Home » Magazine » ଅଜୟ କୁମାର ଜେନା : କବିତା : କିଛି ଦୁଖଃ କାଲିକି ଥାଉ

ଅଜୟ କୁମାର ଜେନା : କବିତା : କିଛି ଦୁଖଃ କାଲିକି ଥାଉ

ଆଜି ଗାଧୋଇସାରିଲେଣି ବେକେ ଅନ୍ଧାରରେ
ଅଧା ଅଧା ଶିଖିଗଲେଣି ଲୁହ ପହଁରା
କଣ୍ଟାରେ ଚାଲିଆସିଲେଣି କୋଶେ ବାଟ
ଧୀରେ ଧୀରେ ନିଆଁକୁ ବି ପ୍ରଶ୍ବାସରେ ରୁନ୍ଧିଦେଲେଣି ଆମେ।

ତୁ କହିସାରିଲୁଣି ମତେ
କୁମ୍ଭୀର କେମିତି ଅଧାନଈକୁ ଟାଣିନେଲାଣି
ଭାଗ୍ୟ ଓ ଭବିତବ୍ୟ।

ମୁଁ କହିସାରିଲିଣି ତତେ
କେମିତି ଫେରିବା କୂଳକୁ,
କୂଳରେ ଅନାଇ ବସିଛି ବାଘ..!

ଆଉ ଫେରିଚାହାଁନା ପଛକୁ
ପଛକୁ ବି କୋଉ ଫେରିପାରେ ସମୟ
ଦାଦୁଲ୍ୟମାନ ଦିଶୁଥାଉ ପଛେ ରାସ୍ତା
ଭୟଙ୍କର ଲାଗୁଥାଉ ପଛେ ବନସ୍ତ
ତଥାପି ଆମକୁ ସଅଳ ଉଠାଇବାକୁ ହବ ପାଦ
ବେଗି ବେଗି ଗମିବାକୁ ହବ ଗନ୍ତବ୍ୟ….

ଆ!
ଦୁଃଖର ଧାରୁଆ ଛୁରୀକୁ
ତୁ କାଢ଼ିଦେ ମୋ ପିଠିରୁ,
ମୁଁ କାଢ଼ିଦଉଛି ତୋ ଛାତିରୁ।
ତୁ ପୋଛିଦଉଥା ଲୁହ ମୋ ଆଖିରୁ
ମୁଁ ପୋଛିଦଉଛି ଲହୁ ତୋ ଛାତିରୁ।

ମୁଁ ହସିଲିଣି
ତୁ ଏବେ ହସିଦେ।
ହସ-ଲୁହ ,ଖରା-ଛାଇର ଏ ସଂସାର ଆମର
ଯିବାକୁ ଅଛି ଆମକୁ ପଥ ବହୁଦୂର
ପହଞ୍ଚିବାକୁ ଅଛି ରାତି ଆରପାଖେ
ପାରିହେବାକୁ ଅଛି ଗଭୀରତା ନଈର।

ଆଉ କିଛି କହନା,
ଆଜି ପାଇଁ କଥା ଏଇଠି ରହୁ
ଆଉ କିଛି ଦୁଃଖ କାଲିକି ଥାଉ..!!

There is 1 comment

  1. ହ୍ବାଟ୍ସପ୍ ମାଧ୍ୟମରେ ଅଜୟ କୁମାର ଜେନା, କେନ୍ଦୁଝରରୁ ଲେଖିଛନ୍ତି:

    ଖୁବ୍ ସୁନ୍ଦର ହେଇଛି। ସୁନ୍ଦର ପୃଷ୍ଠା। ବଢିଆ ସଜେଇଛନ୍ତି ଆପଣ।ପ୍ରଣାମ ନେବେ💜💜🙏🙏

Leave a Reply

Your email address will not be published. Required fields are marked *