ଭଲଲାଗେ ବୋଲି ତ
।। ପିନାକୀ ମିଶ୍ର ।।
ଛିଣ୍ଡେଇନି ଫୁଲକଢ଼
ଆଉଜେଇନି କବାଟ
ଟେକା ପକେଇନି ପାଣିକି,
ତୁମ ଟ୍ରେନ୍ ଛାଡ଼ିବା ଆଗରୁ –
ଫେରିଆସିନି ଘରକୁ ଏକମୁହାଁ ।
କହିବା ଆଗରୁ- ବଢ଼େଇଛି ହାତ
ଲୋଡ଼ି ବା ଆଗରୁ- ଯାଚିଦେଇଛି ରୁମାଲ୍
ଗଛମୂଳେ ବସେଇ ଦେଇଛି ମୋ’ ଇଚ୍ଛାମାନଙ୍କୁ
ଚାଲିଛି ତୁମସାଥେ
ଝୁଣ୍ଟିବାକୁ ଦେବିନି ତୁମକୁ,
ବର୍ଷାବତାସକୁ ଫୁ’ କରିଛି,
ମୋତେ ଜଣା ଶରବିନ୍ଧା କୌଶଳ ।
ଭଲଲାଗେ ବୋଲି ତ ନିଇତି ଝଗଡ଼ା
ତୁମ ଓଠ ଆଖିର ତାତି, ସାହେବାଣୀ ହାତହଲା
ସୂତାଫିଟା ଅଭିଯୋଗ
ନିଦାଘରେ ବି ତୁମଲାଗି ବସନ୍ତ ହେବାକୁ ପଡ଼େ ମୋତେ ।
ବେଳେବେଳେ ଭାବେ –
ହଁ , ଝିଅ ଜନମ ପାଇଛ
ଏଣୁ ତୁମ ମନନଈ ଫୁଲୁଥାଉ
ତୁମ କାନଫୁଲ ଝଟକୁଥାଉ
ଅଳତାପାଦ ହଂସିନୀଚାଲି
ଅଣ୍ଟାସୂତା ଝଲସୁଥାଉ
ତୁମ ନାଲିଓଠ ଫୁଲାଣ ଦେଖଉ,
ତୁମ ବେଣୀହଲାକୁ- ପବନ ଦୂରେଇ ଥାଉ
ତୁମ ନାକଟେକାକୁ- ବରଷା ଦଉଡ଼ିଆସୁ
ତୁମ ଅଭିଯୋଗ- ଆଗ ଶୁଣାଣି ହେବ
ତୁମ ହକ୍- ଆଗ ପଞ୍ଜିକୃତ ହେବ
ତୁମ ଅସନ୍ତୋଷ- ଆଗ ନିଆଁ ଲିଭାଯିବ
ଝିଅ ଜନମ ପା’… ହଉ ।
ରାତିରେ ମୁଁ ମାପୁଥାଏ
ନିଜ ଅଭାବ ଅବହେଳାର ସରୁ ସରଳରେଖା ,
ସକାଳକୁ ଏକା
ରାଜବାଳା ନିଦରୁ ଉଠିଲେ-
ଚାଲେ ମୋର ମାଧୁରୀକବିତା ଲେଖା ।
ଭଲଲାଗେ ବୋଲି ତ
ଥକିଯାଇଛି ବୁଝେଇ ବୁଝେଇ
ସହିଛି ଅକଥା, ଭୁଲିଯିବାକୁ ହୁଏ
ଘର- କେବେ ଉଛୁଳା ନନ୍ଦପୁର ତ-
କେବେ ନିରୁକ୍ତ ବେଦନାର ରାଇଘର।
ଯୋଜନା ବିଫଳ ହେବନାହିଁ
ମେଘ ଛାଁକୁ ଘୁଞ୍ଚିଯିବ
ରାତି ଡରେଇବ ନାହିଁ
ଯେଣୁ ମୋର ସର୍ତ୍ତ କିଛି ନାହିଁ ,
ତୁମ ଚାରୁଚଂଦ୍ରିକା ମୁହଁ – ମଳିନ ନପଡୁ
ମୋ’ ଅନୁରାଗ ଅନାବରଣ କରୁ –
ଜ୍ୟୋତ୍ସ୍ନାଧୌତ ରଜନୀଆସର ।
ଭଲଲାଗେ ବୋଲି ତ
ମାଟି ସହିଛି – ମଣିଷର କ୍ଷୁଧାନଳ
ଆକାଶ ସହିଛି – କାଳିମେଘର ଗର୍ଜନ
ପଥରଦେବୀ ସହିଛି – ନିଷ୍ଠାପ ପଶୁର ବେକକଟା କାରୁଣ୍ୟ
ବନଦେବୀ ସହିଛି –
ହେତୁହୀନର ଗଛ ଗଣ୍ଡିକଟା, ଶିକାରୀ ଜାଲବିଛା ।
କେନ୍ଦୁଝର, ଭ୍ରାମ୍ୟଭାଷ: ୯୪୩୮୧୧୮୩୯୭