Home » Magazine » ଅଶୋକ କୁମାର ପଟ୍ଟନାୟକ : କବିତା : ରାସ୍ତା

ଅଶୋକ କୁମାର ପଟ୍ଟନାୟକ : କବିତା : ରାସ୍ତା

ତୁମେ ସେଇ ରାସ୍ତା କଥା କହୁଛ ନା !
ଯେଉଁ ରାସ୍ତା ଦେଇ ମୁଁ
ଭେଟିଥିଲି ସୁଖ ଗଛର ଛାଇକୁ
ଛାଇ ତଳେ ସ୍ବପ୍ନମାନେ ପାଦ ଥାପି
ଆଙ୍କୁଥିଲେ ସବୁଜ ପ୍ରତିଶ୍ରୁତି
ମହକି ଯାଉଥିଲା ମାଟି।

ଏବେ ଆଉ ନାହିଁ ସେ ସବୁଜିମା
ସେଇ ରାସ୍ତା ଦେଇ
ଲମ୍ବିଥିବା ଗଛ ଓହଳରେ
ଆଉ ଦିଶୁନାହିଁ
ବାୟାଚଢ଼େଇର ବସା

ଛାଇ ତଳେ ନାହିଁ
ଆଶ୍ୱସ୍ତିର ନିଃଶ୍ୱାସ
ବାଟରେ ନାହିଁ
ଶୀତଳ ପବନର ଛୁଆଁ
ଯେଉଁ ପବନ ଦିନେ
ଧୋଇ ଦେଉଥିଲା
ଅନେକ କ୍ଳେଶ ଆଉ ଅବସୋସ ।

ତୁମେ ସେଇ ରାସ୍ତା କଥା କହୁଛ ନାଁ !
ସେ ରାସ୍ତା ଆଉ କାହିଁ ଯେ
ଯେଉଁଠି ମୁଁ ଭେଟିଥିଲି ତୁମକୁ
ନିୟନ୍ ବତୀର ଖୁଣ୍ଟ ତଳେ
ଆକାଶରୁ ଓହ୍ଲେଇ ଆସି
ଜହ୍ନ ବି ବସୁଥିଲା ଆମ ସହ…

ପ୍ରତିଶ୍ରୁତିର ସୂର୍ଯ୍ୟୋଦୟରେ
ରାସ୍ତା ଦିଶୁଥିଲା ଖୁବ୍ ଫର୍ଚା
ନଥିଲା କୁହୁଡ଼ିର ଆସ୍ତରଣ
ବଦଳି ଯାଉଥିଲା ସକାଳର ଦୃଶ୍ୟପଟ୍ଟ

ସେ ରାସ୍ତା ଆଉ କାହିଁ ଯେ
ଯେଉଁଠି ଛାଡ଼ି ଆସିଥିଲି
ମୋ ସମସ୍ତ ପାରିବାପଣର ମୁହୂର୍ତ୍ତମାନ
ମୋ ମନ୍ତ୍ରାୟିତ କସ୍ତୁରୀବନ ।

କେହି ଯଦି ଖୋଜି ଦିଅନ୍ତା ସେ ରାସ୍ତା
 ମୁଁ ଖୋଜନ୍ତି ମୋ ସ୍ମୃତିର ପାଦଚିହ୍ନ ସବୁ
ଫେରିଯାଇ ନିଜକୁ ନିଖୋଜ କରନ୍ତି,
ହଜାଇ ଦିଅନ୍ତି ନିଜକୁ ସେ ନିବିଡ଼ତା ପଥେ
ତାହା ହିଁ ହୁଅନ୍ତା ମୋର
ଏ ଜନ୍ମର ପରମ ପ୍ରାପ୍ତି
ମୋର ସେ ରାସ୍ତାର ଶେଷ ଆଶ୍ୱସ୍ତି….

Leave a Reply

Your email address will not be published. Required fields are marked *