Home » Magazine » ପ୍ରତାପ କୁମାର ପଣ୍ଡା : ଆଲୋଚନା : କବିର ଭାବଭୂମିରେ କବିତା

ପ୍ରତାପ କୁମାର ପଣ୍ଡା : ଆଲୋଚନା : କବିର ଭାବଭୂମିରେ କବିତା

ମାନବୀୟ ଅନୁଭବ, ମୂଲ୍ୟବୋଧ ଓ ସୃଜନଶୀଳ ଭାବନାର ଆବେଗିକ ଏବଂ କଳାତ୍ମକରୂପର ଶାବ୍ଦିକ ପରିପ୍ରକାଶର ସାବଲୀଳ ପ୍ରବାହ କେବେ କବିତା, କେବେ ଗଳ୍ପ ତ କେବେ ସାହିତ୍ୟର ଅନ୍ୟାନ୍ୟ ବିଭବ। ଏହି ବିଭବ ମାନଙ୍କର ଗର୍ଭରେ ଅତୀତ, ଉତ୍ତାଳ ସ୍ରୋତରେ ବର୍ତ୍ତମାନ ଏବଂ ଦୃଷ୍ଟିରେ ଭବିଷ୍ୟତ।

ସାହିତ୍ୟର ମୂଳଚେରଟି ସମାଜରେ, କିନ୍ତୁ ସମାଜର ନବପଲ୍ଲବିତ ଶାଖାସମୂହରେ ମୁକୁଳିତ ପତ୍ର ଓ ଫୁଲ ଶୋଭାପାଉଥାଏ ସାହିତ୍ୟର ରଙ୍ଗରେ —

ରାଗ,ହିଂସା, ଦ୍ୱେଷକୁ ଦୂରେଇ ଶାନ୍ତି ମୈତ୍ରୀ ପ୍ରୀତି ପ୍ରତିଷ୍ଠାପୂର୍ବକ ଜୀବନର ମାନ ଉତ୍କୃଷ୍ଟ କରି ସୁସ୍ଥ ସମାଜ ଗଠନ କରିବା ସାହିତ୍ୟର ଲକ୍ଷ୍ୟ ।

ଏମିତି ଏକ ଅମୃତ ନିଃସୃତ ମହାସାଗରର ବେଳାଭୂମିପରେ ଠିଆହୋଇ ଆକାଂକ୍ଷିତ ନୟନରେ ତରଙ୍ଗାୟିତ ଜଳରାଶିର ଗଭୀରତା ମାପୁଥିବା ସ୍ବପ୍ନବିଭୋର ଶିଶୁଟିଏ ମୁଁ। ଥରଥର ପାଦ, ଖଣ୍ଡିଉଡ଼ା ଦେଉଥିବା  ଶାବକ ପକ୍ଷୀଟିଏ ବି ମୁଁ। ତଥାପି ଆକାଶର ଉଚ୍ଚତା ଓ ଗାମ୍ଭୀର୍ଯ୍ୟକୁ ମାପିବାର ଇଚ୍ଛା ଅଦମ୍ୟ।

” ଅୟୁତ ବୋଧକୁ ବୋହି
ଆଶ୍ବସ୍ତ ମୁଁ କ୍ଷୁଦ୍ର ଜଳବିନ୍ଦୁଟିଏ
ଇଚ୍ଛା ମୋର ନଦୀ ହୋଇ
(କୋଟି )ବ୍ୟଥା (ବକ୍ଷେ) ଧରି ସିନ୍ଧୁ ସାଥେ ସିନ୍ଧୁ ହୁଏ”” ।

