Home » Magazine » ସମ୍ବାଦବିସମ୍ବାଦ : ସେପ୍ଟେମ୍ବର ୨୦୨୪

ସମ୍ବାଦବିସମ୍ବାଦ : ସେପ୍ଟେମ୍ବର ୨୦୨୪

ଅମ୍ଳାନ ଚନ୍ଦ୍ର:ରମେଶ ଚନ୍ଦ୍ର :
ବଣାଇଁଗଡ଼ ସ୍ଥିତ ରାଜା ଧରଣୀଧର କ୍ଲବ ଠାରେ ସୁସାହିତ୍ୟିକ, କବି ଓ ନାଟ୍ୟକାର ସ୍ବର୍ଗତ ରମେଶ ଚନ୍ଦ୍ର ବେହେରାଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସ୍ୱର୍ଗତ ବେହେରା ଏକାଧାରରେ ଜଣେ ନାଟ୍ୟକାର, କବି, ପ୍ରାବନ୍ଧିକ, ସମାଜସେବୀ ଓ ଅଭିନେତା ଥିଲେ । ଆୟୋଜିତ ଏହି ସ୍ମୃତିଚାରଣ ସଭାରେ ବିଶିଷ୍ଟ କବି ତାରିଣୀ ଚରଣ ସାହୁ ସଭାପତିତ୍ୱ କରିଥିଲେ। ମଞ୍ଚରେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ରାଜୀବ ପାଣି ଓ କବି ଡାକ୍ତର କୃପାସିନ୍ଧୁ ନାୟକଙ୍କ ସହିତ ପ୍ରଫୁଲ୍ଲ କୁମାର ମହାପାତ୍ର, ଗୋପକୃଷ୍ଣ ନାୟକ, ପ୍ରତାପ କୁମାର ପଟ୍ଟନାୟକ, ରାଜକୁମାର ମହାନ୍ତି, ନାଟ୍ୟକାର ପ୍ରଦୀପ କୁମାର ଅମାନ୍ତ ଓ ଦେବରାଜ କିସାନ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ । ଅତିଥିମାନେ ସ୍ୱର୍ଗତ ବେହେରାଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜ୍ଵଳନ ସହ ଶ୍ରଦ୍ଧାସୁମନ ଅର୍ପଣ କରି କହିଲେ, ଆଦିବାସୀ ଅଧ୍ୟୁଷିତ ତଥା ଉପାନ୍ତ ସୁନ୍ଦରଗଡ଼ ଜିଲ୍ଲାର ଏକାନ୍ତ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ତେଣ୍ଡରା ଗ୍ରାମରୁ ଆସି ସ୍ବର୍ଗତ ରମେଶ ଚନ୍ଦ୍ର ବେହେରା କବି ଓ ନାଟ୍ୟକାର ଭାବେ ସମଗ୍ର ଜିଲ୍ଲାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ନିଜ କଳାକୃତି, ଲେଖକୀୟ ଅବଦାନ ଯୋଗୁଁ ଏବଂ ଜଣେ ନାଟ୍ୟକାର ତଥା ବହୁବିଧ କଳାକାର ଭାବେ ରମେଶ ଚନ୍ଦ୍ର ସାହିତ୍ୟ ଆକାଶରେ ଅମ୍ଳାନ ଚନ୍ଦ୍ର ଭାବେ କାଳଜୟୀ ହୋଇ ରହିବେ। ତାଙ୍କ ସ୍ଥାନ ସଦାସର୍ବଦା ଅପୂରଣୀୟ ହୋଇ ରହିବ। ରମେଶଙ୍କ ଆତ୍ମାର ସଦଗତି ନିମନ୍ତେ ଏହି ଅବସରରେ ଶାନ୍ତିପ୍ରାର୍ଥନା ଏବଂ ସ୍ମୃତିଚାରଣ କରଯାଇଥିଲା । ସ୍ମୃତିସଭାରେ ଅନ୍ୟ ମାନଙ୍କ ମଧ୍ୟରେ ନଗେନ୍ ଦାସ, ପ୍ରମେୟ ବ୍ୟୁରୋର ରାଉରକେଲା-ମୁଖ୍ୟ ମନୋରଞ୍ଜନ ଦାଶ, ସୁକାନ୍ତ ଖୁଣ୍ଡିଆ, ଅଶୋକ ପଟ୍ଟନାୟକ, ସୁମନ ଦତ୍ତ, ଶର୍ମିଳା ଦତ୍ତ, ଅକ୍ଷୟ ସାମଲ, କାଶୀନାଥ ନନ୍ଦୀ, ମୀନକେତନ ପସାଏତ, କିଶୋରୀ ମୋହନ କର, ଜଗନ୍ନାଥ ରାଉତ, ରଶ୍ମି ସାହୁ, ଜ୍ୟୋତ୍ସ୍ନାରାଣୀ ପାତ୍ର, କୁମାର ଗୌତମ ବାରିକ, ପ୍ରଦୀପ କୁମାର ମିଶ୍ର, ଯଦୁମଣି ବେହେରା, ପ୍ରଶାନ୍ତ ଚଇନି, ସଂଜୀବ କୁମାର ଭୋଇ, ପ୍ରତାପ କୁମାର ପଣ୍ଡା, କାଶୀନାଥ ପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ । କବି ତ୍ରିନାଥ ସିଂହ ସଭା ପରିଚାଳନା କରିଥିବା ବେଳେ ରମେଶଙ୍କ ସ୍ମୃତି ଉଦ୍ଦେଶ୍ୟରେ ‘ଅମ୍ଳାନ ଚନ୍ଦ୍ର:ରମେଶ ଚନ୍ଦ୍ର’ ପତ୍ରିକାର ଉନ୍ମୋଚନ ଏବଂ ଲୋକାର୍ପଣ ହୋଇଥିଲା। ସରୋଜ ପଣ୍ଡାଙ୍କ ନେତୃତ୍ୱ ଓ ସ୍ମିତା ମିଶ୍ର, ପିଙ୍କି ପ୍ରିୟଦର୍ଶିନୀ, ଅଜିତେଶ ଓ ପ୍ରତାପଙ୍କ କଣ୍ଠରେ ଭକ୍ତିସଙ୍ଗୀତ ଏକ ନିଆରା ବାତାବରଣ ସୃଷ୍ଟିରେ ସହାୟକ ହୋଇଥିଲା । ବାଦ୍ୟଯନ୍ତ୍ରରେ ସରୋଜଙ୍କୁ ରାଜୁ ଓ ବାପି ସହଯୋଗ କରିଥିଲେ । ଶେଷରେ  ଜ୍ୟୋତ୍ସ୍ନାମୟୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ରମେଶଙ୍କ ଧର୍ମପତ୍ନୀ ମାଳତୀ ବେହେରାଙ୍କ ତତ୍ତ୍ବାବଧାନ ତଥା ପ୍ରଣତି ବେହେରା, ପ୍ରତିମା ବେହେରା, ରଣଜିତ୍ ମହାନ୍ତି, ଜ୍ୟୋତିର୍ମୟୀ ବେହେରା, ରଞ୍ଜନ ଦାସ, ସଙ୍କଳ୍ପ ପ୍ରସାଦ ବେହେରା, ଟିନାଶ୍ରୀ ବେହେରା, କର୍ମବୀର ଦାଶ, ଶ୍ରୀନିବାସ ମିଶ୍ର, ବିରଜା ମହାନ୍ତି ଓ ପରିବାରବର୍ଗଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା।

