Home » Magazine » କବି କଲମରେ କଥା : ରମାକାନ୍ତ ରଥଙ୍କ ଗଳ୍ପ “ଦୂରରୁ ଦୂରରୁ” ।

କବି କଲମରେ କଥା : ରମାକାନ୍ତ ରଥଙ୍କ ଗଳ୍ପ “ଦୂରରୁ ଦୂରରୁ” ।

          ଉପେନ୍ଦ୍ର ଓ ମୁଁ ପିଲାଦିନରୁ ସାଙ୍ଗ। ଏକା ସ୍କୁଲରେ, ଏକା କଲେଜରେ ପଢ଼ିଛୁ, ପ୍ରାୟ ଏକାସାଙ୍ଗରେ ଚାକିରି କଲୁ, ଏକା ସହରରେ ରହିଲୁ। ମୁଁ ନିଜେ ତିଆରି ଥିବା ଘରେ, ସେ ଭଡ଼ାଘରେ । ଉପେନ୍ଦ୍ରର ଚାକିରି ସେହି ସହରରେ, ମୋର ଟିକିଏ ଦୂର ଜାଗାରେ, କିନ୍ତୁ ମୁଁ ଛୁଟିରେ ଆସିଲେ ଅନେକ ସମୟ ତା’ ସହିତ କଟାଏ । ପ୍ରାୟତଃ ତା’ ଘରେ ହିଁ ଆମର ଦେଖା ହେଉଥିଲା, ଯେହେତୁ ଉପେନ୍ଦ୍ର ଅବିବାହିତ ରହିଗଲା, କାହାର ପାଟିତୁଣ୍ଡ ନ ଥିଲା, ବେଳେବେଳେ ଆମେ ହ୍ୱିସ୍କି ପିଇବାକୁ ବସିଲେ ନାଲିଆଖି ଦେଖାଇବାକୁ କି ମୁହଁ ମୋଡ଼ିବାକୁ କେହି ନଥିଲେ । ବେଶି ଗପୁଥିଲି ମୁଁ, କାରଣ ଉପେନ୍ଦ୍ର ଉଦାସ ପ୍ରକୃତିର ଥିଲା, ବକ୍‌ବକ୍ ହେବା ତା’ର ଅଭ୍ୟାସ ନଥିଲା ।

ମୁଁ ପାଖରେ ନଥିଲା ବେଳେ ଉପେନ୍ଦ୍ର ସମୟ କାଟୁଥିଲା କିପରି ? ପୂଜାପାଠ, ବହିପଢ଼ା, ବଗିଚା କାମରେ ତା’ର ଆଗ୍ରହ ନ ଥିଲା। ନିଜ ସ‌ହିତ ଏତେବେଳ ସେ ରହିପାରେ କେଜାଣି କିପରି..!! ଟିକିଏ ଏକୁଟିଆ ହୋଇଗଲେ ମତେ ଅଡ଼ୁଆ ଲାଗେ, ନିଜ ପାଖରେ ରହିବାକୁ ଡର ମାଡ଼େ। ମୁଁ ଜାଣେ ଯେ ନିଜେ ନିଜ ବିରୁଦ୍ଧରେ ଯେଉଁ ଯେଉଁ ଅଭିଯୋଗ କରିବି ତା’ର କୈଫିୟତ୍ ମୋ ପାଖରେ ନାହିଁ । ପାଖରେ ଅନ୍ୟମାନେ ଥିଲେ ଅଭିଯୋଗକାରୀ ଚୁପ୍ ହୋଇଯିବ, ଅଭିଯୋଗ କଲେ ବି ମତେ ଶୁଭିବନି, ତେଣୁ ମୁଁ ପାରୁ ପର୍ଯ୍ୟନ୍ତ ଅନ୍ୟମାନଙ୍କ ଗହଣରେ ରହୁଥିଲି। ଉପେନ୍ଦ୍ରର ଜୀବନ ତା’ହେଲେ ଏତେ ନିର୍ମଳ ଯେ ତାକୁ ନିଜଠାରୁ ଅଭିଯୋଗ ଶୁଣିବାକୁ ପଡ଼େନାହିଁ, ପଡୁ ନଥିବାରୁ ବାରଣ୍ଡାର ଗୋଟିଏ କୋଣରେ ଚଉକି ଉପରେ ବସି ଓ ଆକାଶକୁ ଚାହିଁ ସେ ଘଣ୍ଟା ଘଣ୍ଟା ବିତାଇ ଦେଇପାରେ ।

