Home » Magazine » ସମ୍ପାଦକୀୟ : ଡିସେମ୍ବର – ୨୦୨୪

ସମ୍ପାଦକୀୟ : ଡିସେମ୍ବର – ୨୦୨୪

      ଆଜି ଧନୁ ସଂକ୍ରାନ୍ତି। ପୌଷମାସର ପ୍ରତିପଦା... ପ୍ରଥମଦିନ। ଆଜିଠାରୁ ଧନୁରାଶିକୁ ସୂର୍ଯ୍ୟଙ୍କ ଚଳନ ଆରମ୍ଭ। ଆଜିଠାରୁ ଶ୍ରୀମନ୍ଦିରରେ ପହିଲିଭୋଗ ନୀତି ଆରମ୍ଭ ହୋଇ ଉତ୍ତରାୟଣ ଅର୍ଥାତ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ, କାଉ କା' ରାବ ଦେବା ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆଦ୍ୟଭୋଗ ଭାବରେ ଲାଗି ହେବ। ବିରି ଓ ଗହମରେ ଘୃତପାକ ହୋଇଥିବା ତେଇଶ ପ୍ରକାରର ପିଠା ସହ ମୁଆଁ ଲାଗି ହୋଇଥାଏ ଏହି ପହିଲିଭୋଗରେ।

ଏ ଭିତରେ ମାର୍ଗଶିର ମାସ ସହ ମାଣବସା ଗୁରୁବାର ବି ଶେଷ ହୋଇଯାଇଛି। ଧନ, ଧାନ୍ୟ, ଶ୍ରୀ ଓ ସମୃଦ୍ଧି ବୃଦ୍ଧି ନିମନ୍ତେ ପ୍ରତ୍ୟେକ ଓଡ଼ିଆଘରେ ଏହି ପର୍ବ ବେଶ ନିଷ୍ଠାର ସହିତ ପାଳନ କରାଯାଇଥାଏ। ଏହିମାସର ପ୍ରତ୍ୟେକ ଗୁରୁବାର ଘର, ବାରି, ଅଗଣାକୁ ଲିପା ପୋଛା କରି ସୁଦୃଶ୍ୟ ଲକ୍ଷ୍ମୀପାଦ, ଚିତା, ଝୋଟିରେ ସୁଶୋଭିତ କରାଯାଏ; ପୂଜାଘରେ ଧାନକେଣ୍ଡାକୁ ଗୁନ୍ଥି ଧାନବେଣୀ ବା ଧାନମେଣ୍ଟା ଦ୍ଵାରା ସଜାଯାଏ ଓ ଧାନଭର୍ତ୍ତି ମାଣକୁ ପୂଜାସ୍ଥଳରେ ସ୍ଥାପନା କରି ଧନଧାନ୍ୟ ତଥା ଦୟାକ୍ଷମାର ଦେବୀ ମାତାଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ।

ପଞ୍ଚଦଶ ଶତାବ୍ଦୀରେ କବି ବଳରାମ ଦାସ (୧୪୭୨-୧୫୫୬) ବିରଚିତ ଲକ୍ଷ୍ମୀପୁରାଣରେ ଏ ବାବଦୀୟ ସମ୍ପୂର୍ଣ୍ଣ କାହାଣୀ ବର୍ଣ୍ଣିତ ହୋଇଛି -- ଯାହାର ଆଲୋଚନାର ପ୍ରୟୋଜନ ନାହିଁ ଏଠି। ତେବେ ଏତିକି କହିବା ବାଞ୍ଛନୀୟ ଯେ, ଲକ୍ଷ୍ମୀପୁରାଣକୁ ପୂଜାର୍ଚ୍ଚନା କରି, ମୁଣ୍ଡିଆ ମାରି ଆମେ ଖଟୁଲିରେ ସାଇତି ରଖିଦେଲେ ସିନା, ହେଲେ ତାହାର ମୂଳତତ୍ତ୍ଵକୁ ଆଜି ପାଞ୍ଚଶହ ବର୍ଷ ପରେ ମଧ୍ୟ ଆମେ ଜାଣିଲେ ନାହିଁ କି ବୁଝିଲେ ନାହିଁ।

