




ଆ’, ଜାଳ ଦେଇ ସେକିବା ନିଆଁ
ଦିଆସିଲି କାଠିରେ ଏତେ ଲୁହ ଓ ଝାଳ ଯେ
ଜଳେଇବା କ’ଣ ସହଜ କଥା !
ଘାଆ ଉପରୁ ମାଛି ଘଉଡ଼େଇବାକୁ ମନା କରୁଛି ସହର
କିଛି ହଇଜା ବି ଲୋଡ଼ା ନା ଔଷଧ ଓ ଡାକ୍ତରୀ ଶିଳ୍ପ ପାଇଁ
ଜାଣିନ କି, ପ୍ରଜାପତିଙ୍କ ଡେଣାରେ ଚିନିଶିରା ବୋଳି
ମହୁଚାଷ କରୁଥିବା ମିଠା ଦୋକାନୀମାନେ ପରା
ଏବେ ମେୟର୍ ନିର୍ବାଚନରେ ପ୍ରାର୍ଥୀ
ସେମାନଙ୍କ ପଛେପଛେ ମହୁମାଛିମାନେ
ଶୋଭାଯାତ୍ରାରେ ମାଇକ୍ ଧରି ପଙ୍କରେ ତୋଳୁଛନ୍ତି ପଦ୍ମଉଆସ
ପାଣିରୁ ପାଉଁଜି ଓ ପାଦଶବ୍ଦ ଖୋଜିବାକୁ ଯାଇଥିବା
ଦମକଳ ବାହିନୀ ପବନରେ ପକେଇଛନ୍ତି ମାଛଧରା ଜାଲ ଯେ
ବିସ୍ଥାପିତମାନେ କୁଡ଼ିଆ ଓ କାନ୍ଦଣା କାଖେଇ ଚାଲିଯାଇଛନ୍ତି କୁଆଡ଼େ
ବଗ ଆଉ ବାଦୁଡ଼ି, ଉଭୟେ ମାଛ ଶିକାରୀ
ନଈର ଶିହରଣକୁ ସିନ୍ଦୁକରେ ରଖି
ମହାନଦୀରେ ବାଲିଘର ତୋଳିଥିବା ସାଧବପୁଅ
ମାଛିମାନଙ୍କ ସଙ୍ଗୀତକୁ ସଙ୍ଗାତ କରି ଚାଷ କଲାଣି ମଣିଷ-ଶୁଖୁଆ
କୁଆଡ଼େ ଭଲ ଲାଭ ମ ସେଥିରେ
ଆ’, ଗଦ୍ଯର ଗମ୍ଭୀରା ଭିତରେ ଗୋଡ଼ଛନ୍ଦି ବସିଥିବା
କବିତାକୁ କୋରିକୋରି ଶବ୍ଦମାନଙ୍କୁ ଶାଣ କରିବା
ଆଉଟିକେ ଜମିଆସୁ ଜ୍ବଳନ ଓ ଜହର
ନହେଲେ ତତେ କିଏ ନୀଳକଣ୍ଠ କହିବ ଯେ
ସୂର୍ଯ୍ୟକୁ ସଞ୍ଜବତୀ କରି ତଥାପି ଯୋଉମାନେ ଜଳଉଛନ୍ତି ଦୀପ,
ସେମାନେ ପାଲଟିସାରନ୍ତୁ ପୋଡ଼ାସଳିତା
ଯୋଉମାନଙ୍କ ପାଦକୁ ବାଟ ନିଅଣ୍ଟ,
ସେମାନେ ପାଲଟି ସାରନ୍ତୁ ପୁରୁଣା ଓ ପରିତ୍ୟକ୍ତ ଜୋତା
ପୁଣି ମଞ୍ଚରେ ମାଳ ପିନ୍ଧି ବସିବା ମ ଆମେ
ପ୍ରତିଦିନ ମାଳାରେ ଗଡ଼େଇବା ଶହେଆଠ ପାପ
ତୁଲି ଚୋରିହୋଇଯାଇଥିବ ବୋଲି ଭଣଭଣ ବାସୁଥିବ ମଶାଣି
ମଢ଼ ଛୁଇଁ ମାରା ହୋଇଯାଇଥିବା ମଣିଷମାନେ
ମାଛି ହୋଇଯାଉଥିବେ ଧୀରେଧୀରେ
ଡେଣାରେ ମନ୍ତ୍ରପୂତ ଅନ୍ଧାର ବାନ୍ଧି ଶାଗୁଣାମାନେ ସଜଉଥିବେ ସହର
ସେଦିନ ମଳୟ-ମଦିରା ପିଇ ପୁଣି ବସନ୍ତ ଆସିବ ମ
ଦେହହୀନ ମୁହଁହୀନ ମୋହହୀନ ମଣିଷମାନଙ୍କ
ଫାଜିଲ୍ ଫଗୁଣର ଫସଲରେ ଫିସାଦିଆ ହସଟେ ପିନ୍ଧି…
There is 1 comment
ପ୍ରତ୍ୟେକ କବିତାକୁ ମୁଁ ଉପଭୋଗ କରେ ମୋ ନିଜ ଶୈଳୀ ରେ
ଖାସ କରି ମୋ ପ୍ରିୟ ପୂଜ୍ୟ କବିଙ୍କ କବିତା ପଢିଲେ ସବୁ ଦୁଃଖ ଭୁଲିଯାଏ, ମୋ ଶିରା ପ୍ରଶିରା ରେ ଖେଳିଯାଏ ଆଲୋଡନ, ଧାଡିଏ ଶବ୍ଦ ପାଇଁ ବି ବେଳେବେଳେ ମୋ ରାତି କଟିଯାଏ, ଖୁସିରେ ଆତ୍ମହରା ହୁଏ, କବିଟିଏ କ’ଣ କେବଳ କବିରେ ସିମିତ ନା’ମ ମୋ ଭାଷାରେ ସେ ପ୍ରିୟ ମଣିଷ ଭଲ ମଣିଷ ଭଲ ବାପାଟିଏ। ଆମ ଭଳି ପିଲାମାନଙ୍କୁ କଲମ ଧରେଇ ଆଗକୁ ଯିବାର ପ୍ରଥମ ଶ୍ରେୟତାଙ୍କର
ମୋର ପରମ ସୌଭାଗ୍ୟ କବିତାଟିଏ ଆବୃତ୍ତି କରିବାର ସୁଯୋଗ ପାଇଛି।। ପ୍ରଣାମ ଉଭୟଙ୍କୁ ।। ତିଲୋତ୍ତମା କବିତା ବହି ପାଇଲେ ନିଶ୍ଚିତ ଶୁଣିବେ ମୋ ସ୍ୱରରୁ ସୁନ୍ଦର କବିତା ସବୁ ।।କବିତା ଏକା ଏକା ଏକଲବ୍ୟ।କ୍ରୋଞ୍ଚ କାବ୍ୟ,ବାପା, ଅହଲ୍ୟା, କାହ୍ନୁପରି କେହି ଓ ଉପନ୍ୟାସ ଭାଲେଣ୍ଟାଇନ ଡେ ପଢିଲେ ଜଣେ କବିତା ନ ଲେଖୁଥିବା କବି କଲମ ଧରିବ ସିରିଜ କବିତା କେମିତି ଲେଖାଯାଏ କୌଶଳ ବି ଶିଖିପାରିବ ମୋର ଅଭିମତ।।