Home » Magazine » କାଶୀନାଥ ନନ୍ଦୀ : ଗଳ୍ପ : ଈଶ୍ବରଙ୍କ ଛଦ୍ମନାମ

କାଶୀନାଥ ନନ୍ଦୀ : ଗଳ୍ପ : ଈଶ୍ବରଙ୍କ ଛଦ୍ମନାମ

ଜଣେ ଅପରିଚିତକୁ ନିଜକୁ ଦେଇ ପୁଣି ମୋ ନିଜକୁ ତା’ଠାରୁ ଫେରେଇ ଆଣିବାର ଇଚ୍ଛା ମୋର ଏଇ ଅଳ୍ପଦିନର । ମୋ ଜୀବନରେ ଅନେକ ପରିସ୍ଥିତି ଆସିଛି। ଅନେକ ପ୍ରକାର ଜୀବନ ଭୋଗିସାରିଛି। ଏଥର ଏମିତି ଏକ ନୂଆ ପରି ଜୀବନକୁ ନିଜେ ଗଢ଼ି ନିଜେ ଭୋଗକରିବାକୁ ମୁଁ ମନବଳେଇଛି।

ଏକା ଏକା ମୋ ଜୀବନରେ, ଅନେକ ହତାଶା ଓ ନିରାଶା, ଅନେକ କଷ୍ଟ ଓ ଦୁଃଖପୂର୍ଣ୍ଣ ଜୀବନ। ସେଇ ଭିତରେ ଅନେକ ଦିନରୁ ମୁଁ ଭୁଲିଯାଇଛି ପ୍ରେମର ଅନୁଭବ କ’ଣ..? ଅଥଚ ମୁଁ ଜାଣେ ପ୍ରେମ ହିଁ ଦେହ ଓ ଜୀବନ ପାଇଁ ପରମାର୍ଥ। ମୁଁ ଏଠି ଅନ୍ୟ କିଛି କଥା କହୁନାହିଁ, କେବଳ ଦେହର କ‌ଥା କହୁଛି, ଯହିଁରେ ଜୀବନ ଅଛି।

‘ନିଜକୁ ଅନ୍ୟକୁ ଦେବି ତ କାହାକୁ ଦେବି ?’ ଭାବି ହେଲି। କେତେ ମୁହଁ ଦିଶିଲା । ଅନେକ ଜାତି ଓ ଅନେକ ପ୍ରଜାତିର ମଣିଷ ମତେ ଦିଶିଲେ ଓ ମୋ ମନକୁ ନପାଇ ମୋ ମନରୁ ଦୂରେଇଗଲେ। ଯାଇ ଯାଇ ଠିକ୍ ଏକାପରି ବହୁଜଣ ଭିତରୁ ଜଣେ ଅଚିହ୍ନା ସ୍ତ୍ରୀଠି ମୋ ମନ ରହିଗଲା। ମୋ ମନ କହିଲା, ତାକୁ ହିଁ ମୋ ନିଜକୁ ଦେଇଦେବି ଓ ତା’ଠାରୁ ନିଜକୁ ଫେରେଇଆଣିବି। ହୁଏତ ସେଇ ଭିତରେ ମୋ ମନସ୍କାମନା ପୂର୍ଣ୍ଣହେବ। ଜୀବନ ଯେଉଁ ଭାବେ ଯାଉ, ପରବାୟ ନାହିଁ। ଆଗକୁ ଯାହା ହେବ ଦେଖାଯିବ।

ଯାଇ ଯାଇ ପହଞ୍ଚିଗଲି। ସେ ଥିଲା। ତା’ ପାଖରେ ପହଞ୍ଚିଲା ବେଳକୁ ସେ ନିଜକୁ ସଜାଉଥିଲା। ଭାରି ଗୋରାରଙ୍ଗର ମାଂସଳ-ସୁନ୍ଦର ଦେହ। ସେ ମତେ ତା’ କଥାରେ ପାଛୋଟିନେଲା। କଣ୍ଠ ଭାରି ମିଠା। ସେ ଦର୍ପଣ ଆଗରେ ବସିଥିଲା। ମୁଁ ତା’ ପିଠିକୁ ଦେଖୁଥିଲି ଦେହରେ ଓ ତା ମୁହଁକୁ ଦେଖୁଥୁଲି ଦର୍ପଣରେ। ଦେଖୁଥୁଲି, ତା’ ଆଖିରେ ଭାଙ୍ଗିପଡୁଛି ତା’ ଜୀବନ। ତାହା ତା’ ଦୁଃଖ, ଯାହା ଛବି ପରି ଦିଶୁଥିଲା ଦର୍ପଣରେ। ଟିକିଏ ସମୟ ସେଇଠି। ତା’ପରେ ସେ ଠିଆ ହେଲା । ତାକୁ ସଂପୂର୍ଣ୍ଣରେ ଦେଖିଲି ଓ ଆଶ୍ଚର୍ଯ୍ୟ ହେଲି। ତା’ ଆଖିରେ ଓ ତା’ ଓଠରେ ହସ ସଜେଇଦେଇ ତା’ ମୁହଁକୁ ସେ ସୁନ୍ଦର କରିଦେଇ ଥିଲା। ତେଣୁ ମୁଁ କୃତ୍ରିମ ହିଁ ଦେଖୁଥିଲି।