ନଗର ଭ୍ରମଣ ବେଳେ ଅସ୍ପୃଶ୍ୟା ଶ୍ରୀୟା ଚାଣ୍ଡାଳୁଣୀ ଘରେ ମାତାଲକ୍ଷ୍ମୀଙ୍କର ପ୍ରବେଶକୁ ନେଇ ଏ କଥାର ଆରମ୍ଭ।

ସମ୍ପ୍ରତି ସରକାର ଯୋଉଁ ନାରୀ ସଶକ୍ତିକରଣର କଥା କହୁଛନ୍ତି, ସେଇ ନାରୀ ସଶକ୍ତିକରଣ ଆନ୍ଦୋଳନ ଓଡ଼ିଆକବି ବଳରାମ ଦାସ ହିଁ ଆରମ୍ଭ କରିଥିଲେ ପାଞ୍ଚଶହ ବର୍ଷ ତଳେ ସେହି ସମୟରେ ଲକ୍ଷ୍ମୀପୁରାଣ ମାଧ୍ୟମରେ। ଆଜି ଆମେ ଯୋଉଁ ଅସ୍ପୃଶ୍ୟତା ଓ ଦଳିତ ପ୍ରସଙ୍ଗ ଉତ୍ଥାପନ କରୁଛେ ବିଭିନ୍ନ ମଞ୍ଚରେ... ଏପରିକି ପରିଷ୍କାର-ପରିଚ୍ଛନ୍ନତାକୁ ନେଇ ଯୋଉଁ ସ୍ୱଚ୍ଛ-ଭାରତର ଅଭିଯାନ ଚଳେଇଛେ, ତାହା ମଧ୍ୟ ଏହି ଲକ୍ଷ୍ମୀପୁରାଣରେ ଆରମ୍ଭ ହେଇଥିଲା, ଯେତେବେଳେ ଅସ୍ପୃଶ୍ୟା ଶ୍ରୀୟା ଚାଣ୍ଡାଳୁଣୀର ପରିଷ୍କାର ପରିଚ୍ଛନ୍ନ ଘର, ଦୁଆର ଓ ହୃଦୟରେ ମୁଗ୍ଧା ଲକ୍ଷ୍ମୀମାତା ଶ୍ରୀୟା ଗୃହରେ ପ୍ରବେଶ କରିଥିଲେ।

ସର୍ବାପେକ୍ଷା ଗୁରୁତ୍ଵ ବହନ କରୁଥିବା କଥାଟି ହେଉଛି, ଏହି ମାଣବସା ଗୁରୁବାର ଓଷା ହେଉ କି ଧନୁ ସଂକ୍ରାନ୍ତିର ଧନୁମୁଆଁ -- ଏହା ଓଡ଼ିଶା ବ୍ୟତୀତ ଅନ୍ୟ କୌଣସି ରାଜ୍ୟ ବା ଦେଶରେ ପାଳିତହୁଏ ନାହିଁ। ଏହା ସ୍ଵାତନ୍ତ୍ର ବହନ କରୁଥିବା, ଓଡ଼ିଶାର ଏକ ସ୍ବତନ୍ତ୍ର ଓ ମଧୁର ଅନୁଭବର ପର୍ବ -- ଯାହା ସହିତ ଜଡ଼ିତ ହୋଇ ରହିଛନ୍ତି ଓଡ଼ିଆ ଆରାଧ୍ୟ ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର। ଏହାଠାରୁ ବଳି ଓଡ଼ିଆ ଅସ୍ମିତାର ବଳିଷ୍ଠ ଉଦାହରଣ ଆଉ କିଛି ନଥାଇ ପାରେ -- ଏବଂ ଏହି ସ୍ୱଚ୍ଛ-ଭାରତ, ଅସ୍ପୃଶ୍ୟତା ତଥା ନାରୀ ସଶକ୍ତିକରଣ ଅଭିଯାନ ଆଜି ସମଗ୍ର ଦେଶ ପାଇଁ ଏକ ଆନ୍ଦୋଳନ, ଯାହା ଦୂରଦୃଷ୍ଟି ସମ୍ପନ୍ନ ପ୍ରାତଃ ସ୍ମରଣୀୟ ଓଡ଼ିଆବିଦ୍ୱାନ କବି ବଳରାମ ଦାସଙ୍କର ଅବଦାନ।

