
ଉଦ୍ୟମମ୍ ସାହସମ୍ ଧୈର୍ୟମ୍ ବୁଦ୍ଧିଃ ଶକ୍ତିଃ ପରାକ୍ରମଃ….
ଷଡ଼େତେ ଯତ୍ର ବର୍ତ୍ତନ୍ତେ ତତ୍ର ଦେବଃ ସହାୟକୃତ ।।
ବୋଧହୁଏ ଏଇଥିପାଇଁ ତାଙ୍କପ୍ରତି ଦୈବ ସହାୟତା ରହିଆସିଥିଲା ପ୍ରତିନିୟତ, ଯେହେତୁ, କବିତା ଥିଲା ତାଙ୍କର ଉଦ୍ୟମ, କବିତା ଥିଲା ତାଙ୍କର ସାହସ, କବିତା ଥିଲା ତାଙ୍କର ଧୈର୍ଯ୍ୟ…। ଅପିତୁ, ସାହିତ୍ୟ, ସଂସ୍କାର ଓ ଗବେଷଣାତ୍ମକ ଦୃଷ୍ଟିଭଙ୍ଗୀ ଥିଲା ତାଙ୍କର ବୁଦ୍ଧି, ଶକ୍ତି ଓ ପରାକ୍ରମ ।
କେନ୍ଦୁଝର ସହରକୁ ବଦଳି ହେଇଆସିବାର ଏ ମଧ୍ୟରେ ହେଇଯାଇଥିଲା ତିନିମାସ। ଏଇ ଭେଟିବି ଭେଟିବି ହେଇ ଗତ ଅକ୍ଟୋବରର ଏକ ଅଳସ-ଶାରଦ-ସନ୍ଧ୍ୟାରେ ମୁଁ ପହଞ୍ଚିଲି ଚର୍ଚ୍ଚପାଖ, ଜେଲରୋଡ଼ ସ୍ଥିତ ତାଙ୍କର ‘ଶୂନ୍ୟନୀଳ’ ବାସଗୃହରେ, ଯୋଉଠି ଅବସ୍ଥାନ କରୁଥିଲେ କେନ୍ଦୁଝର ସାହିତ୍ୟଦ୍ୟୁତି ଓଡ଼ିଆ ସାହିତ୍ୟର ସେହି ବହୁବର୍ଣ୍ଣା ଉତ୍ତୁଙ୍ଗପୁରୁଷ କବିଚନ୍ଦନ ପଣ୍ଡିତ ମଦନମୋହନ ମିଶ୍ର ।
ବାଲେଶ୍ବର ସାହିତ୍ୟ କଥା ଉଠିଲେ ଯେମିତି ସ୍ବତଃ ଜିହ୍ବାଗ୍ରକୁ ଆସିଯାଆନ୍ତି ବ୍ୟାସକବି ଫକୀରମୋହନ, କାନ୍ତକବି ଲକ୍ଷ୍ମୀକାନ୍ତ ଓ କବିବର ରାଧାନାଥ.., ସେମିତି କେନ୍ଦୁଝର ମାଟିର କଥା ଉଠିଲେ ସ୍ବତଃ ଉଚ୍ଚାରିତ ହୁଏ କବିଚନ୍ଦନ ମଦନମୋହନଙ୍କ ନାମ…. । କବିଚନ୍ଦନ… !! ଏଇ ନାମରେ ତାଙ୍କୁ ସମ୍ବୋଧନ କରୁଥିଲେ ମଣିପୁରର ରାଜ୍ୟପାଳ ଶ୍ରୀଯୁକ୍ତ ଚିନ୍ତାମଣି ପାଣିଗ୍ରାହୀ । କବିଚନ୍ଦନ ଥିଲେ ଏକାଧାରରେ ଜଣେ କବି, ଔପନ୍ୟାସିକ, ଗବେଷକ, ସଂସ୍କାରକ ଏବଂ ତାଳପତ୍ର ପୋଥି ଉଦ୍ଧାରକ…. ।
ବିଂଶଶତାବ୍ଦୀର ଷଷ୍ଠଦଶକରେ ଓଡ଼ିଶାର ବିଭିନ୍ନ କବିତା ମଞ୍ଚରେ ଯେଉଁ କେତେଜଣଙ୍କୁ ସହକବି ଭାବରେ ପ୍ରାୟତଃ ଏକତ୍ର ଦେଖିବାକୁ ମିଳୁଥିଲା, ସେମାନେ ହେଲେ ସଚ୍ଚି ରାଉତରାୟ, ରାଧାମୋହନ ଗଡ଼ନାୟକ, ବିନୋଦ ନାୟକ, ମଦନମୋହନ ମିଶ୍ର, ଜାନକୀବଲ୍ଲଭ ପଟ୍ଟନାୟକ, ମନମୋହନ ମିଶ୍ର, ଅନ୍ନଦାଶଙ୍କର ରାୟ ପ୍ରମୁଖ ।
