Home » Magazine » ପତିତପାବନ ଗିରି : ଆଲୋଚନା : ଦୁଇହଜାର ପରବର୍ତ୍ତୀ ଓଡ଼ଆ କ୍ଷୁଦ୍ରଗଳ୍ପରେ ମାଟି ଓ ମଣିଷର ସ୍ବର ।

ପତିତପାବନ ଗିରି : ଆଲୋଚନା : ଦୁଇହଜାର ପରବର୍ତ୍ତୀ ଓଡ଼ଆ କ୍ଷୁଦ୍ରଗଳ୍ପରେ ମାଟି ଓ ମଣିଷର ସ୍ବର ।

କ୍ଷୁଦ୍ରଗଳ୍ପ ଖୁବ୍ ବେଶୀ କବିତାଟିଏ ଭଳି ମନେହୁଏ । ଏହାର ଉପମା, ରୂପକ, ମିଥ, ଚିତ୍ରକଳ୍ପ ଆଦିର ଯାଦୁକରୀ ସ୍ପର୍ଶ କବିତାର ଅଙ୍ଗ ଓ ଆତ୍ମା ଗଢ଼ିଥାଏ । ଆଲବର୍ଟ କାମ୍ୟୁ କହନ୍ତି, The Story contains only the solidarity man. ଅର୍ଥାତ, କ୍ଷୁଦ୍ରଗଳ୍ପ ସବୁବେଳେ ଆଧୁନିକମଣିଷର ସ୍ଥିତିକୁ ହିଁ ଦେଖେଇ ଦେବାକୁ ଚାହେଁ । ଜରା, ଯନ୍ତ୍ରଣା ଓ ମୃତ୍ୟୁ ହିଁ ଜୀବନର ନିୟତି ।  ଏହାକୁ ଏଡ଼ିଯିବାର ସାଧ୍ୟ ମଣିଷ ହାତରେ ନାହିଁ । ଜୀବନ ତ ଗଙ୍ଗଶଉଳି ଫୁଲ ଭଳି କ୍ଷଣିକ, ପାଣି ଫୋଟକା ଭଳି ଅଳିକ । ମଣିଷ ମାତ୍ରେ ହିଁ ସୁନ୍ଦର ଓ ଉଦାର। ମଣିଷ ମାତ୍ରେ ହିଁ ନିଃସଙ୍ଗ ଓ ଏକଲା । ସାହିତ୍ୟ, ଚିତ୍ରକଳା ଓ ନାଟକ ବା ସିନେମାରେ ଏହି ଏକୁଟିଆ ମନର ଯନ୍ତ୍ରଣାବୋଧକୁ ବୁଝିବା ପାଇଁ ହିଁ ନାନା କଥା କୁହାଯାଏ । ବାସ୍ତବ ଜୀବନ ଜୀଇଁବାଟା ହିଁ ଶିଳ୍ପୀର ସବୁଠାରୁ ବଡ଼ସାଧନା । କ୍ଷୁଦ୍ରଗଳ୍ପ ଭିତରେ ସବୁବେଳେ ସମୟ ଓ ଜୀବନର ସଂକ୍ଷିପ୍ତ ଅନୁଭବଟିଏ ଥାଏ । ଉଦାହରଣ ସ୍ବରୂପ, ଏଇଠି କେତୋଟି ଗଳ୍ପାଂଶ ଉପରେ ଆଲୋକପାତ କରାଯାଉ…

(୧) ‘ଦୁନିଆରେ ଏତେ ବୈଷମ୍ୟ, ଏତେ ଶ୍ରେଣୀସଙ୍ଘର୍ଷ, ଜୀବନରେ ଏତେ ବିଷଣ୍ଣତା, ମୁଁ ବାରମ୍ବାର ଅସ୍ଥିର ହୋଇପଡ଼ୁଛି ।’ [ଦର୍ପଣ, ଦେବଦାସ ଛୋଟରାୟ]