ନିର୍ମଳ ନା ଛେନାଗୁଡ଼ ? ଉପେନ୍ଦ୍ର ତ ମତେ ନିଜେ କହିଛି, ତା’ର ଚାକିରିର ଦୁଇବର୍ଷ ପରେ ଘଟିଥିବା ଘଟଣା। ସେ ଥରେ ରେଳରେ ରାଉରକେଲା ଯାଉଥିଲା। ବାଟରେ ରେଳ ଦୁର୍ଘଟଣାରେ କେତେଟା ଡବା ଓଲଟି ପଡ଼ିଲା, ଅନେକେ ଖଣ୍ଡିଆଖାବରା ହେଲେ । ଗୁରୁତର ଭାବେ ଆହତ ହୋଇଥିବା ଲୋକଙ୍କ ଭିତରେ ପ୍ରାୟ ପଚିଶବର୍ଷର ଯୁବତୀଟିଏ ଥିଲା। ଉପେନ୍ଦ୍ର ଆଦୌ ଆହତ ହୋଇ ନଥିଲା । ଉଦ୍ଧାରକାରୀ ଦଳକୁ ସାଧ୍ୟମତେ ସାହାଯ୍ୟ କରିଥିଲା। ସେ ଝିଅଟି ସଂଜ୍ଞାହୀନା ହୋଇପଡ଼ିଥିଲା, ତା’ ସାଙ୍ଗରେ କେହି ନଥିଲେ। ଉପେନ୍ଦ୍ର ତା’ ସାଙ୍ଗରେ ଡାକ୍ତରଖାନା ଗଲା, ସେଠାରେ ପାଞ୍ଚ ଛଅଦିନ ରହିଲା, ଯୁବତୀ ଜଣକ ଯାହାଙ୍କର ଟେଲିଫୋନ୍‌ ନମ୍ବର ଦେଲା ତାଙ୍କୁ ଟେଲିଫୋନ୍ କଲା। ସେ ପହଞ୍ଚିବା ପରେ ଉପେନ୍ଦ୍ର ଜାଣିଲା ଯେ ଆସିଥିବା ଲୋକ ଜଣକ ଯୁବତୀଟିର ସ୍ବାମୀ। ସେ ଉପେନ୍ଦ୍ରକୁ ବହୁତ କୃତଜ୍ଞତା ଜଣାଇଲା, ଉପେନ୍ଦ୍ର ତାଙ୍କଠାରୁ ବିଦାୟ ନେଇ ଚାଲିଆସିଲା ।