‘ଶୂନ୍ୟନୀଳ’ର ଫାଟକ ପାଖରୁ ମୋତେ ପାଛୋଟିନେଇଗଲେ କବିପୁତ୍ର ପିନାକୀ ମିଶ୍ର ଉପରମହଲାରେ ଅବସ୍ଥାନ କରୁଥିବା କବିଙ୍କ କୋଠରୀକୁ ଓ ପରିଚୟ କରେଇଦେଲେ ମୋ ସହ । ଯୋଡ଼ହସ୍ତହେଇ ଠିଆହେଲି ସେହି ଦାମ୍ଭିକ କାବ୍ୟସ୍ବର ସାମ୍ନାରେ… । ୯୪ବର୍ଷ ବୟସରେ ଉପନୀତ କବିଙ୍କ ଆଖିରେ ଫୁଟିଉଠିଲା ଉଜ୍ବଳଧାରେ ସ୍ମିତହସ…. । ଦୁଇହାତଯୋଡି କହିଲେ, ‘ଓହୋ, ଆଜି କି ସଂଯୋଗ ମୋର ! ଆପଣଙ୍କ ସହ ଏମିତି ଭେଟହେବା ସତେ ଲେଖିଥିଲେ ଈଶ୍ବର… !!’ ଉପରମହଲାକୁ ଉଠୁଥିବାବେଳେ କବିଙ୍କର ବୟସାଧିକ ଦୁର୍ବଳତା ଓ ମାନସିକ ବିସ୍ମରଣ କଥା ମତେ ସୂଚେଇ ଦେଇଥିଲେ ପିନାକୀ ।
ଆମେ ପାଖାପାଖି ବସିଥିଲୁ ସମସ୍ତେ। ସେ କହୁଥିଲେ ତାଙ୍କର କାବ୍ୟଯାତ୍ରାର କଥା, କିଛିକିଛି ମନେପକେଇ ପକେଇ। ହଠାତ୍ ପିନାକୀ କବିଙ୍କ କବିତାରୁ ପଂକ୍ତିଟିଏ ଆବୃତ୍ତି କରିଉଠିଲେ ତାଙ୍କର ସ୍ବଭାବଗମ୍ଭୀର ସ୍ବରରେ:
କୋଣାର୍କର ଅଶ୍ବ କହୁଛି, ଜୀବନେ ହୁଅରେ ବେଗବାନ୍
କୋଣାର୍କର ହସ୍ତୀ କହୁଛି, ଶୌର୍ଯ୍ୟେ ହୁଅରେ ବଳିୟାନ
କୋଣାର୍କର ସୂର୍ଯ୍ୟ କହେ, ଆଲୋକେ ହୁଅରେ ତେଜୀୟାନ୍
କୋଣାର୍କର ଶିଳାଅଙ୍ଗରୁ କଳାବତୀ କହେ
ପ୍ରଗତିରେ ହୁଅ ମହିୟାନ୍… । (ଶିଳ୍ପୀ କହୁଛି )
ଲୋମକୂପ ସବୁ ସିର୍ ସିରେଇ ଉଠିଲା ମୋର । କବି ବି ହୋଇ ଉଠିଲେ ସଚେତନ ଓ ସଞ୍ଜତ। ତାଙ୍କର ଦୃପ୍ତଆଖି ଉଜ୍ଜଳି ଉଠିଲା ଆହୁରି, ଦୃଢ଼ ହେଇଉଠିଲା ହାତମୁଠା। ପିନାକୀ ପଚାରିଲେ, ଏ କାହାର କବିତା ବାପା… ? ଦୃଢ଼ ଅଥଚ ଖୋଜିଲା ସ୍ବରରେ କବି କହିଲେ… ଇଏ ମଦନମୋହନ ମିଶ୍ରଙ୍କ କବିତା । ପିନାକୀ ପୁଣି ପଚାରିଲେ, କୋଉ ମଦନମୋହନ ମିଶ୍ର ? ସେମିତି ସାବଲୀଳ ଭାବରେ କବି କହିଲେ, ଜଣେ ଶିକ୍ଷକ…, କବିତା ବି ଲେଖୁଥିଲେ ।

