Home » Magazine » ଆଶୁତୋଷ ମିଶ୍ର : କବିତା : ଅଭିଶପ୍ତ

ଆଶୁତୋଷ ମିଶ୍ର : କବିତା : ଅଭିଶପ୍ତ

ତୁମ ବାସ୍ନା ଆଉ ପହଞ୍ଚୁନି ମୋର ନାକପୁଡ଼ାରେ
ମତେ ଆଉ ମିଳୁନାହିଁ ଅଯାଚିତ ସ୍ପର୍ଶ ପ୍ରେମର
ତୁମ ଆଙ୍ଗୁଠିର ଦଂଶନରେ ଲୋହିତ ହେଉନାହିଁ ମୋ ଶରୀର ପ୍ରାନ୍ତର
ମୁଁ ଆଜି ପୁରୁଷ ଅହଲ୍ୟା…
ପ୍ରସ୍ତର ସାଜି ପ୍ରତୀକ୍ଷା କରିଛି ନାରୀରୂପୀ ରାମଚନ୍ଦ୍ରଙ୍କ ଛୁଆଁକୁ ।

ମୁଁ ଜାଣେ ପ୍ରତୀକ୍ଷାର ପର୍ବ ଲମ୍ବା
ତମ ଆସିବା ଆହୁରି କେତେହଜାର ବର୍ଷ ପରର ଘଟଣା
ସେବେ ଯାଏଁ ମୁଁ ପ୍ରାଣହୀନ ସତ୍ତା
କୋଳାହଳ ଜଗତର ଏକମାତ୍ର ନୀରବ ନାୟକ

ମୁଁ କେବେ କେବେ ଶୁଣିବାକୁ ପାଏ
ତମ ଆସିବା ଗୁଜବ
ମନ ଉଚ୍ଛନ୍ନ ହୁଏ ତୁମକୁ ଦେଖିବା ଲୋଭରେ
ମିଳନର ଋତୁ ଆସିଛିକି ସତେ
କେତେ ବର୍ଷ ପରେ

ନା, ଗୁଜବ, ଗୁଜବ ହେଇ ରହିଯାଏ
ତମେ ଆସନି,
ମତେ ଛୁଅଁନି,
ମୁକ୍ତି ବୋଲି ଯାହା କିଛି ସେମାନେ କୁହନ୍ତି
ସେଭଳି କିଛି ମୁଁ ପାଏନି

ମୁଁ ପଡ଼ିରହେ ଶିଳାପିଣ୍ଡ ଦନ୍ଥଡ଼ା ଦେହରେ
ଖରା, ବର୍ଷା, ଶୀତର ଦାଉରେ
ସିଝି, ବୁଡ଼ି ଠୋ ଠୋ ଥରୁଆ ଦେହରେ

କେବେ କେବେ ମନ ଊଣା ହୁଏ
ଭୀଷଣ ଭାବରେ
ସତରେ ତମେ କ’ଣ ଆସିବନି ଦେଖିବାକୁ,
ମତେ… ମୋର ଏହି ଅହଲ୍ୟା ରୂପକୁ

କହିବନି ପଦେ କଥା ପ୍ରେମ କି ରାଗରେ,
ଛୁଇଁବନି ଅଭିଶପ୍ତ ହେବାର ଭୟରେ,
ଆଡ଼ ହେଇ ଚାଲିଯିବ ଯୋଜନ ଦୂରରେ

ମୁଁ ପଡ଼ି ପଡ଼ି ପ୍ରସ୍ତରରୁ ମାଟି ହେଉଥିବି
ସମୟର ସ୍ରୋତରେ ଭାଙ୍ଗି, ଭାସି
ତୁମ ସେ ପୂରର ଦରଜା ଆଗରେ ଶରଣ ଲଭିବି
ମୋ ପ୍ରତୀକ୍ଷା ସରିବ ନାହିଁ ସେବେ ମଧ୍ୟ
ମୁଁ ସମୟର ଶେଷଯାଏଁ ଅଭିଶପ୍ତ ଥିବି |

ଭିକ୍ଷାଥାଳ ପରି ଏ ଦେହ
ଆଗକୁ ପତେଇ,
ତୁମକୁ ଆକର୍ଷିବାର ନୂଆ ନୂଆ କଉଶଳ ଆପଣଉ ଥିବି… !!

Leave a Reply

Your email address will not be published. Required fields are marked *