Home » Magazine » ଜ୍ଞାନରଞ୍ଜନ ନାୟକ : ଗଳ୍ପ : ରାସ୍ତା

ଜ୍ଞାନରଞ୍ଜନ ନାୟକ : ଗଳ୍ପ : ରାସ୍ତା

ସଭା ଆରମ୍ଭରୁ ସେ ଗମ୍ଭୀର ହେଇ ବସିଥିଲେ।

ବୟସ ଅଶୀ କିମ୍ବା ତା’ଠୁ ଅଧିକ। ମୁହଁରେ ଲୋଚାମୋଚା ଚର୍ମ, ତୀକ୍ଷ୍ଣ ହନୁହାଡ଼ କୋଟରାଗତ ଜୁଳୁଜୁଳିଆ ଆଖି ଯୋଡ଼ିକ ଭିତରେ ଯେମିତି ସେଇ ଖଣ୍ଡମଣ୍ଡଳର ସବୁ ଘଟଣା ଏବଂ ଅଘଟଣର ଇତିହାସ ପ୍ରଲେପିତ ହୋଇରହିଥିଲା। ଲାଗୁଥିଲା ଯାହାସବୁ ଘଟୁଛି ସେଥିରେ ସେ ଅନ୍ୟମାନଙ୍କଠାରୁ କ’ଣ ଟିକେ କେଉଁଠି ଭିନ୍ନ ଭାବନା ପୋଷଣ କରୁଛନ୍ତି।

ସମଗ୍ର ଘଟଣାର ଚିତ୍ରକୁ କ୍ୟାମେରାରେ ତୋଳି ରଖୁଥିବା ବ୍ୟକ୍ତିଙ୍କ ଦୃଷ୍ଟିକୁ ସେଇ ବୃଦ୍ଧଙ୍କର ଭିନ୍ନ ଭାବନାର ମୁଖଭଙ୍ଗୀ, ଆଢ଼ୁଆଳ ହୋଇ ପାରିନଥିଲା ବରଂ ଅନ୍ୟାନ୍ୟ ଦୃଶ୍ୟ ସହ ସେ ତାଙ୍କର ଭାବବ୍ୟଞ୍ଜକ ମୁହଁକୁ ବିଭିନ୍ନ ପର୍ଯ୍ୟାୟରେ ରେକର୍ଡିଂ କରୁଥିଲେ।

ମଞ୍ଚ ଉପରେ ସ୍ଥାନୀୟ ଲୋକପ୍ରତିନିଧି, ପୂର୍ତ୍ତବିଭାଗ ମନ୍ତ୍ରୀ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ସମେତ ଆହୁରି ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଦୁର୍ଗମ ଅଞ୍ଚଳକୁ ରାସ୍ତାଟିଏ ତିଆରି କରାଯାଇ ପାରିଥିବାରୁ ସମସ୍ତେ ବେଶ୍ ଖୁସି ଥିଲେ। ମଞ୍ଚତଳେ ଉପସ୍ଥିତ ସାଧାରଣଜନତା ବି ନୂଆ ଏବଂ ଚଉଡ଼ା ପକ୍କା ରାସ୍ତା ପାଇ, କେତେ ନାହିଁ କେତେ ଖୁସି ଜଣାପଡୁଥିଲେ !

