Home » Magazine » ସମ୍ପାଦକୀୟ….

ସମ୍ପାଦକୀୟ….

।। ତ୍ରିନାଥ ସିଂହ ।।

‘ଚଉକାଠ’ର ପ୍ରଥମ ସଂସ୍କରଣ ଉପରେ ପ୍ରାପ୍ତ ମନ୍ତବ୍ୟ ଓ ଶୁଭେଚ୍ଛାବାର୍ତ୍ତା ବେଶ୍ ଉତ୍ସାହପ୍ରଦ, ଯାହା ‘ଚଉକାଠ’ ପରିବାରକୁ ଆଗକୁ ବଢି଼ବା ପାଇଁ ସାମର୍ଥ୍ୟ ଦେବା ସହ ନାନାଦି ପରୀକ୍ଷାନିରୀକ୍ଷା ପାଇଁ ଅନୁପ୍ରେରିତ କରିବ । ପୁନଃ କହିରଖୁଛୁ,  ‘ଚଉକାଠ’ ଏକ ମୁକ୍ତମଞ୍ଚ ଉଭୟ ଲେଖକ ଓ ପାଠକଙ୍କ ସମେତ ଜ୍ଞାନୀଗୁଣୀ, ବୁଦ୍ଧିଜୀବୀଙ୍କ ପାଇଁ– ଯାହାକୁ ଆପଣମାନେ ଉପଯୋଗ କରିପାରିବେ ମୁକ୍ତଭାବରେ । ଆପଣମାନେ ମାର୍ଗପ୍ରଦର୍ଶନ କରନ୍ତୁ – ଆମେ ସେଗୁଡ଼ିକର କାର୍ଯ୍ୟକାରିତାକୁ ନେଇ  ସମ୍ଭାବ୍ୟ ପଥ ନିର୍ମାଣ କରିବୁ ।

         ଏଥର ଆଲୋଚନା କରିବା କବିତାକୁ ନେଇ, ନବପ୍ରଜନ୍ମର ଲେଖକମାନଙ୍କୁ ଦୃଷ୍ଟିରେ ରଖି…

         : କବିତା ସମ୍ପର୍କରେ ଆଲୋଚନା କରିବାବେଳେ ଅନ୍ତତଃ ଏତିକି ହୃଦବୋଧ ହେଉଛି ଯେ, କବିତା ଏକ ଯୋଜନାହୀନ ଅକସ୍ମାତ ପ୍ରକ୍ରିୟା; ଯାହା ହଠାତ୍ କବିକୁ ମାଧ୍ୟମ କରି ଧରାବତରଣ କରେ, ଯୋଉଠି ତା’ର ‘ଅବବୋଧ ଓ ଆବେଦନ’ ହିଁ ମୁଖ୍ୟ ଓ ମୌଳିକ। ଠିକ୍ ଏହି କଥା ମହର୍ଷି ବାଲ୍ମୀକିଙ୍କ ସହ ମଧ୍ୟ ଘଟିଥିଲା… ମୈଥୁନରତ କ୍ରୌଞ୍ଚପକ୍ଷୀଟି ବ୍ୟାଧର ଶରାଘାତରେ ନିହତହେବା ଓ ସ୍ତମ୍ଭୀଭୂତ  ପକ୍ଷିଣୀଟି ବିଳାପ କରିଉଠି ସେହି ସ୍ଥାନରେ ପ୍ରାଣତ୍ୟାଗ କରିବାବେଳେ । ସମଗ୍ର ଘଟଣା-ପ୍ରବାହକୁ ପ୍ରତ୍ୟକ୍ଷ କରୁଥିବା ମହର୍ଷିଙ୍କ ଦୁଃଖ ବିଗଳିତ ହୃଦୟରୁ ଅକସ୍ମାତ, ସ୍ବତଃ ନିସୃତ ହେଇଉଠିଲା, ମଣିଷ ସଭ୍ୟତାର ସେଇ ସର୍ବପ୍ରଥମ କବିତା ପଂକ୍ତି…

