Home » Magazine » ସଞ୍ଜୀବ କୁମାର ଭୋଇ : ଗଳ୍ପ : ମିଛଯାଦୁକର

ସଞ୍ଜୀବ କୁମାର ଭୋଇ : ଗଳ୍ପ : ମିଛଯାଦୁକର

“ ମିଛ ଯାଦୁକର…

ତୁମେ ମିଛ ଯାଦୁକର … ।”

ଏହିପରି କହି, କାନ୍ଦି କାନ୍ଦି ଫେରିଯାଇଥିଲା କୁନିପୁଅଟି; ଗଳିମୁଣ୍ଡରେ ଥିବା ତା’ ନୁଆଁଣିଆ ଖପରଲି ଘର ଭିତରକୁ। ଯେଉଁଟା ଏଇଠୁ, ଏଇ ଚଉତରା ପାଖରୁ ସମ୍ପୂର୍ଣ୍ଣ ସ୍ପଷ୍ଟ ନ ହେଲେବି ଆଂଶିକ ଦେଖାଯାଉଥିଲା ଯାଦୁକରକୁ। ଏଇଠି ଯେଉଁ ଚଉତରା ନିକଟରେ କିଛି ସମୟ ପୂର୍ବରୁ ତାକୁ ଘେରି ରହିଥିଲେ କିଛି ଦର୍ଶକ, ଦେଖୁଥିଲେ ତା’ ସମ୍ମୋହନୀ ଯାଦୁ ତଥା ହାତ ସଫେଇର ଇନ୍ଦ୍ରଜାଲ। ସେଇଠି ଏବେ ସିଏ ନୀରବ ନିଶ୍ଚୁପ ପ୍ରସ୍ତର ମୂର୍ତ୍ତିଟିଏ ଭଳି ବସିରହିଛି । ଖେଳେଇ ହେଇପଡ଼ିଛି ଯେତେସବୁ ତା’ ଯାଦୁଖେଳର ଛୋଟମୋଟ ସାଜ ସରଞ୍ଜାମ, ଇତ୍ୟାଦି ଇତ୍ୟାଦି ।

କିଛି ସମୟ ପୂର୍ବେ ଖେଳ ଦେଖି ସବୁଲୋକ ଚାଲିଯିବା ପରେ କାହିଁକି କେଜାଣି ହଠାତ୍ ଫେରିଆସିଥିଲା ପାଞ୍ଚ ସାତ ବର୍ଷର ଟିକିପିଲାଟା। ହାତରେ ତାର କିଛି ରଦି ଖବରକାଗଜ । ଦୁଇହାତକୁ ବଢ଼େଇ ଦେଇଥିଲା ଯାଦୁକର ଆଡ଼କୁ । ଆଉ ଆଗ୍ରହ କରିଥିଲା ସେଇ ସବୁ କାଗଜକୁ ନେଇ ଆଉଥରେ ଦେଖେଇବାକୁ ସେଇ ଖେଳ; ଯେଉଁଥିରେ ଯାଦୁକର କାଗଜର ଟୁକୁରାକୁ ଟଙ୍କାରେ ପରିଣତ କରିପାରୁଥିଲା, ପଲକ ପାତକେ।

: ସବୁବେଳେ ସେମିତି ହୁଏନାରେ ବେଟା । ଇଏ ଯାଦୁଖେଳ । ୟା ପାଇଁ କିଛି ତୟାରି ଦରକାର।

: ଖାଲି ଆଉ ଥରେ ମାତ୍ର ମୋ’ ଲାଗି କରିଦିଅନା, କାଗଜକୁ ଟଙ୍କା।

: ହେଲେ କାହିଁକି ଆଉଥରେ ! କୁଛ ସମୟ ପେହେଲେ ପରା ଦେଖେଇଥିଲି ସେ ଖେଳ ! ଦୋବାରା କ୍ୟୁଁ !

: ମୋ’ ମାଆର ଦେହ ବହୁତ ଖରାପ। ଡାକ୍ତର କହିଛନ୍ତି ଔଷଧ ଦେବାକୁ। ମୋର ବାପା ନାହିଁ। ମୋ ପାଖରେ ଟଙ୍କା ନାହିଁ। ତୁମେ ତ ଯାଦୁକର। ଯାଦୁରେ କାଗଜକୁ ଟଙ୍କା କରିପାର । ମୋ ବେମାର ମାଆ ପାଇଁ ଆଉଥରେ ଦେଖାଅନା ସେ ଖେଳ ! କାଗଜକୁ ଟଙ୍କା କରିବାର !