ସେ ଅଞ୍ଚଳକୁ ଯେ ରାସ୍ତା ଆଦୌ ନଥିଲା, ସେକଥା ନୁହଁ; ପାଖାପାଖି ତିରିଶବର୍ଷ ତଳେ ପ୍ରଥମକରି ରାସ୍ତାର ରୂପରେଖ ତିଆରି ହୋଇଥିଲା କିନ୍ତୁ ପରେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ତାହା ଥାଇ ନଥିଲା ଭଳି ରହିଥିଲା । ସେଇ ସମୟରେ ଚାଷଜମିରୁ ଅଳ୍ପକିଛି ଫସଲ, ପାହାଡ଼, ଜଙ୍ଗଲରୁ ଫଳମୂଳ ଏବଂ ଅନ୍ୟାନ୍ୟ ଜିନିଷ ସଂଗ୍ରହ କରି ଚଳୁଥିବା ସ୍ଥାନୀୟ ଲୋକମାନେ, ନିଜ ଅଞ୍ଚଳ ଆଉ ସମ୍ପ୍ରଦାୟ ଭିତରେ ସୀମିତ ଥିଲେ। ମହୁଲି ପିଉଥିଲେ, ସଲପରୁ ଶକ୍ତି ସଂଗ୍ରହ କରୁଥିଲେ, ମାଣ୍ଡିଆଜାଉ କିମ୍ବା ବଣଜଙ୍ଗଲର ଜୀବଜନ୍ତୁଙ୍କ ମାଂସରେ ପେଟ ଭରୁଥିଲେ। ତା’ରି ଭିତରେ ବି କେହି କେହି ଧନୀ ହେଉଥିଲେ ଏବଂ ସେଇ ଅନୁସାରେ ତାଙ୍କ ସ୍ତ୍ରୀର ନାକରେ ନୋଥର ଓଜନ ମଧ୍ୟ ବଢୁଥିଲା। ହେଲେ ରାସ୍ତାର ପ୍ରଥମ ସଂସ୍କରଣ ଏପରି ଚଳଣିରେ ଢେର୍ କିଛି ପରିବର୍ତ୍ତନ ଆଣିଥିଲା।

ପରିବର୍ତ୍ତନର ପ୍ରଥମ ସୋପାନରେ ସେଇ ବଣଜଙ୍ଗଲ ଜୀବନକୁ ହଲଚଲ କରି ସେଠି ସ୍କୁଲଟିଏ ଖୋଲିଥିଲା। ବାହାର ଇଲାକାରୁ ଆସି କିଏ ଜଣେ ସେଠି ଶିକ୍ଷକତା କଲେ। ତାଙ୍କ ପାଖକୁ ପିଲାମାନେ ପାଠ ପଢ଼ିବାକୁ ଆସିଲେ। ପରେ ଆଉ କେତେଜଣ ବାହାର ବ୍ୟକ୍ତିଙ୍କର ଭିନ୍ନ ଭିନ୍ନ କାମର ଦାୟିତ୍ବରେ ପ୍ରବେଶ ଘଟିଲା। ସେମାନେ ସେଠାରେ ରହିବାକୁ ଲାଗିଲେ ଏବଂ କ୍ରମଶଃ ସ୍ଥାନୀୟ ଲୋକଙ୍କ ସହ ମିଳିମିଶି ଚଳିଲେ। ତେବେ ସେମାନେ ସଂଖ୍ୟାରେ କମ୍ ହେଲେ ବି ସଅଳ ଜଙ୍ଗଲ ସଫା କରିଦେଲେ। ତାଙ୍କରି ସହ ମିଶି ଚଳିଲେ ବି ଭିନ୍ନ ଢଙ୍ଗରେ ଏବଂ ନୂଆ ଢାଞ୍ଚାରେ ଘର ତିଆରି କଲେ। ବାହାରୁ କେତେ ନୂଆ ନୂଆ ଜିନିଷ ଆଣିଲେ, ବାହାର ଦୁନିଆର ନୂଆ କଥା ବି ଶିଖାଇଲେ। ଉପତ୍ୟକା ନୂଆ କଥା ଜାଣିଲା, ନୂଆ ଜୀବନ ଆପଣେଇବା ଆରମ୍ଭ କଲା । ଏହି କାରଣ ପାଇଁ ବାହାରର ଲୋକମାନେ ସ୍ଥାନୀୟ ଲୋକଙ୍କ ପାଇଁ ତାରକା ପାଲଟିଗଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ସମ୍ମାନ କଲେ ସେମାନଙ୍କ ବୋଲ ମାନିଲେ।

ଏବେ ପୁଣି ପକ୍କା ରାସ୍ତା; ଅଧିକ ଚଉଡ଼ା !

