ପୁସ୍ତକ ପରିଚୟ : ‘ସ୍ପର୍ଶ’: ନିମଗ୍ନ ନିରବତାର ମାନ୍ତ୍ରିକ ଉଚ୍ଚାରଣ
।। ତ୍ରିନାଥ ସିଂହ ।।
କବିତାର କାନଭାସ୍ ଏତେ ବ୍ୟାପ୍ତ ଓ ବିସ୍ତୃତ ଯେ, ସେ ସଂପର୍କରେ ଶେଷଶବ୍ଦ କହିବା ବା ଲେଖିବା କେବଳ କଷ୍ଟକର ନୁହେଁ, ଦୁରୂହ ବି। ତେବେ, କବିତା ସଂପର୍କରେ ଏତିକି ଅନ୍ତତଃ କୁହାଯାଇପାରେ ଯେ, ତାହା ଯୁକ୍ତଛନ୍ଦ ହେଉ କି ମୁକ୍ତଚ୍ଛନ୍ଦ ହେଉ କିଂବା ହେଉ ସଂପୂର୍ଣ ଗଦ୍ୟଧର୍ମୀ – ଯହିଁରେ ସୌନ୍ଦର୍ଯ୍ୟବୋଧ, ରହସ୍ୟାନୁଭବ ଓ ସାଙ୍ଗୀତିକତା ନିହିତ ରହିଛି, ତାହା କାବ୍ୟାମୋଦୀ ପାଠକକୁ ଅନନ୍ୟ ଅନୁଭବର ଅତୁଲ୍ୟ ଉଚ୍ଚତା ସମ୍ପନ୍ନ ପୃଥିବୀକୁ ଘେନିଯାଇ ପୁନଃ ପୁନଃ ଅମୋଦିତ ଓ ଆପ୍ଲୁତ କରିବ । କହିବାରେ ଦ୍ବିଧାନାହିଁ, କବି ହରମୋହନ ମିଶ୍ରଙ୍କ କବିତାର ପୃଥ୍ବୀ ଏହି ଭଳି ଏକ ସୌନ୍ଦର୍ଯ୍ୟମୟୀ ଉପଦ୍ୱୀପ, ଯହିଁରେ ରହସ୍ୟାନୁଭବର ସାଙ୍ଗୀତିକତା ପାଠକୀୟ ପ୍ରାଣକୁ ମୃଦୁ ମୃଦୁ ଅନୁରଣନରେ ଆଚମ୍ବିତ କରୁଥାଏ।
ଓଡ଼ିଆ ଛନ୍ଦକବିତାର ବିସ୍ମୟ ପ୍ରତିଭା କବି ରାଧାମୋହନ ଗଡ଼ନାୟକଙ୍କୁ ଯେଉଁମାନେ ପଢ଼ିଛନ୍ତି, ସେମାନେ ତାଙ୍କର ଛନ୍ଦମାୟାର ଐନ୍ଦ୍ରଜାଲିକ ସୌନ୍ଦର୍ଯ୍ୟମୟତାରେ ବାରମ୍ବାର ବିସ୍ମୟ-ବିଭୋର ହୋଇଛନ୍ତି । କବି ହରମୋହନ ମିଶ୍ରଙ୍କ କାବ୍ୟଧରାରେ ବିଚରଣ କଲାବେଳେ ମୋତେ ଏପରି ଲାଗିଛି, ଯେପରି କି ରାଧାମୋହନଙ୍କ ସେଇ ଅନନ୍ୟ ଛନ୍ଦ-ପ୍ରକରଣର ମାୟାଜାଲରେ କ୍ରମଶଃ ମୁଁ ବାନ୍ଧି ହେଇଯାଉଛି । କହିବା ବାହୁଲ୍ୟ, ରାଧାମୋହନ ଗଡ଼ନାୟକଙ୍କ ପରେ କବିତାରେ ସେଇ ଛନ୍ଦମୟ ଛଟାର ଅନନ୍ୟାନୁଭବ ଓ ସୌନ୍ଦର୍ଯ୍ୟବୋଧ ହରମୋହନଙ୍କ କବିତାରେ ପରିଦୃଷ୍ଟ ହୁଏ – ଯାହା ବିସ୍ମୟ-ଚକିତ କରେ ପାଠକର ଅନ୍ତଃସ୍ଥଳକୁ।
