Home » Magazine » ଆଶିଷ କୁମାର ମିଶ୍ର : କବିତା : ଦେବୀଦ୍ରୋହ

ଆଶିଷ କୁମାର ମିଶ୍ର : କବିତା : ଦେବୀଦ୍ରୋହ

ଅବନ୍ଧ ବନ୍ଧରେ ପୁରିଛି ଜଳ,
ବୁଡ଼ି ବୁଡ଼ି ଗାଧେଇବୁ ଯା’
ଏଥର ଜଳେ ବୁଡ଼ି ମରଣ ନାହିଁ ତୋର !

କେଶ ଓଦା କଲେ
ଗର୍ଜି ଉଠିବ ମେଘ ଆକାଶକୁ,  ଗର୍ଜୁ !
କଜ୍ଜ୍ବଳ ଧୋଇ ହେଲେ 
କଳା ଦିଶିବ ସୂର୍ଯ୍ୟ ପଦ୍ମକୁ, ଦିଶୁ !

ମେଘ ଓ ସୂର୍ଯ୍ୟ ଏକାସାଙ୍ଗେ ଆସି
ବିଦ୍ରୋହ କରିପାରିବେନି ତୋ ସହ,
ତୁ ଜଣକୁ ପାରିବୁ !

ପାଣି ଭିତରେ ଖୋଲିଲେ ଆଖି
ଲୁଣିଆ ହେବନି ଜଳ
ଗଭୀରକୁ ଯିବୁ କି ସିଧା ଯିବୁ ଇଚ୍ଛା ତୋର
ଯେତେ ଦୂର ଯାଇ ପାରିବୁ ଯିବୁ, ଗୋଟିଏ ବୁଡ଼ାରେ !

ପଦ୍ମନାଡ଼ ଭାଙ୍ଗିବୁ ନାହିଁ,
ତୋର ଆରକ୍ତ ଦୁଃଖଭୋଗ ମୁହୂର୍ତ୍ତରୁ
ଫୁଲ ଶୋଷି ନେଉଛି ଭ୍ରମରର ରକ୍ତ !

ତୋର ପାଲଟିଲା ଲୁଗା ରଖିବାର ଜାଗାକୁ
ତୀର୍ଥକ୍ଷେତ୍ର ବୋଲି
ସ୍ବୀକାର କରି ଫେରିଗଲା ଯେଉଁ  ପଦ୍ମ ତୋଳୁଥିବା ଲୋକଟି
କଳାନାଗ ସ୍ବପ୍ନରେ ବିଳବିଳେଇ ହେଉଛି ସବୁରାତି !

ଏଇ ଆଖର ବେଳାରେ
କେହି ଆସିବେ ନାହିଁ  ଦେବୀ
ତୋର ଗାଧୁଆ ଘାଟକୁ,
ଗର୍ଭଗୃହକୁ ତୋର ଭେଦିଛି ଆଲୁଅ
ଉଧଲି ଉଧଲି ଗାଧେଇବୁ ଯା’ !

Leave a Reply

Your email address will not be published. Required fields are marked *