ପ୍ରତିନିଧି, ଯନ୍ତ୍ରୀ, ମନ୍ତ୍ରୀ ଏପରିକି ସ୍ଥାନୀୟ ଜନତା ସମସ୍ତେ ବେଶ୍ ଖୁସିଥିଲେ। ସତେ ଯେମିତି ଖୁସିର ଭାବଟି ଜଣଙ୍କ ମୁହଁରୁ ଆରଜଣଙ୍କ ମୁହଁକୁ ସଞ୍ଚରି ଯାଉଥିଲା ଅଥବା ସଂକ୍ରମିତ ହେଉଥିଲା !

ସଭା ସରିଲା ପରେ ବିଶ୍ବସ୍ତ କ୍ୟାମେରାମ୍ୟାନ ଜଣଙ୍କ ସ୍ଥାନୀୟ ଲୋକପ୍ରତିନିଧିଙ୍କ କାନରେ କ’ଣ କହିଲେ। ଲୋକପ୍ରତିନିଧି ମନ୍ତ୍ରୀଙ୍କ କାନରେ କ’ଣ ମନ୍ତ୍ର ଫୁଙ୍କିଲେ।

ମନ୍ତ୍ରୀଙ୍କ ଆଦେଶରେ ସେଇ ବୟସ୍କ ଲୋକଜଣଙ୍କୁ ତାଙ୍କ ସାମ୍ନାକୁ ଅଣାଗଲା। ମନ୍ତ୍ରୀ ତାଙ୍କୁ ପରୀକ୍ଷା କଲାପରି ଆପାଦମସ୍ତକ ଦେଖିଲେ ଏବଂ ସ୍ଥାନୀୟ ପ୍ରତିନିଧିଙ୍କୁ କହିଲେ: ‘ଲୋକ ଠିକ୍ ଅଛି। ତା’ ମୁହଁରୁ କଥା ବାହାର କର, ଭଲ ମାଇଲେଜ୍ ମିଳିବ। ମୁଁ ଚ୍ୟାନେଲ୍‌ବାଲାଙ୍କୁ କହିଦେବି ବୁଢ଼ାର ଇଣ୍ଟରଭ୍ୟୁ ପ୍ରାଇମ୍ ଟାଇମ୍‌ରେ ବଜାଇବେ’।

ଚାହୁଁଚାହୁଁ ସବୁକିଛି ପ୍ରସ୍ତୁତ ହୋଇଗଲା। ନୂଆରାସ୍ତାର କଳା ମଚମଚ ଚଉଡ଼ା ଛାତି ଉପରେ ବୃଦ୍ଧଙ୍କୁ ଛିଡ଼ା କରିଦିଆଗଲା। କ୍ୟାମେରାକୁ ଏମିତି ଜାଗାରେ ସ୍ଥାନିତ କରାଗଲା ଯେମିତି ବହୁ ଦୂର ଯାଏ ରାସ୍ତାର ଡଉଲ ଡାଉଲ ଛବିଟି ସ୍ପଷ୍ଟରୂପେ ଦେଖାଯାଇପାରିବ।

ବୁମ୍‌କୁ ହାତରେ ଧରି ସାମ୍ବାଦିକ ଜଣଙ୍କ ଏଥର ପ୍ରଶ୍ନ କଲେ: ‘ମଉସା ! ତମ ଅଞ୍ଚଳରେ ଏବେ ନୂଆ ପକ୍କାରାସ୍ତା, ତମକୁ କେତେ ଖୁସି ଲାଗୁଛି’ ?

