Home » Magazine » ପୁଷ୍ପାରାଣୀ ପଟେଲ : ଗଳ୍ପ : ପ୍ରେମରଙ୍ଗ ।

ପୁଷ୍ପାରାଣୀ ପଟେଲ : ଗଳ୍ପ : ପ୍ରେମରଙ୍ଗ ।

          ସଭିଏଁ କୁହନ୍ତି- ପ୍ରେମ ଏକ ପ୍ରହେଳିକା | ଏ ଦୁନିଆର ସବୁଠୁ ବଡ଼ମିଛ | ସତରେ କ’ଣ ପ୍ରେମ ମିଛ..??

ତୁମ ସହ ଭେଟହେଵା ଯଦି ଏକ ଘଟଣା ହୁଏ, ତେବେ ଏହା ମୋ ଜୀବନର ସବୁଠୁ ସୁଖଦ ଓ ସୌଭାଗ୍ୟଭରା ଘଟଣା | ଏ କଥାକୁ ଜୋର ଦେଇ ମୁଁ କାଲି ବି କହୁଥିଲି ଓ ଆଜି ବି କୁହେ | ଏ କହିବାଟା ମୋ ନିଜକୁ ମୁଁ ନିଜେ ହିଁ କୁହେ, ଅନ୍ୟ କାହାକୁ କହିଲେ ସେମାନେ ହସିବେ ନିଶ୍ଚେ  |କେମିତି ଅବା ନ ହସିବେ- “ଆମେ ଯେ କଥା ହେଉନା କେବେ, କାରଣ କଥାହେଲେ ଦୁର୍ବଳତା ବଢ଼ିଯିବାର ଡର ଘାରେ ଆମକୁ |ଆମେ ଭେଟ ହେଉନା କେବେ, କାରଣ ଭେଟହେଲେ ଏ ପ୍ରାପ୍ତବୟସ୍କ ଅଭିଜ୍ଞ ମନଟି ଅଣାୟତ୍ତ ହେବାର ସମ୍ଭାବନା ଖୁବ ! ଆମେ ସୋସିଆଲ ମିଡ଼ିଆରେ ମଧ୍ୟ ଯୋଡ଼ି ହେଇକି ନାହୁଁ, କାରଣ ସୋସିଆଲ ମିଡ଼ିଆ ହେଲା ଏ ଦୁନିଆର ସବୁଠୁ ବଡ଼ ରଙ୍ଗମଞ୍ଚ। ଏଇଠି କୋଟି କୋଟି ଲୋକ : ପୁରୁଷ ଓ ସ୍ତ୍ରୀ, ପୁଅ ଓ ଝିଅ… ସମସ୍ତେ ମୁହଁରେ ସୁନ୍ଦର ସୁନ୍ଦର ମୁଖାଟିଏମାନ ପିନ୍ଧି ନିଜ ନିଜର କୁରୂପକୁ ଲୁଚାଇବାରେ ବ୍ୟସ୍ତ ଓ ବିବ୍ରତ | ସେମାନେ ନିଜକୁ ବଞ୍ଚାଇବା ପାଇଁ କେତେବେଳେ ଯେ ତାଙ୍କ ଦେହର କାଦୁଅକୁ ଆମ ଦେହକୁ ଛାଟି ନ ଦେବେ, ସେକଥା କିଏ ଵା କହିବ ! ଆମର ଏ ଡରିବା କ’ଣ ଅମୂଳକ କି?” -ନୁହେଁ ତ.. ସବୁ ହିଁ ଠିକ | ମୁଁ ବି ବୁଝେ ଏକଥା.. ତେବେ ବୁଝିପାରେନା ଗୋଟାଏ କଥା, ଆଜି ପରି ଦିନରେ ଯହିଁ କେବଳ ଦୁନିଆକୁ ଦେଖାଇବା ପାଇଁ ତିଆରି ହେଉଥାଏ ସମ୍ପର୍କ, ସେଇଠି ଆମେ କଣ କହିପାରିଵା ଯେ ତୁମେ ଓ ମୁଁ.. ମୁଁ ଓ ତୁମେ… ଆମେ ଦୁହେଁ ପରସ୍ପର ସହ ସମ୍ପର୍କରେ ଅଛୁ !!