ଏ ଘଟଣାର ବିବରଣୀ ଉପେନ୍ଦ୍ର ଖୁବ୍ ସାଧାରଣ ଭାବେ ଦେଇଥିଲା, କିନ୍ତୁ ମୁଁ ଅନୁମାନ କରିଥିଲି ଯେ ବିଦାୟ ନେଲାବେଳେ ସେ ସହଜରେ ବିଦାୟ ନେଇପାରି ନଥିବ। ଯେଉଁ ଅଚିହ୍ନା ଲୋକର ଶୁଶ୍ରୂଷା ପାଞ୍ଚ ଛଅଦିନ ନ ଖାଇ ନ ଶୋଇ କରାଯାଏ, ସେ କ’ଣ ଅଚିହ୍ନା ହୋଇ ରହିଯାଏ? ତା’ ପାଖରୁ ଚାଲିଆସିଲା ବେଳେ କିଏ ପଛରୁ ଓଟାରୁ ଥିବା ପରି କ’ଣ ଲାଗୁ ନ ଥିବ? ତା’ଛଡ଼ା ଉପେନ୍ଦ୍ର ବିଭା ନ ହୋଇ ରହିଗଲା କାହିଁକି? ଘର ଖଣ୍ଡେ କଲାନାହିଁ କାହିଁକି? ମୋ ମନରେ ଏ ପ୍ରଶ୍ନ ବାରମ୍ବାର ଉଠିଛି, କେବେ ଦିନେ ସୁବିଧା ଦେଖି ପଚାରିବି ପଚାରିବି ହେଉ ହେଉ ଉପେନ୍ଦ୍ରର ଦେହ ହଠାତ୍ ଏତେ ଖରାପ ହୋଇଗଲା ଯେ ପଚାରି ପାରିଲି ନାହିଁ !

ସେ ଘଟଣାର ଅଳ୍ପ କେତେଦିନ ପରେ ଦିନେ ଉପେନ୍ଦ୍ରର ଛାତିରେ ଖୁବ୍ କଷ୍ଟ ହେଲା, ସେ ଅଣନିଃଶ୍ବାସୀ ହୋଇପଡ଼ିଲା। ମୁଁ ସେତେବେଳେ ଛୁଟିରେ ଆସିଥିଲି, ତାକୁ ଡାକ୍ତରଖାନା ନେଲି । ହୃଦ୍‌ରୋଗ ବୋଲି ଜଣାପଡ଼ିବା ପରେ ତାକୁ ଗୋଟିଏ ସ୍ବତନ୍ତ୍ର କୋଠରିରେ ରଖାଗଲା ଓ ନିଦ ଇଞ୍ଜେକସନ୍ ଦେଇ ଶୁଆଇ ଦିଆଗଲା ।

ସେ ଯେଉଁ ବିଛଣାରେ ଥିଲା ସେଠାରୁ ଝରକା ବାଟେ ଆକାଶ ଦିଶୁଥିଲା। ଉପେନ୍ଦ୍ର ଅନେକ ସମୟରେ ଆକାଶକୁ ଚାହିଁ ରହୁଥିଲା । କେତେଥର ତା’ ଗାଲ ଉପରେ ଲୁହ ବୋହିଯିବା ମୁଁ ଦେଖିଛି। କାହିଁକି କାନ୍ଦୁଛୁ ବୋଲି ପଚାରିଥାନ୍ତି ଯେ କ‌ଥାବାର୍ତ୍ତା କରିବାକୁ ଡାକ୍ତର ମନା କରିଥିଲେ। ଅନେକ ସମୟରେ ମୁଁ କୋଠରି ବାହାରେ ପଡ଼ିଥିବା ବେଞ୍ଚରେ ବସୁଥିଲି। ମୁଁ ଘରକୁ ଗଲେ ଉପେନ୍ଦ୍ରର ସାନଭାଇ, ଯାହାକୁ ମୁଁ ଖବର ଦେଇଥିଲି, ଡାକ୍ତରଖାନାରେ ରହୁଥିଲା।

ଥରେ ଦେଖିଲି, ଜଣେ ନର୍ସ ଆସିବା ପରେ ଉପେନ୍ଦ୍ର ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲା ପରି ତାଙ୍କୁ ଚାହିଁଲା, ସେ ବି ଉପେନ୍ଦ୍ରକୁ ଦେଖି ଚମକି ପଡ଼ିଲା ପରି ଦିଶିଲେ। ତାକୁ ଇଞ୍ଜେକସନ୍ ଦେଲାବେଳେ ତାଙ୍କ ହାତ ଥରିବାରୁ ସେ ଆଉଜଣେ