ସ୍ଥାନୀୟ ପ୍ରତିନିଧି ଏବଂ ମନ୍ତ୍ରୀଙ୍କ ପରି ସାମ୍ବାଦିକ ଜଣଙ୍କ ସ୍ଥିର ନିଶ୍ଚିତ ଥିଲେ ଯେ, ନୂଆରାସ୍ତା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ଭଳି କଥିତ ବୟସ୍କ ଜଣକ ମଧ୍ୟ ଖୁସି,ତେଣୁ ସେ ପ୍ରଥମରୁ ହିଁ ଖୁସିର ପରିମାଣ ବିଷୟରେ ପଚାରିଦେଲେ । ବୟସ୍କ ବି କିଛି କହିବାକୁ ଚେଷ୍ଟା କଲେ। ମାତ୍ର ତାଙ୍କର ଓଠ ଥରିଲା। ସାମାନ୍ୟ ପାଟି ଆଁରେ ଲାଳ ଧାରଟେ ତାଙ୍କ ଓଠକୋଣରେ ବହିଗଲା। ସେ ନିରବ ରହିଲେ।

ସାମ୍ବାଦିକ ଉତ୍ସାହିତ କଲେ: ‘କୁହ ମଉସା କୁହ, କେତେ ଖୁସି ତମେ ଏ ନୂଆରାସ୍ତା ପାଇଁ?

ବୟସ୍କ ନିଜ ଓଠକୋଣରୁ ଲାଳ ପୋଛିଲେ। ଥତମତ ହୋଇ ନିଜକୁ ପ୍ରସ୍ତୁତ କଲେ। ତା’ପରେ ଅତି ଧୀରରେ କହିବା ଆରମ୍ଭ କଲେ: ‘ଖୁସି..! କି ଖୁସି ? ଖୁସି କ’ଣ ପାଇଁ ହେବି ବାବୁ’..??

ସାମ୍ବାଦିକ ମନେ ପକାଇଦେବା ଢଙ୍ଗରେ ଉତ୍ତର ଦେଲେ: ‘ନୂଆରାସ୍ତା ହେଲା। ଏବେ ଜଙ୍ଗଲ-ଜୀବନରୁ ମୁକ୍ତି ପାଇବ’ ।

ଧାରେଲୁହ ଗଡ଼ିଆସିଲା ବୟସ୍କଙ୍କ ଆଖିରୁ। ସାମାନ୍ୟ କ୍ରୋଧିତ ଏବଂ ଅତିମାତ୍ରାରେ ଅସହାୟ ହେଲାପରି କହିଲେ: ‘ଏ ଜଙ୍ଗଲ ତ ଆମର କିଛି କ୍ଷତି କରିନାହିଁ। ଆମକୁ ଜନ୍ମ ଦେଇଚି, ଜୀବନ ବି ଦେଇଚି, ତା’ଠାରୁ ମୁକ୍ତି କାଇଁକି ଚାହିଁବୁ ! ବରଂ ଏ ରାସ୍ତା ମୋ’ର ସବୁକିଛି ନେଇଯାଇଛି ବାବୁ। ମୋ’ର ସଞ୍ଚିତ ଧନ, ମୋ’ ଘରର ଇଜ୍ଜତ, ମୋ’ ଜୀବନର ଶାନ୍ତି, ସବୁକିଛି ।

ସାମ୍ବାଦିକ ଆଶ୍ଚର୍ଯ୍ୟ ହୋଇଗଲେ। ନେତା, ମନ୍ତ୍ରୀ, ଯନ୍ତ୍ରୀ ଅପ୍ରସ୍ତୁତ ଅନୁଭବ କଲେ। କଥାକୁ ଚଳେଇନେବାକୁ ଚେଷ୍ଟାକରି ସାମ୍ବାଦିକ ପଚାରିଲେ: ‘ସେମିତି କାହିଁକି କହୁଛ କି ମଉସା’?