(୨) ‘ କାହାର କାହା ସହିତ ରକ୍ତର ସମ୍ପର୍କ ନାହିଁ । ଅଥଚ ଗଭୀର ଆତ୍ମୀୟତାରେ ସେମାନେ ପରସ୍ପର ସହିତ ବାନ୍ଧିହୋଇ ରହିଛନ୍ତି ।’ [ଘନକୁହୁଡ଼ିର ଖେଳ, ବୀଣାପାଣି ମହାନ୍ତି ]

(୩) ‘ତୁ ନିଜେ ମେଘ, ନିଜେ ବରଷା, ଦେ ମୋତେ ଭରିଦେ, ଭରିଦେ ।’ [ପ୍ରଣୟିନୀ, ଦେବବ୍ରତ ମଦନରାୟ ]

(୪) ‘ଇଏତ ସେଇ ଆକାଶ, ଅପରାହ୍ନର ଆକାଶ । ଏଇତ ସେଇ ପବନ, କେତେ ସୁଲୁସୁଲୁ ଦକ୍ଷିଣା ପବନ । ଇଏତ ସେଇ ନଦୀ, ପରିଚିତ ନଦୀ । ଅଥଚ ସେ ରହୁଥିବା ସହରଟା ଚାହୁଁ ଚାହୁଁ କେତେ ବିସ୍ତାରିତ ହୋଇଗଲାଣି ନିଜେ ଜଣେ ପୁରୁଣା ଅଧିବାସୀ ହୋଇ ମଧ୍ୟ କିଛି ଜାଣିପାରୁନାହିଁ ।’ [କ୍ଲେଦିତ ଅନୁରକ୍ତି, ନାରୁ ମହାନ୍ତି ]

(୫) ‘ଲାଗେ ଶତାବ୍ଦୀର ବିସ୍ମୃତି ଭିତରୁ ଯେମିତି ମୁକ୍ତି ଖୋଜୁଛି, ଅଶ୍ରୁତକୋମଳ ସ୍ବରଟିଏ, ଚିରନ୍ତନ ପ୍ରେମକୁ ଆଧାରକରି ଯେଉଁ ସଙ୍ଗୀତ, ସେଇ ସଙ୍ଗୀତର ସ୍ବର ।’ [ତାଜମହଲ, ତରୁଣକାନ୍ତି ମିଶ୍ର ]

(୬) ମଣିଷ କେତେ ଅସହାୟ ଓ ଭୀରୁ ତାହା ଅନ୍ଧାର ହିଁ ପ୍ରମାଣିତ କରିଦିଏ ।’ [ତ୍ରିଶଙ୍କୁ, ରାମଚନ୍ଦ୍ର ବେହେରା]

(୭) ‘ଅପେକ୍ଷା ହିଁ ତ ଜୀବନ ।’ [ପରାଙ୍ଗପୁଷ୍ଟ, ପଦ୍ମଜ ପାଳ]

(୮) ‘ସମୟ କ’ଣ କେଉଁ ପୂରିଲା ନଈର ବହିଯାଉଥିବା ପାଣି । ନଈ ଥାଏ, ଥରେ ବହିଯାଉଥିବା ପାଣି ଆଉ ସେଠାରେ ନଥାଏ ।’ [ଝାଉଁବଣର ବାଘ, ପ୍ରଭାତ ମହାପାତ୍ର]

(୯) ‘କେତେ ନାଟ ଲଗଉଛ, ଲଗା ମ ।’ [ମାୟାବୀ ମାଧବ, ଜୟନ୍ତୀ ରଥ ]

(୧୦) ‘ହଁ, ଏହି ଯନ୍ତାରୁ ମୁକୁଳି ଯିବାଟା ହିଁ ଜୀବନ ।’ [ନିଜର ଠିକଣା ଖୋଜୁଥିବା ଲୋକ, ଜଗନ୍ନାଥ ପାତ୍ର ]