ନର୍ସଙ୍କୁ ଡାକି ଇଞ୍ଜେକସନ୍ ଦେବାକୁ କହିଲେ। ତା’ପରେ ମୁଁ ଥିଲାବେଳେ ଯେତେଥର ସେ ଉପେନ୍ଦ୍ରର ବିଛଣା ପାଖକୁ ଆସିଛନ୍ତି, ଉପେନ୍ଦ୍ର ବଡ଼ ବଡ଼ ଆଖିରେ ତାଙ୍କୁ ଚାହିଁ ରହୁଥିଲା, ସେ ଚାହାଣି କପାଳରେ ଓ ଓଠରେ ଚୁମା ଦେବାର ଚାହାଣି, ସମୁଦ୍ରକୂଳରେ ହାତ ଧରାଧରି ହୋଇ ବୁଲିବା ବେଳର ଚାହାଣି, ସର୍ବାଙ୍ଗରେ ହାତ ବୁଲାଇ ଆଣିବାର ଚାହାଣି, ଛାତିରେ ମୁହଁ ଗୁଞ୍ଜି କାନ୍ଦିବାର ଚାହାଣି, ପୁଣି ଦୁଆର ମୁହଁରେ ସ୍ତ୍ରୀକୁ ଦେଖି ବିଦେଶ ଫେରନ୍ତା ସ୍ବାମୀର ଉଲ୍ଲସିତ ଚାହାଣି। ଉପେନ୍ଦ୍ର ଏତେଦିନ ଯାଏ ଏ ଚାହାଣିକୁ କେଉଁଠି ଲୁଚାଇ ରଖିଥିଲା କେଜାଣି.. !!

ମୋର ମନେ ହେଲା ସେମାନେ ପରସ୍ପରକୁ ଚିହ୍ନିଛନ୍ତି। ନର୍ସ ଜଣକ ପିନ୍ଧିଥିବା ଧଳାକୋଟ୍ ଉପରେ ଲାଗିଥିବା ପ୍ଲାଷ୍ଟିକ୍ ଫଳକରୁ ଜାଣିଲି ତାଙ୍କର ନାଆଁ ସବିତା ମଙ୍ଗରାଜ। ଦିନେ ସେ ଉପେନ୍ଦ୍ରକୁ ଔଷଧ ଦେଇସାରି ବାହାରିଯିବା ବେଳକୁ ମୁଁ ତାଙ୍କ ପଛେ ପଛେ ଗଲି। ସେ କେତେବାଟ ଯିବାପରେ ଡାକିଲି, ‘ସବିତା ଦିଦି’। ସେ ରହିଯାଇ ବୁଲିପଡ଼ିଲେ ଓ ମୁଁ କ’ଣ କହିବି, ଶୁଣିବାକୁ ମୋ ଆଡ଼େ ଚାହିଁଲେ। ମତେ ଉପେନ୍ଦ୍ର ପାଖରେ ଓ ତା’ କୋଠରି ବାହାରେ ଏତେଥର ଦେଖିଛନ୍ତି ଯେ ମୁଁ ତାଙ୍କର ଅପରିଚିତ ନ ଥିଲି । ତାଙ୍କ ପାଖକୁ ଯାଇ କହିଲି, ‘ଉପେନ୍ଦ୍ର ମୋର ପିଲାଦିନର ସାଙ୍ଗ । ମୋତେ କାହିଁକି ଲାଗୁଛି ଯେ ସେ ଆପଣଙ୍କୁ ଚିହ୍ନିଛି। ଆପଣ ତାକୁ ଚିହ୍ନିଛନ୍ତି..?