ପ୍ରଥମ ବର୍ଷର ପ୍ରଥମ ସମ୍ୱର୍ଦ୍ଧନା ଅମ୍ଳାନ ଚନ୍ଦ୍ର:ରମେଶ ଚନ୍ଦ୍ର  ଶିଶୁକବି ଶ୍ରେୟସୀ ସାହୁଙ୍କୁ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବଣେଇ, ଲହୁଣୀପଡ଼ା, ରଉରକେଲା, ସୁନ୍ଦରଗଡ଼, ଦେବଗଡ଼, ଭୁବନେଶ୍ୱର, କେନ୍ଦୁଝର ଓ ଅନ୍ୟାନ୍ୟ ଅଞ୍ଚଳର ଜଣାଶୁଣା ବରିଷ୍ଠ ସୁପରିଚିତ କବି, ଲେଖକ, ସାହତ୍ୟିକମାନେ ଯୋଗ ଦେଇଥିଲେ। ଶେଷରେ ରମେଶଙ୍କ ସ୍ମୃତିରେ ଏକ କବିତାପାଠ କାର୍ଯ୍ୟକ୍ରମ ହୋଇଥିଲା।

ଧାମରା ସଂଘରେ ଆ ରେ’ ମେଘ :
ଧାମରା ସଂଘରେ ବର୍ଷାକବିତା ଆ ରେ’ ମେଘ.. ଛେଣ୍ଡସ୍ଥିତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଵକ୍ତା ଭାବେ ଡାକ୍ତର ଅନୀଲକୁମାର ଦାସ ଯୋଗଦେଇ ମେଘ ପ୍ରେମ ଓ ପ୍ରୀତିର ନିଦର୍ଶନ ଏବଂ ବର୍ଷା ହିଁ ଜୀବନ-ସଂଗୀତ ବୋଲି ସେ କହିଥିଲେ। ସଂଘ ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱ ଓ କବି ସୁଶାନ୍ତ ନାୟକଙ୍କ ଆବାହକତ୍ୱରେ ଆୟୋଜିତ ଏହି ଆସରରେ ମୁଖ୍ୟଅତିଥି ଭାବେ ସାହିତ୍ୟ ଏକାଡେମୀ ସଦସ୍ୟ ଅଭୟ ସୂତାର ଯୋଗଦେଇ ବର୍ଷା, ପ୍ରକୃତି ଓ ପ୍ରେମ ଚେତନାକୁ କେନ୍ଦ୍ର କରି ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ କବିତା ପ୍ରେମମୟ ଓ ଜୀବନ୍ତ ବୋଲି ମତ ଦେଇଥିଲେ। ସଂଘର ସାଧାରଣ ସମ୍ପାଦକ ଭଗବାନ ରାଉତ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ସମ୍ପାଦକ ଅକ୍ଷୟ କୁମାର ଦାସ ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ସାହିତ୍ୟ ସମ୍ପାଦିକା ନିରୁପମା ପତି ମଞ୍ଚ ପରିଚାଳନା କରିଥିଲେ। ପ୍ରାରମ୍ଭରେ ଗୁରୁ ଜ୍ୟୋତିର୍ମୟ ଆଚାର୍ଯ୍ୟ, ତପସ୍ବିନୀ ପତି ଓ ସାଥି ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଅଞ୍ଜନା ମିଶ୍ରଙ୍କ ସଭାପତିତ୍ୱରେ ଶିକ୍ଷୟିତ୍ରୀ ଜାନକୀ ପାଢି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବ୍ୟଙ୍ଗ କବି ବିଜୟଶ୍ରୀ ଗୋକୁଳାନନ୍ଦ ରାଉତ, ସଂଯୁକ୍ତା ବଳ, ମମତାରାଣୀ ଦାଶଙ୍କ ସଂଯୋଜନାରେ ଉପସ୍ଥିତ କବିମାନେ କବିତା ପାଠ କରିଥିଲେ। ନିରୂପମା ନାୟକ, ବାଳକୃଷ୍ଣ ସ୍ଵାଇଁ, ସସ୍ମିତା ପ୍ରଧାନ, ସୂର୍ଯ୍ୟ ପୂଣ୍ଡା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସାଂସ୍କୃତିକ ସମ୍ପାଦକ ସୁଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

There is 1 comment

  1. ” ଅଭିନବ ଚଉକାଠ ” ସେପ୍ଟେମ୍ବର – ୨୪ ସଂଖ୍ୟା ଦେଖିଲି ଓ ପଢ଼ିଲି, ଆହ୍ଲାଦିତ ଓ ବିଭୋର ହେଲି ! ବିଶେଷ ପ୍ରତିବେଦନ ରେ ପୂଜ୍ୟ ୰ ରମେଶ ଚନ୍ଦ୍ର ବେହେରାଙ୍କ ସମ୍ପର୍କରେ ଅନେକ କଥା ଜାଣିହେଲା । ପ୍ରହ୍ଲାଦ ଶତପଥୀଙ୍କ କବିତା ” ତପସ୍ୱୀ ରାତି ” ଏକ ଚମତ୍କାର କବିତା ! ଅନ୍ୟ ଦୁଇଟି କବିତା ବି ଭଲ ଲାଗିଲା । ମହାଶ୍ୱେତା ସାହୁଙ୍କ ଗପ ” ଶବ୍ଦସବୁ ହଜିଯିବା ପରେ ” ଖୁବ୍ ହୃଦୟସ୍ପର୍ଶୀ ହେଇ ପାରିଛି ।
    ଶେଷରେ – ସାହିତ୍ୟ ଓ କବିତା ପାଇଁ ଆପଣଙ୍କର ଅଙ୍ଗୀକାର ବଦ୍ଧତା କୁ ପ୍ରଣାମ କରୁଛି । ତତ୍ ସମ୍ପର୍କରେ ଯେତେ ଯାହା ବଖାଣିଲେ ବି କମ୍ ହେବ ! “ଚଉକାଠ ” ର ବିଶେଷ ପାଠକ ଓ ଦର୍ଶକାଦୃତ କାମନା କରୁଛି । ସମସ୍ତଙ୍କୁ ସାଦର ଶୁଭେଚ୍ଛା ଓ ଅଭିନନ୍ଦନ ।

Leave a Reply

Your email address will not be published. Required fields are marked *