(୧୧) ‘ଅଭାବୀ ସଂସାରକୁ କାହ୍ନୁର ଅଗସ୍ତି- କ୍ଷୁଧା, ସବୁବେଳେ ଖାଇବି ଖାଇବି ହୁଏ ।’ [କାହ୍ନୁର ଘର, ଗୌରହରି ଦାସ]

(୧୨) ‘ଜାଣ ମଉସା, ମୋ ବାପା ନା ଆଉ ଗୋଟେ ମାଆ ଆଣି ରଖିଛନ୍ତି ।’ [ଝିଅ, ନିବାରଣ ଜେନା ]

(୧୩) ‘ପ୍ଲିଜ୍ ଭୃଗୁ, ଡୋଣ୍ଟ ବିହେବ୍ ଲାଇକ୍ ଦ୍ୟାଟ୍ ।’ [ରେବତୀ, ରବି ପଣ୍ଡା]

(୧୪) ‘ଏ ଶଳା ମଣିଷଗୁଡ଼ା ରାତ୍ରି ହେବା ମାତ୍ରେ ଏମିତି ଶୋଇ ପଡ଼ନ୍ତି କାହିଁକି ?’ [ବାଘ, ଅଜୟ ସ୍ବାଇଁ ]

(୧୫) ‘ନିଜର ଆଦର୍ଶବାଦୀ ଆଢ଼ୁଆଳରେ ମଣିଷ ଅନେକ ଜଘନ୍ୟ ପାପ ଓ ଘୃଣ୍ୟକର୍ମ କରିଥାଏ ।’ [ଇଛା, ଦୀପ୍ତିରଞ୍ଜନ ପଟ୍ଟନାୟକ ]

(୧୬) ‘ଅନ୍ୟର ରୋଜଗାର ଟଙ୍କାକୁ ଗେଫିବା ପାଇଁ ଏ ଅଳସୁଆ ଲୋକର ସବୁ ଫିକର ।’ [ଆକୃତି, ଭୀମ ପୃଷ୍ଟି ]

(୧୭) ‘ମଣିଷ ଭିତରେ ମଣିଷ ନାହିଁ । ବାହାରେ ଗୋଟିଏ ମଣିଷ, ଭିତରେ ଆଉ ଗୋଟିଏ ମଣିଷ ।’ [ବିଶ୍ବାସ ବାହାରେ ମଣିଷ, ବିଜୟାନନ୍ଦ ସିଂହ ]

(୧୮) ଅନେକ ଜଞ୍ଜାଳ ଆଉ ପ୍ରଚୁର କାମର ଚାପ ଭିତରେ ଥାଇ ବି ମୁଁ ଆଜିକାଲି ଖୁବ୍ ଉଦାସ ଅନୁଭବ କରୁଛି। [ଢେଉ ଆସେ, ମୋନାଲିସା ମିଶ୍ର]

(୧୯) ‘ପାଉଁଶିଆ ଆକାଶରେ ରଙ୍ଗଧରି ଆସୁଛି । ଆଉ ଟିକକ ପରେ ସକାଳ ହେବ ।’ [ପକ୍ଷାନ୍ତର, ସୁସ୍ମିତା ବାଗଚୀ]

(୨୦) ‘ଆମ ଜୀବନଟା ଏମିତି ଗୋଟିଏ ବ୍ୟାଗ ନୁହେଁ କି ? ଧୀରେ ଧୀରେ ମଇଳା ହୋଇ ରଙ୍ଗଛାଡ଼ି ଫିକାପଡ଼ିଯାଏ । ବ୍ୟବହାର ହୋଇ ହୋଇ ପୁରୁଣାହୁଏ । ସିଲେଇ ସବୁ ଖୋଲିଯାଏ ।’ [ନାଲିବ୍ୟାଗ, ରଶ୍ମୀ ରାଉଳ ]

(୨୧) ‘ଜୀବନକୁ ସଜାଡ଼ିବା ଏକ କଳା ।’ [ହୃଦୟ, କବିତା ବାରିକ]