ମା ନିଷାଦ ପ୍ରତିଷ୍ଠା ତ୍ୱମଗମ ଶାଶ୍ବତୀ ସମା

ଯତ୍ କ୍ରୋଞ୍ଚମିଥୁନାଦେକମ୍-ବଧି କାମମୋହିତମ୍ ।।

          କବିତାକୁ ଯୋଜନା କରି ବା ନକ୍ସାଙ୍କନ କରି ଲେଖି ହୁଏନାହିଁ । ଅପିତୁ, କବିତା ତା’ର ନିଜର ସମୟ ଓ ଲଗ୍ନ ନିଜେ ସ୍ଥିର କରି ସ୍ବତଃପ୍ରବୃତ୍ତ ଭାବରେ ଓହ୍ଲେଇଆସେ କବି ଭିତରକୁ, ଏକ ସ୍ପର୍ଶକାତର ଅନୁଭବର ଚମକଟିଏ ହେଇ, କବିର ଅଜାଣତରେ । ସେଇ ସ୍ପର୍ଶକାତର ଅନୁଭବର ଚମକକୁ ପାଥେୟକରି କବି ଭିତରେ ଆରମ୍ଭ ହୁଏ କବିକର୍ମ ।

          କବିତା ଗୋଟିଏ ବଣ୍ୟ-ଝରଣା । ବ୍ରହ୍ମାଣ୍ଡର ଯେ କୌଣସି ନୀତି-ନିୟମର ଉର୍ଦ୍ଧ୍ବରେ କଣ୍ଟା, ଝଟା, ପଥର, ଖାଲ, ଖମା ନମାନି ସେ ବହିଯାଏ ଆଗକୁ ତା’ର ନିଜସ୍ବ ଶୈଳୀରେ, ନିଜସ୍ବ ଛନ୍ଦରେ, ନିଜସ୍ବ ରୀତି ଓ ଗତିରେ– ଯଦିଚ,  ସେ ନିଜେ ବି ଜାଣି ନଥାଏ ତା’ ନିଜର ଗତିପଥ । ତା’ର ଗତି ଓ ଗତିପଥକୁ ନିୟନ୍ତ୍ରଣ କରୁଥାଏ ମାଟି ବା ଧରଣୀ ପରୋକ୍ଷ ଭାବରେ। କବିତାର କୌଣସି କାନଭାସ ଥାଏନି, କୌଣସି ସୀମା ସରହଦ ବି ଥାଏନି, କି ଥାଏନି ବି କୌଣସି ନୀତି କି ପ୍ରଥା । କବିତା କେବଳ ଏକ ପ୍ରବାହ, ଏକ ପ୍ରବହମାନ ସର୍ଜନଶୀଳତା। ହଁ, କବି ଭିତରେ କବିତାଟିର ‘ଆତ୍ମା ଓ ଆବେଦନ’ ସଂସ୍ଥାପିତ ହେଇସାରିବା ପରେ କବି  ନିର୍ଦ୍ଧାରଣ କରେ କବିତାଟିର ପ୍ରକୃଷ୍ଠ ଶବ୍ଦାବତରଣକୁ, ତା’ର କବିକର୍ମର ଚାତୁର୍ଯ୍ୟରେ ଏବଂ ଏଇଠି ସତ୍ କବିଟିଏ ନିରନ୍ତର ସଂଘର୍ଷ କରୁଥାଏ ନିଜ ସହ ନିଜେ, ସାମାନ୍ୟତମ ବି ଆଘାତ ନଦେବା ପାଇଁ କବିତାର ‘ଆତ୍ମା ଓ ଆବେଦନ’ର ମୌଳିକତାକୁ ।

          କବିତାର ‘ଆତ୍ମା ଓ ଆବେଦନ’ ସହ ଓତୋପ୍ରୋତଃ ଓ ତନ୍ମଧ୍ୟରେ ଆପ୍ଳୁତ କବି, କବିତାର ଆବେଗ ଓ ଭାବକୁ ପାଥେୟକରି ତିଆରି କରେ ଗୋଟିଏ ‘ଝର୍କା’ ଓ ନିଜର କବିକର୍ମର ଚାତୁରୀରେ ପ୍ରକୃଷ୍ଟଶବ୍ଦର କୁଟୀକମ ଦ୍ବାରା ଠିଆକରାଏ କବିତା ରୂପକ ଝର୍କାକୁ କାବ୍ୟାମୋଦୀ ପାଠକ ସମ୍ମୁଖରେ; ଯୋଉ ଝର୍କା, ‘ପ୍ରବେଶ ପଥ’ ଭାବରେ କାବ୍ୟମୋଦୀ ପାଠକକୁ ଘେନିଯାଏ କବିତାର ଗର୍ଭଗୃହ ପର୍ଯ୍ୟନ୍ତ…। ଏଇଠୁ ଗତିଶୀଳ ହେବା ଆରମ୍ଭ କରେ ପାଠକ ଭିତରର ସୃଜନଶୀଳତା, ଯୋଉ ସୃଜନଶୀଳ ଅନୁସନ୍ଧିତ୍ସା କାବ୍ୟମୋଦୀ ପାଠକକୁ ଆକର୍ଷଣ କରିନିଏ ‘ଝର୍କା ସେପାଖର ଦୃଶ୍ୟ’ ପାଖକୁ ।

ଝର୍କା ସେପାଖରେ କ’ଣ ଥାଏ…??

ବହିଯାଉଥିବା ନର୍ଦ୍ଦମାର ମାଳମାଳ ନାଙ୍ଗୁଡ଼ିଆ ପୋକ…!

ନା’ ଅଦୂରର ବିଲମାଳରେ ଲସଲସଉଥିବା ସବୁଜ ଶ୍ୟାମଳ ଧାନକ୍ଷେତ…!

ନା’ ଆରପାଖ ତାଳବଣ ଭିତରେ କୁହୁକୁହାଣି ଖେଳୁଥିବା ଡହରା ପବନ ଓ ଚଢ଼େଇଙ୍କ କଳରବ…

ନା’ ଥାକ ଥାକ କଳାଧଳା ମେଘମାଳରେ ସଜ୍ଜିତ  ନୀଳ-ନିର୍ଲ୍ଲିପ୍ତ-ଆକାଶ…

ନା’ ଆଉଟିକେ ଊର୍ଦ୍ଧ୍ବକୁ ଦୃଷ୍ଟି ସଞ୍ଚାରିତ କଲେ ଥାଏ ଗ୍ରହ, ଗ୍ରହାନ୍ତର ଓ ତାରାପୁଞ୍ଜ…!!

କ’ଣ ଥାଏ ଝର୍କା ସେପାଖରେ…!!

         କବି କିଛି ନୂଆକଥା କରେନି । ଇଶ୍ବର ବିରଚିତ ସେଇ ପ୍ରକୃତି-କବିତାକୁ ବାରମ୍ବାର ବାରମ୍ବାର ସଜଉଥାଇ ଓ ପରଶି ଦେଉଥାଏ ଭିନ୍ନ ଭିନ୍ନ ବାଗରେ, ସେ ବଞ୍ଚୁଥିବା ସମୟଖଣ୍ଡରେ ପ୍ରତିନିୟତ ସାମନା କରୁଥିବା ବିବିଧ ସୁଖ-ଦୁଃଖ, ପ୍ରାପ୍ତି-ଅପ୍ରାପ୍ତି, ରାସ-ତ୍ରାସ, ଇତ୍ୟାଦିକୁ ପ୍ରତୀକ ଭାବରେ ନେଇ ତା’ର କବିକର୍ମରେ ।

         ବିଷାଦ ହିଁ ସୃଜନଶୀଳ ପ୍ରବାହର ଉତ୍ସ । ବୋଧହୁଏ, ଏଇଥିପାଇଁ ପୃଥିବୀର ପ୍ରଥମ କବିତା ‘ମା ନିଷାଦ ପ୍ରତିଷ୍ଠା ତ୍ୱମଗମ….’ କ୍ରୌଞ୍ଚପକ୍ଷୀଙ୍କର ମୃତ୍ୟୁର ଶୋକରୁ ହିଁ ଏହି ଶ୍ଲୋକ ସୃଷ୍ଟି ହୋଇଥିଲା !! ମଣିଷ ଯେତେ ଅଧିକ ଜାଳିବ ତା’ର ଦୁଃଖ, ତ୍ରାସ, ବିଷାଦ ଓ ଶୋକକୁ… ସେତେ ଅଧିକ ନିଖରି ଉଠିବ ତା’ର ଜୀବନାନୁଭବର ନାନ୍ଦନିକତା, ସେତେ ଅଧିକ ଉଜ୍ଜଳ ଦିଶିବ ଜୀବନବୋଧର ସୌନ୍ଦର୍ଯ୍ୟ । କବି T.S. Eliot କହନ୍ତି: So the darkness shall be the light, and the stillness, the dancing.

          ଜୀବନାନୁଭବର ଏଇ ନାନ୍ଦନିକତାକୁ କବିତା ବା କଳା ମଧ୍ୟଦେଇ ଦେଖିଲେ, Eliot ଙ୍କର ଏହି କଥାପଦକ ବି ସାମ୍ନାରେ ଆସି ଠିଆହେଇପଡ଼େ– Poetry is not a turning loose of emotion, but an escape from emotion… it is not the expression of personality, but an escape from personality. But, of course, only those who have personality and emotions know, what it means to want to escape from these things.