ଏ ସବୁକୁ ମୁଁ ପ୍ରତ୍ୟକ୍ଷ କରିଥିଲି । ଟାଙ୍କୁରି ଉଠୁଥିଲା ଲୋମମୂଳ.. ଚକ୍ଷୁତଟ ହେଇଉଠୁଥିଲା ଟଳମଳ। ଆହା, ଏତେ ଦାମ୍ଭିକତା ଭିତରେ ବି ଜୀବନ କେତେ ସ୍ବଚ୍ଛ, ସଜଳ, ଉଚ୍ଛଳ ଓ ସାବଲୀଳ ଥିଲା । ମଦନମୋହନ ମିଶ୍ର ଜଣେ ଶିକ୍ଷକ ଥିଲେ, କବିତା ଲେଖୁଥିଲେ…, ମାତ୍ର ନିଜର ଅବଚେତନରେ ବି ସେ ନିଜକୁ କବି ବୋଲି ଦାବି କରୁନଥିଲେ ।
ପିନାକୀଙ୍କ ଇଙ୍ଗିତରେ ସେ ତାଙ୍କର ‘ମଦନମୋହନ କବିତା ସମଗ୍ର’ ମୋତେ ଉପହାର ଦେଲେ । ପୁସ୍ତକର ପ୍ରଚ୍ଛଦକୁ ସୁଶୋଭିତ କରିଛି ଯୋଉ ସ୍ମିତହସ ପୂର୍ଣ୍ଣାବୟବ ଚିତ୍ର, ସେ ହିଁ ହେଉଛନ୍ତି ଜଙ୍ଗଲ, ପାହାଡ଼, ଝରଣା ଓ ଜଳପ୍ରପାତର ସୁଷମାରେ ମଣ୍ଡିତ କେନ୍ଦୁଝର ମାଟିର ଅନନ୍ୟ କାବ୍ୟପୁରୁଷ: କବିଚନ୍ଦ୍ର ମଦନମୋହନ ମିଶ୍ର । ପ୍ରଚ୍ଛଦର ଡାହାଣକୋଣରେ ମର୍ମସ୍ପର୍ଶୀ ପଂକ୍ତିଟିଏ:
ଆଲୁଅର ପରାଜୟ ନାହିଁ, ଅନ୍ଧାରର ବିଜୟ ବି ନାହିଁ
ମାଳମାଳ ବ୍ରହ୍ମାଣ୍ଡରେ…
ପୁଣି ମୋ ଅନ୍ତରେ, ଦୁହେଁଯାକ ଆସୁଥିଲେ
ସକାଳିଆ ସୁରଭି ଛୁଆଁରେ। (ପଦ୍ମ ପଥିକ)


ପଶ୍ଚିମା ପବ୍ଲିକେଶନ୍ ପ୍ରକାଶିତ ଏଇ ୬୭୯ ପୃଷ୍ଠା ସମ୍ବଳିତ ପୁସ୍ତକକୁ ଓଲଟେଇ ପାଲଟେଇ ମୁଁ ଦେଖୁଥିଲି ଓ ପ୍ରତିପୃଷ୍ଠାରେ ଲାଖିଯାଉଥିଲା ଆଖି । ଏଥିରେ ରହିଛି ତାଙ୍କର ଛଅଗୋଟି ବହୁଚର୍ଚ୍ଚିତ କବିତା ସଙ୍କଳନ – କଳାବତରଣ, ରସହଂସୀ, ମଣିପଦ୍ମା, ଶୂନ୍ୟନୀଳ, ପଦ୍ମପଥିକ ଓ ମେଘମାୟା ସମେତ ଆଉ କିଛି କବିତା ‘ଅବଶିଷ୍ଟ କବିତା’ ପର୍ଯ୍ୟାୟରେ । ପୁସ୍ତକର ମୁଖବନ୍ଧରେ କବି ରାଜେନ୍ଦ୍ର କିଶୋର ପଣ୍ଡା ଛାତି ଭିତରେ ଘର କରିଯିବା ପରି ପଦେକଥା