ଅନେକ କଥା ମୁଁ ମନରେ ଜାଲ ପରି ବୁଣେ, ବିଶେଷ କରି ତୁମ ବିଷୟରେ |ଏଇ ଯେମିତି “ଏବେ ତୁମେ କ’ଣ କରୁଥିବ… କ’ଣ ଭାବୁଥିବ… ତୁମେ ମୋତେ ଭଲପାଅ ନା ନାଇଁ…!! ସେଇ ଯେ ଝିଅଟି ସହିତ ତୁମର ସମ୍ପର୍କ ଅଛି ବୋଲି ସଭିଏଁ କହନ୍ତି, ତାହା ଏକ ମିଛକଥା ନା’ ତା ଭିତରେ ବି ରହିଛି କିଛି ସତ୍ୟତା…!! ତୁମକୁ ଈର୍ଷା କରୁଥିବା, ସହି ପାରୁନଥିବା ଲୋକଙ୍କର ଅପପ୍ରଚାର କେବଳ ନୁହେଁ ତ ଏହା !” -ଏଇଭଳି ଅନେକ ଅନେକ କଥା |ହଁ, ଆହୁରି ମଧ୍ୟ ଭାବେ, “ଏବେ ବୋଉ କଣ କରୁଥିବେ ? ତାଙ୍କ ଦେହ ଏବେ କେମିତି ଅଛି ? ସତରେ ଯଦି, ମୁଁ ତୁମର ସ୍ତ୍ରୀ ହେଇ, ବୋଉଙ୍କର ବୋହୂ ହେଇ ଯାଇଥାନ୍ତି ତୁମ ଘରକୁ, ତେବେ ମୁଁ ଓ ବୋଉ.. ଆମେ ଦୁହେଁ ମିଶି କେମିତି କ’ଣ ଚଳିଥାନ୍ତୁ..!! ମାଆ-ଝିଅ ସାଙ୍ଗ ହେଵା ଭଳି ଗପିଥାନ୍ତୁ ନା’ ଶାଶୁ-ବୋହୂଙ୍କ ପରି ମୁହଁ ଫୁଲାଫୁଲି.. ଗୋଡ଼ ଟଣାଟଣିରେ ହିଁ ସାରୁଥାଆନ୍ତୁ ସମୟ…!!”

ଏଭଳି ଅନେକ କଥା ଭାବିବା ବେଳେ ପ୍ରାୟତଃ ମୁଁ ଏଇଠି ଥାଏ ଅଥଚ ଏଇଠି ନଥାଏ | ମୋ ସଂସାର ଭିତରେ ମୋ ନିଜର କର୍ତ୍ତବ୍ୟତକ ତୁଲାଉ ତୁଲାଉ ତୁମସହ ସଂସାରଟିଏ ଗଢୁଥାଏ |ଏଇଠି ଠିଆ ହେଇ ତୁମସହ ସଂସାରକୁ ଜିଉଁଥାଏ |ଏସବୁ ଏମିତି କଥା, ଯାହା ତୁଣ୍ଡରେ ଧରିଲେ ପାପ, ତେବେ ତୁଣ୍ଡରେ ନଧରି ମନରେ ଚାପି ରଖିବା ବି ତ କଷ୍ଟ..!!

