Home » Magazine » ଅଜୟ କୁମାର ମହାନ୍ତି : ଗଳ୍ପ : ଏକ ନୂତନ ସକାଳର ଅପେକ୍ଷା

ଅଜୟ କୁମାର ମହାନ୍ତି : ଗଳ୍ପ : ଏକ ନୂତନ ସକାଳର ଅପେକ୍ଷା

               ଚଇତିମେଘ ପରି ଅସରାଏ ବର୍ଷି ଯାଇ ଚୁପ୍ ହେଇଗଲା ବର୍ଷା। ଆଖିରେ ଟଳମଳ ଲୁହ। ବେଦନାସିକ୍ତ ହୃଦୟରେ ଝର୍କା ଆଡ଼କୁ ମୁହଁ କରି ବସିଛି, ଆଉଟୁପାଉଟୁ  ଅଭିମାନ ସବୁକୁ ସନ୍ତୁଳି ସନ୍ତୁଳି ଛାତି ଭିତରେ।

କାହା ପାଖରେ ମନକଥା କହିବ..? ଆପଣା ସୁନା ତ ଭେଣ୍ଡି। ଟିକିଏ ଦୂରରେ ବସିଛନ୍ତି ରଜତ, ସବୁଦିନ ପରି ନିର୍ବିକାର। ଏତେଗୁଡ଼ିଏ କଥା ତା’ ପାଖରୁ ଶୁଣିସାରିବା ପରେ ବି କୌଣସି ପ୍ରତିକ୍ରିୟା ନାହିଁ କି କୌଣସି ପ୍ରଚେଷ୍ଟା ବି ନାହିଁ ତାକୁ ମନେଇ ପାଇଁ। କି ଭଳିଆ ଏ ଲୋକ କେଜାଣି..?? କି ଉପାଦାନରେ ଗଢ଼ା ତାଙ୍କର ମନ, ହୃଦୟ ଓ ଶରୀର..!!

ଆଜି ରବିବାର। ରଜତଙ୍କ ଅଫିସ ଛୁଟି। ପ୍ରତିଷ୍ଠିତ ଏକ ସଫ୍ଟଓୟାର କଂପାନୀରେ ସେ ଇଞ୍ଜିନିୟର। ବର୍ଷା ଗୃହିଣୀ। କମ୍ପ୍ୟୁଟର ବିଜ୍ଞାନରେ ବି-ଟେକ୍ କରିଛି। ବିଭାଘରବେଳେ ରଜତଙ୍କ ସର୍ତ୍ତ ଥିଲା, ବର୍ଷା ଚାକିରୀ କରିବନାହିଁ। ସେ ଗୃହିଣୀ ହେବ… ହୋମ-ମେକର୍। ବର୍ଷା ରାଜି ହୋଇଯାଇଥିଲା ତା’ର ସବୁତକ ସ୍ବପ୍ନକୁ ଜଳାଞ୍ଜଳି ଦେଇ। ରଜତ ପରି ସୌମ୍ୟପୁରୁଷକୁ ପାଇବା ପାଇଁ ସେ ସବୁକିଛି ତ୍ୟାଗ କରିବାକୁ ପ୍ରସ୍ତୁତ ଥିଲା।

ଏଇ କିଛିଦିନ ହେବ ରଜତଙ୍କ ବ୍ୟବହାରରେ କିଛି କିଛି ଅଲଗା ଅନୁଭବ କରୁଛି ସେ। ଲାଗୁଛି ରଜତ ତାକୁ ଯେମିତି ଟିକେ ଅବହେଳା କରୁଛନ୍ତି। ହୁଏତ ଏହା ତା’ର ଭ୍ରମ ବି ହୋଇପାରେ..! ତାଙ୍କ ସହ ଅଫିସରେ କାମ କରୁଥିବା ସେଇ କେରଳୀ ଝିଅଟା ତାଙ୍କୁ ଆଜିକାଲି ସମୟ ନାହିଁ ଅସମୟ ନାହିଁ, ବାରମ୍ବାର ଫୋନ୍ କରୁଛି। ତା’ର ଫୋନ୍ ଆସିଲେ ବର୍ଷା ଛାତିରେ ହାତୁଡ଼ି ପିଟିହେଲା ଭଳି ଲାଗେ। ରଜତଙ୍କୁ ସେ ବାରମ୍ବାର ବିରକ୍ତ କରୁଛି ସେଇ ଝିଅଟି ବିଷୟରେ ପଚାରି ପଚାରି। ଯଦିଓ ରଜତ ଥରକୁ ଥର ତାକୁ ବୁଝେଇଦିଅନ୍ତି ଯେ ସେ ଝିଅଟି ତାଙ୍କ ପାଖରେ କାମ କରେ ଓ ଅଫିସ୍ କାମରେ ହିଁ ଫୋନ୍ କରେ ବୋଲି। ଝିଅଟି ନୂଆକରି ତାଙ୍କ କମ୍ପାନୀରେ ଜଏନ କରିଛି ଓ ତାଙ୍କଠାରୁ ଅତିକମରେ ପନ୍ଦରବର୍ଷ ସାନ ହେବ ସେ। ସଦ୍ୟ କଲେଜ ପାସ କରି ବାହାରିଛି। ଛୋଟ ଝିଅଟିଏ ଭଳି ତା’ର ବ୍ୟବହାର।

ବର୍ଷା ଚୁପ୍ ରହିଯାଏ। ମନକୁ ବୁଝେଇଦିଏ : ମୁଣ୍ଡ ଭିତରକୁ ଏତେ ନକାରାତ୍ମକ ଚିନ୍ତା କାହିଁକି ଆସୁଛି..!! ନିଜେ ନିଜେ ଆଶ୍ଚର୍ଯ୍ୟ ହୁଏ। ନିଜକୁ ସୁଧାରିବାକୁ ଚେଷ୍ଟାକରେ। ହେଲେ ବାରମ୍ବାର ସେଇକଥା ମୁଣ୍ଡରେ ପଶେ। ପୂର୍ବଦିନ ଶନିବାର ଥିଲା।ଦୁଇଜଣ ଯାଇଥିଲେ ପାଖ ମଲକୁ। ସେଦିନ ଦେଖାହେଇଗଲା ସେଇ କେରଳୀ ଝିଅଟି ସହିତ ସେଇ ମଲରେ। ବର୍ଷା ସହିତ ପରିଚୟ କରେଇଦେଲେ ରଜତ। ଆରେ କି ସ୍ମାର୍ଟ ଝିଅ ସତେ..!! ଜିନ୍ସପ୍ୟାଣ୍ଟ ସାଙ୍ଗରେ ଟପ୍… ସୁନ୍ଦର ପରିପାଟୀ। ଆମେରିକାନ ଏସେଣ୍ଟ ରେ ଇଂରେଜୀ କହୁଛି। ଝିଅଟି ବେଶ୍ ଭଦ୍ର ଓ ମାର୍ଜିତ ବି। ସମସ୍ତେ ମିଶି କଫି ପିଇଲେ। ଆବଶ୍ୟକତା ଠାରୁ ଅଧିକ କଥାବାର୍ତ୍ତା କରୁଥାଏ ସେ, ଯେମିତି ରଜତ ସହିତ ଖୁବ୍ ଅନ୍ତରଙ୍ଗ ଆତ୍ମୀୟତା ଅଛି।