         ବୋଧହୁଏ, ଏଇଥି ପାଇଁ Genuine poetry can communicate before it is understood. (T.S. Eliot).

ସମସ୍ତଙ୍କୁ ପୁନଃ ଦୋଳ ପୂର୍ଣ୍ଣିମା ଓ ହୋଲି ଅଭିନନ୍ଦନ ।

There are 10 comments

  1. ଢେର୍ ଅଭିନନ୍ଦନ ସହ ପ୍ରଣାମ ସାର୍ 🙏।
    ଆପଣଙ୍କର କବିତାକୁ ନେଇ ଏ ସ୍ପର୍ଶ,
    କବିତାର ଉତ୍ପତ୍ତି ଠାରୁ ତାର ଅନ୍ତରାତ୍ମାର
    ସ୍ୱର ଏତେ ଭାବ ଗର୍ଭକ ଯେ ଜଣେ କବି ଅବା କବି ନୁହେଁ,
    କବିତା ପ୍ରତି ଅନୁପ୍ରାଣିତ ହେବା ସ୍ଵାଭାବିକ।🙏

    1. ଅଶେଷ ଧନ୍ୟବାଦ ମହାଶୟା।
      କବିତା ଏକ ମହାସମୁଦ୍ର। ଏହି ଲେଖାରୁ କବିତା ସମ୍ପର୍କରେ ଯଦି କେହି କଣିକାଏ ବି ଆଭାସ ପାଆନ୍ତି, ମୁଁ ଉପକୃତ ହେବି।
      ଆପଣଙ୍କ ମନ୍ତବ୍ୟ *ଚଉକାଠ* କୁ ଦୃଢ଼ ହେବାରେ ସହାୟକ ହେବ।
      ଶୁଭେଚ୍ଛା।

  2. ନମସ୍କାର
    ପବିତ୍ର ଦୋଳଯାତ୍ରା ଏବଂ ରଙ୍ଗର ପର୍ବ ହୋଲି ଅବସରରେ ଅନେକ ଅନେକ ଅଭିନନ୍ଦନ
    ଚଉକାଠ ଭିତରର ମଧୁରତା
    ସମ୍ପାଦକୀୟ ରୁ ଅନୁମେୟ।
    ସୁନ୍ଦର ମୁଖଶାଳା ସଦୃଶ୍ୟ ଏ ସମ୍ପାଦକୀୟ ଶବ୍ଦ ମାଳ
    ପତ୍ରିକା ପାଠକୀୟ ଆଦୃତି ଲାଭ କରିବ ନିଶ୍ଚୟ
    ପତ୍ରିକା ଭିତର ପୃଷ୍ଠାରେ ଲବ୍ଧ ପ୍ରତିଷ୍ଠିତ କବିମାନଙ୍କ ସ୍ବର ବେଶ୍ ଚିତ୍ତାକର୍ଷକ
    🙏🙏

    1. ଅଶେଷ ଧନ୍ୟବାଦ ମହାଶୟ।
      ଆପଣଙ୍କୁ ଚଉକାଠର ଏହି ସଂସ୍କରଣ ଭଲଲାଗିଛି, ତାହା ନିଶ୍ଚିତ ଭାବରେ ଆମ ପାଇଁ ଉତ୍ସାହଦାୟକ। ଦୋଷ, ତ୍ରୁଟି ସହ ନୂତନ ପ୍ରସ୍ତାବ ସମ୍ପର୍କରେ ଅବଗତ କରେଇଲେ, ଚଉକାଠ ନିଜକୁ ଅଧିକ ମାର୍ଜିତ ଓ ମଞ୍ଜୁଳ କରିପାରିବ।
      ଶୁଭକାମନା ଜଣାଉଛୁ।

  3. ସଂପାଦକୀୟ ହିଁ ଝରଣା ପରି ବୁହାଇ ନେଉଛି ପାଠକକୁ,
    ଅନ୍ୟ ସବୁ ସ୍ତବକ ଆଡେ

    ଝାଳ ଭିତରେ ବିପ୍ଳବ ଓ ମହାସ୍ରୋତୀୟ ଆନନ୍ଦ ଦେଲେ ମୀନକେତନ ସାର୍ , ଏମିତି ତ ତାଙ୍କ ଆବୃତ୍ତି ମନକୁ ଖୁବ୍ ଆନ୍ଦୋଳିତ କରେ, ଖୁବ୍ effective କବିତାର ସ୍ୱର