(୨୨) ‘ଦମକାଏ ଶୀତଳ ପବନ ଦିହ ଉଲୁସାଇ ଦିଏ, ମାଆର କାନିପଣତ ପରି ।’ [ନୂଆମାଆ, ସ୍ନେହ ମିଶ୍ର ]

(୨୩) ଯେଉଁ ସ୍ନେହ ମମତାର ଡୋରିରେ ମଣିଷ ଏ ପୃଥିବୀର ସବୁ ଦୁଃଖ ସହେ, ନିଜ ରକ୍ତକୁ ପାଣି କରିଦିଏ, ସେଥିରେ ପ୍ରତାରିତ ହେଲେ ଜୀବନର ମାନେ କ’ଣ ?’ [ଅଜଗର, ଶ୍ରୀକାନ୍ତ ଦାସ ]

(୨୪) ‘କିନ୍ତୁ ଦୁର୍ଭାଗ୍ୟକୁ କିଏ କ’ଣ ଦୂରେଇ ପାରେ ? ହୋମ-ଯଜ୍ଞ, ପୂଜା ପାଠ, ବ୍ରତ-ଫ୍ରତରେ କ’ଣ ନିଜ କପାଳର ଲେଖାକୁ ମିଟେଇ ଦେଇ ହୁଏ ?’ [ଭାଗ୍ୟବାନ, ଦେବେନ୍ଦ୍ର ଲାଲ୍ ]

(୨୫) ‘ମନୋଜର ମୁହଁରେ ଦୁଃଖର ଗୋଟିଏ ଆସ୍ତରଣ ।’ [ପରେ କହିବି, ପ୍ରତାପ ବିଶ୍ବାଳ ]

(୨୬) ‘ଅମ୍ବରୀଶ ମହାପାତ୍ର ଡେଣା କଅଁଳ ନଥିବା ନିର୍ମୋକ ଚଢ଼େଇଛୁଆଟି ଭଳି ଜାକିଜୁକି ହୋଇ ଜୁଳୁଜୁଳୁ ଚାହିଁବସିଛି ଅନାଗତ ଭବିଷ୍ୟତ ଅପେକ୍ଷାରେ ।’ [ଡେଣା, ଲାବ୍ୟଣ୍ୟ ଚନ୍ଦ୍ର ସାହୁ]

(୨୭) ପରିବର୍ତ୍ତିତ ସମୟର ପାଦଶବ୍ଦକୁ ସ୍ବୀକାର କରିନେବା ବୋଧହୁଏ ବିଜ୍ଞତା ।’ [ପ୍ରତିଧ୍ବନି, ମନମୋହନ ମିଶ୍ର ]

                  ପ୍ରତିଟି ମଣିଷର ଆତ୍ମା ଓ ଅନ୍ତର ମାତ୍ରେ ହିଁ ସୃଜନଶୀଳ । ଜଣେ ମହତ୍ତର ଶିଳ୍ପୀ ସବୁବେଳେ ଜୀବନ ଓ ଜଗତକୁ ଅନୁଶୀଳନ କରିଥାଏ । କଳା ହିଁ ମଣିଷର ଜୀବନାନୁଭବକୁ ପ୍ରସାରିତ ଓ ବିକଶିତ କରାଏ । ସତ୍ୟ ଏବଂ ସୁନ୍ଦରକୁ ପ୍ରକଟନ କରିବା ହିଁ କଳାର ଧର୍ମ । ଡନ୍ ଲେଭୀ କହନ୍ତି, ‘Story is not exactly life, but the shadow of the life.’

