


ଯେତେ ଯେତେ
ଘୃଣା ଆଉ ତିତିକ୍ଷାର ନିଆଁରେ
ଜାଳିଲେ ବି ପାଉଁଶ ପାଲଟୁନି
ଏ ମନ,
ପୁଣି ପୁଣି ଝାଡ଼ି ଝୁଡି ହେଇ
ହସ ସେକୁଚି ଏ ଜୀବନ।
ପରିତ୍ୟକ୍ତ ହେଲେବି
ପଞ୍ଜରାହାଡ ସଂଧିରେ
ପୋତିଦେଇଛି
ପ୍ରପଞ୍ଚ ପ୍ରାଣକୁ ତୋର
ଅବସନ୍ନ ଆକାଂକ୍ଷା
ଆଉ ସମଗ୍ର ସତ୍ତାକୁ ତ
କରିଛୁ ଆଚ୍ଛନ୍ନ
ମୋ ମୋହମୟ ମୁକ୍ତିମଣ୍ଡପରେ
ସଜେଇରଖିଛି ତୋ ପାଇଁ
ଇଚ୍ଛିଥିବା ଛଦ୍ମ ସିଂହାସନ।
ତୋ ଉପେକ୍ଷାର ଦଂଶନରେ
କେବେଠୁ ମରିସାରିଛ
ତୋ କ୍ରୋଧର ଅଗ୍ନିରେ
ଏ କଳଙ୍କିତ କଙ୍କାଳ ଜଳୁଚି
ଯେ ଜଳୁଚି
ସଂସାରର ସମଗ୍ର ସମ୍ମୋହନର
ମୁଦ୍ରାରେ ମୁଁ
ଆତ୍ମିକ ଆହୁତି ଢାଳୁଛି।
ଯେତିକି ଯେତିକି
ଦୁରେଇ ଯାଉଛୁ
ପାଲଟି ଚାଲିଛୁ
ସେତିକି ସେତିକି ନିଜର
କେମିତି ଜଳଉଛୁ ଯେ
ମୁଁ ପାଉଁଶ ନହେଇ
ଆହୁରି ଆହୁରି ପାଲଟି ଯାଉଛି
ନିର୍ମୋକ ପଥର।

There are 3 comments
ମନ କେବେ ପୁରେ ନାହିଁ।ଭାବ,ଭାଷାର ଏକ ମଧୁର ମିଳନରେ କବିତା ପାଉଁଶ ଖୁବ୍ ମନଛୁଆଁ। କବି ବନ୍ଧୁଙ୍କୁ ସାଦର ଧନ୍ୟବାଦ।
ମନ କେବେ ପୁରେ ନାହିଁ।ଭାବ,ଭାଷାର ଏକ ମଧୁର ମିଳନରେ କବିତା ପାଉଁଶ ଖୁବ୍ ମନଛୁଆଁ। କବି ବନ୍ଧୁଙ୍କୁ ସାଦର ଧନ୍ୟବାଦ।
ସୁନ୍ଦର ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଓ ସମ୍ମାନ ଜଣାଉଛି।