ସେ ମତେ ଘେନି ଗଲା। ଶୁଭାଶୁଭ କହିଲା। ଯାହା ମିଛ ବୋଲି ମୁଁ ଜାଣୁଥିଲି। ସେ ମୋତେ ଆହ୍ୱାନ କଲା, ତା’ ମଧ୍ଯ ମିଛ ବୋଲି ମୁଁ ନିଶ୍ଚିତ ଥିଲି। ସେ ମତେ ସମୟ ସଚେତନ କଲା, ତା’ ମଧ୍ଯ ମିଛ ଥିଲା। ସେଇ ଭିତରେ ମୁଁ ନିଜକୁ ନିଶ୍ଚିତ କରି ସାରିଥିଲି, ମୁଁ ସତ ଜାଣିବି। କାରଣ ମୁଁ ପ୍ରଥମରୁ ତା’ ଆଖରେ ଦୁଃଖ ଦେଖିଥିଲି। ତା’ ଆଖିରେ ଲୁହପରି କିଛି ନିଶ୍ଚୟ, ଯାହା ମୋ ମନରେ ରହିଥିଲା। ତେଣୁ ତା’ ଦ୍ବାରା ଗଢ଼ା ସବୁ ପରିସ୍ଥିତି ମୋ ପାଖରେ ଫିକା ପଡ଼ିଯାଉଥିଲା ।

ସେ କହିଲା, “ସମୟ କାହିଁକି ନଷ୍ଟ କରୁଛନ୍ତି, ଆସନ୍ତୁ ସମୟର ସୁନାରୂପ ଦେଖନ୍ତୁ।” ମୁଁ କହିଲି, “ମୁଁ ଆସିଲା ବେଳକୁ ତୁମେ କାନ୍ଦୁଥିଲ ନା….?”

ତା’ ପାଇଁ ଏ ପ୍ରଶ୍ନ ଅକଳ୍ପନୀୟ ଥିଲା। ସେ ଏଇଠି ମତେ ଗଭୀର ଭାବେ ଚାହିଁଲା। ମୁଁ ଯେମିତି ମଣିଷ ନୁହଁ ଆଉ କିଛି। ସେ କହିଲା, “ଆମକୁ ସତ କହିବାକୁ ମନା, ସମ୍ପର୍କ ଗଢ଼ିବାକୁ ମନା ।”

“ସେମାନେ ଯୋଉ ଭାବେ ଚାହାନ୍ତି, ତମେ ସବୁ ଯାହା କର ସେସବୁ ପାଇଁ ମୁଁ ଆସି ନାହିଁ । ମୁଁ ସମୟକୁ କିଣିଛି । ସମୟ ସରିଗଲେ, ମୁଁ ଚାଲିଯିବି।” ତାକୁ ଆହୁରି ଆଶ୍ଚର୍ଯ୍ୟ କରି ମୁଁ ମୋ କଥା କହିଲି।

ସେ ବିଛଣାରୁ ଉଠି ବସିଲା । ମତେ ଏକ ଅନ୍ତରଙ୍ଗ ଆଖିରେ ଚାହିଁଲା। କହିଲା, “କୁହନ୍ତୁ ଆପଣଙ୍କର ଇଚ୍ଛା କ’ଣ ?”

ମୁଁ କହିଲି, “ତୁମର କିଛି ସତ ସମୟ ମତେ ଦେଇପାରିବ? ଯେଉଁଠି କିଛି ବି ମିଛ ନ ଥିବ।”

‘ମୁଁ ବୁଝି ପାରିଲି ନାହିଁ ?’  ସେ କହିଲା ।

ମୁଁ ସରଳ କରି କହିଲି, “ମତେ କେବଳ ତମେ ସତ କହିବ।”

ସେ ମୋ ଇଚ୍ଛାକୁ ବୁଝି ଯାଇଥିଲା ବୋଧହୁଏ। କହିଲା, “ପଚାରନ୍ତୁ।”

