ସକାଳର ଶିଶିରସ୍ନାତ ଫୁଲଗୁନ୍ଥା ହାର ଭଳି
ତୁମେ ଗୁନ୍ଥି ହେଇ ରହିଛ ଏମିତି ଯେ
ତୁମ ସତେଜତାରେ ଏତେ ଟିକିଏ ବି ଦାଗ ଦିଶେନି
ସ୍ମୃତିର ସାବରମତୀରେ…
ସାବରମତୀ ଏକ ପବିତ୍ର ତୀର୍ଥଭୂମି
କାଟି ପିନ୍ଧ କୁଟି ଖାଅ ତୁମର କର୍ମଯୋଗ
ସତ୍ୟ ପ୍ରତି ଆଗ୍ରହ ତୁମର ହଠଯୋଗ
ଅହଂର ଯୁଦ୍ଧଭୂମିରେ ତୁମେ ଥିଲ ସେନାପତି ଅହିଂସାର
ତୁମେ ତୁମ ସଂକଳ୍ପର ଭିନ୍ନତମ ଗୀତାସାର ।
ତୁମେ ଅବିଚଳିତ ବିଚାରରେ ସ୍ଥିର ଜଳାଶୟ
ଗଭୀର ମନଶ୍ଚେତନାରେ ସମାଧିସ୍ଥ ବୁଦ୍ଧ
ସତ୍ୟାଗ୍ରହର ସିଦ୍ଧ ସାଧନାରେ
ହିମାଳୟ ଭଳି ଦର୍ପିତ ପୁରୁଷାର୍ଥ ତୁମର ।
ତୁମ ପ୍ରାର୍ଥନାରେ ପୀଡ଼ିତ ଜନତାର ଆର୍ତ୍ତି
ରାମଧୂନରେ ଭାଇଚାରାର ସଂପ୍ରୀତି
ତୁମେ ଏ ଜାତିର ଜୀବନବେଦର ଗ୍ରନ୍ଥ ହେ
ସାବରମତୀର ସନ୍ଥ !
ଗୋଟେ ଦେଶ
ଟଳି ପଡେନାହିଁ ଗୁଳିରେ କି ଗାଳିରେ
ଦେଶର ଆତ୍ମା କଳଂକିତ ହୁଏ ନାହିଁ
ହୀନମନ୍ୟତାର
କାଳିରେ ।
ବାପୁ କହିଲେ ଦେଶ…
ଦେଶର ଆତ୍ମା ବାପୁ…
ଅମଳିନ ଧାରେ ହସରେ ଚିର ଭାସ୍ବର
ତୁମେ ଏକ ଅସରନ୍ତି ଆଲୋକିତ ପଥ ହେ
ସାବରମତୀର ସନ୍ଥ !


There are 6 comments
ଚମତ୍କାର କବିତା ଏବଂ ଆବୃତ୍ତି
ସ୍ବାଧୀନତା ଦିବସର ଅଭିନନ୍ଦନ ସହ
ନମସ୍କାର ମାମ୍
🙏🙏
ଆନ୍ତରିକ ଧନ୍ୟବାଦ ଆପଣଙ୍କୁ । 🙏🌹
ଆପଣଙ୍କ ମତାମତ ଆମକୁ ଉତ୍ସାହିତ କରିବ ଆଗକୁ ଆଗକୁ।
ସ୍ୱାଧୀନତା ଦିବସ ଅବସରରେ ଏହା ନିଶ୍ଚିତ ରୂପେ ଏକ ଚମତ୍କାର କବିତା। ଧନ୍ୟବାଦ ଓ ଶୁଭେଚ୍ଛା ଆପଣଙ୍କୁ।
ଆନ୍ତରିକ ଧନ୍ୟବାଦ ଆପଣଙ୍କୁ ।🙏🌹
ସାବରମତୀର ସନ୍ଥ.. ଦେଶପ୍ରେମର ବାସ୍ନା ଚହଟିଲା। ଚମତ୍କାର ଆବୃତ୍ତି।👏👏💐
ଆପଣଙ୍କ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଓ ଶୁଭେଚ୍ଛା।