“ଏ କେମିତିକା ପାଗଳପଣ !” -ମୁଁ ଏକଥା ନିଜକୁ ପଚାରେ।

ଏ ପାଗଳପଣର ଆରମ୍ଭ କେବେ ହେଲା କୁହ ? ସେଇ ଯେ ଆମର ପ୍ରଥମଦେଖା  ଓ ବୋଉଙ୍କ ପାଖରେ ମୁଣ୍ଡପୋତି ଅବୋଧଶିଶୁଟି ପରି ଠିଆ ହେଇଥିବା ତୁମେ…| ବୋଉଙ୍କର ତୁମପାଇଁ ଉଚ୍ଚାରିତ ଅନାବିଳ ସ୍ନେହଭରା ଶବ୍ଦ ଓ ତୁମର ତାଙ୍କ ପାଇଁ ଛଳ ଛଳ ଭଲପାଇବା.. ତା ବି ଅବୋଧଶିଶୁଟିଏର ସରଳପଣରେ ଭରପୁର | ପ୍ରତ୍ୟେକଟି ପ୍ରଶ୍ନରେ ଭାସି ଆସୁଥିବା ସଲ୍ଲଜ ଓ  ସଂଭ୍ରମବୋଧରେ ଭରା ଉତ୍ତରସବୁ | ସେଇତ ଆରମ୍ଭ…| ଏହାପରେ ସମୟ ସହିତ ଫେରିଆସିଲା ମୋର ଶରୀର ମୋ ଗଢ଼ିଥିବା ସଂସାର ନିକଟକୁ… ଛାଡ଼ିଆସିଲା ମୋ ଆତ୍ମାକୁ ତୁମରି ପାଖରେ |

ସେଥିରେ ମୋର ଖୁବ ଦୋଷ ବି ତ ନାହିଁ  | ଛୋଟବେଳୁ ଦେଖିଆସିଛି ବାପାଙ୍କର ଅବିଶ୍ୱାସ ଭରା ମନକୁ | ପୁରୁଷକାରର ଅହଂରେ ଭରା ବାପାଙ୍କର ମା’ଙ୍କୁ ଓ ତାଙ୍କ ନାରୀତ୍ୱକୁ ଅହରହ ଅପମାନିତ ଓ ତାଚ୍ଛଲ୍ୟ କରୁଥିବା ଆଖି ଦୁଇଟିକୁ | ଭାଇମାନଙ୍କର ବି ମା’ଙ୍କ ପ୍ରତି ହେୟ ମନୋଭାବକୁ ଦେଖିଛି | ତାପରେ ବି ଦେଖିଛି, ମା ଓ ବାପା ଅନ୍ଧ ଭଳି ନିଜପୁଅ ସପକ୍ଷରେ ମତ ରଖିବା ଓ ଭଲ ପାଇବାକୁ | ତାପରେ ମୋ ମନ, ଆତ୍ମା ଯେ ଗୋଟିଏ ହିଁ ସ୍ବପ୍ନ ଦେଖିଥିଲା- “ଭଲପାଇବାର ନିବିଡ଼ ବନ୍ଧନରେ ଗଢ଼ା ଛୋଟ ଗୋଟେ ନୀଡ଼..!!”

ତମର ଆଖିପତା ସେଦିନ ଥରେ ପଡ଼ିଲା ଓ ଉଠିଲା… ତ ମୋ ହୃଦୟ ଗଢ଼ିନେଲା ସଂସାରଟିଏ… | ସେ ସଂସାର ତୁମର, ମୋର ଓ ବୋଉଙ୍କର..| ତା ଭିତରେ ମୁଁ ସାଇତି ରଖିଲି କେବଳ ଓ କେବଳ ପ୍ରଚୁର ଭଲପାଇବା.. ତୁମପାଇଁ ଓ ତୁମକୁ ଗଢ଼ିଥିବା ବୋଉଙ୍କ ପାଇଁ | ଆହୁରି ବି ଗଢ଼ିଲି.. ତୁମରି ନାକ, ତୁମରି ଆଖି, ତୁମରି ରାଗ, ତୁମରି ଠାଣିର ଝିଅଟିଏ.. ତୁମରି ଓ ମୋରି ରକ୍ତର ଝିଅ.. ଯିଏ ହସିଲେ ବି ଦିଶୁଥିବ ତୁମେ, ଯିଏ ରୁଷିଲେ ବି ଦିଶୁଥିବ ତୁମେ |