ମଲରୁ କିଣା କିଣି କରି ସେମାନେ ଫେରିଆସିଲେ। ବର୍ଷାର ମନଟା କିନ୍ତୁ ଖଟା ହେଇଯାଇଥାଏ। ଚାକିରୀ ନକରିବାର ଅବସୋସ ଆଜି ତା ମୁଣ୍ଡ ଭିତରଟାକୁ ପୂରା ଆବୋରି ନେଇଥିଲା। ଏତେଗୁଡ଼ାଏ ପାଠ ପଢିବା ତାକୁ ପୂରା ନିରର୍ଥକ ଲାଗୁଥାଏ। ନିଜକୁ କେରଳୀ ଝିଅଟି ସହିତ ତୁଳନା କରିବାକୁ ଆରମ୍ଭ କରିଦେଇଥିଲା ସେ। ଆରେ, ଏ ଭିତରେ ସେ ଗାଉଁଲୀ ଓ ପଛୁଆ ଲାଗିଲାଣି ଯେ…!! ଆଜି ନିଜକୁ ନୂଆ କରି ଆବିଷ୍କାର କଲା ବର୍ଷା। ଝିଅଟିର ରୂପ-ଲାବଣ୍ୟରେ ଯେ କେହି ବି ମୋହିତ ହୋଇଯିବ। ରଜତଙ୍କ ମନରେ କ’ଣ ଚାଲିଛି କିଏ ଜାଣେ..? ରଜତ ତାକୁ ଅବହେଳା କରିବାର କାରଣ ସେହି ଝିଅଟି ବି ହୋଇଥାଇପାରେ। ନିଜ ପ୍ରଶ୍ନର ଉତ୍ତର ନିଜେ ପାଏନା। ରଜତଙ୍କ ବ୍ୟକ୍ତିତ୍ଵ ଯେମିତି, ଯେ କୌଣସି ଝିଅ ତାଙ୍କ ପ୍ରତି ଆକର୍ଷିତ ହୋଇ ଯିବା ସ୍ୱାଭାବିକ। ପ୍ରେମ ବ୍ୟାପାରରେ ଝିଅଙ୍କର ଥରେ ପସନ୍ଦ ହୋଇଗଲେ ବୟସ ଫାୟସ ଆଉ ପ୍ରତିବନ୍ଧକ ହୋଇ ରହିନଥାଏ। ଆଉ ବେଙ୍ଗାଳୁରୁରେ ତ ଏ ସବୁ ନିତିଦିନିଆ ଘଟଣା। ବିବାହ ବିଚ୍ଛେଦ ଏଠି ପିଲାଖେଳ ଭଳି।

ସନ୍ଦେହର ବୀଜ ଥରେ ଅଙ୍କୁରିତ ହେଲେ ସବୁକିଛି ଓଲଟପାଲଟ ହୋଇଯାଏ।ପୃଥିବୀରେ ଅନେକ ପୁରୁଷ ଓ ନାରୀଙ୍କ ବେଦନା ଭରା କାହାଣୀ ଏହି ସନ୍ଦେହର କୁପରିଣାମ। କେତେ କେତେ ସଂସାର ଉଚ୍ଛନ୍ନ ହୋଇଯାଇଛି ଏହି ସନ୍ଦେହ ଯୋଗୁଁ। ମାନବ ଜୀବନର ପ୍ରତିଟି ସୋପାନରେ ସନ୍ଦେହ ଆଣେ କଳାବାଦଲର ଛାଇ। ସନ୍ଦେହ ପରିଣତ କରେ ପୀୟୂଷକୁ ବିଷରେ। ରଜତଙ୍କ ଅଜଣାତରେ ବର୍ଷା ତାଙ୍କ ମୋବାଇଲ୍ ଚେକ୍ କରେ। ରୀତିମତ ଗବେଷଣା ଚାଲେ। ସବୁ ଖବର ରଖିବାକୁ ଚେଷ୍ଟା କରେ। କୌଣସି ଫୋନ୍ ନମ୍ବର ନ ଜାଣିପାରିଲେ ରଜତଙ୍କୁ ପଚାରି ପଚାରି ହାଲିଆ କରି ଦିଏ। ରଜତ ସବୁ ଜାଣି ମନେ ମନେ ହସନ୍ତି। ବର୍ଷାର ଇନସିକ୍ୟୋରିଟି ଭାବନା ପାଇଁ ଦୁଃଖ କରନ୍ତି। ବର୍ଷା ତା’ର ସାଙ୍ଗମାନଙ୍କ ପାଖରୁ ଶୁଣେ, ବିବାହିତ ପୁଅଝିଅଙ୍କ ଗୋପନ ପ୍ରେମକାହାଣୀ। ଅଫିସରେ କେମିତି  ପାଖାପାଖି ବସି ଆରମ୍ଭ ହୋଇଯାଏ ଚୋରାପ୍ରେମ ବା ଖୋଲାଖୋଲି ପ୍ରେମ। ଜୀବନକୁ ଉପଭୋଗ କରିବା ପାଇଁ ବେଙ୍ଗାଳୁରୁରେ ସବୁ କିଛି ଲଭ୍ୟ। ପବ୍, ପାର୍କ, ସିନେମା ହଲ୍, ମଲର ଅଭାବ ନାହିଁ। ଅଭାବ ଅଛି ଯଦି ସଚ୍ଚାପ୍ରେମର,  ଯେଉଁଟାକୁ ଆଧୁନିକ ପିଢ଼ିର ମଣିଷ ବିଶ୍ୱାସ କରନ୍ତିନାହିଁ। ସବୁକିଛି ଏଠି ଦୈହିକ, ଆତ୍ମିକ ବୋଲି କିଛି ବି ନାହିଁ। ପସନ୍ଦ ହେଲା ତ କିଛିଦିନ ରହିଲେ ଲିଭ୍-ଇନରେ, ଗୋଟିଏ ଛାତ ତଳେ।ତା’ପରେ ଚାଲିଲେ ପୁଣି ନିଜରାସ୍ତାରେ।                  