    ଘରଡିହରେ ଏକ ନୂଆ ଚରିତ୍ର, ଏ ସମୟକୁ ଏକ କଟାକ୍ଷ
    ବଧେଇ କବିଙ୍କୁ

    ହାଡ଼ରୁ ଖସିଯାଏ ପଲସ୍ତରା !!!
    କି ସୁନ୍ଦର image ! କୋଉଠୁ ପାଇଲ ପ୍ରଣତି !
    ଭଲ ଲାଗିଲା

    ସବୁ କବିତାରେ ଅଛି ବାସ୍ତବ ଚିତ୍ର, ତାହାହିଁ ଏ ସଂଖ୍ୟାର ବିଶେଷତ୍ଵ।
    ସୁନ୍ଦର editing
    ଆଉ ଟିକେ fine ହେବା ଦରକାର
    ଗଳ୍ପରେ ପୁଅ ସ୍ୱରରେ ବିଳାପ ନଥାଇ ଝିଅ ସ୍ଵରରେ ଦେବାର ଥିଲା
    ଧନ୍ୟବାଦ୍ ସମ୍ପାଦକଙ୍କୁ, ନିଜେ ଜଣେ ଅସାମାନ୍ୟ ଦରଦୀ କବି, ତାର ଛିଟା ତ ରହିବ ନା!

    1. ଆପଣଙ୍କ ମନ୍ତବ୍ୟ ଏଇ ସଂଖ୍ୟା ଉପରେ ଏକ ସଂକ୍ଷିପ୍ତ-ଆଲୋଚନା କହିଲେ ଠିକ୍ ହେବ। ଆପଣଙ୍କୁ ଅଶେଷ ଧନ୍ୟବାଦ୍। ଏହା ଦ୍ଵିତୀୟ ସଂସ୍କରଣ, ଏଣୁ ଆଗକୁ ଚଉକାଠ ନିଜକୁ ଆହୁରି ପରିମାର୍ଜିତ କରିବ ବୋଲି ଆଶା ରଖାଯାଉ। Editing ଆଉ କୋଉ କୋଉ ବିନ୍ଦୁରେ fine କରାଯାଇ ପାରିବ, ସେ ସମ୍ପର୍କରେ ଆଉ ଟିକେ specifical ଇଙ୍ଗିତ ଦେଇଥିଲେ ଆମକୁ ସହଜ ହୁଅନ୍ତା। ତେବେ, ଗଳ୍ପରେ ସଂଯୋଜିତ ବିଳାପଟି ପୁଅ ନୁହେଁ, ଝିଅର। ଅବଶ୍ୟ, ଏହିସବୁ effect editing ବେଳେ ଚାଉକାଠ ଆଗକୁ ଆହୁରି ସତର୍କ ରହିବ।
      ଆପଣଙ୍କର ଏହି ସର୍ଜନାତ୍ମକ ମାର୍ଗଦର୍ଶନ ଆଗକୁ ବି ଜାରି ରହିବ, ଏହି ଆଶା ନିଶ୍ଚୟ ରଖିବୁ।

  4. ” ଚଉକାଠ” ଏଇ ନାମ ହିଁ ଯଥେଷ୍ଟ ଗୋଟିଏ ସାରସ୍ଵତ ଗବାକ୍ଷ କୁ ସୁଦୃଢ଼, ସମୁନ୍ନତ, ସମୂଜ୍ଵଳ, ବିଶ୍ଵାତୀତ କରିବା ପାଇଁ ।ଆଉ ଏ କମନୀୟ ଝର୍କା ର ବିନ୍ଧାଣି ଯଦି ବାଗ୍ ଦେବୀ ଙ୍କ ବରପୁତ୍ର ଟିଏ ହୁଅନ୍ତି ତେବେ ତ ସୋନେ ପେ ଶୋହାଗା ।,ଆଦରଣୀୟ ସମ୍ପାଦକ ନବ ପ୍ରଜନ୍ମ ର କବିଙ୍କୁ ଗୋଟିଏ ସତ୍ କବିତାର ସଂଜ୍ଞା ଦେବାକୁ ଯାଇ କବିତାର ମଧୁମୟତା,ଭାବ,ଭାଷା, ନନ୍ଦନିକତା,ଶୈଳୀ ର ଯୋଉ ସଂକ୍ଷିପ୍ତ ଟିପ୍ପଣୀ ପ୍ରଦାନ କରିଛନ୍ତି ସଂପାଦକୀୟ ରେ ତାହା ନିଶ୍ଚିତ ଭାବରେ ଓଡ଼ିଆ କାବ୍ୟଧାରାକୁ ଏକ ଉତ୍ତରିତ ଶିଖର କୁ ନେଇଯିବାରେ ସହାୟକ ହେବ,ନିଃସନ୍ଦେହ । ଇଶ୍ୱରୀ ଶୈଶବ ରେ ଗୁରୁଣ୍ଡୁ ଥିବା “ଚଉକାଠ ” ପ୍ରିୟ ସଂପାଦକ ଙ୍କ ସ୍ନେହଶୀଳ ହାତର ପରଶ ରେ ପରିପୃଷ୍ଟ ହେଉ ।,ଅଜସ୍ର ଶୁଭେଚ୍ଛା ଆପଣଙ୍କୁ ।ଧନ୍ୟବାଦ ।