ଏଇ ସ୍ବପ୍ନ ପରେ ହଠାତ ଅଟକିଯାଏ ମୁଁ | କାହିଁକି କୁହ ? ଶୁଣ… ମୁଁ ତୁମପରି ଝିଅଟିଏ ଲୋଡ଼ିଲାବେଳେ ବୋଉ ତାଙ୍କ ବୟସ ଅନୁସାରେ ନିଶ୍ଚୟ ଖୋଜିଥାନ୍ତେ ତାଙ୍କ ବଂଶରକ୍ଷା ପାଇଁ ଉତ୍ତର ଦାୟାଦଟିଏ ! କଣ କରିଥାନ୍ତ ତୁମେ ? କାହା ସପକ୍ଷରେ ରଖିଥାନ୍ତ ମତ ଓ କାହାକୁ ଦେଇଥାନ୍ତ କଷ୍ଟ | ସତରେ, ଆମେ ପୁରୁଷର ଦୁଃଖ ନାହିଁ ବୋଲି କହୁ ସିନା, ପୁରୁଷ ହେବା  ବଡ଼ କଷ୍ଟ | ସ୍ତ୍ରୀର ମନକୁ ବୁଝିଲେ, ଘରଠୁ ଦୂର.. ଘର ମାନ ରଖିବାକୁ ଗଲେ, ସ୍ତ୍ରୀ-ପିଲାଛୁଆଙ୍କଠୁ ଦୂର ! କେତେଜଣ ପୁରୁଷ ଅବା ବାହାରି ଆସିପାରନ୍ତି ଏଭଳି ଛୋଟ ସିନା ଦୁର୍ବୋଧ୍ୟ ତଥା ଅସହଜ ଘଟଣାକ୍ରମରୁ ! ତୁମେ କିନ୍ତୁ ଆମର ଖୁବ ଚାଲାକ.. ଆମ ଘର ସ୍ୱର୍ଗ ହିଁ ହେଇଥାନ୍ତା, ମୁଁ ବିଶ୍ୱାସ କରେ ଏକଥାକୁ | ତୁମେ କ’ଣ କହୁଛ ?

“ନିଜ ସମୟକୁ ଠିକରେ ଦୁହିଁଙ୍କ ଭିତରେ ବାଣ୍ଟି ଦେଇପାରିଲେ, ଆମେ ଦୁହେଁ ହିଁ ହେଇଥାନ୍ତୁ ତୁମର !” -ଏ ଆଶ୍ଚର୍ଯ୍ୟ ସୂଚକ ଚି଼ହ୍ନଟିର ଉତ୍ତରରେ ମୁଁ ଅନେକ ଥର ସଲ୍ଲଜ ଭାବରେ ନିଜକୁ ଦିଏ, ମୁଁ ଜାଣେ ପ୍ରିୟ, ଆମ ଜୀବନର ପ୍ରତ୍ୟେକଟି ରାତି ହେଇଥାନ୍ତା ନବବିବାହିତଙ୍କ ବାସର ରାତିଠୁ ବି ଆହୁରି ସୁନ୍ଦର |

“ତାପରେ ଆଉ କ’ଣ ବା ରହି ଯାଇଥାନ୍ତା…!! ରାଗ ନା ଅଭିମାନ..!!!” -ମୋ ଭାବନାରେ ମୁଁ ଲାଜେଇ ଗଲି ନବବିବାହିତା ଅନୂଢ଼ା କିଶୋରୀଟିଏ ପରି |