ହିନ୍ଦୁଧର୍ମରେ ବିବାହ ଏପରି ଏକ ବନ୍ଧନ, ଯାହା ବିଶ୍ୱାସ ଉପରେ ଆଧାରିତ। ବିଶ୍ୱାସ ଥରେ ଭାଙ୍ଗିଗଲେ ଆଉଥରେ ଯୋଡ଼ିହୁଏ ନାହିଁ। ବନ୍ଧନ ଶିଥିଳ ହୋଇଯାଏ।ପରମ୍ପରା କ୍ଷୁର୍ଣ୍ଣ ହୁଏ। ଶିକ୍ଷା ସଂସ୍କୃତିର ଅବକ୍ଷୟ ଘଟେ। ସବୁଜାଣି ବି ଅଜଣା ହୁଅନ୍ତି ନବ ଯୁବକ ଓ ଯୁବତୀମାନେ। ଯୌବନ ମତୁଆଲା କରେ ଆଦମ୍ ଓ ଇଭଙ୍କ ପରି ସେହି ନିଷିଦ୍ଧ ଫଳ ଖାଇବାକୁ। କିନ୍ତୁ ସଂସ୍କାରିତ ପ୍ରାଣ ସଞ୍ଜତ ହୁଏ। ପ୍ରଲୋଭନରୁ ଦୂରେଇ ରହେ।

ନା’ ଆଉ ସହି ହେଉନି। ଅପ୍ରତ୍ୟାଶିତ ଭାବେ ଦିନେ ବର୍ଷା ପହଞ୍ଚିଗଲା ରଜତଙ୍କ ଅଫିସରେ। ଅଫିସ ତ ନୁହେଁ, ସାଜସଜାରେ ଗୋଟିଏ ପଞ୍ଚତାରକା ହୋଟେଲ ଭଳି। ରଜତ ନିଜେ ଆସି ତାକୁ ଭିତରକୁ ପାଛୋଟି ନେଇଗଲେ। ଖୁବ୍ ଖାତିରଦାରି କଲେ। ଇନ୍ଦ୍ରଭୁବନ ଭଳି ଲାଗୁଛି। ବିଶାଳକାୟ ହଲ୍। କାମ କରୁଛନ୍ତି ସୁନ୍ଦରୀ ସ୍ମାର୍ଟ ଝିଅମାନେ। ପୁଅଙ୍କ ସଂଖ୍ୟା ବେଶି ନାହିଁ। ସମସ୍ତେ କାର୍ଯ୍ୟ ବ୍ୟସ୍ତ। କାହାରି ଆଡ଼କୁ ସେମାନଙ୍କର ନଜର ନାହିଁ। ରଜତ ମଝିରେ କୃଷ୍ଣଙ୍କ ଭଳି ବସିଛନ୍ତି, ତାଙ୍କ ଚାରିପାଖରେ ଗୋପୀକାମାନେ। ଛିଃ, ଏସବୁ କଣ ଭାବୁଛି ସିଏ..!! ଏଇ ଝିଅମାନେ ଚଳଚ୍ଚିତ୍ର ଅଭିନେତ୍ରୀଙ୍କ ଠାରୁ ବି ଅଧିକ ସୁନ୍ଦର ଦେଖାଯାଉଛନ୍ତି। ଏମାନଙ୍କ ମାୟାରେ ଯେ କୌଣସି ପୁରୁଷ ପଡ଼ିଯାଇପାରେ। ବର୍ଷାର ମୁଣ୍ଡ ଝିମ୍ ଝିମ୍ ହେଲା। ଯେତେ ସବୁ ବାଜେକଥା ତା’ର ମୁଣ୍ଡକୁ ଆସୁଛି। ପ୍ରକୃତିସ୍ଥ ହେଲା ସେ। ରଜତ କଫି ମଗେଇଲେ। ଦୁଇଜଣ ମିଶି କି କଫି ପିଇଲେ। କିଛି ସମୟ ପରେ ସେ ଘରକୁ ଫେରିଆସିଲା।

