ଦୀର୍ଘମିଆଦୀ ଦୁଃଖର ପିଠିରେ
ଛିଣ୍ଡି ପଡୁଛି ସମ୍ଭାବ୍ୟ ଆକାଶ
ପାହାଡ଼ ସମୁଦ୍ର ସବୁଠି ଉଡୁଛି
ଦେଶର ଜୀବାଶ୍ମ
ସୁଖର ହରିତ୍ ଦାଢ଼ରେ
ନୀରବେ ଶୋଇଛି
ସୁନାର ସକାଳ।
ପାଳଭୂତର କଙ୍କାଳ ତଳେ
କଲବଲ ଧାନଫୁଲର ଖୁସି
ଚାଷୀର ଅସ୍ଥି ମଜ୍ଜା ଖପୁରୀ ଓ
ପଦ୍ମ ପାଦର ଆୟୁଷ ।
ଭୋକର କେନ୍ଦରାରେ
ଗୁମୁରି ମରୁଛି ମାଟି
ଉତ୍ତରା ପବନର ଡେଣାରେ
ଝୁଲୁଛି ମଲାମେଘ
ପଥର ଫାଙ୍କେ ନିରୁଦ୍ଦିଷ୍ଟ
ଡଙ୍ଗରର ସ୍ୱପ୍ନ।
ସୁଖର ଉପସଂହାର
ମୁହୂର୍ତ୍ତ ମୁହୂର୍ତ୍ତେ ଗୁନ୍ଥୁଛି
ଲୁହ ଭର୍ତ୍ତିସଞ୍ଜ
ଟଳି ପଡ଼ୁଛି ତର୍ଜନୀ ସନ୍ଧିରେ
ଆକାଂକ୍ଷାର ସୂର୍ଯ୍ୟ
ପାପର ଗଳିରେ ପରାସ୍ତ
ପୁଣ୍ୟର ପୀଠ।
ନକ୍ସା ପଛର ଭାଗ୍ୟ
କିଏ ସେ ବୁଝୁଛି
ଖାଦାନରେ ଖରାର କବଲା
କିଏ ସେ ପଢୁଛି ?
ନିୟମଗିରି ନିଆଁ ସାଜୁ
ମାଲ୍ୟବନ୍ତ ମଶାଣି ସାଜୁ
କୁଟିଆ ଛଟପଟ ହୋଇ ମରୁ
କାହାର ବା ତର କାହିଁ
ଖୋଜିବ ମହୁଲ ଫୁଲର ରାତି
ମନ ଭରି ଭୋଗିବ
ଦେଓମାଳି ଖୁସି
ନିଜକୁ ସମର୍ପିଦେବ
ମେଘାସନ ପାଦେ
ବିନା ସ୍ଵାର୍ଥେ ବୁଝିବାକୁ ଚେଷ୍ଟା କରିବ
ନୀଳ ସଞ୍ଜର ଉପପାଦ୍ୟ।