ସାହିତ୍ୟ ମହାସାଗରର ସବୁଠାରୁ ସୌନ୍ଦର୍ଯ୍ୟମୟୀ ବିଭାବଟି କବିତା…

ଯିଏ ମଣିଷର ଜିଜ୍ଞାସା, ମନୀଷା ଓ ଅନୁଭବକୁ ରସସିକ୍ତ ଶୈଳୀରେ ପରିପ୍ରକାଶ କରିଥାଏ ‌।  ଯାହାର ବିନ୍ଦୁଏ ଭାବ ସାତ ସିନ୍ଧୁର ଉତ୍ତାଳ ତରଙ୍ଗ ସୃଷ୍ଟି କରି ପ୍ରାଣରେ ଭରିପାରେ ଶତସିଂହର ଉନ୍ମାଦ। ଯୁଦ୍ଧ ଭୂମିରେ ଫୁଟେଇ ପାରେ ଶାନ୍ତିର ଗୋଲାପ । ଯାହାର କ୍ଷୁଦ୍ରାତି କ୍ଷୁଦ୍ର ଅଂଶରେ ସମାହିତ ହୋଇଯାଇପାରେ ସମଗ୍ରସୃଷ୍ଟି ।

ଚର୍ଯ୍ୟା ଯୁଗରୁ ଉତ୍ତର ଆଧୁନିକ ଯୁଗ ପର୍ଯ୍ୟନ୍ତ କବିତାକୁ ନେଇ ଦୀର୍ଘପଥ ଅତିକ୍ରମ କରିଥିବା ଓଡ଼ିଆ ବାଣୀଭଣ୍ଡାର ବି ଖୁବ୍ ସମୃଦ୍ଧ ।  ଅନ୍ଧାରକୁ ପିଠି କରି ଆଲୋକ ଆଡ଼କୁ ଅଗ୍ରସର ହେଉ ହେଉ ମଝିରେ ମଝିରେ କବିତା ଛିଡ଼ା କରିଦେଇଛି ଅନେକ ଭାଷାର ହିମାଦ୍ରି ।  ଆଉ ଅନ୍ଧକାର ଗ୍ରାସ କରିବାର ଆଶଙ୍କା ବି ନାହିଁ।

ଏବେ ଓଡ଼ିଆକବିତାକୁ ନେଇ ପରୀକ୍ଷା ନିରୀକ୍ଷା କରୁ କରୁ ଅସଫଳ ହୋଇଗଲେ ବି ଓଡ଼ିଆଭାଷାର କିଞ୍ଚିତ ମାତ୍ରାରେ କ୍ଷତି ହେବାର ଅନୁମାନ କରାଯାଇନପାରେ ବୋଲି ଅନେକ ହୃଦବୋଧ କରୁଥିବା ଏକ ସୁଖକର ସମୟରେ ମୁଁ ମୋର କ୍ଷୁଦ୍ର ଖଦ୍ୟୋତିକା ସମ ଚିନ୍ତା ଚେତନାରୁ ସ୍ଵତଃସ୍ପୃତ ଝରିପଡୁଥିବା ଭାବଧାରାକୁ ବାନ୍ଧି ରଖି  କବିତାର ରୂପ ଦେବାପାଇଁ ଚେଷ୍ଟା କରିଛି  କେବଳ ସେହି ଶବ୍ଦଗୁଡିକୁଛନ୍ଦୋବଦ୍ଧ କରି।

କଟକ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ସବୁଜିମା ଘେରା ଗାଁ ପରିବେଶରେ ଏକ ଶିକ୍ଷକ ପରିବାର ତଥା ସମାଜର ସମସ୍ତ ବର୍ଗର ମଣିଷଙ୍କ କୋଳାହଳ ମଧ୍ୟରେ ପଢ଼ି ବଢ଼ି ଥିବାରୁ ପାଠ, ପ୍ରକୃତି, ଆଧ୍ୟାତ୍ମିକତା, ସହିତ ଦୁଃଖ ,ଶୋକ, ରୋଗ, ଯନ୍ତ୍ରଣା, ଦାରିଦ୍ର୍ୟତା ,ସାମାଜିକ ଅସାମଞ୍ଜସ୍ୟତା, ବିଶେଷକରି ରାଜନୀତିର ଅନ୍ଧାରପକ୍ଷକୁ ଅତି ନିବିଡ଼ ଭାବରେ ଅବଲୋକନ କରିବାର ସୁଯୋଗ ମିଳିଥିଲା। ଏହି ସବୁ ଦୃଶ୍ୟାଲୋକରେ ଉଦ୍ବେଳିତ ମନ ସବୁ ସମୟରେ ନିଜ ସହ ବିଦ୍ରୋହ କରୁଥିଲା । ଆପେ ଆପେ ତାହା ଶବ୍ଦ ହୋଇ ବାହାରି ଆସୁଥିଲା ଯାହାକୁ କାଗଜପୃଷ୍ଠାରେ ଲିପିବଦ୍ଧ କରିବା ବ୍ୟତୀତ ପରିପ୍ରକାଶ କରିବାର ଦମ୍ଭ ନଥିଲା ସେତେବେଳେ।

