Home » Magazine » ସମ୍ବାଦବିସମ୍ବାଦ : ଜାନୁଆରୀ ୨୦୨୫

ସମ୍ବାଦବିସମ୍ବାଦ : ଜାନୁଆରୀ ୨୦୨୫

ସମ୍ବାଦ-ବିସମ୍ବାଦ :
ସାହିତ୍ୟ ଏକାଡେମୀର ଯୁବ-ପୁରସ୍କାର ସମାରୋହ

ଜାନୁଆରୀ ୧୨ ତାରିଖ ଦିନ ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ଵବିଦ୍ୟାଳୟର କୃଷ୍ଣଚନ୍ଦ୍ର ଗଜପତି ପ୍ରେକ୍ଷାଳୟରେ ଆୟୋଜିତ ହୋଇଯାଇଛି ୨୦୨୪ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବ-ପୁରସ୍କାର ସମାରୋହ।
ଏହି ସମାରୋହରେ ୨୨ ଗୋଟି ଭାରତୀୟ ଭାଷାର ଯୁବଲେଖକଙ୍କୁ ୨୦୨୪ ମସିହା ପାଇଁ ଯୁବ-ପୁରସ୍କାରରେ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଛି। ଉତ୍ସବରେ ଓଡ଼ିଆ ଭାଷା ପାଇଁ ଯୁବଗାଳ୍ପିକ ସଞ୍ଜୟ କୁମାର ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା ତାଙ୍କର ଗଳ୍ପ ପୁସ୍ତକ ‘ହୁ ବାଇଆ’ ପାଇଁ । ସେହିପରି ଅହମିଆ ଭାଷା ପାଇଁ ନୟନଜ୍ୟୋତି ଶର୍ମା, ବଙ୍ଗଳା ଭାଷା ପାଇଁ ସୁତପା ଚକ୍ରବର୍ତ୍ତୀ, ବୋଡ଼ୋ ଭାଷା ପାଇଁ ରାଣୀ ବୋଡ଼ୋ, ଡୋଗ୍ରୀ ଭାଷା ପାଇଁ ହୀନା ଚୌଧୁରୀ, ଇଂରାଜୀ ଭାଷା ପାଇଁ କେ. ବୈଶାଳୀ, ଗୁଜୁରାଟୀ ଭାଷା ପାଇଁ ରିଙ୍କୁ ଭଜେସିଂହ ରାଠୋଡ଼, ହିନ୍ଦୀ ଭାଷା ପାଇଁ ଗୌରବ ପାଣ୍ଡେ, କନ୍ନଡ଼ ଭାଷା ପାଇଁ ଶ୍ରୁତି ବି.ଆର. ଓ କୋଙ୍କଣୀ ଭାଷା ପାଇଁ ଅଦ୍ୱୈତ ସାଲଗାଓଁକର ପୁରସ୍କୃତ ହୋଇଥିଲେ।ମୈଥିଳି ଭାଷା ପାଇଁ ରିଙ୍କି ଝା ରିଷିକା, ମାଲୟାଲମ ଭାଷା ପାଇଁ ଶ୍ୟାମକ୍ରିଷ୍ଣନ ଆର୍, ମଣିପୁରୀ ଭାଷା ପାଇଁ ୱାଇଖୋମ ଚିଙ୍ଗଖେଙ୍ଗନବା, ମରାଠୀ ଭାଷା ପାଇଁ ଦେବୀଦାସ ସୌଦାଗର, ନେପାଳୀ ଭାଷା ପାଇଁ ସୁରଜ ଚାପାଗାଇଁ, ପଞ୍ଜାବୀ ଭାଷା ପାଇଁ ରଣଧୀର ସିଂହ, ରାଜସ୍ଥାନୀ ଭାଷା ପାଇଁ ସୋନାଲି ସୁଥର, ସାନ୍ତାଳୀ ଭାଷା ପାଇଁ ଅଞ୍ଜନ କର୍ମକାର, ସିନ୍ଧି ଭାଷା ପାଇଁ ଗୀତା ପ୍ରଦୀପ ରୁପାନି, ତାମିଲ ଭାଷା ପାଇଁ ଲୋକେଶ ରଘୁରମଣ, ତେଲୁଗୁ ଭାଷା ପାଇଁ ରମେଶ କାର୍ତ୍ତିକ ନାୟକ ଏବଂ ମୋହମ୍ମଦ ଜାଭେଦ ଅହମଦଙ୍କୁ ଉର୍ଦ୍ଦୁ ଭାଷା ପାଇଁ ଯୁବ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଇଂରାଜୀ କବି ଜେରୀ ପିଣ୍ଟୋ ମୁଖ୍ୟଅତିଥି ଭାବରେ ଯୋଗଦାନ କରିଥିଲେ। “ଅନୁବାଦ ହେଉଛି ଏକ ସେତୁ। ଏହି ସେତୁ ଇଂରାଜୀ ଭାଷାର ପଥ ଦେଇ ଯିବା ବଦଳରେ ସିଧାସଳଖ ଦୁଇଟି ଭାଷାକୁ ଯୋଡ଼ିବା ଉଚିତ। ଲେଖାଲେଖି ଆରମ୍ଭ କରିବାର କୌଣସି ବୟସ ନଥାଏ। ଲେଖିବା ସହିତ ପଢ଼ିବା ମଧ୍ୟ ସମାନ ଭାବେ ଗୁରୁତ୍ଵପୂର୍ଣ୍ଣ”, ବୋଲି କହିଥିଲେ କବି ଜେରୀ ପିଣ୍ଟୋ।

ଉତ୍ସବରେ କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ମାଧବ କୌଶିକ, ଉପସଭାପତି କୁମୁଦ ଶର୍ମା ଏବଂ ସଚିବ କେ ଶ୍ରୀନିବାସରାଓ ପ୍ରମୁଖ ଯୋଗ ଦେଇଥିଲେ। ଆବାହନୀ ସଂଗୀତ ପରିବେଷଣ କରିଥିଲେ ବିଶିଷ୍ଟ କଣ୍ଠଶିଳ୍ପୀ ଛନ୍ଦା ମିଶ୍ର।

କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଯୁବ ଲେଖକଙ୍କୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ୨୦୧୧ ମସିହାରୁ ଏହି ଯୁବ ପୁରସ୍କାର ଆରମ୍ଭ କରାଯାଇଥିଲା। ପ୍ରତି ବର୍ଷ ବିଭିନ୍ନ ଭାରତୀୟ ଭାଷାରେ ୩୫ ବର୍ଷ ବୟସରୁ କମ୍ ଯୁବ ଲେଖକଙ୍କୁ ଏହି ପୁରସ୍କାର ପ୍ରଦାନ କରା ଯାଇଥାଏ। ପୁରସ୍କାର ସ୍ଵରୂପ ୫୦ ହଜାର ଟଙ୍କା ଅର୍ଥ ରାଶି ସହିତ ମାନପତ୍ର ପ୍ରଦାନ କରାଯାଇଥାଏ।

Leave a Reply

Your email address will not be published. Required fields are marked *