“ଏତେ ମଣିଷକୁ ତୁମେ ଭୋଗ କର, ତୁମେ ତୁମ ଏ ଜୀବନରେ କ’ଣ ସନ୍ତୁଷ୍ଟ ?” ମୁଁ ପଚାରିଲି।

“ଯେଉଁଠି ଭଲପାଇବା ନ ଥାଏ, ସେଇଠି ଜୀବନ କ’ଣ ଓ ସନ୍ତୋଷ ଜ’ଣ ? ମୁଁ କେବଳ ଏଠି ବସ୍ତୁଟିଏ। ମତେ ଈଶ୍ବର ଯେଉଁ ଦେହ ଓ ଜୀବନ ଦେଇ ଗଢ଼ିଛନ୍ତି ତା’ ତାଙ୍କ ଦାନ । ମୁଁ ସବୁ ରାତିର ନୀରବ ମୁହୂର୍ତ୍ତରେ ମୋ ଏଇ କ୍ଲାନ୍ତଦେହକୁ ବିଶ୍ରାମ ଦେବା ଆଗରୁ ତାଙ୍କୁ ହିଁ ପ୍ରଣାମ କରେ ଓ ମୋ ଏଇ ଅଇଁଠା ଦେହକୁ ତାଙ୍କୁ ସମର୍ପି ଶୋଇବା ଆଗରୁ ତାଙ୍କୁ କୁହେ, ପ୍ରଭୁ, ମତେ ଏ ପତିତ ଜୀବନରୁ ଉଦ୍ଧାର କର ।”


ଏତିକି କଥାରୁ ମୁଁ ଅନେକ ଯାଏ ତାକୁ ବୁଝି ଯାଇଥିଲି। ମୁଁ ଚାହିଁଲି ନାହିଁ ତା’ ଅତୀତ। କେବଳ ସତ୍ୟ ଜାଣିବାକୁ ତା’ ସହ ପ୍ରଶ୍ନରେ ଯୋଡ଼ିହେଲି । ତା’ କାନ୍ଦ କାନ୍ଦ ମୁହଁରେ ସତ୍ୟ ସେତେବେଳକୁ ଉଦୟ ହେଇସାରିଥିଲା । ” ସତ କୁହ, ତୁମର ଶେଷଇଚ୍ଛା କ’ଣ ? କେବଳ ଏଇ ଜୀବନରେ ନିଜକୁ ସାରି ଦେବ, ନା ଆଉ କିଛି ?” ମୁଁ ପଚାରିଲି।

ସେ ମତେ ଏକ ସାତ୍ମିକ ଆଖିରେ ଚାହିଁଲା। ଏକ ରୁଦ୍ଧଦ୍ବାରକୁ ଫିଟେଇ ସେ ଯେମିତି ଏବେ ଏବେ ମୋ ଆଗରେ। ମୁଁ ଯେମିତି କେହି ତା’ ଜୀବନର ପ୍ରଥମପୁରୁଷ । ମୁଁ ଅନୁଭବ କରୁଥୁଲି ଜଣେ ସରଳ ନାରୀସତ୍ତାକୁ ମୋ ଅତି ପାଖରୁ।

“ସତ କହିବି, ତମେ ହିଁ ମୋ ଜୀବନର ଶେଷପୁରୁଷ ହେଇଥାନ୍ତ, ଯିଏ ମୋ ମୃତ୍ୟୁ ଆଗରୁ ମତେ ଭୋଗ କରିଥାନ୍ତା। ଆଜି ହିଁ ମୋ ଜୀବନର ଶେଷରାତି । ମୋ ସହି ପାରୁନଥିବା ଏ ତୁଚ୍ଛ ଜୀବନକୁ, ଆଜି ହିଁ ମୁଁ ଶେଷ କରିଦେବି ବୋଲି ସ୍ଥିର କରିସାରିଥିଲି।” ସେ କହିଲା ଅତିସ୍ବରରେ, ଜୀବନ ଯେଉଁଠି ସେଇଠୁ ଯେମିତି ବାହାରି ଆସୁଥିଲା ସେଇ ସ୍ବର।

ମୁଁ ଚାହିଁଥିଲି ସେଇ ମୁହଁଟିକୁ, ଯେଉଁଠି ମୃତ୍ୟୁ ସଜେଇ ହେଇ ଦିଶୁଥିଲା ଓ ଯେଉଁଠି ସତ୍ୟ ସଜେଇ ହେଇ ରହିଥିଲା। ଏବଂ ଟିକିଏ ସେଇ ଲୁହ, ଯାହା ସତକୁ ଓ ମୃତ୍ୟୁକୁ ଆହୁରି ଉଜ୍ଜଳ କରି ରଖିଥିଲା।

ଆଉ କଥା ନାହିଁ, ମୁଁ ମୋ ନିଜ ସତ୍ତା ଭିତରୁ ବାହାରି ଆସୁଛି, ମୋ ହାତ ଆପେ ବଢ଼ିଗଲା। କହିଲି, “ମୋ ହାତ ଧର ।”

ସେ ମତେ କେତେ ବୁଝିଲା ମୁଁ ଜାଣେ ନାହିଁ । ସେ ତା’ ହାତ ବଢ଼େଇଦେଲା।

ତା’ ପରେ ଆମେ ନିରୁଦ୍ଧିଷ୍ଟ ହେବା ଯାଏ, ଅନ୍ଧାର ଭିତରେ ଦୌଡୁଥିଲୁ।

There is 1 comment

  1. ଶ୍ରୀ କାଶିନାଥ ନନ୍ଦୀଙ୍କର ଗଳ୍ପଟି ନିଶ୍ଚିତ ଏକ ସୁଖ ପାଠ୍ୟ।

Leave a Reply

Your email address will not be published. Required fields are marked *