ବୟସ୍କ ଆଖିରୁ ଲୁହ ପୋଛିଲେ, ସହଜ ହେବା ପାଇଁ ଛେପ ଢୋକିଲେ, ତା’ପରେ ନିଜକୁ ନିଜେ ସାନ୍ତ୍ବନା ଦେବାଭଳି ଯାହା କହିଲେ, ତା’ର ମର୍ମାନୁବାଦ ଏୟା ହେଇପାରେ ଯେ: ‘ଜଙ୍ଗଲ ଆମର ମା’। ସେ ମା’ ଆମର ପବିତ୍ର। ତା’ ଭିତରେ ଆମର ପରିବାର, ଧନ, ଜୀବନ ସବୁକିଛି। ସେ ଆମକୁ ସବୁ ଦେଇଛି। ହେଲେ ପ୍ରଥମେ ଯେତେବେଳେ ଏଠିକି ରାସ୍ତା ହେଲା, ପ୍ରଥମକରି ଆସିଲା ସେ ମାଷ୍ଟର। ତା’ପରେ ଆଉ କିଏ କିଏ ସବୁ ଆସିଲେ। ସେଇମାନଙ୍କ ପାଖରେ ମୋ’ ପୁଅ ବସାଉଠା କରୁଥିଲା । ସେଇଠୁ ସେ କେବେଠୁ କୁଆଡ଼େ ପଳେଇଲାଣି, ତା’ର ଖୋଜଖବର ଆମ ପାଖରେ ନାହିଁ। ମୋ’ ଝିଅ ଆଉ ବୋହୂ ଦି’ଜଣଯାକ ଏବେ ସେ ବାହାରର ଲୋକଙ୍କ ପାଖରେ। ଘରକୁ ଆସନ୍ତିନାହିଁ। ଆମ ବୁଢ଼ାବୁଢ଼ୀଙ୍କ କଥା କେହି ବୁଝିବାକୁ ବି ନାହିଁ। କେବେ ବାଟରେ ଘାଟରେ ବୋହୂ ଦେଖାହେଲେ, ତାକୁ ପୁଅ କଥା ପଚାରିଲେ, ସେ ରାଗେ, ଆମକୁ ମାରି ଗୋଡ଼ାଏ… ଏବେ ପୁଣି ନୂଆ ରାସ୍ତା ବାବୁ’! ବୟସ୍କ ଆଉ କିଛି କହିପାରିଲେ ନାହିଁ I ତାଙ୍କ କଣ୍ଠରୋଧ ହୋଇଗଲା।

ଲୋକମାନେ ସଭା ଭାଙ୍ଗି ଫେରିବାକୁ ବାହାରିଥିବାବେଳେ ବୟସ୍କଙ୍କୁ କ୍ୟାମେରା ଆଗରେ ଛିଡ଼ା କରାଯାଇଥିଲା। ତେଣୁ ଲୋକମାନେ ଘରକୁ ନଫେରି କ’ଣ ଗୋଟାଏ ନୂଆଘଟଣା ଘଟୁଛି ଦେଖିବାକୁ ଅଟକି ଯାଇଥିଲେ। ଏବେ ସେମାନଙ୍କ ଭିତରେ ଗୋଟିଏ ନୂଆଭାବନା ଜନ୍ମ ନେଉଥିଲା। ଭିଡ଼ର ଉଷ୍ଣତା ବଢ଼ୁଥିଲା।

ମନ୍ତ୍ରୀ ବୁଝିସାରିଥିଲେ ବୟସ୍କଙ୍କୁ ଆକଳନ କରିବାରେ ତାଙ୍କର କେଉଁଠି ଭୁଲ୍ ରହିଗଲା। ସେ ଇଣ୍ଟରଭ୍ୟୁକୁ ସେଇଠି ବନ୍ଦ କରିବାକୁ ଇଚ୍ଛା କରୁଥିଲେ।