ଲେଖିଛନ୍ତି: କବି ମଦନମୋହନ ମିଶ୍ର ଇଏ ପୃଥିବୀକୁ, ଏଇ ଜୀବନକୁ ଭଲପାଇଛନ୍ତି, ମଣିଷକୁ ଓ ପ୍ରକୃତିକୁ ବି ଭଲପାଇଛନ୍ତି, ସୂର୍ଯ୍ୟ ଆଉ ଚନ୍ଦ୍ରଉଷା ଓ ଜହ୍ନରାତିକୁ ଭଲପାଇଛନ୍ତି । କିନ୍ତୁ ତା’ରି ଭିତରେ ଆଲୋକସ୍ତମ୍ଭ ଦେଇ ଉର୍ଦ୍ଧ୍ବକୁ ଆହୁରି ଉର୍ଦ୍ଧ୍ବକୁ ଉତ୍ତରଣ ପାଇଁ ରହିଛି ତାଙ୍କର ପରମ ଅଭିପ୍ସା । ହରାଇବା ଅନ୍ତରାଳେ ଥିବା ମଧୁର ସତ୍ୟକୁ ବି ସେ ଅନୁଭବ କରିଛନ୍ତି । ‘ଗନ୍ଧସୁଧା’ କବିତାରେ ସେ କହିଛନ୍ତି:
ଆଜି ମୋର ଯାତ୍ରା ଶେଷ, ଶେଷକଥା ପାନ୍ଥ ତୁମେ ଶୁଣ
ହଜିବାର ସବୁକିଛି ଅନ୍ତରାଳେ ଅଛି ଏକ ସତ୍ୟ
କୁସୁମ ଆଳର ଅଛି, ଗନ୍ଧ ଅଛି, ସୁଧା ପୁଣି ଅଛି
ଜୀବନର ପଥପ୍ରାନ୍ତେ ସ୍ମୃତି ତା’ର ପରାଣେ ବାଜୁଛି ।
ଅନ୍ଧକାର, ଅବସାଦ, ଅପ୍ରାପ୍ତି ଓ ନିରାଶା ଭିତରେ ବି ରହିଛି ମହମହ ଜୀବନର ଆନନ୍ଦ – ଆଲୋକ, ରହିଛି ରସଘନ ଜୀବନର ଗତି ଓ ପ୍ରଗତି, ରହିଛି ଉଲ୍ଲସିତ ଆତ୍ମାର ଲଳିତ ଅନୁରାଗ – ଏହା ହିଁ କବି ମଦନମୋହନଙ୍କ କାବ୍ୟାନୁସନ୍ଧାନ ଏବଂ ଭାବାନ୍ବେଷଣ । ଜୀବନକୁ ନିବିଡ଼ଭାବରେ ଭଲପାଇବାର ଅତିନ୍ଦ୍ରୀୟ ଚେତନା ସହ ଜୀବନର ଅନ୍ତର୍ନିହିତ ସୌନ୍ଦର୍ଯ୍ୟ କେମିତି ପାଖୁଡ଼ା ପାଖୁଡ଼ାହୋଇ ମୁକୁଳିତ ହୁଏ, ତାହା ଦେଖେଇଦିଏ ତାଙ୍କର କବିତା ।
୧) ମୁଁ ଦେଖିଲି ସେଇଭାବ ଏ ପାଷାଣ କବିତାମାଳାରେ
ଚଉଷଠି ବନ୍ଧ ମୋର ଚଉଷଠି କଳା ଲୀଳାଖେଳା
ସବୁକିଛି ଅନ୍ତରାଳେ ସ୍ମିତମୁଖୀ ମୋ ପ୍ରିୟା ଇଙ୍ଗିତ
ବୁଝିଲି ମୁଁ ସେତେଦିନର ସେ ପ୍ରଣୟ ସବୁ ସୁସଞ୍ଚିତ।
(ପୁରୀ ମନ୍ଦିର ଛନ୍ଦ)
୨) ସେଦିନ ଯାଇଛି ଚାଲି ଯାଇଛି ସେ କଳାମୟ ଯୁଗ
ତଥାପି ମୋ ମନକୋଣୁ ହଜିନାହିଁ କଳା ଅନୁରାଗ
ଲିଭିଛି ଜୀବନଦୀପ ମରଣରେ ସିନା ବାରବାର