ଓଡ଼ିଆ ଅସ୍ମିତାର କଥା କହିବା ବେଳେ ଓଡ଼ିଆ ଭାଷାସାହିତ୍ୟ ବି ତାହାର ଆଉ ଏକ ବଳିଷ୍ଠ ଶୃଙ୍ଖଳ। ସଂଯୋଗକୁ ବିଗତ ଛଅ ଡିସେମ୍ବରରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଷଷ୍ଠ ଓଡ଼ିଶାରାଜ୍ୟ ପୁସ୍ତକ ମହୋତ୍ସବ, ଯାହା ଚାଲିବ ଏବେ ବାରଦିନ ବ୍ୟାପି, ସତର ଡିସେମ୍ବର ଯାଏଁ। ହିମାଳୟ ପଟୁ ବହୁଥିବା ପଶ୍ଚିମାପବନ ଯୋଗୁଁ ସାରାଓଡ଼ିଶା ପ୍ରବଳଜାଡ଼ରେ କୁଙ୍କୁରୀ ଯାଉଥିବାବେଳେ, ପୁସ୍ତକମେଳାରେ ଯୋଉଁ ଭଳି ଭାବରେ ଆଶାତୀତ ଠେଲାପେଲା-ଭିଡ଼ ହେଉଛି ଏବଂ ଯୋଉଁ ପରିମାଣରେ ପୁସ୍ତକ ବିକ୍ରୟ ହେଉଛି, ତାହାକୁ ଦେଖିଲେ, ବାରମ୍ବାର ଶୁଣି ଆସୁଥିବା ଏଇ ସବୁ ମନ୍ତବ୍ୟ.. ଓଡ଼ିଆରେ ପାଠକ ନାହାନ୍ତି / ଲୋକେ ପୁସ୍ତକ ବିମୁଖ ହୋଇଗଲେଣି/ ଭଲ ବହି ଲେଖା ଯାଉନାହିଁ ଆଦି ଭୁଲ ପ୍ରମାଣିତ ହେଉଛି। ଏହା ମଧ୍ୟରେ ମେଳା ପରିସରରେ ଶହେରୁ ଅଧିକ ନୂତନ ପୁସ୍ତକ ଉନ୍ମୋଚନ ଏବଂ ପ୍ରତିସନ୍ଧ୍ୟାରେ ଓଡ଼ିଶାର ବରିଷ୍ଠ ଓ ବୟୋଜ୍ୟେଷ୍ଠ ସାହିତ୍ୟରଥୀଙ୍କର ସମାଗମ ଓ ସମ୍ପାନ ଭାଷା-ସାହିତ୍ୟ ପ୍ରତି ଶୁଭସଙ୍କେତ ନିଶ୍ଚୟ।