                   ମଣିଷ ନିଜର ଅସହାୟତା ସମ୍ପର୍କରେ ଆଦୌ ସଚେତନ ନଥାଏ । ମହାକାଳର ସେଇ ସର୍ବଗ୍ରାସୀ କ୍ଷୁଧା କିପରି ମଣିଷର ଯାବତୀୟ ଦମ୍ଭିଲାପଣକୁ ଛେଉଣ୍ଡ କରିଦିଏ,  ତା’ର ସୁନ୍ଦର ଅଭିବ୍ୟକ୍ତି ଆମ ଗଳ୍ପ-ସାହିତ୍ୟରେ ଅଛି । ନିଃସଙ୍ଗତା, ଦୁଃଖ, ଯନ୍ତ୍ରଣା ଭୋଗୁଥିବା ମଣିଷ ପାଇଁ ମୃତ୍ୟୁ ହିଁ ଆତ୍ମିୟତାର ଦୟାର୍ଦ୍ର ରୂପ । ରବର୍ଟ ବର୍ଣ୍ଣ କହନ୍ତି, “O Death ! the poor-man’s dearest friend, and the kindest and the best.”

                  ଆଧୁନିକ ଓଡ଼ିଆ କ୍ଷୁଦ୍ରଗଳ୍ପରେ ଗଙ୍ଗା-ଯମୁନା ଭଳି ଦୁଇଟି ଜୀବନସ୍ରୋତ ପ୍ରବାହିତ । ଆଜିର ଯେଉଁ ଶିଳ୍ପୀମାନେ ମନୋଜ ଦାସ, ଶାନ୍ତନୁ ଆଚାର୍ଯ୍ୟ, ରାମଚନ୍ଦ୍ର ବେହେରା, ଦେବଦାସ ଛୋଟରାୟ, ପଦ୍ମଜ ପାଳ, କୈଳାସ, ସୀତେଶ, ଦେବବ୍ରତ ମଦନରାୟ, ତରୁଣକାନ୍ତି ମିଶ୍ର, ପ୍ରତିଭା ରାୟ, ସରୋଜିନୀ ସାହୁ, ନାରୁ ମହାନ୍ତି, ଯଶୋଧାରା, ସାତକୋଡ଼ି ହୋତା, ବୀଣାପାଣି ମହାନ୍ତି, ସ୍ନେହ ମିଶ୍ର, ସୁସ୍ମିତା, ରବି ପଣ୍ଡା, ବିଜୟାନନ୍ଦ ସିଂହଙ୍କ ଭଳି ଅନେକ ସ୍ରଷ୍ଟା ଆଧୁନିକ ଅବଚେତନାର ସଂଶୟଦୋଳିରେ ଦୋଳାୟମାନ, ସେମାନେ କେତେବେଳେ ଜୀବନର ଅନନ୍ତ ମଧୁରିମାକୁ ଖୁବ୍ ଚୁମ୍ବକରେ ନିବିଡ଼ ଓ ପରିବ୍ୟାପ୍ତ କରିଦେଇଛନ୍ତି । ଏଠି ଚାକଚକ୍ୟଭରା ସହରୀସଭ୍ୟତାର କୋଳାହଳଟିଏ ଅଛି । ଏମାନେ ସମାଜ-ପରିବାର-ବ୍ୟକ୍ତି ଜୀବନର ସଫଳତାକୁ ସ୍ତର ସ୍ତର କରି ମାପିଛନ୍ତି ବସ୍ତୁସର୍ବସ୍ବ ଦୁନିଆର ଅର୍ଥ ଆଉ ମମତାର ମାନଦଣ୍ଡରେ । ଏଠି ମଣିଷର ବୁଦ୍ଧି, ବିବେକ, ବିଚାରଶକ୍ତି ହଜାର ହଜାର ବର୍ଷର ପରମ୍ପରା ଓ କିମ୍ବଦନ୍ତିକୁ ଧରି ରଖିବାରେ ସମର୍ଥ ହୋଇଛି ।