ଜନମେ ଜନମେ କିନ୍ତୁ ବଞ୍ଚିଛି ସେ କଳାର ଆଦର। (କଳାବତରଣ)

କି ପ୍ରଚଣ୍ଡ ଆସ୍ଥା ଓ ବିଶ୍ବାସ ଜୀବନ ଉପରେ, ଜୀବନର କଳାମୟ କାରୁକାର୍ଯ୍ୟ ଉପରେ, କଳାର ଅନୁରାଗ ଉପରେ… ଯୋଉଠି ବଞ୍ଚିବା ମରିବା ଅଳିକ, ମାତ୍ର ଜୀବନ ବଞ୍ଚନାର ପ୍ରତି ମୋଡ଼ରେ କଳାତ୍ମକ ସୂକ୍ଷ୍ମତା ହିଁ ମୁଖ୍ୟ। ଏଇ ସୂକ୍ଷ୍ମ କଳାତ୍ମକ ଜୀବନ ବଞ୍ଚିବା ସତରେ କାହା କାହା ଭାଗ୍ୟରେ ଥାଏ, ନିମଜ୍ଜିତ କବିଟିଏ ଛଡ଼ା.. !! ଶବ୍ଦ ଓ ଭାବର ନିଖୁଣ କାରୁକାର୍ଯ୍ୟରେ ଉଲ୍ଲସିତ ଓ ଉଦ୍ଭାସିତ ତାଙ୍କର କବିତା । ସେଇ କବିତା ଦେଇ ଗଲାବେଳେ ତାଙ୍କର ଜୀବନ ପ୍ରତି ନିରାଜନା ସହ ଜୀବନର ମାୟାବଳୟର ଲୀଳାରେ ଛନ୍ଦିହୋଇପଡ଼ିବାର ସ୍ବୀକାରୋକ୍ତି ବି କେଡ଼େ ଉଦାତ୍ତ ଓ ମାର୍ମିକ…
ପରମାଣୁ ଭୂଜଙ୍ଗ ଖେଳାଇ ଦଶଦିଗେ କେତେ ମାୟାନଟ
ଜନମ ଜନମ ଧରି ମୋ ପ୍ରାଣକୁ କରିଲେ ଉଚ୍ଚାଟ
ସେ ଲୀଳାରେ ମଜ୍ଜିଗଲି, ବନିଗଲି ଗରଳବଳୟ
ମୋ ଜୀବନ ଚାରିପାଖେ,ଭୁଲିଗଲି ନିଜ ପରିଚୟ । (ସେଇ ପକ୍ଷୀ)
ଇଏ ଆତ୍ମାପକ୍ଷୀର ଆତ୍ମନେପଦି । ଇଏ କେବଳ କବିଙ୍କର ସ୍ବୀକାରୋକ୍ତି ନୁହେଁ ଜୀବନ ପାଖରେ, ବରଂ ଜୀବନର ସ୍ବୀକାରୋକ୍ତି ଆତ୍ମପକ୍ଷୀ ପାଖରେ.., ଯାହା କଦାଚିତ ବୈକ୍ତିକ ନୁହେଁ ବରଂ ବୈଶ୍ବିକ – ଏ କଥା ପ୍ରାଞ୍ଜଳ ଦିଶେ କବିତାର କାଚ଼କେନ୍ଦୁ ପରି ସୂକ୍ଷ୍ମ ତୁଠପାହାଚରେ । ଏହି ଅନନ୍ୟ ଅନୁଭବର ସୂକ୍ଷ୍ମଚେତନା ଭିତରେ କାଳକାଳ ଧରି ନିମଗ୍ନହେଇ ରହିଯିବାକୁ ଚାହିଁବ ଆହ୍ଲାଦିତ ପାଠକ – କି ଜୀବନ୍ମୟ ସୌନ୍ଦର୍ଯ୍ୟର ଐଶୀଚେତନା ଗୁମ୍ଫିତ ହେଇ ରହିଛି ଏଇ ଗ୍ରହଲୋକରେ… ! କି ପୁଲକିତ ପ୍ଲାବନ ଏଇ ନୀଳବନ୍ୟାର… ! ମୃତ୍ୟୁଠାରୁ ଧାର ମାଗିମାଗି ଆଉ କେତୋଟି ମୁହୂର୍ତ୍ତ ଭୋଗିପାରନ୍ତି କି ଏଇ ସୂକ୍ଷ୍ମ ଜୀବନାନୁଭବର ପୂଲକକୁ… !!!
