
୨୦୨୪ର ଯୁବ ସାହିତ୍ୟ ପୁରସ୍କାର ପାଇବ ଓଡ଼ିଆ ଗଳ୍ପପୁସ୍ତକ “ହୁ ବାଇଆ” ଓ “ଗଳ୍ପ କଳିକା”କୁ ବାଲ୍ ସାହିତ୍ୟ ପୁରସ୍କାର
ଆଜି ଗୁଜରାଟର ନର୍ମଦା ଜିଲ୍ଲାରେ ଅନୁଷ୍ଠିତ କେନ୍ଦ୍ର ସାହିତ୍ୟ ଏକାଡେମୀ ର କାର୍ଯ୍ୟନିର୍ବାହୀ ବୈଠକରେ ସାହିତ୍ୟ ଏକାଡେମୀ ଦ୍ଵାରା ପ୍ରଦତ୍ତ ଚଳିତ ୨୦୨୪ ମସିହା ପାଇଁ ବାଲ୍ ସାହିତ୍ୟ ପୁରସ୍କାର ଓ ଯୁବସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି।
ଏଥିପାଇଁ ଓଡ଼ିଆଭାଷାର ବରିଷ୍ଠ ଶିଶୁସାହିତ୍ୟିକ ତଥା ଝୁମୁକା ଶିଶୁପତ୍ରିକାର ସମ୍ପାଦକ ମାନସ ରଞ୍ଜନ ସାମଲ ତାଙ୍କ ପୁସ୍ତକ ‘ଗପ କଳିକା’ ପାଇଁ ଚଳିତ ବର୍ଷର ସାହିତ୍ୟ ଏକାଡେମୀ ବାଲ ପୁରସ୍କାର ପାଉଥିବା ବେଳେ ଯୁବକଥାକାର ସଞ୍ଜୟ କୁମାର ପଣ୍ଡା ପାଇବେ ଚଳିତବର୍ଷର ଯୁବ ସାହିତ୍ୟ ପୁରସ୍କାର ତାଙ୍କ ଗଳ୍ପପୁସ୍ତକ ‘ହୁ ବାଇଆ’ ପାଇଁ।
ପଇଁତ୍ରିଶବର୍ଷ ବୟସସୀମା ମଧ୍ୟରେ ଲେଖୁଥିବା ବିଭିନ୍ନ ୨୩ଟି ଭାରତୀୟ ଭାଷାର ଯୁବଲେଖକଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସାହିତ୍ୟ ଏକାଡେମୀ ସ୍ଥାପିତ କରିଥିବା ଯୁବସାହିତ୍ୟ ପୁରସ୍କାର ଏ ମଧରେ ଘୋଷିତ ହେଇସାରିଛି ଏବଂ ୨୦୨୪ ମସିହା ପାଇଁ ଓଡ଼ିଆଭାଷା ଲାଗି ଏହି ପୁରସ୍କାର ପାଉଛନ୍ତି ୩୪ ବର୍ଷ ବୟସ୍କ ଓଡ଼ିଆ ଗାଳ୍ପିକ ସଞ୍ଜୟ କୁମାର ପଣ୍ଡା। ଏଥିନିମନ୍ତେ ୧୨ଗୋଟି ପୁସ୍ତକ ଶେଷପର୍ଯ୍ୟାୟକୁ ଉନ୍ନୀତ ହୋଇଥିବା ବେଳେ ଅବସ୍ଥାପିତ ଜୁରୀ ସର୍ବଶେଷରେ ସଞ୍ଜୟଙ୍କ “ହୁ ବାଇଆ”କୁ ପୁରସ୍କାର ପାଇଁ ମନୋନୀତ କରିଥିଲେ।
ଯେଉଁ ବାରଗୋଟି ବହି ଶେଷପର୍ଯ୍ୟାୟ ପର୍ଯ୍ୟନ୍ତ ପହଞ୍ଚିଥିଲା, ସେମାନଙ୍କ ମଧ୍ୟରେ ଥିଲେ ସର୍ବୋପରି ଆଲୋକ ରଂଜନ ଷଡ଼ଙ୍ଗୀ, ଆଶିଷ କୁମାର ମିଶ୍ର, ସୁଜିତ୍ ଶତପଥୀ, ଦେବଦତ୍ତ ମିଶ୍ର, ଦିପୁନ ପୁହାଣ, ଯୋଗେଶ୍ୱର ପଣ୍ଡା, ନିଖିଳେଶ ମିଶ୍ର, ପ୍ରବୀଣ କୁମାର କବି, ଶାନ୍ତନୁ କୁମାର ନାୟକ, ସୁବ୍ରତ କୁମାର ସେନାପତି ପ୍ରମୁଖଙ୍କ ପରି ଯୁବଲେଖକମାନେ। ଚୂଡ଼ାନ୍ତ ପର୍ଯ୍ୟାୟର ଜୁରୀ ମାନେ ଥିଲେ ପ୍ରଫେସର୍ ଗିରିବାଳା ମହାନ୍ତି, ହିରଣ୍ମୟୀ ମିଶ୍ର ଏବଂ ନିତ୍ୟାନନ୍ଦ ସାହୁ।
ସଞ୍ଜୟ ଓ ମାନସଙ୍କୁ “ଚଉକାଠ”ର ହାର୍ଦ୍ଦିକ ଉଷ୍ଣ ଅଭିନନ୍ଦନ ସହ ଶେଷପର୍ଯ୍ୟାୟ ଯାଏଁ ଯାଇଥିବା ସମସ୍ତ ଯୁବଲେଖକଙ୍କୁ ସଶ୍ରଦ୍ଧ ଶୁଭକାମନା।
ଅନ୍ୟମାନଙ୍କ ମଧ୍ୟରେ ଏହି ଯୁବସାହିତ୍ୟ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି ଅସମୀୟା ଲେଖିକା ନୟନଜ୍ୟୋତି ଶର୍ମା, ବଙ୍ଗଳାରେ ସୂତପା ଚକ୍ରବର୍ତ୍ତୀ, ଡୋଗ୍ରୀ ଭାଷାରେ ହୀନା ଚୌଧୁରୀ, ଇଂରାଜୀରେ କେ. ବୈଶାଳୀ, ହିନ୍ଦୀରେ ଗୌରବ ପାଣ୍ଡେ, ଗୁଜରାଟୀରେ ରୀଙ୍କୁ ରାଠୋଡ଼ ଓ ପଞ୍ଜାବୀରେ ରଣଧୀର ପ୍ରମୁଖ।