            ଆଉ ଗୋଟିଏ ଗୋଷ୍ଠୀ ଗୌରହରି ଦାସ, ବିଷ୍ଣୁ ସାହୁ, ଅଜୟ ସ୍ୱାଇଁ, ଜୟନ୍ତୀ, ଭୀମ ପୃଷ୍ଟି, ଲାବଣ୍ୟ, ଶ୍ରୀକାନ୍ତ, ପ୍ରଭାତ, ପାରମିତା, ରଶ୍ମି ରାଉଳ, ଜଗନ୍ନାଥ, ମୋନାଲିସା ମିଶ୍ର, ସୌରୀନ୍ଦ୍ରୀ ସାହୁ, କବିତା ବାରିକଙ୍କ ଭଳି ଅନେକ ସ୍ରଷ୍ଟାଙ୍କ ଗଳ୍ପରେ ସମସାମୟିକ ଜୀବନର ବିଡ଼ମ୍ବିତ ଭାଗ୍ୟ, ଅବଶୋଷ, ସମ୍ପର୍କ, ଭୋକ-ଭୂଇଁ, ସ୍ବପ୍ନ, ସମ୍ମୋହନର ବିଭୋର ପଣିଆର ମାର୍ମିକ ଅଭିବ୍ୟକ୍ତି ରହିଛି । ନିଜ ପାରିପାର୍ଶିକ ଜୀବନର ଗୋଟେ ନିରୁତା ଗ୍ରାମ୍ୟପରିବେଶ ଭିତରୁ ଏଠି ଚଟ୍ କରି ଆଖି ଟାଣିହୋଇଯାଏ ଦଳିତ, ବିସ୍ଥାପିତ, ଦାଦନ ଓ ଶରଣାର୍ଥୀ ଜୀବନର ମାର୍ମିକ ଅଭିବ୍ୟକ୍ତି ଆଡ଼କୁ। ଖୁବ୍ ସଂକ୍ଷିପ୍ତ ଅଥଚ ଚମତ୍କାର ମେଟାଫର ଦ୍ବାରା ଏଠି ଅଙ୍କିତ ହେଉଛି ଜୀବନର ଚିତ୍ର, ଆଧୁନିକ ମଣିଷର ଧ୍ବଂସଶୀଳ ପ୍ରବୃତ୍ତି । ଜଣେ ମହାନ ସ୍ରଷ୍ଟାଙ୍କ ଅସଲ ଶିଳ୍ପସିଦ୍ଧି ରହିଛି ଜୀବନର ଦରଦୀଭାଷା ପାଖରେ । ଶିଳ୍ପୀଟିଏତ ଦୁଃଖର କଥା ଛାତିରେ ଚାପିଧରି ଚାଲିଥାଏ, ଯାହା ଦେଖେଇପାରେ ନାହିଁ ଅନ୍ୟକୁ, ଆରଜଣକୁ କି ସେମାନଙ୍କୁ । ଉଇଲିୟମ୍ ଫକନର କହନ୍ତି, ଗଳ୍ପ ଲେଖିବାର ଆଧାର ତ୍ରିବିଧ; ଅଙ୍ଗେ ନିଭେଇବା, ଆଖି ବୁଲେଇ ଦେଖିବା ଏବଂ କଳ୍ପନା କରିବା । ତାଙ୍କ ଭାଷାରେ, The story is beginning with a single idea or memory or mental picture. It exhibiting the beauty of life.