ଏସବୁ ଭିତରେ ବି କିଛି ପ୍ରତିକୂଳ ଘଟଣା ଓ ଚିତ୍ର କିଛିକ୍ଷଣ ପାଇଁ ମନକୁ ଆନ୍ଦୋଳିତ କରିଦିଏ, ଯାହାର ଅବଶ୍ୟ କୌଣସି ପ୍ରାସଙ୍ଗିକତା ନଥାଏ। ଗୋଟିଏ ସମ୍ଭ୍ରାନ୍ତ ପ୍ରକାଶନୀ ଷ୍ଟଲ୍ ଭିତରକୁ ପିତାମାତାଙ୍କ ସହ ପଶି ଆସୁଥିବା ଜଣେ ତରୁଣ ତା'ର ବାପାମାଆଙ୍କୁ ନାକ ଛିଞ୍ଚାଡ଼ି ଟିକେ ବଡ଼ପାଟିରେ କହୁଛି: ଶିଟ୍... ଏଠି ବି ଖାଲି ଓଡ଼ିଆ ରାଇଟରଙ୍କ ବହି..!! ଏବଂ ପୁଅର ଏଭଳି ମନ୍ତବ୍ୟରେ ଗର୍ବ ଓ ଗୌରବର ସ୍ଫିତ ହେଇଉଠୁଛି ପିତାମାତାଙ୍କ ଛାତି..!! ଆହା... କେଡ଼େ ଦୟନୀୟ ଭାବରେ ଦରିଦ୍ର ଓ ମୂଢ଼ ଏମାନଙ୍କର ମାନସିକତା ଓ ବିବେଚନା କରିବାର ଶକ୍ତି..!! ମୋର ମନେପଡ଼ୁଥିଲା ପ୍ରାୟ ତେତିଶବର୍ଷ ତଳେ ମୁଁ ନୂଆଦିଲ୍ଲୀରେ କେନ୍ଦ୍ର ସଚିବାଳୟ ସେବାରେ ଯୋଗଦେବା ଦିନର କଥା...
: ମୋର ଜଏନିଙ୍ଗ ନେଉଥିବା ଅଧିକାରୀ, ଯିଏ କି ହରିୟାଣାର ଲୋକ, ମୋର ଚେହେରା ଦେଖି ପଚାରିଲେ: Are you from Madras..? ମୁଁ କହିଲି: No, I am from Orissa. ସେ ପୁଣି ପଚାରିଲେ: Ohh... from which state..? ମୁଁ ପୁଣି କହିଲି: My state is Orissa. ସେ ଭାବିଲେ ମୁଁ ବୋଧହୁଏ ସମ୍ଭ୍ରାନ୍ତ ଇଂରାଜୀ ଭାଷାକୁ ବୁଝିପାରୁନାହିଁ। ତେଣୁ ସେ ହିନ୍ଦୀରେ ମତେ ବୁଝେଇବା ଭଳି ପଚାରିଲେ: ୟ ତୋ ମେଁ ଜାନ୍-ତା ହୁଁ, କି ଆପ୍ ଓରିଶା ସେ ଆୟେ ହେଁ, ମଗର ଏ ଓରିଶା ହୈ କୌନସୀ ରାଜ୍ୟ ମୈ.. ଜେଇସେ ବିହାର ୟା ୟୁପି..!! ମୁଁ ସଙ୍କୁଚିତ ହୋଇଯାଇଥିଲି କିଛିକ୍ଷଣ ପାଇଁ ଓ କହିଥିଲି: ବିହାର ୟୁପି ଜୈସା ଓରିଶା ଭି ଏକ ସ୍ଵତନ୍ତ୍ର ରାଜ୍ୟ ହୈ।

ଏ ଘଟଣା ସେତେବେଳେ ମତେ ବହୁତ କଷ୍ଟ ଦେଇଥିଲା -- ଯେ ଓଡ଼ିଆ କ'ଣ ଏତେ ଦୁର୍ବଳ ଯେ ଆମ ଦେଶର ଲୋକେ ଓଡ଼ିଶା ନାଆଁରେ ଗୋଟିଏ ରାଜ୍ୟ ଅଛି ବୋଲି ବି ଜାଣନ୍ତି ନାହିଁ..?? ଅବଶ୍ୟ ପରମୁହୂର୍ତ୍ତରେ ମୋର ଏହି କ୍ଷୋଭ ଦୂରୀଭୂତ ହେଇଯାଇଥିଲା ଯେ, ମୋ ରାଜ୍ୟର ଚତୁର୍ଥଶ୍ରେଣୀରେ ପଢ଼ୁଥିବା ଛାତ୍ରଟିଏ ବି ଜାଣେ ଭାରତରେ କେତୋଟି ରାଜ୍ୟ ଅଛି, କେତୋଟି କେନ୍ଦ୍ରଶାସିତ ଅଞ୍ଚଳ ଅଛି ଓ ସେମାନଙ୍କର ରାଜଧାନୀର ନାମ କ'ଣ..? ପ୍ରାଞ୍ଜଳ ଇଂରାଜୀ କହୁଥିବା ଲୋକଟି ଯଦି ଓଡ଼ିଶା ଗୋଟିଏ ରାଜ୍ୟ ବୋଲି ଜାଣେ ନାହିଁ, ତାହା ତାର ସ୍ୱଳ୍ପବୁଦ୍ଧି ଓ ଅଜ୍ଞାନତା ଛଡ଼ା ଆଉ କିଛି ନୁହେଁ।