ଘରେ ବସି ଆଉଥରେ ସେ ଭାବନା ରାଇଜରେ ବୁଡ଼ିଗଲା। ସନ୍ଦେହର କଳାମେଘ ପୁଣି ଥରେ ଘେରିଆସିଲା ତା’ର ମନର ଆକାଶ ଭିତରେ। ସେଇ ଝିଅମାନଙ୍କ ମଧ୍ୟରୁ କାହାରି ସାଙ୍ଗରେ ରଜତର ଆଫେୟର ନାହିଁ ତ..!! ଆଖିରେ ଲୁହ ଟଳମଳ ହେଲା। ମୁଣ୍ଡ ବିନ୍ଧିବାକୁ ଆରମ୍ଭ କଲା। ବାନ୍ତି ବାନ୍ତି ଲାଗିଲା।

ଏତିକିବେଳେ, ଫୋନ୍ ରିଙ୍ଗ ହେଲା। ମାଆଙ୍କ ଫୋନ୍ ବୋଧହୁଏ। ଏହି ସମୟରେ ଫୋନ୍ କରନ୍ତି ସେ। ଘରର ସମସ୍ତ କାର୍ଯ୍ୟ ସରିଗଲା ପରେ ମାଆଝିଅ ଦୁହେଁ କଥାବାର୍ତ୍ତା ହୁଅନ୍ତି। ବାର ବାର ଫୋନ୍ କରୁଛନ୍ତି ମାଆ। ହେଲେ ସେ ଫୋନ୍ ଉଠେଇଲା ନାହିଁ। ବାଜୁ ଥାଉ। କଥା ହେବାକୁ ତା’ର ଆଗ୍ରହ ନଥିଲା ଜମା। କିନ୍ତୁ ମାଆ ପୂରା ବ୍ୟସ୍ତ ହୋଇଗଲେଣି। ସେ ଫୋନ୍ ନ ଉଠେଇଲେ ପାଗଳି ପ୍ରାୟ ହୋଇଯାଆନ୍ତି ସେ। ଶେଷରେ ବାଧ୍ୟ ହୋଇ ମାଆଙ୍କ ଫୋନ୍ ଉଠେଇଲା ବର୍ଷା। ମାଆଙ୍କୁ ସବୁ କଥା କହିଲା। ଏଇ ଚାରିକାନ୍ଥ ଭିତରେ କିପରି ସେ ରୁନ୍ଧି ହେଇଯାଉଛି ସେ କଥା ବି କହିଲା। କହିଲା କିଛି ବ୍ୟବସ୍ଥା କରିବାକୁ ବି।

ମାଆ କିଛି କିଛି ଅନୁମାନ କରି ପାରୁଥିଲେ। ଜାଣିଲେ, ଯେ ବର୍ଷା ଘରେ ସବୁବେଳେ ରହି ରହି ଅବସାଦଗ୍ରସ୍ତ ହେଇଗଲାଣି। ରଜତ ସାଙ୍ଗରେ ରାତିରେ କଥା ହେବେ କହି ଫୋନ୍ ରଖିଦେଲେ।