ବିବଶ ଯାଦୁକର କରିବ ବା କ’ଣ । ନିଜ ଅସହାୟତାକୁ ଖୋଲି ପରିପ୍ରକାଶ ତ କରିପାରିବନି ପିଲାଟାର ଆଗରେ | ଯିଏ ତାକୁ ମହାନ ମନେକରୁଛି। ଯାଦୁକର ବିବଶତାକୁ ଅନିଚ୍ଛା ମନେକରି ନିରାଶାରେ କାନ୍ଦି କାନ୍ଦି ଫେରିଯାଇଥିଲା କୁନିପୁଅ। ହଠାତ ପ୍ରକୃତିସ୍ଥ ହେଲା ଯାଦୁକର। ସମ୍ମୁଖରେ ତା’ର ପଡ଼ିରହିଥିଲା କୁନିପୁଅ ଛାଡ଼ିଯାଇଥିବା ରଦି କାଗଜ ଟୁକୁରା ସବୁ | ଗୋଟି ଗୋଟି କରି ନିଜ ସରଞ୍ଜାମ ସବୁଙ୍କୁ ସଜିଲ କଲା ଆଉ ଚାଲିଲା ଗଳିମୁଣ୍ଡର ସେଇ କଣ  ଘରଆଡ଼କୁ । ଯେଉଁଠି କାନ୍ଦି କାନ୍ଦି ଦୃଷ୍ଟିରୁ ହଜିଯାଇଥିଲା କୁନିପୁଅଟି।

କବାଟ ପାଖରେ ପହଞ୍ଚ ଡାକଦେଲା: ବେଟା ! ବେଟା ! କୁନିପୁଅ ! ଆସ ବେଟା ଆଉଥରେ ଦେଖିଯା’ ଯାଦୁଖେଳ। କାଗଜକୁ ଟଙ୍କା କରିବାର।

ଏଥର କବାଟ ଫାଙ୍କରେ ଉଙ୍କିମାରିଲା କୁନିପୁଅର ସରଳ ମୁହଁ। ଯାଦୁକର ଆଉଥରେ ଆରମ୍ଭ କଲା ଖେଳ। “ ଆବରା-ଜା-ଡ଼ାବରା, ଓଁ ଗିଲି ଗିଲି ଫଟ, ଗିଲିଗିଲି ଫଟ୍, ଆଲ୍ଲା କେ ନାମ ପେ, ଭଗବାନ କେ ନାମ ପେ, ବନିଯା…ବନିଯା…।” ଆଉ ଯାଦୁକରର ଟୋପିରୁ ଖସିପଡ଼ିଲା ସରଗର ଫୁଲପରି ଟଙ୍କା ପଇସା କରି କେଇଗୋଟି। ଏ ସବୁ ଦେଖି କୁନିପୁଅର ହାତ ଦୁଇଟା ତାଳି ମାରିବାକୁ ଉଠିଗଲା ସିନା ମାରିପାରିଲାନି । ବରଂ ମୁଠା ମୁଠା ହେଇଗଲା, ଯୋଡ଼ି ହେଇଗଲା ପ୍ରଣାମ ମୁଦ୍ରାରେ । ଲୋମମୂଳ ତା’ର ଟାଙ୍କୁରି ଉଠିଲା ।

: ବେଟା ଇଏ ସବୁ ତୋର ଟଙ୍କା, ତୋ’ ପଇସା । ତୋ’ କାଗଜରୁ ଏ ଟଙ୍କା, ପଇସା ସବୁକିଛି ବନିଛି। ଲେ – ଲେ ତୋ ମାଆ ପାଇଁ ଦବାଇ ଖରିଦ୍ କରିବୁ । ହେଲେ ଆଜକେ ଲିୟେ ଏତିକି | ଫିର କେବେ ୱକ୍ତ ମିଳିଲେ ପୁଣି ଦେଖେଇବି ଏ ଖେଳ । ଏଇଠି ୟହାଁପର | ତୋ’ପାଇଁ । ଖାସ ତେରେ ଲିୟେ |

ଯାଦୁକର ଚାଲିଯାଉଥିଲା ତା’ ବାଟରେ। ପଛରୁ କୁନିପୁଅ ଚାହିଁରହିଥିଲା ଯାଦୁକରର ଯିବା ବାଟକୁ। ଆଶାଭରା ଆଖିରେ ତା’ର କୃତଜ୍ଞତାର ଝଲକ। ହେଲେ ଗଲାବେଳେ ଯାଦୁକରର ମୁହଁରୁ ସ୍ୱଗତୋକ୍ତି ଭଳି ବାହାରି ଆସିଥିଲା କଥା କେଇପଦ… “ଯାଦୁଖେଳ ମିଛ ହେଇପାରେ… ମାୟା ହେଇପାରେ। ହେଲେ ଯାଦୁକର ମିଛ ନୁହେଁ| କେବେ ମିଛ ନୁହେଁ। ସିଏ ତ କେବଳ ମଣିଷଟିଏ। ନିତି ନିତି ପେଟପାଇଁ ବୁଲି ବୁଲି ଖେଳ ଦେଖାଉଥିବା ସତ ସତ ନିଛକ ମଣିଷଟିଏ ।” ଯାହାକୁ ହୁଏତ କୁନିପୁଅ ଶୁଣିଥିଲା। ହେଲେ ତା’ର ବୁଝିବା ବୟସ ହେଇନଥିଲା।

There is 1 comment

  1. ଚମତ୍କାର ଗଳ୍ପ
    ବିଶେଷକରି ଲେଖାର ଶୈଳୀ ଉଚ୍ଚକୋଟୀର।
    ଧନ୍ୟବାଦ ଗାଳ୍ପିକ ସଞ୍ଜୀବ ଭୋଇ
    ଅଭିନନ୍ଦନ

Leave a Reply

Your email address will not be published. Required fields are marked *