ଅହରହ କବିତାରେ ବଞ୍ଚୁଥିବା ଅଥଚ ପ୍ରକାଶ-ବିମୁଖ ଏହି ଅନନ୍ୟ ପ୍ରତିଭାସମ୍ପନ୍ନ କବି ହରମୋହନ ମିଶ୍ରଙ୍କୁ ଅନ୍ତତଃ ଚାରିଦଶନ୍ଧି ଧରି ମୁଁ ପଢ଼ିଆସୁଛି ଏବଂ ଯେବେ ଯେବେ ପଢ଼ିଛି, ପ୍ରତିଥର ତାଙ୍କର କାବ୍ୟଧରା, କାବ୍ୟଧାରା ଓ କାବ୍ୟାଧାରର ନିମଗ୍ନ ନିରବତା ଭିତରେ ଗୋଟିଏ ମାନ୍ତ୍ରିକ ଉଚ୍ଚାରଣର ପ୍ରତିଧ୍ବନିକୁ ପ୍ରତ୍ୟକ୍ଷ କରିଛି । ନିମଗ୍ନ ନିରବତାର ବି ଏକ ନିଜସ୍ବ ଭାଷା, ନିଜସ୍ଵ ପ୍ରକାଶ ଓ ନିଜର ଶୈଳୀ ଥାଏ..!
ଏହି କବିତା ସଙ୍କଳନରେ ସଙ୍କଳିତ ସମସ୍ତ କବିତା ତା’ର ନିଜସ୍ବ ଆବେଦନ, ଉପାଦାନ, ଉଚ୍ଚାରଣ ଓ ବକ୍ତବ୍ୟକୁ ନେଇ ଗୋଟିଏ ଅଣୁବିନ୍ଦୁରେ କେନ୍ଦ୍ରୀଭୂତ, ଓ ତତ୍ପଶ୍ଚାତ୍ ସଂଚାରିତ ହେଇଛି ଧୀରେ ଧୀରେ ଅନନ୍ତ ପର୍ଯ୍ୟନ୍ତ…. । ଯାହାକୁ ହରମୋହନଙ୍କ କବିତାର ସ୍ବକୀୟ ଧାରା ଓ ସ୍ୱକୀୟ ସଂଚରଣଶୀଳତା କୁହାଯାଇପାରେ, ଯାହା ସର୍ଜନଶୀଳତାର ସ୍ରୋତକୁ ପୁନଃ ପୁନଃ ବେଗମତୀ କରୁଥାଏ, ପଠକୀୟତାର ସୃଜନ-ଦର୍ପଣରେ । ଉନବିଂଶ ଶତାବ୍ଦୀର ପ୍ରଖ୍ୟାତ ଇଙ୍ଗଲିଶ୍ ଦାର୍ଶନିକ ତଥା ଲେଖକ ଆଲ୍ଡୋସ୍ ଲିଓନାର୍ଡ ହକ୍ସଲେ (Aldous Leonard Huxley) କବିତାକୁ ନେଇ ଏକ କ୍ଷୁଦ୍ରତମ ସତ୍ୟକୁ ପ୍ରକାଶ କରିଛନ୍ତି ଯେ, “The smallest fact is a window, through which the infinity can be seen. “- ! ହରମୋହନଙ୍କ କାବ୍ୟଧରାରେ ସଠିକ ଖାପଖାଏ।
କବି ହରମୋହନ ମିଶ୍ରଙ୍କୁ କୌଣସି ଏକ ନିର୍ଦ୍ଦିଷ୍ଟ ‘ବାଦ’ରେ ବାନ୍ଧିବାକୁ ଚେଷ୍ଟା କଲେ ବାରମ୍ବାର ବିଫଳ ହେବାକୁ ହୁଏ। ତାଙ୍କ କବିତା ପ୍ରେମିକାର ସ୍ପର୍ଶାତୁର କୋମଳପାଶରେ ଯେମିତି ତରଳ ଛଳଛଳ, ସେମିତି ପ୍ରକୃତିର ନିରବ ନିରାଜନାରେ ମହମହ ଉଚ୍ଛଳ…, ଯେମିତି ପ୍ରଗତିଶୀଳ ଜୀବନାନୁଭବରେ ସ୍ପର୍ଦ୍ଧିତ ଓ ତୀକ୍ଷଣ, ସେମିତି ମାତୃଭୂମି ଓ ମାତୃଭାଷାର ସୁରକ୍ଷା ପାଇଁ ବଳିଷ୍ଠ ଓ ତୀର୍ଯ୍ୟକ । ଏଣୁ ତାଙ୍କୁ ଜଣେ ମାନବବାଦୀ କବି ହିଁ କୁହା ଯାଇପାରିବ କେବଳ।
ଦଳ ଚକ୍ରରେ ମଧୁପ ଗୁଞ୍ଜ,
ଆକାଶେ ରଚିଛ ତାରକା ପୁଞ୍ଜ,
ଚରଣ ଚାଳିଛ ଚପଳ ଛନ୍ଦେ,
ହୃଦୟ ମନକୁ କରିଛ ଉଚ୍ଚାଟନ,
କହି ପାରିବ କି ସୁନ୍ଦରୀ ଆଗୋ,
କି ନାମେ ତୁମକୁ କରିବି ସମ୍ବୋଧନ..!(କବିତା)
ଏଇଠି ଆସି ଅଟକିଯାଏ ପାଠକର ଅନୁସନ୍ଧିଚ୍ଛା… ସତେ ଅବା ଭରପୂର ପ୍ରାକୃତିକ ସୌନ୍ଦର୍ଯ୍ୟର ସ୍ପର୍ଶାତୁର ଅନୁଭବଟିଏ ପବନର ହାତରେ ଛୁଇଁଦେଇ ଗଲା ଦେହର ଦେହଳୀକୁ..!! ଯେମିତି ପ୍ରେମାତୁର ଶବ୍ଦ-ଗୁମ୍ଫନ, ତହୁଁ ସ୍ପର୍ଶକାତର ଛନ୍ଦମାୟାର ପ୍ରକରଣ ।
ଦିନର ମଜୁରୀ ହସ୍ତମୁଠାରେ
ପାଇଲେ ତାହାର ସଂସାର ଚଳେ
ଚାକଚକ୍ୟରେ କି ଯାଏ ଆସେ,
ଗଣ୍ଡିଏ ଦାନା, ଖଣ୍ଡିଏ କନା
ବଂଚିବା ପାଇଁ ସେତିକି ବାସନା
ଦରକାର ଯାହା ସର୍ବ ଶେଷେ। (ରିକ୍ସାବାଲା)
କହିବା ଅନାବଶ୍ୟକ, ସମାଜର ତଳସ୍ତରରେ ଜୀବନ ଯୁଝୁଥିବା ମଣିଷଙ୍କ ଜୀବନଯନ୍ତ୍ରଣାର ଦରପୋଡ଼ା ଚିତ୍ରକୁ ବି କେମିତି ହୃଦୟପୁଳିନରେ ଧରିରଖିଛନ୍ତି କବି ! ସେହିଭଳି, କବିତାର ଶବ୍ଦରେ ଶବ୍ଦରେ ବିଖଣ୍ଡିତ ଓଡ଼ିଶାର ଖଣ୍ଡିତ ରୂପ ଓ ଦୁର୍ଦ୍ଦଶାକ୍ରାନ୍ତ ବିଚ୍ଛିନ୍ନ ଓଡ଼ିଆଙ୍କୁ ନେଇ ତାଙ୍କ କଲମ ଶାଣିତ ଓ ତୀକ୍ଷ୍ଣ।
ଜନ୍ମ ମୋହର ମେଦିନୀପୁରରେ,
ପୁରୁଲିଆ ଧାରେ ବାଙ୍କୁଡ଼ା ପରେ,
ଯୁଗ ଯୁଗ ଧରି ସମୟ ଅନ୍ତରାଳେ,
ଜନ୍ମିଛି ପୁଣି ଷଢ଼େଇକଳାରେ
ଦୂର ଖରସୁଆଁ ମାଟି ମୁଲକର
ସିଂହଭୂମି ତଳ ଧଳଭୂମଗଡ଼ କୋଳେ… (ନୁହେଁ କି ଓଡ଼ିଆ ପୁଅ..?
