Home » Magazine » ଦିପୁନ୍ ପୁହାଣ : କବିତା : ଝିଅମାନେ ଯାଇଛନ୍ତି ରାତି ଦଖଲରେ

ଦିପୁନ୍ ପୁହାଣ : କବିତା : ଝିଅମାନେ ଯାଇଛନ୍ତି ରାତି ଦଖଲରେ

ସାଙ୍ଗରେ ଆଲୁଅର ଟୁର୍ ଗାଇଡ୍
ସାଙ୍ଗରେ ଆଦିମ ଏକ ଡରର ଆକଟ
ଓ ବନ୍ଧ ଭାଙ୍ଗି ବହିଯିବାର ଅବାଧ ଇଚ୍ଛାଟିଏ ବି ଅଛି ସାଙ୍ଗରେ

କଦମ୍ବ କି ବଇଁଶୀ ସୁରରେ ନୁହେଁ
ଜହ୍ନ କି ତାରାର ମାୟାରେ ଆଦୌ ନୁହେଁ

ଝିଅମାନେ ଯାଇଛନ୍ତି ତଲାସିବାକୁ
ଏକ ପ୍ରାଗୈତିହାସିକ ସନ୍ତ୍ରାସର ଠିକଣା
ଯାହା ଲୁଚେଇ ରଖିଚି ନିଜକୁ ଯୁଗ ଯୁଗ
ରାତି ଅନ୍ଧାରରେ

ଥରୁଟିଏ ଖାଲି ଅକ୍ତିୟାରରେ ଆସିଗଲେ ରାତି
ପର୍ଦ୍ଦାଫାଶ କରିବେ ଝିଅମାନେ
ଅଦୃଶ୍ୟ ଆତତାୟୀର ଚେହେରା
ଚେହେରାରୁ ସତମିଛର ମୁଖା
ଅପହଞ୍ଚ ଅନ୍ତରୀପରେ ସାଇତା ରାତିର ଚଉପହରା
ଓ ଚୌକିଦାରର ଚୋରତ୍ୱ…

ଝିଅମାନେ ଜୟ କରିବେ ରାତିର ସମୁଦ୍ର,
ରାତିର ପବନ ଗାଇବ ଝିଅଙ୍କ ପାଇଁ ଗୀତ
ରାତିର ଶାଖାରେ ଫୁଟିବ ଝିଅଙ୍କ ପାଇଁ ଫୁଲ
ରାତିର ପୃଥିବୀରେ ଶୁଭିବ ଝିଅଙ୍କ କୋଳାହଳ

ଝିଅମାନେ ବୁଝିସାରିଲେଣି ଏ କଥା ଯେ
କେମିତି ଯୁଗ ଯୁଗ ଧରି,
ଫାଳକ ପୃଥିବୀ ଅଭୋଗ୍ୟ ଅଛି ତାଙ୍କର

ଯଦି ଅଠସ୍ତରିଟି ରାତି ଭୋଗି ସାରିଲାଣି
ଅଗଷ୍ଟ ପନ୍ଦର
ତେବେ ରାତିଟିଏରେ କାହିଁକି ଅଧିକାର ନାହିଁ ଝିଅର ?

ଝିଅମାନେ ଫେରିନାହାନ୍ତି ଏଯାଏଁ
ଯାଇଛନ୍ତି ରାତି ଦଖଲରେ…

ଫେରିଲେ, କୋଉ ମୁଁହରେ ସାମ୍ନା କରିବ ତାଙ୍କୁ
ଏ ବିଷର୍ଣ୍ଣ ସମୟ,
ଏତେ ଆଲୁଅ ଏତେ ଖରାରେ…

There is 1 comment

  1. ବାଃ! ଖୁବ୍ ସୁନ୍ଦର କବିତା ଝିଅ ମାନେ ଯାଇଛନ୍ତି…… ବହୁତ ଭଲ ଲାଗିଲା ଉପସ୍ଥାପନା ଶୈଳୀ।

Leave a Reply

Your email address will not be published. Required fields are marked *