ଏସବୁ ଫି’ ଦିନ ଘଟେ ଓ ଫି’ ଦିନ ହିଁ ଏମିତି ସରୁହସ ଧାରେ ମୋ ମୁହଁରେ ଲାଖିରହିଥାଏ | ଝିଅ ଓ ସ୍ୱାମୀ ବାର ବାର ମୋ ମୁହଁର ଏଇ ଉକୁଟି ଉଠୁଥିବା ବିହ୍ବଳ ହସକୁ ଚାହାଁନ୍ତି ପ୍ରଶ୍ନିଳ ଦୃଷ୍ଟିରେ | ଯେଉଁ ଉଜ୍ଜଳ-ଆଲୋକର ଛାଇ ମୋତେ ଘେରି ରହିଥାଏ ସାରା ଦିନ ଓ ତମାମ ରାତି, ସେମାନେ ଖୋଜି ପାଆନ୍ତିନି ତାର ଠିକଣା-“ମୁଁ ମୋ ମୁହଁର ହସକୁ ଚାପି ନେଇ ଲୁଚାଇ ଦିଏ ତୁମକୁ, ତେବେ ମୁଁ ଜାଣେ, “ମୋ ମୁହଁର ସେଇ ଲାଜୁଆ ସରୁ ହସଧାରଟି ତୁମେ, କେବଳ ତୁମେ ! “ଏହା କ’ଣ କମ କଥା ! ଏହା ଭିନ୍ନ ଥାଏ କି ପ୍ରେମ ବୋଲି ଆଉ କିଛି ! ମୁଁ ତ ଏହାକୁ ହିଁ ପ୍ରେମ ବୋଲି କୁହେ !”

ଗୋଟିଏ ଦିନ କିନ୍ତୁ ଲିଭିଗଲା ମୋ ମୁହଁର ହସ | ଗୋଟାଏ ଦୁଃସମ୍ବାଦ ଉଡ଼ି ଉଡ଼ି ଆସି ପହଞ୍ଚିଥିଲା ମୋ ପାଖରେ, “ବୋଉ ଚାଲିଗଲେ !” ସତରେ କ’ଣ ବୋଉ ଚାଲିଗଲେ ? ନା.. ସେ ତ ଏମିତି ଚାଲି ଯାଇପାରିବେନି ! ମୁଁ ନାହିଁ ତୁମ ପାଖରେ, କାହା ପାଖରେ ଅବା ସେ ଛାଡ଼ିଦେଇଗଲେ ତୁମକୁ ! କାହା ପାଖରେ ମୋର ଏ ପ୍ରଶ୍ନ ମୁଁ ଜାଣିନି, କିନ୍ତୁ ନିଜକୁ ସମ୍ଭାଳି ପାରିବା ଅବସ୍ଥାରେ ନଥିଲି ମୁଁ !

ଏ ଘଟଣା ଘଟିବା ବେଳକୁ ପାଖରେ ଝିଅ ଠିଆ ହେଇଛି, ଏବେ ଯଦି ଆଖିରୁ ଲୁହ ଝରେ, ତେବେ ତା ପ୍ରଶ୍ନବାଣକୁ ରୋକିବା ମୁସ୍କିଲ | ସେ ଖୁବ ଖୁସିଥିଲା ଓ ଚାହୁଁଥିଲା ମୁଁ ଯେମିତି ତା ଖୁସିରେ ଭାଗିଦାର ସାଜେ |ମୋ ପାଇଁ ମୋ ଲୁହକୁ ଅଟକାଇବା ମୁସ୍କିଲ ଥିଲା ଓ ତା ପାଇଁ ଥିଲା ମୋ ଦୁଃଖକୁ ବୁଝିବା ମୁସ୍କିଲ କ’ଣ…. ଅସମ୍ଭବ | ସେ ମୋ ଭିତରେ ଅହରହ ସୀତାଙ୍କୁ ଖୋଜିଛି|ଖୋଜିଛି ଯଶୋଦାଙ୍କୁ, ଦେବକୀଙ୍କୁ |ସେମାନଙ୍କର ତ୍ୟାଗଭରା ମାତୃତ୍ୱକୁ | ସେ କେମିତି ବୁଝିବ, ତା ବୟସର ଥିବାବେଳୁ ପରିବାର ଦାୟରେ ବନ୍ଧା ତା ମାଆଟି ଟିକିଏ ନିରୋଳା ମନରେ ସେଇ କିଶୋରୀ-ରାଧା ଭାବରେ ବୁଡ଼ିଯାଏ ବୋଲି ! ଆଜି ବି ଏ ପ୍ରାପ୍ତବୟସରେ ସେ ଖୋଜେ ତା ଭାଗର ଭୋଗି ପାରିନଥିବା ନିଃସର୍ତ୍ତ ଭଲପାଇବା ଟିକକକୁ | ମୋ’ ଅନ୍ୟମନସ୍କତାକୁ ସେ ସହ୍ୟ କରିପାରୁନଥିଲା ଓ ତା’ ପ୍ରଗଳ୍ଭତାକୁ ମୁଁ  |