ମୁଁ ଦେଖିଲି ନୀଳବନ୍ୟା ଦୂରେ ସେଇ ଆକାଶଗଙ୍ଗାରେ
ବସନ୍ତ ନିଶୀଥ ଛୁଇଁ ଅପରୂପ ମଧୁର ପ୍ଲାବନ
ଅଗଣିତ ତାରକାର ଛନ୍ଦହୀନ ନୀରବ ବିଳାସ
ଜଳକେଳି ପୁଲକରେ ଗ୍ରହଲୋକ ଆନନ୍ଦ ବିଭୋର । (ଚନ୍ଦ୍ରକନ୍ୟା)
ଉଚ୍ଚାରଣର ସେଇ ଉଚ୍ଚତା, ଅନୁଭବର ସେଇ ନିରାଜନା, ଯାବତୀୟ ଅଭାବବୋଧ ଭିତରେ ବି ପରିପୂର୍ଣ୍ଣତାର ସେଇ ବିଳାସ…
ବିଶ୍ବ ଦେଖ ମଧୁମୟରେ’ ଜୀବନ, ବିଶ୍ବ ଦେଖ ମଧୁମୟ;
ମଧୁର ଝରଣ କରିବ ହରଣ ତୋ ପାପ – ମରଣ ଭୟରେ’ ଜୀବନ… ବିଶ୍ବ ଦେଖ ମଧୁମୟ… ବାଃ ।

କେବଳ କଳାବତରଣ ନୁହେଁ, ରସହଂସୀ, ମଣିପଦ୍ମା, ଶୂନ୍ୟନୀଳ, ପଦ୍ମପଥିକ ଓ ମେଘମାୟା ଇତ୍ୟାଦି ଗ୍ରନ୍ଥରେ ବି ସେଇ ଉଚ୍ଚାଟନ, ସେଇ ଅନୁରାଗ ଓ ସେଇ ନୀରବ ବିଳାସ, ଯାହା ପାହାଚପରେ ପାହାଚ ଚଢ଼ିଚଢ଼ି ଗଲେ ଆହୁରି ଅଧିକ ରସଘନ ସୌନ୍ଦର୍ଯ୍ୟମୟତା ଓ ଅତିନ୍ଦ୍ରୀୟ ଅନନ୍ୟତାର ସ୍ପର୍ଶ ଦେବ, ଯେମିତି ରସହଂସୀ ସଙ୍କଳନର ଏଇ ଉଚ୍ଚାରଣ…
ଭୀତିବୋଲି ଟିକେ ନାହିଁ, ଗତି ନାହିଁ ଗରଳପ୍ରୀତିରେ
ଆକାଶର ଦୀପସବୁ ଲୁଚିଗଲେ ଗରଳମେଘରେ
ତରଳଗରଳ ନିଶା ଦୁଇଦିହ ଏକ ହେଲାବେଳେ
ଗରଳେ ତରଳିଗଲା ସମତଳ ପାଦତଳ ମାଟି । (ସୂର୍ଯ୍ୟଶିଖା)
ଅତିନ୍ଦ୍ରୀୟ ଚେତନାରେ ଉତ୍ତରିତ ଏକ ଆଲୋକବିନ୍ଦୁ ଛୁଇଁ ଦେଇଗଲା ଯେମିତି ସଜଳ ଚକ୍ଷୁପଟଳ ଦେଇ ଦୂରେ ବହୁଦୂରେ ନିର୍ନିମେଷ ଚାହିଁଥିବା ନକ୍ଷତ୍ରପଟଳକୁ । କି ଚମତ୍କାର ଶବ୍ଦ ଓ ଭାବର ସନ୍ତୁଳିତ ବିନ୍ୟାସ, ଯୋଉଠି ହତବମ୍ବ ପାଠକୀୟ ଅନୁସନ୍ଧିତ୍ସା… ଗରଳପ୍ରୀତି… ଗରଳମେଘ… ଗରଳନିଶା… ଗରଳେ ତରଳେ କେମିତି ସମତଳ ମାଟି.. !!! ଦେହର ଦେହଳୀ ଡେଇଁ କେଉଁ ଦେହାତୀତ ଦେହଶୂନ୍ୟ ବଳୟରେ ଗରଳ ନା’ ଅମୃତ ଆସ୍ବାଦନ କରୁଥାଏ ପାଠକ…? ମଦନମୋହନୀୟ ଏଇ କାବ୍ୟିକ ଛଟା ଓ ଶାବ୍ଦିକ ଛିଟା କବିତାର ବାଟସାରାଘାରି ରଖିବ ପାଠକକୁ ତା’ର ଅନ୍ତଃକରଣ ଯାଏଁ। ମଣିପଦ୍ମା ସଙ୍କଳନରେ ସଂଗୁପ୍ତ ଅବଶୋଷର କ୍ଷତଟିଏ ଚରିଚରି ଖାଉଛି କବିଙ୍କ ଅନ୍ତଃକରଣକୁ, ଆମର ଉତ୍ତରଦାୟାଦ ବୋଲି କୋଉ ଦାନବଶିଶୁ ହାତକୁ ଆମେ ଟେକି ଦେଉଛେ ଏଇ ଦିବ୍ୟସୁନ୍ଦର ଧରିତ୍ରୀମଣ୍ଡଳକୁ…
