Home » Magazine » ଦେବାଶିଷ ଚକ୍ରବର୍ତ୍ତୀ : କବିତା : କାଉ

ଦେବାଶିଷ ଚକ୍ରବର୍ତ୍ତୀ : କବିତା : କାଉ

ଅପରଛନିଆ
କଳା କଟକଟ ରୂପ ଆମର
ଭାରି କର୍କଶ ହେଲେ ବି ଆମ କଣ୍ଠସ୍ୱର
ତାକୁ, ଶୁଣି ଭାଙ୍ଗେନି କି
ଆଜ୍ଞା ମଣିମା ଙ୍କ ପହଡ଼..
ବୁଝିପାରୁନି ତଥାପି କାହିଁକି
ଏତେ ଅନାଦର..!!

ମଣିମାଙ୍କ ମନ ମୋହେନି କି
କୋଇଲିର ମନ ଭୁଲାଣିଆ ମିଠାସୁର
ଯେମିତିକି ଖୁବ୍ ଆପଣାର ମନେହୁଅନ୍ତି
ସ୍ତୁତିର ଗଜରା ପିନ୍ଧାଉଥିବା ଚାଟୁକାର
ଅଥଚ,
ସତ କହୁଥିବା ମଣିଷର କପାଳ
ଚିରକାଳ ଫାଳଫାଳ ।

ତୁମେ ସିନା ଦ୍ୱିଧାହୀନ ଭାବରେ
ଚାରିଆଡ଼େ ଗଦା କରୁଛ
ତୁମ ଅପକର୍ମର ଆବର୍ଜନା
ଯାହାକୁ ପରିଷ୍କାର କରିବାରେ
କାଣିଚାଏ ବି ହେଳା କରିଛି କି
ଆମ ରସନା…
ତଥାପି, ଆମ କପାଳରେ କାହିଁକି
ଲେଖାହୋଇଛି ଅପବାଦ, ଉଲୁଗୁଣା ?

ସରଳମାନେ କ’ଣ ଚିରଦିନ ବୋକା
ସେମାନେ ସବୁବେଳେ
ପାଉଥିବେ ଧୋକା
ମୋ ବସାରେ ଅଣ୍ଡା ଦେଇ
ଉଡ଼ିଯାଏ କୋଇଲି
ସଭିଙ୍କି ନିଚିପର ବୋଲି ମଣି ତ
କିଏ ପର କିଏ ଆପଣା
ତା ପାରେନାହିଁ ବାରି
ଅଥଚ, ଡେଣା ଲାଗିଲେ
ଗୋତ୍ର ସୁମରି ଯାଏନି କି ଉଡି
ସେଇମିତି, ପ୍ରତାରଣା ର ଝାଞ୍ଜି ରେ
ଅକାଳରେ ଝଡିପଡ଼େନି କି
ସପନର କଢ଼ି?

ଆଗବେଳର କଥା ଅଲଗା।
ହୃଦୟକୁ ତିନ୍ତାଉ ଥିଲା
ନିରୁତା ଆପଣାପଣ
ମନ କ’ଣ ପାଲଟି ଥିଲା କି
ହୀନସ୍ବାର୍ଥର ଅରମାବଣ ?
ଚାଳରେ ବସି କାଆ କାଆ କଲେ
ଚାଉଳ ମୁଠିଏ ଥୋଇ
ମାଆ ଡାକୁଥିଲେ ଆ’ ଆ’…
ଏବେ ଆଉ ଚାଳ କାହିଁ
ସବୁଠି ତ କଂକ୍ରିଟ ଜଙ୍ଗଲ
ଆମ କଥା ଛାଡ଼
ଯୋଗୀ-ଭିକାରୀଙ୍କି ଆଉ କେହି
ଯାଚି ଦେଉଛି କି
ଆହାର କି ଦି’ମୁଠା ଚାଉଳ ?

ନିଦରୁ ଉଠାଉ ଥିବା ପ୍ରାଣୀମାନେ
କ’ଣ ଏହିପରି ଉପେକ୍ଷିତ ଚିରଦିନ
ନିଦରୁ ଉଠାଉ ଥିଲେ ବୋଲି ତ
ସକ୍ରେଟିସ ପିଇ ନ ଥିଲେ କି ଅସୂୟାର ବିଷ..!!

ତୁମ ଘୃଣା ଓ ବିଦ୍ୱେଷର ନିଆଁରେ
ଆମେ କଣ
ଏଇମିତି ଜଳୁଥିବୁ ଅହର୍ନିଶ ?

Leave a Reply

Your email address will not be published. Required fields are marked *