ଏଣେ କିନ୍ତୁ ଭିଡ଼ର ତାପମାତ୍ରା ବଢି଼ ଚାଲିଥିଲା। ଆଉ କେଇଜଣ ବୟସ୍କ ଭିଡ଼ରୁ ବାହାରି ସ୍ବତଃ କ୍ୟାମେରା ଆଗକୁ ଚାଲିଆସିଥିଲେ। ସେମାନେ ଅରଣ୍ୟ ଜୀବନର ଜଣେ ଜଣେ ଜୀବନ୍ତ ଇତିହାସ। ରାସ୍ତା ତାଙ୍କର ବି କ୍ଷତି କରିଥିଲା। ତାଙ୍କ ପିଲାଙ୍କୁ ଦିଶାହୀନ କରିଥିଲା। ତାଙ୍କ ପରିବାରରେ ନିଆଁ ଲଗେଇଥିଲା। ସେଇ ରାସ୍ତାପାଇଁ ସେମାନଙ୍କ ଜୀବନର ସ୍ବାଭାବିକତା, ଶାନ୍ତି, ଲୁଚିଛପି କେବେଠୁ ନିରୁଦ୍ଦିଷ୍ଟ ହେଇ ସାରିଥିଲା।

ସେମାନେ ପ୍ରତିବାଦ କଲେ।

ସେ ପ୍ରତିବାଦର ମିଳିତ ସ୍ବର ଯେପରି କହୁଥୁଲା: ‘ଆମେ ରାସ୍ତା ନୁହଁ, ଶାନ୍ତି ଚାହୁଁ। ପ୍ରଗତି ନୁହଁ, ସଂସ୍କୃତି ଚାହୁଁ। ଆମ ଡୁମା, ଡଙ୍ଗର ଆମର ଅତି ନିଜର। ଆମ ସଲପ, ଅଳସୀ, ମାଣ୍ଡିଆ, କୁରେଇଫୁଲ, ଆମ ସ୍ତ୍ରୀ ନାକର ନୋଥ… ଏସବୁ ଆମର ଅତି ଆପଣାର’I

ଅତି ନଗଣ୍ୟ, ଖୁବ୍ ମାମୁଲି ମନେହେଉଥିଲେ ବି ସେ ପ୍ରତିବାଦରେ କିନ୍ତୁ ପ୍ରଖର ନିଆଁ ଥିଲା। ସେଇ ନିଆଁର ଝୁଲ ଯେପରି ଚଉହଦି ବ୍ୟାପୁଥିଲା। ଜଙ୍ଗଲନିଆଁ ପରି ତାହା କ୍ରମଶଃ ତେଜୀୟାନ୍ ହେବାରେ ଲାଗିଲା । ସଦ୍ୟ ସମାପ୍ତ ଡଉଲ ଡାଉଲ ରାସ୍ତାଟିଏ, ବ୍ୟବହାର ଉପଯୋଗୀ ହେଇ ପଡ଼ିରହିଥ‌ିବା ସତ୍ତ୍ବେ ବି ମନ୍ତ୍ରୀ, ଯନ୍ତ୍ରୀ ଓ ଅନ୍ୟାନ୍ୟ ବାହାର ଲୋକଙ୍କୁ ସେଇ ବ୍ୟାପୁଥିବା ନିଆଁ ଭିତରୁ ବାହାରି ଆସିବାକୁ କୌଣସି ବି ରାସ୍ତା ଦିଶୁନଥିଲା।

There are 4 comments

  1. ଚମତ୍କାର ଗଳ୍ପ “ରାସ୍ତା”
    “ରାସ୍ତା” ନିରୀହ ମଣିଷର ଆତ୍ମା କୁ ଛଡ଼େଇ ନେଇଛି
    ଶରୀରକୁ ଜଡ଼ କରି ।
    ଧନ୍ୟବାଦ ସାର୍
    ବହୁତ ଭଲ ଲାଗିଲା

Leave a Reply

Your email address will not be published. Required fields are marked *