ଯାହା ବି ହେଉ, ଏଇ ତେତିଶବର୍ଷ ଭିତରେ ଓଡ଼ିଶା ତା'ର ସ୍ଥାପତ୍ୟ, ତା'ର କଳାକୃତି, ସାହିତ୍ୟ ଓ ଖେଳକୁଦକୁ ନେଇ ବିଶ୍ଵମଞ୍ଚରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିସାରିଛି। ତେବେ, ଏବେ ବି ଆହୁରି ଅନେକ ପଥ ଅତିକ୍ରମ କରିବାକୁ ଅଛି। କେବଳ ମୁହଁରେ ଓଡ଼ିଆ ଅସ୍ମିତାର ଡିଣ୍ଡିମ ପିଟି ବାହାସ୍ଫୋଟ ମାରିଦେଲେ ଅସ୍ମିତା ଉଜ୍ଜ୍ବଳ ହୁଏ ନାହିଁ, ସେଥିପାଇଁ ସ୍ୱାଭିମାନ ସହ କାର୍ଯ୍ୟାନ୍ୱୟନ ବି ଆବଶ୍ୟକ। ଯାହା ପରିଦୃଷ୍ଟ ହୋଇଥିଲା ଏଥର ପୁସ୍ତକ ମହୋତ୍ସବର ଉଦଘାଟନ ସମୟରେ, ଯେତେବେଳେ ଉଦଘାଟକମାନଙ୍କର ଅସ୍ମିତାର ଅନୁପସ୍ଥିତି ହେତୁ ଉଦଘାଟନ ଅଢ଼େଇଘଣ୍ଟା ବିଳମ୍ବିତ ହୋଇଥିଲା।

ବନ୍ଦେ ଉତ୍କଳ ଜନନୀ।।

There are 10 comments

  1. ସଂପାଦକୀୟଟି ଯଥାର୍ଥରେ ଏକ ତାର୍କିକ ପ୍ରବନ୍ଧ ଏବଂ ସମ୍ପାଦକଙ୍କ ବାକ୍ ପଟୁତା, ସ୍ପଷ୍ଟବାଦିତା ଓ ସୂକ୍ଷ୍ମ ଧୀମହି ସୁସ୍ପଷ୍ଟ ।

  2. ଏ ମାସର ସମ୍ପାଦକୀୟ ବି ଖୁବ୍ ସୁନ୍ଦର, ଶିକ୍ଷଣୀୟ,
    ବହୁତ ଭଲ ଲାଗିଲା
    ନମସ୍କାର ସାର୍
    🙏🙏
    ଓଡ଼ିଆ ଅସ୍ମିତାକୁ ନେଇ ଆପଣଙ୍କ ସେଦିନର ଅନୁଭବ ହେଉଛି ସତ୍ୟର ପରିପ୍ରକାଶ

    1. ଆଜ୍ଞା, ଠିକ୍ କହିଲେ। ଅସ୍ମିତା କେବଳ ଏକ ଶବ୍ଦ ବା ଶବ୍ଦର ଅର୍ଥ ନୁହେଁ। ଏହା ଗୋଟିଏ ଜାତିର ସ୍ୱାଭିମାନ, ତା’ର ପରିଚୟ ଓ ଉନ୍ମେଷ ବି।

      ସହମତ ପାଇଁ ଧନ୍ୟବାଦ ସହ ଶୁଭେଚ୍ଛା ଜଣାଉଛି।

  3. ହ୍ବାଟ୍ସପ୍ ମାଧ୍ୟମରେ ବ୍ରହ୍ମପୁରରୁ କବି ଭଗବାନ ପଣ୍ଡା ଭଗତ୍ ଲେଖିଛନ୍ତି :