ପୁସ୍ତକପାଠ ନିଶା ଥିବାରୁ ଅନେକ ଗଳ୍ପ, ଉପନ୍ୟାସ ପଢ଼ିବାର ସୁଯୋଗ ପାଇଛି ବିଶେଷ କରି ବିଭୂତି ପଟ୍ଟନାୟକ, ପ୍ରତିଭା ରାୟଙ୍କ ଅନେକ ଉପନ୍ୟାସ ସହିତ କଥା, ଝଙ୍କାର, ସୁଚରିତା, ଜହ୍ନମାମୁଁ ଭଳି ବହୁ ପତ୍ରିକାର ନିୟମିତ ପାଠକ ଭାବରେ ଅନେକ ଗଳ୍ପ, ଉପନ୍ୟାସ ପଢ଼ିଛି।

ଗଙ୍ଗାଧର ମେହେରଙ୍କ ଅନେକ କାବ୍ୟ, ସଚ୍ଚି ରାଉତରାୟ, ମାୟାଧର ମାନସିଂହ, ରମାକାନ୍ତ ରଥ, ଜୟନ୍ତ ମହାପାତ୍ରଙ୍କ ଭଳି ଅନେକ ମହାନ ସ୍ରଷ୍ଟାଙ୍କ ସୃଷ୍ଟିକୁ ଅନୁଭବ କରିବାର ସୁଯୋଗ ପାଇଛି।

ମାୟାଧର ମାନସିଂହ କବିତା ମତେ ବିଶେଷ ଭାବରେ ଶିହରିତ କରିବା ସହିତ ସେମାନଙ୍କ ରଚନା ଶୈଳୀ ମତେ ପ୍ରଭାବିତ କରିଆସିଛି। ପରବର୍ତ୍ତୀ ସମୟରେ ରାଉରକେଲା ଇସ୍ପାତ କାରଖାନାରେ କର୍ମମୟ ଜୀବନ ଆରମ୍ଭ ସହିତ ଶ୍ରମିକ ସଂଗଠନରେ କାର୍ଯ୍ୟ କରିବାର ସୁଯୋଗ ମିଳିବା ପରେ ଲୁହା, ନିଆଁ, ଧୂଳି, ଧୂଆଁ ସହିତ ଜୀବନମୃତ୍ୟୁର ଲୁଚକାଳି ଖେଳକୁ ପରଖୁ ପରଖୁ ସାମାଜିକ ବ୍ୟବସ୍ଥାର ଅନ୍ଧାରାବୃତ ରୁଦ୍ଧକୋଠରୀର ଆହୁରି ନିକଟର ହୋଇଛି। ଯେତେବେଳେ ଦରସିଝା ଦେହରୁ ଝରି ପଡୁଥିବା ସ୍ବେଦରେ ଦେଶପ୍ରେମର ବାସ୍ନା ମନକୁ ଅସ୍ଥିର କଲା, ଯେତେବେଳେ ଯନ୍ତ୍ର ସହିତ ଅସ୍ଥିର ଘର୍ଷଣର ଶବ୍ଦ ମନ୍ଦିରରେ କମ୍ବୁନାଦ  ଭଳି କର୍ଣ୍ଣ ଭେଦକଲା , ଯେତେବେଳେ ୧୫୦୦ ଡିଗ୍ରୀ ଉତ୍ତାପ ନିକଟରେ କର୍ମରତ ଶରୀରର ଧମନୀରେ ପ୍ରବାହିତ ରକ୍ତ ସମ୍ପର୍କର ସଂଜ୍ଞା ଖୋଜିଲା ସେତେବେଳେ  ଆପେ ଆପେ ବାହାରି ଆସୁଥିବା ଜୀବନାନୁଭବ କେମିତି କବିତାର ରୂପ ନେଲା ଜଣାନାହିଁ।