‘ଉଦାର ଚରିତାନାମ୍ ତୁ ବସୁଧୈବ କୁଟୁମ୍ବକମ୍’ ମନ୍ତ୍ରଚର୍ଯ୍ୟାରେ ବି ଆତ୍ମିକ ଓ ଦୀକ୍ଷିତ ସ୍ପର୍ଶ ସନ୍ନିବେଶିତ କବିତାର ବିମୁଗ୍ଧ ବଳୟ। ଯେମିତି ତାଙ୍କର ଯାଯାବର କବିତାରେ:
ଆକାଶ କାମୁଡ଼ି ପୃଥ୍ବୀ ବିଦାରି
ଗଙ୍ଗା, ଯମୁନା, ସିନ୍ଧୁ, କାବେରୀ,
ଆମାଜନ୍ ଆଉ ମିସିସିପି ବୁକେ ସନ୍ତରି ବାରବାର,
ୟାଂସିକିୟାଂ ଚଳଚଞ୍ଚଳ, ହୋୟାଂ ହୋ ଆଣେ ସଙ୍କଟ କାଳ,
ଫୁଜିୟାମା କରେ ତ୍ରସ୍ତକାତର,
ମିଶର ମାଟିରେ ହାସ୍ୟ ଛୁଟାଏ ନୀଳନଦୀ ଜଳଧାର,
ସାରାବିଶ୍ବରେ ଶାନ୍ତି ଆଶାରେ, ଅସ୍ଥିର ନାରଖାର,
ହେଲି ମୁହିଁ ଯାଯାବର।
ସବୁଠାରୁ ବଡ଼କଥା ହେଉଛି, କାବ୍ୟାମୋଦୀ ପାଠକ ତାଙ୍କ କବିତାର ବହୁବର୍ଣୀ ଆକାଶରେ କୋଉଠି ବି ନିରାଶାବାଦର କଳା-ବାଦଲଟିଏ ପାଇବ ନାହିଁ; ଅଧିକନ୍ତୁ ଆଶାବାଦର କାଶତଣ୍ଡୀ ଚଅଁରରେ ପୂର୍ଣ ସ୍ମିତ-ବାଦଲର ଖଣ୍ଡ ଖଣ୍ଡ ଶୁଭ୍ର ସମୁଜ୍ଜ୍ବଳ କାନ୍ତି ଚିତ୍ରାୟିତ କରୁଥାଏ ଜୀବନର ସଂଘର୍ଷକୁ।
କବି ପ୍ରଣମ୍ୟ ଓ କବିତା ବି।
There is 1 comment
“ପୁସ୍ତକ ପରିଚୟ”ରେ ମୋର ପ୍ରିୟ ବରିଷ୍ଠ କବି ଶ୍ରୀଯୁକ୍ତ ହରମୋହନ ମିଶ୍ରଙ୍କର କବିତା ପୁସ୍ତକ ” ସ୍ପର୍ଶ” ର ସୁନ୍ଦର ସମୀକ୍ଷା ପୂର୍ବକ ଉପସ୍ଥାପନ କରିଥିବାରୁ ସମ୍ପାଦକଙ୍କୁ ଅଶେଷ ଅଶେଷ ଧନ୍ୟବାଦ


ବହୁତ ଭଲ ଲାଗିଲା ।
ମୁଁ ଆଜି ହିଁ ପଢ଼ୁଥିଲି ଏହି ପୁସ୍ତକ ରୁ ଗୋଟିଏ କବିତା”ଯାଯାବର ”
ଚମତ୍କାର କବିତା
କବି ଓ ଉପସ୍ଥାପକ ଉଭୟ ମୋର ପ୍ରିୟ,
ଉଭୟଙ୍କୁ ନମସ୍କାର।