    ପ୍ରାଣୋଛ୍ଛ୍ବାସ ସଂପାଦକୀୟ ! ଖୁବ୍ ସୁନ୍ଦର ହେଇଚି, ଏହି ସଂଖ୍ୟାର “ଚଉକାଠ” ଶୁଭେଚ୍ଛା ଓ ଅଭିନନ୍ଦନ, ଭାଇ ।

    1. ଅଶେଷ ଧନ୍ୟବାଦ ସହ ଶୁଭେଚ୍ଛା ଜଣାଉଛି। ସଂପାଦକୀୟ ସହ ଚଉକାଠ ଉପରେ ଏକ ସାମଗ୍ରିକ ପ୍ରତିକ୍ରିୟା ପାଇଲେ ଏହା ଆମକୁ ସଜାଡ଼ି ହେବାକୁ ଓ ଗଢ଼ି ହେବାକୁ ମାର୍ଗ ପ୍ରଦର୍ଶନ କରନ୍ତା।

  4. ହ୍ବାଟ୍ସପ୍ ମାଧ୍ୟମରେ କଟିକଟା, କଟକରୁ ସସ୍ମିତା ପଣ୍ଡା ଲେଖିଛନ୍ତି:

    ସାର୍ 🙏
    ଏଥର ଏକଦମ୍ ସମ୍ପୂର୍ଣ୍ଣ ନୂଆଶୈଳୀରେ “ଚଉକାଠ”ର ପ୍ରତ୍ୟେକ ପୃଷ୍ଠା । ସବୁ ପୃଷ୍ଠା କଳ୍ପନାରେ ସ୍ବର୍ଣ୍ଣପ୍ରସୂ ଆଉ ଭାବନାରେ ରତ୍ନଗର୍ଭା । ସମ୍ପାଦକୀୟ ପୃଷ୍ଠା ଦେବଭୂମି ଆଉ ବେଦଭୂମିର ମହାର୍ଘ ମିଳନ । କଳା, ସଂସ୍କୃତି, ଆମ ପରମ୍ପରା ଆଉ ସାହିତ୍ୟର ମହାନତାରେ ମହିମାନ୍ବିତ ହୋଇଛି ଏଇ ମାଟିର ମମତା । ଆପଣଙ୍କ ଉଚ୍ଚାରିତ ଶବ୍ଦରେ ରହିଛି ଅହେତୁକ ଆକର୍ଷଣ । ଅତୁଳନୀୟ ଅଭିନବ “ଚଉକାଠ” ।
    ହୃଦୟରୁ ସାରସ୍ୱତ ପ୍ରଣାମ ।🙏

    1. ଚଉକାଠ ଆପଣଙ୍କୁ ଭଲଲାଗିଛି ଜାଣି ଆନନ୍ଦିତ ହେଲୁ। ଆପଣଙ୍କର ଏ ଭଳି ସକାରାତ୍ମକ ପ୍ରତିକ୍ରିୟା ଓ ଭଲପାଇବା ଆମକୁ ଆଉ ଦୁଇପାଦ ଆଗକୁ ଚାଲିବାର ସାମର୍ଥ୍ୟ ଯୋଗାଇବ।
      ଅଶେଷ ଧନ୍ୟବାଦ ସହ ଶୁଭେଚ୍ଛା ।

  5. ହ୍ବାଟ୍ସପ୍ ମାଧ୍ୟମରେ କବି ବିପିନ୍ ନାୟକ ବ୍ରହ୍ମପୁରରୁ ଲେଖିଛନ୍ତି : # ଅଶେଷ ଧନ୍ୟବାଦ ଏ ନିଷ୍ଠାପର ସାରସ୍ୱତ କର୍ମ ପାଇଁ।

    1. ବିପିନ୍ ସାରଙ୍କୁ ଅଶେଷ ଧନ୍ୟବାଦ ସହ ପ୍ରଣାମ।
      ତାଙ୍କର ଏମିତି ଆଶୀର୍ବଚନର ହାତ ଓ ସ୍ନେହ ଚଉକାଠ ଉପରେ
      ଅତୁଟ ରହୁ।

Leave a Reply

Your email address will not be published. Required fields are marked *