ବିଦ୍ରୋହୀ ମନ ଅହରହ ଖୋଜୁଥିଲା ମୁକୁଳିବାର ସୁଗମ ପଥକୁ

ଆଧ୍ୟାତ୍ମିକତାରୁ ପ୍ରେମ , ପ୍ରେମରୁ ସମ୍ପର୍କ, ସମ୍ପର୍କରୁ ସମର୍ପଣ, ତ୍ୟାଗ, ବଳିଦାନ, ଶାନ୍ତି ।ଜୀବନବୋଧର ଏହି ଅଣୁ ଅନୁଭବକୁ ଶବ୍ଦ ରୂପ ଦେଉ ଦେଉ ପ୍ରଥମ କବିତା ପୁସ୍ତକ” ଭାବ ନୈବେଦ୍ୟ”ର ସୃଷ୍ଟି । ଯିଏ ଅନନ୍ତ ଅବ୍ୟକ୍ତ ଯାହାର ଅଣୁ ମାତ୍ର ଅନୁଭବରେ ହୃଦୟ ପୂର୍ଣ୍ଣ ହୁଏ, ଯାହାଙ୍କ ପୂର୍ଣ୍ଣ ଅନୁଭବ ଅସମ୍ଭବ । ସେହି ଶାଶ୍ଵତ ସତ୍ତା ଅନୁଭବର ଭାବ-ଅଭାବକୁ କବିତାର ରୂପ ଦେଇ ଶାନ୍ତିସୁଧା ପାନ କରିବାର ପ୍ରୟାସ କରିଛି।

ଥରେ କବିତା ମନସ୍କ ହୋଇଗଲେ କବିତା ଆପେ ଆପେ ବାହାରି ଆସେ ଶବ୍ଦ ହୋଇ, କେତେବେଳେ କେଉଁ ଭାବ କବିତାର କେଉଁ ରୂପ ନେବ ତାହା କାହାରିକୁ ଜଣା ନଥାଏ ।

ଆଧ୍ୟାତ୍ମିକତାରେ ଆପ୍ଲୁତ ହୃଦୟକନ୍ଦର ଠାବ କରିଛି ପ୍ରେମକୁ । 

ପ୍ରେମ ମାନବଜୀବନର ସାରତତ୍ତ୍ବ। ଯେଉଁଠାରେ ପ୍ରେମ ସେହି ଠାରେ ଜ୍ଞାନ, ପରମ ପବିତ୍ରତା, ସେହି ଠାରେ ବାଧ୍ୟବାଧକତା ଓ କର୍ତ୍ତବ୍ୟନିଷ୍ଠା । ପ୍ରେମ ମଣିଷକୁ ଭେଦଭାବ ଶୂନ୍ୟ କରେ, ସ୍ବାର୍ଥ ବିବର୍ଜିତ କରେ ,ଆତ୍ମ ବିସ୍ମୃତ କରେ, ପ୍ରେମ ନିରୂପିତ ନହେଲେ ହେଁ ପ୍ରେମମୟ।ଅନୁଭବିଥିବା ପ୍ରେମ ହିଁ ହୃଦୟପାତ୍ରର ସୁଧା। ଏହି ସୁଧାର, ସ୍ବାଦ ବିନ୍ୟାସର ଶାବ୍ଦିକ ପରିପ୍ରକାଶ ହେଲା  ଦ୍ବିତୀୟପୁସ୍ତକ “ସପ୍ତପର୍ଣ୍ଣୀ “।