    1. ଧନ୍ୟବାଦ ସାର୍, ସୁଚିନ୍ତିତ ମନ୍ତବ୍ୟ ପାଇଁ।
      ଆପଣଙ୍କର ଶୁଭେଚ୍ଛା ଓ ଶୁଭକାମନା ଆମର ପାଥେୟ।

  5. ଖୁବ୍ ସୁନ୍ଦର ପରିକଳ୍ପନା। କବି ଓ ଲେଖକ ଙ୍କ ବିଭିନ୍ନ ପ୍ରକାର ଲେଖା ଓ ଭାବ ଏହି ମାଧ୍ୟମ ରେ ପରିପୂର୍ଣ୍ଣ ନିଶ୍ଚୟ ହେବ। ଦେଶର ବିଭିନ୍ନ ପ୍ରାନ୍ତରେ ଥିଲେ ମଧ୍ୟ ଜଣେ ଅନ୍ୟ ଜଣକୁ ଖୁବ ନିକଟରୁ ଜାଣି ପାରିବେ ତଥା ବହୁତ କିଛି ଜାଣିବାକୁ ଶିଖିବାକୁ ମିଳିବ।
    ସମ୍ପାଦକ ତଥା ଚଉକାଠା ପରିବାର ର ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।

  6. ଟିକିଏ ଲମ୍ବା ହେଲେବି ଖୁବ୍ ସୁନ୍ଦର ହୋଇଛି ତ୍ରିନାଥ ଭାଇଙ୍କ ସଂପାଦକୀୟଟି। କହିଛି କବିତାର କଥା। ଭଲ ଲାଗିଲା ମୀନ କେତନ ପଶାୟତଙ୍କ କବିତା ” ଝାଳ ” ର ଭାବ ବସ୍ତୁ । ଭଲ ଲାଗିଲା ଯାଦବେନ୍ଦ୍ର ସାହାଙ୍କ କବିତା ” ଘରଢିଅ ” ରେ କ୍ଷୋଭ ଓ କଟାକ୍ଷ ଏବଂ ଭଲ ଲାଗିଲା ସାନ ଭାଇ ପ୍ରଦୀପ ବନ୍ଧଙ୍କ କବିତା ” ମାଟି ମଣିଷ” ରେ ସବୁତକ ଚିତ୍ରକଳ୍ପ , ଭଲ ଲାଗିଲା ଯେବେ ଜାଣିଲି କାକରବି ପିନ୍ଧିପାରେ କୁହୁଡି ରଙ୍ଗର ଖଣ୍ଡେ ଚାଦର।
    କିନ୍ତୁ ସବୁତକ କବିତାର ଫ୍ରଣ୍ଟ୍ ସାଇଜ୍ ଟିକେ ଅଧିକ ବଡ ଓ ବୋଲ୍ଡ ହୋଇ ଯାଇଥିବାରୁ ତା’ର ପେଜ୍ ଭିଉଟା ଏତେ ଭଲ ଦିଶୁନି। ଏହାକୁ ଏଡିଟ୍ କରି ଫ୍ରଣ୍ଟ୍ ସାଇଜ୍ 10.5 ରୁ 11.00 ଭିତରେ ରଖିଲେ ପେଜ୍ ଟି ଅଧିକ ସୁନ୍ଦର ଓ ଆକର୍ଷଣୀୟ ଦିଶିଵ।

    (ଇତି)
    ଶୁଭ ନାରାୟଣ ସ୍ବାଇଁ

Leave a Reply

Your email address will not be published. Required fields are marked *