Home » Magazine » କବିତା : ଝାଳ

କବିତା : ଝାଳ

।। ମୀନକେତନ ପଶାୟତ ।।

ସେମାନେ କ’ଣ ଜାଣିଛନ୍ତି

ମୁକ୍ତା ପରି ମୋର ବୁନ୍ଦାଏ ଝାଳ

ଅପରୂପ ସୌନ୍ଦର୍ଯ୍ୟର

ଭରନ୍ତି ଭଣ୍ଡାର

ଜହ୍ନ ପରି ଗୋଲଗାଲ ମୁହଁରେ

ଝୁଲୁଥାଏ ମୋ ଟିକିଝିଅର

ସୂକ୍ଷ୍ମ-ସ୍ବପ୍ନିଳ-ଓଠ

ଶ୍ରମର ସମୁଦ୍ରିଏ ସ୍ୱେଦରେ ଗଢ଼ା

ତା’ ଢଳଢଳ ଚିକ୍କଣ ଦେହ ।

ମୋ ବୁନ୍ଦାଏ ଝାଳରେ ସିନା

ତୁମ ସୁରମ୍ୟ ସୌଧ

ତୁମ ରତ୍ନଖଚିତ ପଲଙ୍କ

ତୁମ ରୂପାଥାଳିର ମହମହ ଅନ୍ନ

ମୋ ଶ୍ୱାସପ୍ରଶ୍ୱାସର

ମଜବୁତ ନିଅଁରେ ସିନା

ତୁମ ଐଶ୍ୱର୍ଯ୍ୟ ବିମଣ୍ଡିତ ଭବିଷ୍ୟତ…!

ଝାଳର ଘାଟରେ

ନୂଆବୋହୂ ମାଜୁଥିଲା

ତା’ ଚମ୍ପାଫୁଲ ଦିହ

ଝାଳର ଆଇନାରେ

ଚାନ୍ଦ ବି ଦେଖୁଥିଲା

ଆଦିମ ପୃଥିବୀର ଆହ୍ଲାଦିତ ମୁହଁ

ପ୍ରେମିକାର ପଣତରେ

ଝାଳର ଦାଗ

ସମୁଦ୍ରର ଢେଉ ପରି

କେତେ କମନୀୟ ତା’ ଆକର୍ଷଣ ।

ସେମାନେ କ’ଣ ଦେଖିଛନ୍ତି

ମୋ ଦେହ ଭିତରେ

କେମିତି ଲୁଚିଥାଏ

ମେଞ୍ଚାଏ ଶୂନ୍ୟତା

ମୋ ଓଦା ସରସର ଶରୀରରେ

ମାଟିର ମୋହକୁ ଜାବୁଡ଼ି ଧରି

କେମିତି ଚାଲୁଥାଏ ଜୀବନ କଣ୍ଟା

ଜୀବନଚକରେ ଚାପି ହୋଇ

କେମିତି ରକ୍ତାକ୍ତ ହୁଏ ଝାଳର ରଙ୍ଗ

ସେମାନେ କ’ଣ ଶୁଣିଛନ୍ତି

ମୋ ବୁନ୍ଦା ବୁନ୍ଦା ଝାଳରୁ

କେମିତି ଉଚ୍ଚାଟିତ ହୁଏ

ଗୋଟିଏ ଦରମଲା ମଣିଷର କୋହ

ଛାତିରେ କେମିତି ଆଙ୍କିଦିଏ

ଅଗ୍ନିସ୍ନାତା ଜୀବନର

ଏକ ମାର୍ମିକ୍ ଚିତ୍ରପଟ ।

ଝାଳ ତ ମୋ ଚେତନାର

ଏକ ବିଳପିତ ଆତ୍ମସତ୍ତା ।

ଯେଉଁଦିନ ଜୀବନର

ଶଗଡ଼ଗୁଳାରେ ଛନ୍ଦି ହୋଇ

ହଜିଯିବ ଝାଳର ନିରୁତ୍ତରିତ୍ ଜିଜ୍ଞାସା

ସେହିଦିନ ଭରିଯିବ

ଗୋଟିଏ ନୂଆସକାଳର

ଉଦୀୟ ଉତ୍ତରରେ

ମହାସ୍ରୋତୀୟ ଆନନ୍ଦର

ଅସୁମାରୀ ପୃଷ୍ଠା ।

ସେହି ମହାର୍ଘ ପୃଷ୍ଠାରେ ଲେଖାହେବ

ମହାସୃଷ୍ଟିର ଇତିହାସ

ତା’ର ପ୍ରତ୍ୟେକ ବିନ୍ଦୁରେ

ଝଲସିଯିବ ମହାମୁକ୍ତିର ଗୁଢ଼ତତ୍ତ୍ବ

ତା’ର ପ୍ରତ୍ୟେକ ଟୋପାର

ନାଭିମଣ୍ଡଳରୁ

ଝଙ୍କୃତ ହେବ ଛନ୍ଦ ମଧୁର

ଜୀବନବୀଣାର ଆଗ୍ନେୟ ଝଙ୍କାର ।

There are 4 comments

  1. ଝାଳ ଆଇନାରେ ଚାନ୍ଦ ଦେଖୁଥିଲା
    ଓଃ , ଚମତ୍କାର ଉପସ୍ଥାପନା

    1. ଅଶେଷ ଧନ୍ୟବାଦ ପ୍ରିୟ ପିନାକୀ, ଚଉକାଠ ପଢ଼ିଥିବା ହେତୁ ଓ ମନ୍ତବ୍ୟ ଦେଇଥିବା ଯୋଗୁଁ।
      ଅନେକ ଶୁଭେଚ୍ଛା।

  2. ଝାଳର ମୁକ୍ତା ବିନ୍ଦୁରେ କବିଙ୍କ ବିଳପିତ ଆତ୍ମସତ୍ତା
    ଏହି ଝାଳର ପ୍ରତ୍ୟେକ ବିନ୍ଦୁରେ ଝଙ୍କୃତ ହେବ ମଧୁର ଛନ୍ଦ। ଏଇମିତି ଏକ ସୁନ୍ଦର ପରିକଳ୍ପନା ମୀନକେତନ ଭାଇଙ୍କର ବେସ୍ ଛୁଇଁଲା ମନକୁ। ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି।

  3. ପ୍ରିୟ କବି ଶ୍ରୀଯୁକ୍ତ ପିନାକୀ ମିଶ୍ର ଓ ଶ୍ରୀଯୁକ୍ତ ଅଶୋକ କୁମାର ପଟ୍ଟନାୟକ ଙ୍କ ପ୍ରେରଣାଦାୟୀ ମନ୍ତବ୍ୟ ପାଇଁ ଅଜସ୍ର ଧନ୍ୟବାଦ ଜଣାଉଛି,କୃତଜ୍ଞତା ଜଣାଉଛି “ଚଉକାଠ ” ର ଆଦରଣୀୟ ସମ୍ପାଦକ ଓ ଏ ପରିବାରର ସମସ୍ତ ସମ୍ମାନନୀୟ ବିଶିଷ୍ଟ ସଦସ୍ୟ ଙ୍କୁ,ମୋତେ ଓ ମୋ କବିତାକୁ ସ୍ଥାନିତ କରି ଥିବାରୁ ।

Leave a Reply

Your email address will not be published. Required fields are marked *