ପ୍ରେମସିକ୍ତ ପ୍ରାଣ  ଦୁଃଖ, ଶୋକ, ଭୋକ, ରୋଗ, ରାଗ, ହିଂସା, ଯୁଦ୍ଧ, ଧ୍ବଂସର ବାସ୍ତବତା ଭିତରେ ଆଙ୍କିବାକୁ ଆରମ୍ଭ କଲା ପ୍ରଗତିଶୀଳ ବିଶ୍ବର ଆବାହନୀ ଚିତ୍ର ଯାହା ଜନ୍ମନେଲା ମୋର ତୃତୀୟପୁସ୍ତକ “କଳାବତୀ” ଭାବରେ । ଆଧୁନିକତାର ଧୂମାୟିତ ବଳୟ ଭିତରେ ଧୀରେ ଧୀରେ ଅଣନିଃଶ୍ବାସୀ ହୋଇଉଠୁଥିବା  ମୂଲ୍ୟବୋଧହୀନ ମାନବସନ୍ତାପର ଆଗ୍ନେୟଗିରିରେ ଗୋଟିଏ ପାଦ ପକେଇ ସାରି ବର୍ତ୍ତମାନ ଧ୍ବଂସ ଅବଶ୍ୟମ୍ଭାବୀ ଜାଣିବା ପରେ ଉପାୟଶୂନ୍ୟ ଭାବରେ ମୁକ୍ତିର ଅପେକ୍ଷାରେ। ଆମକୁ ମୁକୁଳିବାକୁ ପଡ଼ି ସେସବୁ ଊର୍ଣ୍ଣନାଭ ଜାଲରୁ ଆଉ ଖୋଜିବାକୁ ପଡ଼ିବ ଭେଦଭାବ ବିହୀନ ନୂତନ ଏକ ପୃଥିବୀକୁ ଯେଉଁଠି ପରାଜୟରେ ମିଳୁଥିବ ଶାନ୍ତି ଏବଂ ମୁକ୍ତି ।

ମୁକ୍ତଛନ୍ଦର କବିତା ମତେ ଭଲ ଲାଗୁଥିଲେ ହେଁ ମୁଁ ମୋର କବିତାକୁ ଛନ୍ଦଯୁକ୍ତ ରଖିବା ସହିତ ପଦରେ ପାଦ ସଂଖ୍ୟା, ଅକ୍ଷର, ଯତିପାତ, ଶବ୍ଦଚୟନ ଉପରେ ଜୋର୍ ଦିଏ ବିଶେଷ ଭାବରେ ବନାନ ଏବଂ ବ୍ୟକରଣଗତ ତ୍ରୁଟି ଉପରେ ଧ୍ୟାନ ଦିଏ । ମୋର ମନ କହେ କବିତା ଛନ୍ଦମୁକ୍ତ ହେଉ କି ଛନ୍ଦଯୁକ୍ତ, କବିତା ଭାବମୟ ହେବା ଉଚିତ୍ ଏବଂ କବିତାର ଭାବ ପାଠକ ମନକୁ ଆନ୍ଦୋଳିତ କରବା ବାଞ୍ଛନୀୟ । ଜଗତ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ହେବା ଉଚିତ୍ ।

“ମଉନେ ମୁକ୍ତିର ମନ୍ତ୍ର ପ୍ରଚାରେ
ଦୁର୍ବଳ ହୃଦୟେ ଶକତି ଭରେ
ଶାନ୍ତି, ସତ୍ୟ, ପ୍ରୀତି ସଦା ପରଶେ
ଅସାଧୁ ପାଦରେ ଶିକୁଳି କଷେ
ସୁପ୍ତ ଘଟେ ପ୍ରାଣ ସଂଚାରେ ଯାଇ
କବିତା ସେହି।।”

ମହା ମହା ଦ୍ରୁମ ଆଚ୍ଛାଦିତ ସାହିତ୍ୟର ଗହନ ବନରେ ଦୁର୍ବା ସମ ମୋର ବି ଇଚ୍ଛା ଭାବନା ଶବ୍ଦରେ ଶବ୍ଦାୟିତ କରିବାକୁ କାହାରି ନା କାହାରି ହୃଦୟ ଗହ୍ୱର।।

ଚିତ୍ରକର ନହେଲେ ବି ନେଇ ମନୋରଥ
ଚେଷ୍ଟା ମୋର ଅବିରତ ନୁହେଁ ଅସମର୍ଥ
ହାତେ ଧରି ରଙ୍ଗ ତୂଳୀ
ଆଙ୍କିବି ମୁଁ ପ୍ରତିଛବି ପ୍ରେମିକାର ଭଳି ।।