ବର୍ଷା ଶୋଇଥାଏ। ଦିନ ତିନିଟା ବାଜିଲାଣି। ଏ ପର୍ଯ୍ୟନ୍ତ ସେ ଖାଇନାହିଁ। ମନଟା ବି ଭଲ ଲାଗୁନାହିଁ। ଯାହା ସକାଳେ ଖାଇଥିଲା, ଏ ପର୍ଯ୍ୟନ୍ତ ହଜମ ବି ହେଇନାହିଁ। ଖାଲି କାନ୍ଦ କାନ୍ଦ ଲାଗୁଛି। ମାଆଙ୍କ ସଙ୍ଗେ କଥାବାର୍ତ୍ତା ହେଇସାରିଲା ପରେ ମନ ଟିକେ ହାଲକା ଲାଗୁଥିଲା। ଅଳ୍ପକିଛି ଖାଇଲା ଓ ଖାଇ ସାରି ନିଦରେ କିଛି ସମୟ ଶୋଇପଡ଼ିବାକୁ ଚାହିଁଲା। ଏବେ ଆଖିରେ ନିଦ ନାହିଁ। କିଏ ଯେପରି ତା’ ନିଦକୁ ଅପହରଣ କରି ନେଇଯାଇଛି। ରଜତ ଆସି ପହଁଚିଲେ ସନ୍ଧ୍ୟା ସାତଟାରେ।

ମୁହଁ ମାଡ଼ି ଶୋଇଥିଲା ବର୍ଷା।ସକାଳ ଡ୍ରେସ୍ ବଦଳେଇ ନାହିଁ। ସେ ଆସିବା ପୂର୍ବରୁ ଖୁବ୍ ସଜ ହେଇ ବସିଥାଏ ବର୍ଷା। ଏଇ କିଛିଦିନ ହେଲା ସେ ଦେଖୁଛନ୍ତି ତା’ର ଉଦାସ ଉଦାସ ଭାବ। ରଜତ ଆସି ପାଖରେ ବସିଲେ। ଖୁବ୍ ଗୁଡ଼ିଏ ଗେହ୍ଲା କରି ପକେଇଲେ। ନିଜେ କଫି ତିଆରି କରି ଆଣିଲେ। ଦୁଇଜଣ ମିଶି କଫି ପିଇଲେ। ତାକୁ ଜୋକ୍ କହି ହସେଇବାକୁ ଚେଷ୍ଟା କଲେ। ଏହି ସମୟରେ ଶାଶୁମାଆଙ୍କ ଫୋନ୍ ଆସିଲା। ବର୍ଷା ବିଷୟରେ ସବୁକଥା ତାଙ୍କୁ କହିଲେ। ତାଙ୍କର ଦୃଢ଼ ବିଶ୍ୱାସ ଥିଲା ରଜତ କେବେ ଅବାଟରେ ଯିବେ ନାହିଁ। ଶାଶୁଙ୍କୁ କଥାଦେଲେ ଯେ ବର୍ଷା ଦୁଇଦିନ ଭିତରେ ଠିକ୍ ହୋଇଯିବ।

ତା’ ପରଦିନ ଛୁଟିନେଇ ମନୋବିଜ୍ଞାନୀ ଡାକ୍ତରଙ୍କ ପାଖକୁ ନେଇଗଲେ ବର୍ଷାକୁ। ଡାକ୍ତର ବୁଝେଇଦେଲେ ଯେ ଏଇଟା ପ୍ରାଇମେରୀ ଡିପ୍ରେଶନର ଲକ୍ଷଣ। କିଛି କାମରେ ବ୍ୟସ୍ତ ରହିଲେ ଖୁବ୍ ଶୀଘ୍ର ସେ ସ୍ଵାଭାବିକ ହୋଇଯିବେ। ରଜତ ବୁଝିପାରିଲେ ଅସଲ କଥା। ବର୍ଷା ଏକୁଟିଆ ଦିନସାରା ଘରେ ରହିବାରୁ ତା’ର ଏହି ପ୍ରକାର ସମସ୍ୟା ଆସିଛି। ତା’ ଛଡା କର୍ମଜୀବୀ ଝିଅମାନଙ୍କୁ ଦେଖି ତା’ର ଈର୍ଷାଭାବ ଆସିଯାଇଛି। ସେ ଯଥେଷ୍ଟ ଯୋଗ୍ୟ ଥାଉଁ ଥାଉଁ କିଛି କରି ନପାରିବାର ହତାଶା ମଧ୍ୟ ତା’ର ନିଜ ପ୍ରତି ଥିବା ଆସ୍ଥା ଓ ବିଶ୍ଵାସର ମୂଳଦୁଆ ଉପରେ ଘୁଣପୋକ ପରି ଚରି ଯାଉଛି। ଏ ସବୁର ସମାଧାନ ହେଉଛି ଚାକିରୀ। ରାତିରେ ବର୍ଷା କାନରେ ଧୀରେ ଧୀରେ ପଚାରିଲେ, ବର୍ଷା, ତୁମେ ଚାକିରୀ କରିବାକୁ ଚାହୁଁଛ କି ? ତୁମ ପାଇଁ ଆମ ଅଫିସରେ ଜବ୍ ଅଛି। ତୁମେ ଖାଲି ହଁ କଲେ ହେଲା। ଆମ ଦୁଇଜଣଙ୍କର ଟଙ୍କା ମିଶିଲେ ବେଙ୍ଗାଳୁରୁରେ ଗୋଟେ ବଡ଼ଫ୍ଲାଟ୍ କିଣି ଦେଇପାରିବା।

