ନୀଳ ଗଗନରେ ଜାଗିଛି ଚନ୍ଦ୍ରତାରା,
ବସୁଧା ବୁକୁରେ ମିଳନ ଛନ୍ଦଭରା,
ସ୍ୱପ୍ନେ ଉଛୁଳା ଯାହାର ସବୁଜଶିରୀ
ଧୂସର ମାଟିର ଶ୍ୟାମଳୀ କନ୍ୟା,
ଛୁଟାଇ ଚାଲିଛି ରୂପର ବନ୍ୟା,
ତନୁରେ ରଙ୍ଗ ଭରି ।୧।
ସ୍ତବ୍ଧ ଅଧୀର ସ୍ପର୍ଶ ବିଭୋର ଯିଏ,
ପ୍ରାଣ ସଞ୍ଚାରି ନିର୍ଜୀବ ଜଡ଼ ଦେହେ,
ଉଚ୍ଛ୍ୱାସ ତୋଳି ଲଜ୍ୟାଶୀଳାର ପ୍ରେମେ
ସିଏ ତ ପାରିଛି ବର୍ଷଣ କରି,
ମନ୍ଦାକିନୀର ଅମୃତବାରି,
ସହଜେ ମର୍ତ୍ତ୍ୟ ଭୂମେ।୨।
ସର୍ବଂସହା ସେ ପୃଥ୍ବୀ ବିଶ୍ୱରାଣୀ
ଆଦର ଯତ୍ନେ ଆମକୁ କରିଛି ଋଣୀ,
କର୍ଷଣ କରି ମୁଗ୍ଧ ମମତା ବଳେ,
ସଂଗୀତ ରସେ ଇଙ୍ଗିତ ଦେଇ,
ପ୍ରୀତିର ପରାଗେ ଅନ୍ତରଛୁଇଁ
ମୂର୍ଚ୍ଛନା ତାଳେ ତାଳେ ।୩।
ଆସ ଆମେ ସବୁ ହାତେ ହାତ ଧରି,
ପ୍ରଣବ ମନ୍ତ୍ର ଧର୍ମ ଆଚରି,
ହୃଦୟ ରାଜ୍ୟ ନିର୍ମଳ କରି, ଗାଇ ମଙ୍ଗଳ ଗୀତି,
ଶୁଦ୍ଧ ମାଟିକୁ ଧନ୍ୟ କରିବା,
ଅଙ୍ଗେ ତାହାର ବର୍ଣ୍ଣ ଭରିବା, ପୁଣ୍ୟ ତାହାର ଯଜ୍ଞ ବେଦିରେ ଢ଼ାଳିବା ପୂର୍ଣ୍ଣାହୂତି I୪I

There are 2 comments
ଶୁଦ୍ଧ ମାଟିକୁ ଧନ୍ୟ କରିବା
ଅଙ୍ଗେ ତାହାର ବର୍ଣ୍ଣ ଭରିବା ।
ପ୍ରଣାମ ସାର୍
ବହୁତ ଭଲ ଲାଗିଲା କବିତା
🙏🙏
ଛନ୍ଦମୟ ସୁନ୍ଦର କବିତା।
ପ୍ରଣାମ ସାର୍ 🙏💐