ସବିତା ଦିଦି ମୋ ଆଡ଼କୁ ଟିକିଏ ଚାହିଁ ମୁହଁ ତଳକୁ କଲେ, କହିଲେ, “ହଁ ଚିହ୍ନିଛି । ଏବେ ମୋର ଡ୍ୟୁଟି ଅଛି । ଆଉ ପ୍ରାୟ ଦେଢ଼ଘଣ୍ଟା ପରେ ମୁଁ ନିଜେ ଆସିବି।”

ସେ ଆସିଲେ, ବେଞ୍ଚରେ ମୋ ପାଖରେ ବସିଲେ । ସେ ଯାହା କହିଲେ ସେଥିରୁ ଜାଣିଲି ଯେ ରେଳ ଦୁର୍ଘଟଣାରେ ଆହତ ହୋଇଥିବା ଯୁବତୀ ଜଣକ ସବିତା।ଦେଖିବାକୁ ଖୁବ୍ ସୁନ୍ଦର, ଖାଲି ଯାହା କପାଳରେ ଠାଏ କଟାଦାଗଟିଏ ଥିଲା ବୋଧହୁଏ ଦୁର୍ଘଟଣାବେଳେ ହୋଇଥିବା କ୍ଷତର ଚିହ୍ନ।

ଉପେନ୍ଦ୍ର ସଂକ୍ଷେପରେ ଯାହା କହିଥିଲା ସେ ତାହାହିଁ କହିଲେ, ଟିକିଏ ବିଶଦ ଭାବରେ । ଜଣେ ବିଲ୍‌କୁଲ୍ ଅପରିଚିତ ଲୋକକୁ ଉପେନ୍ଦ୍ରଙ୍କ ପରି ସାହାଯ୍ୟ କେତେଜଣ କରନ୍ତି ? ସେ ପରେ ଜାଣିଲେ ଯେ ତାଙ୍କର ଚେତା ବୁଡ଼ିଯିବା ପରେ ଉପେନ୍ଦ୍ର ତାଙ୍କ ମୁହଁରେ ପାଣି ଛାଟି ଚେତା ଫେରାଇବାକୁ ଚେଷ୍ଟା କରିଥିଲେ, ନିଜ କମିଜ୍‌ରେ ତାଙ୍କ ମୁଣ୍ଡରୁ ବୋହୁଥିବା ରକ୍ତ ପୋଛିଦେଇ ରୁମାଲକୁ ଜାଳି ସେ ପୋଡ଼ାକନା ତାଙ୍କ କ୍ଷତ ଉପରେ ବାନ୍ଧି ଦେଇଥିଲେ । ଡାକ୍ତରଖାନାରେ ତାଙ୍କୁ ରକ୍ତ ଦେଇଥିଲେ । ସବିତାଙ୍କୁ କଥା କହିବା ମନା କରାଯାଇଥିଲା, ସେ ଖଣ୍ଡେ କାଗଜରେ ଯାହାଙ୍କର ଟେଲିଫୋନ୍ ନମ୍ବର ଓ ନାଆଁ ଦେଲେ, ଉପେନ୍ଦ୍ର ତାଙ୍କୁ ଖବର ଦେଲେ । ସେ ପହଞ୍ଚିବା ପରେ ଉପେନ୍ଦ୍ର ଜାଣିଲେ ଯେ ଭଦ୍ରବ୍ୟକ୍ତି ତାଙ୍କର ସ୍ବାମୀ। ତା’ ପରେ ଉପେନ୍ଦ୍ର ଚାଲିଗଲେ। କାଳେ ଫେରିବେ ବୋଲି ଅପେକ୍ଷା କରି ସବିତା ଓ ତାଙ୍କର ସ୍ବାମୀ ନିରାଶ ହେଲେ। ଏବେ ଯେଉଁ ଅବସ୍ଥାରେ ସେ ଉପେନ୍ଦ୍ରଙ୍କୁ ଭେଟିଲେ ତା’ ଅପେକ୍ଷା ଆଦୌ ଭେଟି ନ ଥିଲେ ଭଲ ହୋଇଥାନ୍ତା ବୋଲି ସବିତା କହିଲାବେଳେ ତାଙ୍କର ଓଠ ଅରୁଥିଲା ।

