

ଥାଉ
।। କମଳ ଲୋଚନ ବେହେରା ।।
ଥାଉ ! ତାକୁ ଆଉ ପୂଜନି
ସେ ଅଧରାତିର ଚାଖଣା ହବା ଥୟ
ଥାଉ ! ତା ଦେହକୁ ଆଉ ଘୋଡ଼ାଅନି
ସେ ତ ଫି ରାତି ଲଙ୍ଗଳା ହେବା ଥୟ
ନିଜ ଇଚ୍ଛାରେ ନୁହଁ… ଟଣାଓଟରାରେ
ଥାଉ ! ତାକୁ ଆଉ ମା’ ବୋଲି ଡାକନି
ଇଜ୍ଜତ ପାଇଁ ନେହୁରା ହେବା ପରେ ବି
ସେ ବେଶ୍ୟା ସାଜିବା ଥୟ
ଥାଉ ! ତାକୁ ଆଉ ଫୁସୁଲାଅନି
ସଭିଏଁ ସବୁ ଜାଣିଲା ପରେ ବି
ସେ ମନ୍ଥରା ବନିବା ଥୟ
ଥାଉ ! ତାକୁ ଆଉ ପବିତ୍ର କୁହନି
ତା ଚରିତ୍ର କୁ ବଘାରି
କୁଳଟା ସଜେଇବାବାଲା
ଏଠି ମିଳିବା ଥୟ
ଥାଉ ! ବାବୁମାନେ ଥାଉ !
ତାକୁ ଆଉ ପ୍ରେମ ଯାଚନି
ବିଶ୍ୱାସ ଗିଳାଅନି
ସେ ଦେବୀ ବୋଲି ସଭାରେ କୁହାଟ ଛାଡ଼ନି
କି ତଣ୍ଟି ଫଟେଇ ରଡ଼ି ଦିଅନି
ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତା
କାରଣ ତମେ ବି ଜାଣ
ମୁଁ ବି ଜାଣେ
ସେ ବି ଜାଣେ
ଆମେ ସମସ୍ତେ ଜାଣୁ
ସେ ବିକା ହେବା ଥୟ
ଦଉଡ଼ି ଦେଇ ମରିବା ଥୟ
ବିଚ୍ ରାସ୍ତାରେ ଘୋଷରା ଯିବା ଥୟ
ଆଉ ଆମେ ହାତ ଗୋଡ଼ ଯୋଡ଼ି
ଦେଖଣାହାରି ହବା ବି ଥୟ
ନହେଲେ ମହମବତୀ ଜାଳି
ଦେଖାଣିଆ ପ୍ରତିବାଦ କରିବା ବି ଥୟ