ୟାର ସମାଧାନ ମୋ ପାଖରେ କିଛି ବି ନଥିଲା |ମୁଁ କହିଲି ,”ମାମା, ରହ, ଟିକିଏ ରହିଯା.. ମୁଁ ଏଇ ଆସୁଛି | ଦି ମିନିଟ.. ରହିଯା ମୁଁ ଏଇ ଆସିଲି !” ଦୌଡ଼ିଯାଇ ଖୋଲିଦେଲି ବାଥରୁମ ଫ୍ଲଶ୍  ଓ ପାଣିଟ୍ୟାପ | ବଞ୍ଚିଗଲି ଯେମିତି ! ବାଥରୁମ ଭିତରେ ଗଦ ଗଦ ହେଇ ପଡୁଥିଲା ପାଣି, ତା ସହ ଠପ ଠପ ହେଇ ଲୁହ ବି ! ବାହାରେ ଝିଅ ଯଦି କାନ ଡେରିଥିବ, କ’ଣ ଶୁଭୁଥିବ ତାକୁ?ସେ କ’ଣ ବାରିପାରିବ, ଶୁଭୁଥିବା ସେ ସ୍ୱର ସାଦାପାଣିର ନା ଲୁଣିଲୁହର ?? ସେଇ ଟ୍ୟାପରୁ ପଡୁଥିବା ପାଣିର ଧାରରେ ମୋ ଲୁଣିଲୁହକୁ ବୁହାଇ ଦେଇ ବାହାରକୁ ବାହାରିଲି | ଝିଅର କଥା ଶୁଣି ମନ ଖୋଲି ତା ସହ ହସିବାକୁ ଚେଷ୍ଟା କଲି, ଯଦିଓ ଠିକ ଢଙ୍ଗରେ ହସି ପାରୁଥିଲି କି ନା.. ସେକଥା ଜାଣେନା |

ମୋର ଏଇ ରଙ୍ଗହୀନ ନିଷ୍ଫଳା ପ୍ରେମକୁ, ପ୍ରେମ କହିବା ଠିକ ହେବ କି ନା ମୁଁ ଜାଣେନା | ତେବେ ଏତିକି ଜାଣେ, ପ୍ରେମ କେବେ ମିଛ ନୁହେଁ, ପ୍ରେମ ସତ ହିଁ |

ଏହା ଥିଲା ଗପ | ପ୍ରେମ ଗପ |ଶୁଣିପାର ବି ତୁମେ ଏହାକୁ କବିତା କରି |

ଏଇ ଯେମିତି:
କିଛି ଉତ୍ତାଳପଣ ଆଉ କିଛି ବିଭୋରବେଳା
କିଛି ଅନ୍ୟମନସ୍କତା ଓ ବେଶ କିଛି ଯନ୍ତ୍ରଣାସିକ୍ତ ମୁହୂର୍ତ୍ତଙ୍କୁ
ଯେବେ ଫେଣ୍ଟିଦେଲି
ଝରିପାରି ନଥିବା ମୋା’ ଆଖି ଲୁହ ସହ ଖୁବ ସରାଗରେ
ଯେଉଁ ମନମତାଣିଆ ରଙ୍ଗ ମୋତେ ଆଚ୍ଛନ୍ନ କଲା
ମୋର ସର୍ବଶେଷ ବଳକା ଆୟୁଷ ଯାଏଁ…
ତାକୁ ମୁଁ
ତୋ ହୃଦୟରୁ ମୋ ଆତ୍ମାଯାଏଁ ପ୍ରସରି ଯାଉଥିବା
‘ପ୍ରେମରଙ୍ଗ’ ବୋଲି କୁହେ ।।

Leave a Reply

Your email address will not be published. Required fields are marked *