Home » Magazine » ଦୀପଙ୍କର ଦାସ : କବିତା : ମାଆକୁ ଚାଳିଶିଆ

ଦୀପଙ୍କର ଦାସ : କବିତା : ମାଆକୁ ଚାଳିଶିଆ

ମାଆକୁ ଚାଳିଶିଆ ହେବାପରଠୁ
ଅଧା ପଡିଛି ମୋ ପାଇଁ ମଫଲର୍ ବୁଣା
ଛୁଞ୍ଚିରେ ସୂତାଖିଏ ପାଇଁ ବି
ସେ ଖୋଜିବୁଲେ ମୋରି ଠିକଣା
ପାଞ୍ଜି ଦେଖିପାରୁନି,
ପଢ଼ିପାରୁନାହିଁ ଶ୍ରୀମଦ ଭଗବତ ଗୀତା

ଏଇଭିତରେ
ପୂର୍ଣ୍ଣିମା, ଅମାବାସ୍ୟା, ସଂକ୍ରାନ୍ତି ସବୁ ବଦଳେ
ମୋର ଅଧାକଞ୍ଚା ଜ୍ଞାନଥିବା
ଓଡ଼ିଆ କ୍ୟାଲେଣ୍ଡର ଦେଖାରେ

ସେଦିନ ଦସ୍ତଖତ କରିପାରିଲାନି
ବ୍ୟାଙ୍କ୍ ଖାତାରେ
କହିଲା, “ବାପା, ଯେତେ ବୟସ ବଢେ ସେତେ ସ୍ପଷ୍ଟ ଦିଶେ ଦୁନିଆ
ଅଥଚ ଧିମେଇ ଆସେ ରକ୍ତ ପ୍ରବାହ, ଫୁସଫୁସ୍
ଆହୁରି ଅସ୍ପଷ୍ଟ ହୁଏ ଆଖିପତା !

ବୟସ ବଢିଲେ ପାଖପାଖ ଲାଗେ ସବୁ ସମ୍ପର୍କ
କିନ୍ତୁ ସେଇ ପାଖଟିଏରେ ଖୁବ୍ ଦୂରତା !!”

କାନ୍ଥରେ ବଦଳୁଥାନ୍ତୁ କ୍ୟାଲେଣ୍ଡର
ଅଧା ପଢ଼ାଥାଉ ଗୀତା
ଶୀତ ପାରେଇଯାଉ,
ମଫଲର୍ ଥାଉ ଅଧାବୁଣା,
ମୋର ବୟସ ବଢ଼ୁ
ପଚିଶ, ତିରିଶ, ଅଣଚାଶ, ଅଶୀ…
ସେ କିନ୍ତୁ ସବୁଦିନ ପଚାଶରେ ଥାଉ
ତା’ର ସବୁ ଅକ୍ଷମତାରେ ସେ ମୋତେ ହିଁ ଲୋଡୁଥାଉ

ଏକଥାଟି ସତ
ହୁଏତ ଦିନେ ମୁଁ ଥିବି ସେ ନଥିବ !
ଆଉ ଏକଥାଟି ଡାହାମିଛ
ମୁଁ ନଥିବି ସେ ଥିବ

ସେ ଥିଲାବେଳେ ଯଦି ମୋର ସମୟ ଆସେ
ତା’ର ପଦେ କଥାରେ ଅଟକିଯିବାକୁ ହେବ ଅୟୁତକାଳ
“ଦଣ୍ଡେ ରହି ଯା’ ବାପା
ପାହିନି ତ ରାତି ,ଫେରିନି ସକାଳ “
ସିଠା ଦିଶୁଥିବ ନୀଳଦେବତାର ଦେହ
ମାଟି ପାଲଟୁଥିବେ ଦକ୍ଷିଣଦିଗପାଳ
ଅଧା ପଢ଼ାଥିବ ମନ୍ତ୍ରପାଠ, ଶୁଭୁନଥିବ ଜୟକାର

ମାଆ ଆଖିରୁ ଝରିପଡୁଥିବ ମୋ ପାଇଁ ଟୋପା ଟୋପା ମହାମୃତ୍ୟୁଞ୍ଜୟ..!

Leave a Reply

Your email address will not be published. Required fields are marked *