କବିତା ପ୍ରତି ଏହା ହିଁ ମୋର ଭାବଦୃଷ୍ଟି ଓ ଏହା ହିଁ ମୋର ଭାବଦୃଷ୍ଟିର କବିତା, ଯାହା ଭିତରେ ନିରନ୍ତର ମୁଁ ଖୋଜୁଥାଏ ସେଇ ମହିମ୍ନ ଜୀବନାନୁଭବର ରହସ୍ୟମୟ ସୌନ୍ଦର୍ଯ୍ୟକୁ।

There are 15 comments

  1. କବିର ଭାବମୂର୍ତ୍ତି ରେ କବିତା…… ଚମତ୍କାର ଉପସ୍ଥାପନା ଶୈଳୀ l
    🙏🙏🙏

    1. ଆପଣଙ୍କ ମନ୍ତବ୍ୟ କବିଙ୍କୁ ନିଶ୍ଚୟ ଉତ୍ସାହିତ ଓ ଅଭିମନ୍ତ୍ରିତ କରିବ। ଏଥିପାଇଁ ଧନ୍ୟବାଦ ସହ ଶୁଭେଚ୍ଛା ଜଣାଉଛୁ।

  2. ସମ୍ପାଦକଙ୍କ ହ୍ବାଟସପକୁ ଶ୍ରୀଯୁକ୍ତ ସୁକୁମାର ରାୟ, ବାଲୁବଜାର, କଟକ ନିଜ ମତାମତ ପଠାଇଛନ୍ତି :
    ନମସ୍କାର🙏
    ସ୍ବାଧୀନତାର ଅଠସ୍ତରୀତମ ମହୋତ୍ସବ ପାଳନ ଅବସରରେ ଅଭିନବ ଚଉକାଠର ଅଗଷ୍ଟ ପ୍ରତିବେଦନ ଓ ପାଠକାର୍ପଣ ପାଇଁ ଅଶେଷ ଅଭିନନ୍ଦନ।
    ଏଥର ସମ୍ପାଦକୀୟରେ ସାମ୍ପ୍ରତିକ ସମୟରେ ବିଶ୍ବର ଏକମାତ୍ର ଭାଷାଭିତ୍ତିକ ରାଷ୍ଟ୍ର ବାଙ୍ଗଲାଦେଶର ରାଜନୈତିକ ଅସ୍ଥିରତା , ଆଭ୍ୟନ୍ତରୀଣ ବିଶୃଙ୍ଖଳା ଏବଂ ତଜ୍ଜନିତ ଆତଙ୍କରାଜ ସମ୍ପର୍କରେ ଉଲ୍ଲେଖ କରି ଉଦବେଗ ପ୍ରକାଶ କରିବା ସହିତ ସ୍ଵଦେଶର ସ୍ଵତନ୍ତ୍ରତାଦିବସ ପାଳନାବସରରେ ଅନୁଚିନ୍ତା ତଥା ସର୍ଜନାରେ ମୁକ୍ତ ଚିନ୍ତନର ଆବଶ୍ୟକତାକୁ ନେଇ କବି ରବୀନ୍ଦ୍ରନାଥ ଟାଗୋରଙ୍କର କବିତା ବେଶ୍ ହୃଦୟଗ୍ରାହୀ ହୋଇଛି।