 ବର୍ଷା ଚମକି ପଡ଼ି ଉଠି ବସିଲା।ଯେଉଁଲୋକ ବିଭାଘର ଆଗରୁ ସର୍ତ୍ତ ରଖିଥିଲା ସେ ଚାକିରୀ କରିବ ନାହିଁ ବୋଲି, ଆଜି ସେ ନିଜେ ଚାକିରୀ କରିବାକୁ ପ୍ରସ୍ତାବ ଦେଉଛି..!! ଆଶ୍ଚର୍ଯ୍ୟ ହେଲା ସେ ଓ ଆନନ୍ଦ ଲରେ ଗଦ୍ ଗଦ ବି ହେଇଗଲା। କୃତଜ୍ଞତାରେ ଆଖି ଦୁଇଟି ତା’ର ମୁଦି ହୋଇ ଆସୁଥିଲା। କହିଲା, ସତ କହୁଛ ରଜତ, ମୋତେ ଚାକିରୀ କରିବାକୁ ଅନୁମତି ଦେବ..?? ରଜତ ହସି ହସି ଆଉ ଥରେ ହଁ କହିଲେ।

ବର୍ଷା ପାଖକୁ ଆସି ଦୃଢ଼ ଆଲିଙ୍ଗନରେ ବାନ୍ଧି ଦେଲା ରଜତକୁ ଓ କହିଲା – ସତରେ ରଜତ, ତୁମେ ମୋତେ ଏହିପରି ବହୁତ୍ ସମୟରେ ଚକିତ କରିଦିଅ।ଆଇ ଲଭ୍ ୟୁ।

ପରଦିନ ବର୍ଷାର ହାବଭାବରେ ବହୁ ପରିବର୍ତ୍ତନ ଦେଖାଗଲା। ପୂର୍ବ ପରି ଚଳଚଞ୍ଚଳ ହେଇଉଠିଲା ସେ। ରଜତ ଅଫିସ ବାହାରିଲା ବେଳେ ହସି ହସି କହିଲା, ଆପଏଣ୍ଟମେଣ୍ଟ ଲେଟର ଯେମିତି ଶୀଘ୍ର ମିଳେ।

ସମସ୍ତ ଅଭିମାନ, କ୍ରୋଧ, ଈର୍ଷା, ହୀନମନ୍ୟତା ବରଫ ଭଳି ମିଳେଇ ଗଲା ଏକ ନୂଆ ସକାଳର ଅପେକ୍ଷାରେ। ରଜତ ଅଫିସ ଚାଲିଗଲା ପରେ ଘରକାମ ସହ ନିଜର ସମସ୍ତ କାର୍ଯ୍ୟ ସାରିଦେଲା ଶୀଘ୍ର ଶୀଘ୍ର। ଆଲମୀରା ଭିତରେ ରଖିଥିବା ନୂଆ ଡ୍ରେସ୍ ସବୁ ପିନ୍ଧିଲା। ଅଫିସ ଉପଯୋଗୀ କିଛି ଡ୍ରେସ୍ ବାହାର କରି ରଖିଲା। ଲାପଟପ୍ ବାହାର କରି ସି ପ୍ଲସ, ଜାଭା ପ୍ରୋଗ୍ରାମ କିଛି ଅଭ୍ୟାସ କଲା। କିଛି ଭୁଲି ନାହିଁ ସେ, ପାଠ ସବୁ ମନେଅଛି। ଖୁବ୍ ଶୀଘ୍ର ସେ କାମ ଧରି ନେଇପାରିବ ।