ଆଜି ଏ ଦାନବଶିଶୁ ପ୍ରସାରିଛି ତା’ର ଭୀମକାୟା
ମୋ ସୁନ୍ଦର ଧରିତ୍ରୀ ଅଙ୍ଗେ ଦେଇ ଆଗ୍ନେୟ ସ୍ପନ୍ଦନ
ସରସ ସୋହାଗ ନେଇ ରଚିଲି ମୁଁ କିମ୍ପା ଜଡ଼ମାୟା
ମହାପଥ ପ୍ରାନ୍ତେ ହାୟ ରଖିଯିବି ଏଇ ଅବଦାନ । (ମହାପଥ ପ୍ରାନ୍ତେ)

ଯେତେ ଯାହା ଅବଶୋଷ ଓ ଗ୍ଲାନିରେ ଆଉଟି ହେଉଥିଲେ ବି, ଶିଳ୍ପୀ କେବେ ନିରାଶ ହୁଏନି । ଯାବତୀୟ ଆଗ୍ନେୟ ସ୍ପନ୍ଦନର ନେପଥ୍ୟରେ ବି ଶିଳ୍ପୀର ମନଗହନରେ, ଚିତ୍ରକରର ତୂଳୀରେ, କବିର ହୃଦୟରେ କୋଉଠି ନା କୋଉଠି ନୀଳ ନୀଳ ଆବାହନୀରେ ଆଶାର ନୀଳ ପ୍ରକାଶଟିଏ ନିହାତି ଥାଏ ।
ଆହା, ଏବେ ଏ କି ହେଲା
ନୀଳ ନୀଳ ଭଅଁର ଦିଗନ୍ତ… ଆକାଶ ଆହୁରି ନୀଳ
ମାଲୁଣୀ କି ଫୁଲ ତୋଳେ ଏତେ ଅନ୍ଧାରରେ…
ଏଣେ ନୀଳଭଅଁରଙ୍କ ଉଡି଼ଯିବା ବନ୍ଦ ହୁଏନାହିଁ
ସବୁନୀଳ ଠୁଳ ହୋଇ/ଛୁଇଁଗଲେ ଚଉଦିଗ ବିପୁଳ ଇଲାକା
ମାଲୁଣୀ ବି ମିଶିଗଲା ସେ ନୀଳରେ
କାଢ଼ିନେଲା ବିଜୁଳିର ଚମ୍ପା… । (ମେଘଶ୍ୟାମା)

ତେବେ ତାଙ୍କର କବିତା ସଙ୍କଳନ ‘ପଦ୍ମପଥିକ’ ଏକ ଅନନ୍ୟ କାବ୍ୟବିଭବ – ଯାହା ଓଡି଼ଆ ସାହିତ୍ୟର ଯେ କୌଣସି ଛାତ୍ର, ପାଠକ ଓ ସମାଲୋଚନକୁ ଆଚମ୍ବିତ କରିବ। ‘ପଦ୍ମପଥିକ’ରେ ରହିଛି ଏକାଅଶୀ ଗୋଟି କବିତା ଓ ପ୍ରତି କବିତାର ଶୀର୍ଷକ ଦୁଇଶବ୍ଦ ସମ୍ବଳିତ… ଯୋଉଠି ଦ୍ବିତୀୟ ଶବ୍ଦଟି ଏକ ସଜ୍ଞା ପଦ; ଜଗନ୍ନାଥ ଓ ପ୍ରଥମ ଶବ୍ଦଟି ତା’ର ବିଶେଷଣ… ଯେମିତି ରମ୍ୟକ ଜଗନ୍ନାଥ, କାମ୍ୟକ ଜଗନ୍ନାଥ, ଶୁଭ୍ରକ ଜଗନ୍ନାଥ, ପୁଷ୍ପକ ଜଗନ୍ନାଥ, ପୁଲକ ଜଗନ୍ନାଥ, କିଂଶୁକ ଜଗନ୍ନାଥ, ପଦ୍ମାକ୍ଷ ଜଗନ୍ନାଥ, ପଥିକ ଜଗନ୍ନାଥ, ଇତ୍ୟାଦି, ଇତ୍ୟାଦି… ।