    କବିତାର ଭାବଭୂମିରେ ପ୍ରତାପ କୁମାର ପଣ୍ଡାଙ୍କର କବିତା ସମ୍ପର୍କିତ ଅଭିମତ ଖୁବ୍ ଅନୁଭୂତିସିଦ୍ଧ।

    ମଧୁରମ୍ ମଧୁରମ୍ ମଧୁରା°ଶ ପ୍ରତିଥର ଆମ ସମୃଦ୍ଧ ସାହିତ୍ୟ-ପରମ୍ପରାର ପରିଚୟ ଦିଏ। ଏଥର ଆଧୁନିକ ଓଡ଼ିଆ ଭାଷାର ଉତ୍ପତ୍ତି ପୂର୍ବରୁ ପ୍ରଚଳିତ ପ୍ରାକୃତ ଭାଷାରେ ରଚିତ ଚର୍ଯ୍ୟାପଦ (ଏହା ସନ୍ଧାଭାଷାରେ ରଚିତ ବୋଲି ମଧ୍ୟ ଅନ୍ୟ ମତ ରହିଛି) ର କିୟଦ°ଶ ଓ ତାହାର ଓଡ଼ିଆ ଭାବାନ୍ତର ମୁଗ୍ଧ କଲା। ଗଳ୍ପ, ଉପନ୍ୟାସ ଏବଂ କବିତା ଅ°ଶଗୁଡ଼ିକ ସୁଚୟନିତ ଓ ସୁସ°ଯୋଜିତ। ବହୁତ ଭଲ ଲାଗିଲା ପ୍ରଣୟସୁଧାଙ୍କ କବିତା°ଶର ଏଇ ଦୁଇ ଧାଡ଼ି…
    “ପଥର
    ଶୋଇ ରହିଲେ ବେଢ଼ାକୁ ପାହାଚ
    ଜାଗ୍ରତ ହେଲେ ଈଶ୍ୱର।”
    ଚମତ୍କାର। ଚମତ୍କାର।

    ଗଳ୍ପ ମୁକ୍ତି ଏକ ଭଲ ଚରିତ୍ରକୁ ନେଇ ରଚିତ।ତେବେ ଗଳ୍ପଟିରେ ଶେଷ ଆଡ଼କୁ ଗାଳ୍ପିକ ହଠାତ ତରତର ହୋଇ ସାରିଦେଲା ଭଳି ଲାଗିଲା। ହୁଏତ ସୀମିତ କଳେବରରେ ଗଳ୍ପ ଲେଖିବାର ବାଧ୍ୟବାଧକତା ଗଳ୍ପର ସ୍ଵତଃପ୍ରବାହକୁ ବ୍ୟାହତ କରୁଛି।
    ଗୌତମବୁଦ୍ଧ ଦାସଙ୍କ ଦୁଇଟି ମିନିଗଳ୍ପ କରୋନା ସମୟର ସ୍ମୃତିକୁ ଉଜ୍ଜୀବିତ କରିଦେଲା।
    ଏଥର ଚଉକାଠରେ ପ୍ରତିଟି କବିତା ଏକକୁ ଆରେକ ବଳି।
    ଏହି ପାଠ୍ୟ-ଦୃଶ୍ୟ-ଶ୍ରାବ୍ୟ ଡିଜିଟାଲ ପତ୍ରିକାଟି ଅପାର ପାଠକୀୟତା ପାଉ, ଏହି ଶୁଭକାମନା ।

    1. କବି ସର୍ବଦା ଶବ୍ଦ ପାଖରେ ନତଜାନୁ। ଠିକ୍ କହିଛନ୍ତି, ଅନୁଭୂତିସିଦ୍ଧ ନହେଲେ କବିତାର ଭାବଭୂମି ଉପରେ ଶବ୍ଦଟିଏ କହିବା ସହଜ ନୁହେଁ। କବିଙ୍କୁ ଅଭିନନ୍ଦନ… ଆପଣଙ୍କୁ ଧନ୍ୟବାଦ।

  3. କବିର ଭାବଭୂମିରେ କବିତା ଖୁବ୍ ଛୁଇଁଲା ମନକୁ।
    ଅଜସ୍ର ଅଭିନନ୍ଦନ ଆପଣଙ୍କୁ 💐💐🙏

    1. “କବି ପ୍ରତାପଙ୍କ ଭାବଭୂମିରେ କବିତା” ଉପରେ ପ୍ରାପ୍ତ ପାଠକୀୟ ମନ୍ତବ୍ୟ ଚଉକାଠର ଚଳିତସଂଖ୍ୟାକୁ ଆହ୍ଲାଦିତ ଓ ଉଲ୍ଲସିତ କରିଛି। ସେଇ ପ୍ରକ୍ରିୟାରେ ଆପଣଙ୍କ ମନ୍ତବ୍ୟ ବି ଆମର ଶକ୍ତି ଓ ସାମର୍ଥ୍ୟ। ଅଶେଷ ଧନ୍ୟବାଦ ସହ ଶୁଭେଚ୍ଛା।