ତା’ ଆରଦିନ ସକାଳ ସାତଟାରେ ଉପେନ୍ଦ୍ରର ହୃଦ୍‌କ୍ରିୟା ବନ୍ଦ ହୋଇଗଲା। ମୁଁ ଖବର ପାଇ ଆସିଲାବେଳକୁ ତା’ ଉପରେ ଧଳାଚାଦର ଖଣ୍ଡେ ଘୋଡ଼େଇ ଦିଆଯାଇଥିଲା। ଉପେନ୍ଦ୍ରର ସାନଲାଇ ପିଲାଙ୍କ ପରି କାନ୍ଦୁଥାଏ, ତାକୁ ସମ୍ଭାଳୁ ସମ୍ଭାଳୁ ନୟାନ୍ତ ହୋଇପଡ଼ିଲି। ତା’ ଉପରେ ମନେ ମନେ ଚିଡୁଥିଲି। ମୁଁ ଯଦି ଛୁଟିରେ ଆସି ନଥାନ୍ତି ତୁ ଏକା ତ ସବୁ ମୁଣ୍ଡେଇଥାନ୍ତୁ, ମୁଁ ଅଛି ବୋଲି କୁନିପିଲାଟେ ପାଲଟିଗଲୁ !

ଆମେ ଉପେନ୍ଦ୍ରର ଶବକୁ ଷ୍ଟ୍ରେଚରରେ ନେଇ କୋଠରିରୁ ବାହାରିଲା ବେଳକୁ ସବିତା ଦିଦି ଆସି ନଥାନ୍ତି, ଷ୍ଟ୍ରେଚର ବାରଣ୍ଡା ସରିବା ପରେ ପହଞ୍ଚିଲା ବେଳକୁ ସେ ଡ୍ୟୁଟିକୁ ଆସୁଥିଲେ । ସେ ମତେ ଓ ଷ୍ଟ୍ରେଚରକୁ ଦେଖି ସବୁ ବୁଝିଗଲେ, କାନ୍ଥକୁ ଆଉଜି ଷ୍ଟ୍ରେଚରରେ ଶୋଇଥିବା ଉପେନ୍ଦ୍ରକୁ ଚାହିଁଲେ। ସେ ଚାହାଣି ମେଳଣରେ ହଜିଯାଇଥିବା ପିଲାର ଚାହାଣି, ଅଭିଶାପ ପାଇ ମର୍ତ୍ତ୍ୟକୁ ଆସିବାକୁ ପ୍ରସ୍ତୁତ ହେଉଥିବା ସୁନ୍ଦରୀ ଅପ୍‌ସରାର ଚାହାଣି, ସ୍ବାମୀର ମୃତ୍ୟୁ ଖବର ପାଇବା ପରେ ପୋଖରୀ ତୁଠରେ ବସି ଗୋଡ଼ମୁଦି ପାଣିକୁ ଫିଙ୍ଗି ଦେଉଥିବା ଓ ଚୁଡ଼ି ସବୁକୁ ଛେଚି ଛେଚି ଭାଙ୍ଗୁଥିବା ସ୍ତ୍ରୀର ଚାହାଣି, ଯେଉଁ ଛାତିରେ ମୁଣ୍ଡ ଗୁଞ୍ଜି ହୋଇଥାନ୍ତା ସେ ଛାତି ଆଉ ନାହିଁ ବୋଲି ଜାଣିବାର ପରବର୍ତ୍ତୀ ଚାହାଣି, ପୁଣି ଆଉ କାହାକୁ ଦିଶୁ ନ ଥିବା ଜଣକୁ ଖୁବ୍ ଗୋପନୀୟ କଥା ଶୁଣାଉଥିବା ବେଳର ଚାହାଣି ।

Leave a Reply

Your email address will not be published. Required fields are marked *