Home » Magazine » ସୁଧୀର ମେହେର : କବିତା : ସଂସାର ।

ସୁଧୀର ମେହେର : କବିତା : ସଂସାର ।

ରଥ ଘୋଷାରି ଘୋଷାରି
ଭାରି ବିରକ୍ତ ଲାଗିଲାଣି ହୋ ଦେବେନ୍ଦ୍ର,
ଯେତେ ସଜାଡ଼ିଲେ ବି
କେଉଁଠି ନା କେଉଁଠି ଲଥ୍ ହୋଇ ଯାଉଛି
ରଥର ଚକ।

ଘର ତ ମୋର
ଗୋଟା ଭାରତ ବର୍ଷ,
ଘର ଭିତରେ ହଜାରେ ମନ
କିଏ ଖୋଜୁଚି ଆସମାନ୍ ତାରା…
କିଏ ଖୋଜୁଚି ନୀଳପରୀର ଡେଣା…
କୋଉଠୁ ଆଣିବି କହ ?

ମାମୁଲି ରଥବାଲା ମୁଁ,
କେବେ ଚକ ପାଇଁ ପବନ ନିଅଣ୍ଟ ତ
କେବେ ବାଧକ ଅଣ୍ଟାକୁ ବଳ।

କାହାର ଭଲା ଇଚ୍ଛା ହୁଏନି କହିଲ
ପିଲାଛୁଆଙ୍କୁ ଥରେ ବୁଲେଇ ଆଣିବାକୁ ନନ୍ଦନକାନନ,
ମାଇପି ଗଭାରେ ଖୋସି ଦେବାକୁ
ପାରିଜାତ ଫୁଲର ଗଜରା,
ଝିଅ ପାଇଁ ଆଣିଦେବାକୁ ହଳେ ରୂପା ପାଉଁଜି,
ପୁଅ ପାଇଁ ଗୋଟେ ନୂଆଁ ସାଇକେଲ,
ହେଲେ… ପକେଟକୁ ହାତ ପାଇଲେ ତ !

ଏତେ ସପନକୁ ମୋର ରାତି କାହିଁ ହୋ ଦେବେନ୍ଦ୍ର ??

ତଥାପି, ଦମ୍ଭ ହାରିନି..!
ଝାଳନାଳ ଘୋଷାରି ଚାଲିଚି ରଥକୁ,
କପାଳରୁ ନିଥିରି ଆସୁଥିବା ଝାଳ
ଶବ୍ଦରେ ଖୋଜି ଚାଲିଚି ଜୀବନର ସୁର ।

କେଜାଣି,
କେବେ ସେ ସୁର ଗୀତ ପାଲଟିବ… ! !

There is 1 comment

Leave a Reply

Your email address will not be published. Required fields are marked *