Home » Magazine » ନିରବତା

ନିରବତା

Today

I stand on the bank of the poem

Even though each word has a price

Even though this poetry appears as a river

A river without water

We have to swim across…..

ବହୁ ବିଳମ୍ବରେ ସେ କବିତା ଲେଖା ଆରମ୍ଭ କରିଥିଲେ । ପଚାରିଲେ କହୁଥିଲେ, ବାରବୁଲା ଭଳି ବୁଲୁଥିଲି – କବିତା ଲେଖିବି ବୋଲି ଜାଣିନଥିଲି ।

ଜୟନ୍ତ ମହାପାତ୍ରଙ୍କ ଶୈଶବ କି କୈଶୋର ଏତେ ସ୍ବଚ୍ଛନ୍ଦ କି ସୁଖଦ ନଥିଲା । ତାଙ୍କ ଜେଜେବାପା ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ଯୋଗୁଁ ତାଙ୍କର ବାଲ୍ୟକାଳ ଓ ଯୌବନ ଏକପ୍ରକାର ଗୋଠଛଡ଼ା ହେଇଯାଇଥିଲା । ଏକାକୀତ୍ବ ଓ ଏକେଲାପଣ ସହ ନିଜକୁ ମୁଖ୍ୟଧାରାରୁ ବିଛ୍ଛିନ୍ନ ମନେକରୁଥିଲେ ସେ….. ସ୍କୁଲରେ, ସାହିପଡ଼ିଶାରେ, ପର୍ବପର୍ବାଣୀରେ, ସଭାସମିତିରେ ….. ସବୁଠାରେ । ଏଇସବୁ ଏକେଲାପଣର ବୋଝ, ମୁଖ୍ୟଧାରାରୁ ଅଲଗା ହେଇଯାଉଥିବାର ତ୍ରାସ, କାହା ସହ ମିଶି ପାରୁନଥିବାର କ୍ଷୋଭ… ତାଙ୍କୁ କ୍ରମଶଃ ଅନ୍ତର୍ମୁଖୀ କରିଦେଇଥିଲା । ସେଇ ଝରି ପାରିନଥିବା ଲୁହ, ସେଇ ଦେଖେଇହେଇନଥିବା କୋହ ଓ କ୍ଷତର ଯନ୍ତ୍ରଣାକୁ ସେ ଲେଖି ରଖୁଥିଲେ ତାଙ୍କର ଡାଇରୀ ପୃଷ୍ଠାରେ… ଯାହାକୁ ଦିନେ ଅତି ନିର୍ଦ୍ଦୟ ଭାବରେ ଟୁକୁରା ଟୁକୁରା କରି ଚିରି ଫୋପାଡ଼ି ଦେଇଥିଲେ ତାଙ୍କର ମାଆ ।

କବିତା ଲେଖିବାର ବହୁପୂର୍ବରୁ, ଏକୋଇଶ – ବାଇଶବର୍ଷ ବୟସ ବେଳକୁ ସେ ଲେଖିଥିଲେ କିଛି ନଭେଲ୍, କାହାଣୀ ଓ ଫିକ୍ସନ୍…. ଯାହାକୁ ପ୍ରକାଶ ପାଇଁ ପଠେଇଥିଲେ ସେବେଳର ଚର୍ଚ୍ଚିତ ଇଂରାଜୀ ସାପ୍ତାହିକୀ Illustrated Weeklyକୁ ।  ମାତ୍ର ସେସବୁ ପ୍ରକାଶିତ ହେଇନଥିଲା… ପ୍ରତ୍ୟାଖ୍ୟାତ ହେଇଯାଇଥିଲା ।

         ଅନ୍ୟମନସ୍କ ଜୟନ୍ତ, ଲେଖାଲେଖି ଛାଡ଼ିଦେଇ ମନୋନିବେଶ କଲେ ତାଙ୍କର ବୃତ୍ତିରେ, ପଦାର୍ଥବିଜ୍ଞାନ ଅଧ୍ୟାପନାରେ… ଓ ମନୋନିବେଶ କଲେ ଫୋଟୋଗ୍ରାଫିରେ । ଅଠତ୍ରିଶବର୍ଷ ବୟସ ବେଳକୁ, ସବୁବେଳେ ଚୁପଚାପ୍ ଓ ଏକେଲା ରହିବାକୁ ପସନ୍ଦ କରୁଥିବା ଜୟନ୍ତଙ୍କୁ ତାଙ୍କ ପତ୍ନୀ ରୁନୁ ପୁଣିଥରେ ଲେଖାଲେଖି କରିବାକୁ ପ୍ରବର୍ତ୍ତାଇଲେ। ଜୟନ୍ତ ପୁଣି ଫେରିଲେ କବିତାକୁ, ଫେରିଲେ ତାଙ୍କର ଛାତିର ବଖରାରେ ଗୁମ୍ଫିତ ଶୈଶବ ଓ କୈଶୋରର ସେଇ ଡାଇରୀପୃଷ୍ଠାକୁ… ସେଇ ପୀଡ଼ାକୁ… ଯାହା କବିତା ହେଇ ପୃଷ୍ଠାମଣ୍ଡନ କଲା ଦେଶବିଦେଶର ସମସ୍ତ ନାମୀଦାମୀ ପତ୍ରପତ୍ରିକାରେ । ତାଙ୍କ କହିବାର ଶୈଳୀ ଓ ଚିତ୍ରାବଳୀ, ତାଙ୍କ କବିତାର ଠାଣି ଓ ବାଣୀ, ତାଙ୍କ କବିତାର ଧାରା ଓ ଈଶାରାର ସ୍ବତନ୍ତ୍ରତା, ତାଙ୍କୁ ଭିଡ଼ ଭିତରେ ବି ଅଲଗା କରି ଚିହ୍ନେଇଦେଲା; ଯାହା ତାଙ୍କୁ ଆଧୁନିକ ଭାରତୀୟ ଇଂରାଜୀ ସାହିତ୍ୟର ଅନ୍ୟତମ ବିନ୍ଧାଣୀର ମାନ୍ୟତା ପ୍ରଦାନ କରିଥିଲା। ପ୍ରଖ୍ୟାତ କବି TS Eliot ଠିକ୍ କହିଥିଲେ : Poetry is not an expression of personality, but an escape from personality. ଏବଂ… ସେଇ ବ୍ୟକ୍ତିତ୍ବବାନ କବି ହେଉଛନ୍ତି ଜୟନ୍ତ ମହାପାତ୍ର ।

There is 1 comment

  1. ସେହି ମହାନ୍ ସ୍ରଷ୍ଟା ଙ୍କୁ କୋଟି କୋଟି ପ୍ରଣାମ
    🙏🙏

Leave a Reply

Your email address will not be published. Required fields are marked *