ଏଠି ଜଗନ୍ନାଥ ଏକ ଦେବତା ନୁହେଁ, ଜଗନ୍ନାଥ ଏକ ଜୀବନ୍ମୟ ଉଲ୍ଲାସ, ଏକ ଅତିନ୍ଦ୍ରୀୟ ସନ୍ତୋଷ। ଜଗନ୍ନାଥ ଏକ ଚେତନା… ଯାହା ସର୍ବଭୂତେଷୁ ସଂସ୍ଥିତା – ମଧୁରେ ମଧୂପରେ, ଭ୍ରମରେ ଭ୍ରମରରେ, ତମରେ ତମାଳରେ, ଶିବରେ ଶୈବାଳରେ, ପଥରେ ପଥିକରେ…। ତନ୍ମଧ୍ୟରୁ କେତୋଟି ପଂକ୍ତି ଏହିପରି;
୧) ତଳକୁ ଆକାଶ ଆସେ
ପବନର ହାତ ଧରି ରସିବାକୁ ପାଟନେତ । (ଶୁଭ୍ରକ ଜଗନ୍ନାଥ)
୨) ସବୁଆଡୁ ବାହାରି ଆସୁଛି ସେଇ ଏକ ସୁନ୍ଦରୀ ଭାବିନୀ…
ସବୁଠି ସେ ନୀରବ ନିଥର ଭାବବତୀ, ଭାବଲୀଳାବତୀ
ଦେଉଳ ବଉଳ ନାହିଁ, ତଥାପି ସେ ଭାବ କଳାବତୀ ।(ପୁଲକ ଜଗନ୍ନାଥ)
୩) ସେଠି ଖାଲି ମୃଦୁମୃଦୁ ଜଳିବାର ଅଗ୍ନୀ ରସିକତା…ଦହନର ମାଦକତା ସହି ନେଇପାରିବାର ଅଗ୍ନୀବୋଳା କଅଁଳକବିତା । (ପ୍ରଭାତ ଜଗନ୍ନାଥ)
୪) ମେଘମାଳା ମେଘକନ୍ୟା ହୋଇଗଲା ବେଳେ ଆକାଶ ଦିଶିଲା ନାହିଁ
ସେଠି ଏବେ ଅଦିନିଆ ଚଇତାଳି ଜହ୍ନରାତି । (ଅମ୍ବୁଦ ଜଗନ୍ନାଥ)

ସଙ୍କଳନ ସଙ୍କଳିତ ୩୧୮ କବିତାର ଯେଉଁଠି ଟିପ ଛୁଇଁଲେ ସେଇଠି ସ୍ପନ୍ଦିତ ହୁଏ ଅବସାଦ, ଅପ୍ରାପ୍ତି, ନିରାଶା ଓ ଅନ୍ଧକାରର ବଳୟ ଭିତରେ ମହମହ ଜୀବନର ଲଳିତ ଅନୁରାଗରେ ବିଭୋର ଆଲୋକୋତ୍ସବ… ସେଇଠି ସ୍ପନ୍ଦିତ ହୁଏ କବିତାର ଜୟଯାତ୍ରା, ପ୍ରକୃତିର ନିରାଜନା ଓ ଅତିନ୍ଦ୍ରୀୟ ଜୀବନାନୁଭବର ବିସ୍ମୟ – ବୈଭବ। ପ୍ରଣାମ ସେଇ କାବ୍ୟଯାତ୍ରାକୁ, କବିତାର ସେଇ ଦୀର୍ଘପୁରୁଷଙ୍କ କାବ୍ୟୋଚ୍ଚାରଣକୁ…
ଶିଳାଅଙ୍ଗେ କଳାର ସଙ୍ଗମ
ଶିଳାଅଙ୍ଗେ କଳାବାତୀ ଲଳିତ ବିଭ୍ରମ
ଶିଳାଅଙ୍ଗେ ଜୀବନର ସରସ ପରଶ…
ଶିଳା ଅଙ୍ଗେ କଳାସୃଷ୍ଟି…
ବଜ୍ରାକ୍ଷରେ ଲେଖା ଇତିହାସ । (ଏକାମ୍ର ଏକାଡେମୀ)
ଏହି କାବ୍ୟଚେତନାକୁ ଓ ତାଙ୍କର ଏଇ ବିଶାଳ କାବ୍ୟସମ୍ଭାରକୁ କେଇଯୋଡ଼ା ଶବ୍ଦରେ ବାନ୍ଧିପାରିବା କଣ ସମ୍ଭବ… !! ଏଥିପାଇଁ ଲୋଡ଼ା ଏକ ଗାମ୍ଭୀର୍ଯ୍ୟମୟ ବର୍ଣ୍ଣିଳ କାନଭାସ୍। ତେବେ ମଦନମୋହନ ମିଶ୍ରଙ୍କ ସ୍ବାକ୍ଷର ଯେ, ଆଧୁନିକ କବିତାର ପୃଷ୍ଠଦେଶରେ ଏକ ଅମ୍ଳାନ ବତୀଘର, ଉଭୟ କାବ୍ୟାମୋଦୀ ପାଠକ ଏବଂ ଅନୁଜ କବିକୁଳ ପାଇଁ – ଏହା ନିଶ୍ଚିତ ।