ଆଗ ଭଳି ଆଉ ମୁଣ୍ଡରେ ଯନ୍ତ୍ରଣା ହେଉନାହିଁ କି ନିଦରେ ବ୍ୟାଘାତ ହେଉନାହିଁ।ସତେଜ ଲାଗୁଛି। ମାଆଙ୍କୁ ଫୋନ୍ କରି ସମସ୍ତ କଥା କହିଲା। ରଜତ ଭଳି ଜ୍ବାଇଁ ପାଇଁ ତା’ର ମାଆ ବି କୃତ କୃତ ହେଉଥିଲେ।ଜାଣିଲେ, ରଜତ ପ୍ରକୃତ ରୋଗ ଚିହ୍ନିପାରିଛନ୍ତି। ସବୁର କାରଣ ହେଉଛି ଉଚ୍ଚଶିକ୍ଷିତ ଓ ଯୋଗ୍ୟଝିଅ ତା ନିଜର ସ୍ବପ୍ନ ମୁତାବକ କାମ ନ କରି ଘରେ ବସିରହିବା। ସେ ଧନ୍ୟବାଦ ଦେଉଥିଲେ ରଜତକୁ। ସନ୍ଧ୍ୟାବେଳେ ସୁନ୍ଦର ଲଫାପାଟିଏ ଆଣି ବର୍ଷା ହାତକୁ ବଢେଇଦେଲେ ରଜତ। ସଙ୍ଗେ ସଙ୍ଗେ ଲଫାପାଟିକୁ ଖୋଲି ବସିଲା ବର୍ଷା। ନିଯୁକ୍ତିପତ୍ରକୁ ଧରି ନାଚି ଉଠିଲା ବର୍ଷା। ରଜତକୁ କୁଣ୍ଢାଇ ଧରି କହିଲା, ମୋ ଜୀବନର ବହୁ ଆକାଂକ୍ଷିତ ସ୍ବପ୍ନକୁ ତୁମେ ଆଜି ସାର୍ଥକ କରିଦେଲ, ରଜତ..!!

There is 1 comment

  1. ଗାଳ୍ପିକ ଅଜୟ କୁମାର ମହାନ୍ତିଙ୍କ ଠାରୁ ହ୍ବାଟ୍ସପ୍ ମାଧ୍ୟମରେ ପ୍ରାପ୍ତ ମନ୍ତବ୍ୟ :

    ନମସ୍କାର ତ୍ରିନାଥ ବାବୁ । ଚଉକାଠର କିଛି ଅଂଶ ପଢ଼ିଲି । ବାକି କାଲି ସକାଳେ ପଢ଼ିବି । ଆପଣଙ୍କର ସମ୍ପାଦକୀୟଟି ପଢ଼ି ଓ ଶୁଣି ଅଭିଭୂତ ହେଲି । ଏ ଭଳି ଇ-ମାଗାଜିନ୍ ଓଡ଼ିଶାରେ ବିରଳ । ଆପଣଙ୍କୁ ଅଶେଷ ଧନ୍ୟବାଦ, ମୋ ଗଳ୍ପଟି ସ୍ଥାନିତ କରିଛନ୍ତି । ଭଗବାନଙ୍କ ପାଖରେ ପ୍ରାଥନା କରୁଛି, ଆପଣଙ୍କ କବି ପ୍ରତିଭା ଓ ବଳିଷ୍ଠ ସମ୍ପାଦନାର ଉତ୍ତରୋତ୍ତର ଉନ୍ନତି ହେଉ । ବହୁତ ଧନ୍ୟବାଦ ଆପଣଙ୍କୁ ।

Leave a Reply

Your email address will not be published. Required fields are marked *