                  ଗୋଟେ କଳାପ୍ରାଣ ମଣିଷ ସମଗ୍ର ମଣିଷଜାତିକୁ ମହତ୍ତର ଜୀବନଭୋଗ କରିବା ପାଇଁ ପ୍ରେରଣାଦିଏ । ସ୍ରଷ୍ଟାଙ୍କ ଆଶିଷରେ ହିଁ ସୃଷ୍ଟିଜଗତ ମଧୁମୟ ହୋଇଉଠିଛି । ଆଧୁନିକ ସ୍ରଷ୍ଟା-ମାନସର ଜୀବନଜିଜ୍ଞାସା, ଯୁଗଯନ୍ତ୍ରଣା, ମାଟି-ମନସ୍କତା, ସୌନ୍ଦର୍ଯ୍ୟଚେତନା, ସାଂସ୍କୃତିକ ଭାବଧାରା, ଶ୍ରୀ ଜଗନ୍ନାଥ ସଂସ୍କୃତିର ମୂଳଐତିହ୍ୟ ପାଖକୁ ଫେରିବଆସୁନାହିଁ କି ? କାଷ୍ଠ-ପାଷାଣ-ତରୁ-ତୃଣ ସବୁଠି ଜୀବନର ଉତ୍ତୀର୍ଣ୍ଣ ଚେତନା ପ୍ରତିଫଳିତ ହୋଇ ନାହିଁ କି ? ଯଥାର୍ଥରେ କୁହାଯାଏ, The poetry of earth is never dead. : (John Keats)। ହଁ, ନିଜ ଭିତରର ନିବିଡ଼ ଅନୁଭବରେ ହିଁ ଜୀବନ ସଂଚାଳିତ ହୁଏ, ନୂଆ ନୂଆ ଫର୍ମ ବା ଶୈଳୀରେ ଗଳ୍ପ, କବିତା, ନାଟକ, ଉପନ୍ୟାସର ସ୍ଥାପତ୍ୟ ଗଢ଼ିଉଠେ । Walt White man କହନ୍ତି- ‘ When you touch my book, you touch a new human being.

                    କବିତା ପରି ପ୍ରତିଟି ଗଳ୍ପ ଭିତରେ ନୂଆମଣିଷ, ନୂଆଜୀବନର ସ୍ପନ୍ଦନଟିଏ ସଂଚାରିତ ହୋଇଛି । ମାଟିର ମଣିଷ କହିଲେ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସବୁମଣିଷକୁ ବୁଝାଏ । ମାଟିର ମଣିଷ କହିଲେ, ପୃଥିବୀର ଯେ କୌଣସି ଦେଶ, ଯେ କୌଣସି ମାଟିର ନାଗରିକକୁ ବୁଝାଏ । ଏହି ମଣିଷଟି ଦୁଃଖ ଓ ଯନ୍ତ୍ରଣା ଭିତରେ ବୁଡ଼ିଯାଉଥିଲା ବେଳେ ବି ନିଜ ସ୍ଥିତିର ଅତଳ ଭୂମିରେ ଚିରନ୍ତନ ଆନ୍ଦନର ସନ୍ଧାନ କରିଥାଏ । ସେ ସାରା ପୃଥିବୀର ଯନ୍ତ୍ରଣାକୁ ବୁଝେ, ସାରା ମଣିଷ ଜାତିର କଥା କାନଡେରି ଶୁଣେ । ଦୃତ ଜନସଂଖ୍ୟା ବୃଦ୍ଧି ତଥା ଶିଳ୍ପାୟନ ଭିତରେ ଚାହୁଁ ଚାହୁଁ କେତେ କେତେ ନୂଆଘର, ନୂଆସହର ଓ ବଜାର, ନୂଆଜୀବନ, ନୂଆସଂସାରର ସୁଖସ୍ବପ୍ନ ଭିତରେ କେତେ ସଜଳ ପରିବେଶ ଗଢ଼ିଉଠୁଛି । ଏଠି ଯୁଦ୍ଧ, ହିଂସା, ଆତଙ୍କରାଜ, ଆତ୍ମହତ୍ୟା, ଅମାନବିକ କ୍ରିୟାକଳାପ, ମଣିଷ-ଚୋରାଚାଲାଣ, ସାଇବର୍ ଅପରାଧ, ନାରୀଧର୍ଷଣ, ଦୁର୍ନୀତି ସହିତ ବିଶ୍ବତାପନ, ମାଟି-ପାଣି-ପବନ ପ୍ରହସନ ଭଳି ବହୁ ଜାତୀୟ ତଥା ଆନ୍ତର୍ଜାତିକ ସମସ୍ୟା ଓ ସଙ୍କଟ ସମ୍ପୃକ୍ତ । ତଥାପି ଆଜିର ଶିଳ୍ପୀ ନିଜ ଭିତରର ଯନ୍ତ୍ରଣାକୁ ନୂଆମାଟିର ସ୍ପନ୍ଦନ ସହିତ ଅଭିଷିକ୍ତ କରିବା ପାଇଁ କଳାବନ୍ତ ପ୍ରାଣଟିଏ ଖୋଜି ବସିଛି। ଜୀବନର କଥା ଓ କାହାଣୀ ଗୋଟିଏ ବିନ୍ଦୁରେ କେନ୍ଦ୍ରୀଭୂତ ହୋଇଛି । ଯଥାର୍ଥରେ କୁହାଯାଏ – “Once a poem tells a story, it becomes a verse.”

