଙ୍କ ପାଇଁ ଥିବା ବିରାଗ ବିଷାଦ ଖୁବ୍ ଛୁଇଁଲା। ପ୍ରଣାମ ସାର୍ 🙏