  4. ଅଭିନବ ଅଗଷ୍ଟ ସଂଖ୍ୟାରେ ପ୍ରକାଶିତ ବିଶିଷ୍ଟ କବି ଓ ସମାଲୋଚକ ଶ୍ରୀଯୁକ୍ତ ତ୍ରିନାଥ ସିଂହଙ୍କ ସଂପାଦକୀୟ ବାଂଲାଦେଶରେ ଘଟୁଥିବା ଅଭାବନୀୟ ଓ ବର୍ବର ଘଟଣା ତଥା ଗାନ୍ଧୀଙ୍କ ଭାରତ ଛାଡ ଆନ୍ଦୋଳନର ଆଲେଖ୍ଯ ଚମତ୍କାର ଓ ଚିତ୍ତାକର୍ଷକ ହୋଇଛି।ତାଙ୍କୁ ମୋ ଅଜସ୍ର ଆନ୍ତରିକ ଅଭିନନ୍ଦନ ଓ ସୁମନାସ।
    **********
    ପୁନଶ୍ଚ ପ୍ରତାପ କେଶରୀ ପଣ୍ଡାଙ୍କ ସାହିତ୍ଯିକ ଆଲୋଚନା ଯଥା- କବିତାର ଭାବଭୂମି ମୋତେ ମୁଗ୍ଧ କଲା। ତାଙ୍କୁ ମୋ ଅଶେଷ ଆନ୍ତରିକ ଅଭିନନ୍ଦନ। ## ସୌଭାଗ୍ୟବନ୍ତ ମହାରଣା,ସମ୍ବଲପୁର।

    1. ଆପଣଙ୍କୁ ଅନ୍ତରରୁ ଅଶେଷ ଅଶେଷ ଧନ୍ୟବାଦ ସାର୍
      ନମସ୍କାର
      🙏🙏

    2. ଆପଣଙ୍କ ପରି ବରିଷ୍ଠଙ୍କ ମନ୍ତବ୍ୟ ଓ ଆଶୀର୍ବାଦ ନୂତନପିଢ଼ିକୁ ନିଶ୍ଚିତ ରୂପେ ଉଲ୍ଲସିତ ଓ ଉତ୍ସାହିତ କରିବ। କବି ପ୍ରତାପ ପଣ୍ଡା ସାହିତ୍ୟରେ ନୂଆମୁହଁ ହେଲେ ହେଁ ତାଙ୍କର ସାଧନା ଓ କବିତ୍ଵ ଅନୁଭୂତିସିଦ୍ଧ… ଯାହା ବେଶ ସ୍ପଷ୍ଟ ତାଙ୍କ ବକ୍ତବ୍ୟରେ।

      କବିଙ୍କୁ ଶୁଭକାମନା ଓ ଆପଣଙ୍କୁ ଅଶେଷ ଧନ୍ୟବାଦ୍ ଓ ସମ୍ମାନ ଚଉକାଠର।

  5. କବିତାର ଦିଗ୍ ବି ଦିଗ ନେଇ ପ୍ରତାପଙ୍କ ଏ ଆଲୋଚନା ତାଙ୍କ ଗଭୀର ମନନଶୀଳତାକୁ ଚିହ୍ନାଉଛି।
    ଭଲ ଲାଗିଲା।

    1. ଆପଣଙ୍କ ମତାମତ ପାଇଁ ଅନ୍ତରରୁ ଅଶେଷ ଅଶେଷ ଧନ୍ୟବାଦ ସାର୍
      ମୋର ସୌଭାଗ୍ୟ
      ନମସ୍କାର ସାର୍
      🙏🙏

    2. ଠିକ୍। ଆପଣଙ୍କ ସହ ଚଉକାଠ ବି ଏକମତ ପ୍ରିୟ ଗାଳ୍ପିକ।
      ସଧନ୍ୟବାଦ ସମ୍ମାନ ଆପଣଙ୍କୁ।

Leave a Reply

Your email address will not be published. Required fields are marked *