             ଆଜିର ଗଳ୍ପ ଭିତରେ ମଣିଷତ୍ବ ଅର୍ଜିବାର ଇଛାଟିଏ ଅଛି, ଅଭିବ୍ୟକ୍ତିଟିଏ ଲୁକ୍କାୟିତ ଅଛି । ଦୁନିଆର ଏତେ ଶ୍ରେଣୀସଂଘର୍ଷ, ବର୍ଣ୍ଣବୈଷମ୍ୟ, ଦ୍ବନ୍ଦ, ସଂକଟ ଭିତରେ ଅନ୍ତର୍ନିହିତ ସ୍ରଷ୍ଟା-ମାନସଟି ନୂଆ ନୂଆ ମନୋଭୂମି, ଅଭିରୁଚି ଉପରେ ଠିଆ ହେଇଛି ଯେମିତି । ସୋରେନ୍ କିରକେଗାର୍ଡ଼ ଯଥାର୍ଥରେ କହିଛନ୍ତି – “I am struggling in vain, I am losing the ground under my feet, my life will, after all, have been a poet’s  and no more.”

               ଦୁଇହଜାର ପରବର୍ତ୍ତୀ ଓଡ଼ିଆ କ୍ଷୁଦ୍ରଗଳ୍ପରେ ମାଟି ଓ ମଣିଷର ସ୍ବର ଶୁଭୁନାହିଁ କି ???

There is 1 comment

  1. ପତିତପାବନ ଗିରିଙ୍କ ଏହି ଆଲୋଚନା ଉପରେ ବେଶ କିଛି ଉପାଦେୟ ମନ୍ତବ୍ୟ ଟେଲିଫୋନ ମାଧ୍ୟମରେ ମିଳିଛି ଚଉକାଠକୁ, ବିଭିନ୍ନ ପାଠକଙ୍କ ନିକଟରୁ। ଅନେକ ଏହାକୁ ଖୁବ୍ ସାରଗର୍ଭକ ଓ ନୂଆଶୈଳୀର ଆଲୋଚନା ଭାବରେ ସ୍ଵାଗତ କରିଛନ୍ତି। କିଛି ପାଠକ, ଆଲୋଚକ ଉଦ୍ଧୃତ କରିଥିବା ଗଳ୍ପାଂଶଗୁଡ଼ିକୁ ଆଲୋଚନା ସହ ଜଡ଼ିତ ନକରି ଏକକାଳୀନ ଗୋଟିଏ ଜାଗାରେ ସଂଯୋଗ କରିଥିବାରୁ ଏହା ଏକ ଅତିସୁନ୍ଦର ଆଲୋଚନାର ଉଚ୍ଚତାହାନୀ କଲା ବୋଲି ମନ୍ତବ୍ୟ ଦେଇଛନ୍ତି।

    ସମସ୍ତ ପାଠକ, ମନ୍ତବ୍ୟଦାତା ଓ ଆଲୋଚକଙ୍କୁ ଚଉକାଠର କୃତଜ୍ଞତା ଓ ସମ୍ମାନ।

Leave a Reply

Your email address will not be published. Required fields are marked *