ଭଲରେ ଥା’ କବି
।। ଅମରେନ୍ଦ୍ର ମାଧବ ଦାଶ ।।
ଶବ୍ଦକୁ ସାଞ୍ଜୁ
କବିତାକୁ କବଚ କରି
ଭଲରେ ଥା’, ଗାତରେ ଥା’ କବି…
ପଚୁଥିବା ମୁଠେ ଚାଉଳର
ହାଣ୍ଡିଏ ତୋରାଣି ଆଶ୍ରାରେ
ଜୀବନ ଜିଉଁଥିବା ଆମେ ବି
ଭଲରେ ଅଛୁ, ବେଶ ଖୁସିରେ ଅଛୁ…
ତମେ ଯେତେବେଳେ ବିଭୋର
ଫୁଲ, ଜହ୍ନ, ତାରାଙ୍କୁ ନେଇ
ସେତେବେଳେ ହୀନିମାନ ଜୀବନକୁ ହିଂସାକରି
ଥୋକେ ଲୁଟି ଚାଲିଛନ୍ତି ଆମକୁ
ଆମ ଷଣ୍ଢାରେ ଅତର୍କିତ ଠେସାମାରି
ଭାଙ୍ଗି ଦେଇଛନ୍ତି ମେରୁହାଡ଼
ଚର୍ଚର୍ କାଟି ଦେଇଛନ୍ତି ପାପୁଲି
ଛିଣ୍ଡାଇ ନେଇଛନ୍ତି ହାତ
କୁଚକୁଚେଇ ଦେଇଛନ୍ତି ଆମର ନଳିପଙ୍ଗ
ଜଂଘରୁ ଖସେଇ ଦେଇଛନ୍ତି ପୁଟ ପୁଟ କରି ମାଉଁସ…
ଆମ ହତଭାଗ୍ୟଙ୍କ ଦୁଃଖ ଦେଖି
ଫାଟିପଡ଼ୁଛି ଯେଉଁ ସହୃଦଙ୍କ ହୃଦୟ
କାନ୍ଦୁଛନ୍ତି ରକ୍ତନିଗିଡ଼ା କାନ୍ଦ
ଦିନ ଆଲୁଅରେ ଦେଖାଇ ହେଉଛନ୍ତି
ସେମାନେ ଗୋଟାପଣେ ଆତ୍ମୀୟ ଆମର
ଭଲ ଭାବରେ ସେମାନଙ୍କୁ ଚିହ୍ନିଛୁ ଆମେ
ରାତିର ଘନ ଅନ୍ଧକାରରେ
ଓହ୍ଲାଇଦେଲା ବେଳେ ଭଦ୍ରମୁଖା ସେମାନଙ୍କର
ଦେଖିଛୁ ତାଙ୍କର ଶାଣଦିଆ ତୀକ୍ଷ୍ଣ ଦାନ୍ତ
କମାରଶାଳରେ ପଜେଇ ରଖୁଥିବା ନଖ
ରକ୍ତମୁଖା ଶୃଗାଳର ବୀଭତ୍ସ ମୁଖ…
ତମେ ଯେତେବେଳେ
ସ୍ତମ୍ଭନ, ଲେହନ, ଚୁମ୍ବନରେ ମତୁଆଲା
ଆମେ ଜୋକ, କୀଟ, କୂର୍ମ, ମ୍ଲେଚ୍ଛ ହେଇ
ଅଣ୍ଡାଳି ଚାଲିଛୁ ଆମ ଭାଗର ଭାଗ
ଗୁହ, ମୂତ, ପୁଜରେ ଘାଂଟି ହେଇ
ଦେଖିଚାଲିଛୁ ସ୍ବପ୍ନ ଆସନ୍ତାକାଲିର…
ଶବ୍ଦକୁ ଶିରସ୍ତ୍ରାଣ
କବିତାକୁ କୁହୁକ ମନ୍ତ୍ରରେ ମନ୍ତ୍ରେଇବାରେ
ବ୍ୟସ୍ତଥିବା ତମେ, ଛାତି ଫୁଲେଇ
ଭଲରେ ଥା’, ଗାତରେ ଥା’ କବି…
ଆମେ ବି ଅନ୍ଧ, ମୂକ, ବଧୂର ହେଇ
ଭଲରେ ଅଛୁ ଏଇଠି…
କେବଳ ଅପେକ୍ଷା ଯାହା
ଭାଙ୍ଗିଯିବା ଯାଏଁ ତମର ଅହଂକାର।
ଭୁବନେଶ୍ୱର