ହେ’ କଲମ..! ଜାଗ୍ରତ ହୁଅ
।। ଶ୍ୱେତପଦ୍ମା ବିଶ୍ୱାଳ ।।
ଆମର ଈଡ଼ା,ସୁଷୁମ୍ନାରେ ଦିନେ
ଦେଶପ୍ରେମ ଭରିଦେଇ ଥିଲା କଲମ…
ଧୂର୍ଜରି ଜଟାଜୁଟ ଇଂରେଜ ପ୍ରାଣକୁ
ପ୍ରକମ୍ପିତ କରିଥିଲା ଏଇ ଲେଖକର କଲମ ।
ଗଙ୍ଗାରୁ ଗୋଦାବରୀ
ହିମାଳୟରୁ କନ୍ୟାକୁମାରୀର
ଶୋଭା ବର୍ଣ୍ଣିଥିଲା ଏଇ କଲମ,
ସ୍ବର୍ଣ୍ଣାକ୍ଷରରେ ଅମରବୀରଙ୍କ କାହାଣୀ
ଲେଖିଥିଲା ଏଇ କଲମ ।
ଭାବନାର ପରିଧିରେ
ସ୍ୱାର୍ଥର ସୀମାରେଖା ବାହାରେ
ସବୁବେଳେ ଲେଖକର ସ୍ଥାନ…
ଲେଖକର କଲମ ହିଁ କରିପାରେ
ଶାନ୍ତ, ସୁନ୍ଦର, ନିର୍ମଳ ସମାଜ ଗଠନ।
ହେଲେ ଆଜି କୋଉଠି କଲମ..?
କୋଉଠି ହଜିଛି ଲେଖକର ମାନ-ସନମାନ…
ଦେଶ, ଜାତି ଓ ଭାଷାକୁ ସଂଖୁଳିବା ପଣ..!!
ଶବ୍ଦକୋଷରୁ ସରିଗଲା ଶବ୍ଦ
ନା’ କଲମରୁ ଈଡ଼ିଗଲା ସ୍ୟାହି ଲେଖକର..!
ଭାବନାରେ ପଡ଼ିଗଲା ପୂର୍ଣ୍ଣଛେଦ
ନା’ ଭାବର ଅବୁଝାପଣରେ ବିତୃଷ୍ଣା ପାଠକର..!!
ମଡ଼ାଜାତି ଆଜି ଜାଗ୍ରତ ହୁଅ
କଲମମୁନର ଖଡ୍ଗ ଧାରେ
ସୁପ୍ତ ଜାତିକୁ ଥରେଇ ଦିଅ…
ହେ! କଲମ ଜାଗ୍ରତ ହୁଅ ।
ଜାଗ୍ରତ ହେଉ ପୁଣି କଲମର ମୁନ
ଭାଙ୍ଗିଦେଇ ଯେତେସବୁ ଅନ୍ଧ ନୀରବତା,
ଫେରିଆସୁ ପାଠକର ପଢ଼ିବାର ତୃଷ୍ଣା
ଫେରିଆସୁ ପୁଣି ଆମ ଭାଷାର ଅସ୍ମିତା।
ପୁରୀ
ସ୍ମୃତି ତୁମେ…
।। ଶ୍ୱେତପଦ୍ମା ବିଶ୍ୱାଳ ।।
ରାତ୍ରିର ନୀରବତା ଭିତରେ ତୁମେ
ଝିଙ୍କାରୀର ଶବ୍ଦଟିଏ,
ସପନର ଗହଳ ଡାଳରେ ସ୍ମୃତି ତୁମେ
ସଳଖ ଖିଅଟିଏ ।
ମୁଁ ସ୍ମୃତିସିକ୍ତ ହୃଦୟର ଅକୁହା ବେଦନାଟିଏ,
ଅଶ୍ରୁ ମୋର ଦୁର୍ଲଭ, ଦୁର୍ବୋଧ…
ଅଭୁଲା ଅତୀତର ସ୍ମୃତି ବାହି ଚାଲୁଛି ମୁଁ ଚୋରାବାଲି ଡେଇଁ
ମଣିଷର ଜହର ଜ୍ଜ୍ଵାଳାରେ ଆକ୍ରାନ୍ତ..!
ଶୈକତ ସପନ ରାଇଜେ ବାଲିଘର
ତୋଳିଥିଲି କେତେ,
ପ୍ରବାହିତ ସମୟର କଠୋର ତରଙ୍ଗରେ ଭାଙ୍ଗିଗଲା ସତେ।
ଦରଦୀ ହୃଦୟର କୋମଳ ଅଳିନ୍ଦରେ ସ୍ମୃତି ତୁମେ
ଚିର ସମାହିତ
ଅତୀତର ବାଲୁକା ସ୍ତୁପ ତଳେ ବି ଦିକ୍ ଦିକ୍
ତୁମେ ଧ୍ରୁବସତ୍ୟ ।
ନା, ତୁମେ ବିହଙ୍ଗ ମୁକ୍ତଆକାଶ ର
ନା, ତୁମେ ବାରିଧି ଧାରାଶ୍ରାବଣର
ନା, ତୁମେ ସପ୍ତରଙ୍ଗ ଇନ୍ଦ୍ରଧନୁର
ନା, ତୁମେ ମୁକ୍ତା ଶାମୁକା ଗର୍ଭର
ନା, ତୁମେ ସୁବାସ ସଜଫୁଟା ପୁଷ୍ପର
ନା, ତୁମେ ଚାରୁ ଚିତ୍ରପଟ୍ଟ କୋଣାର୍କର
ତୁମେ ଅନ୍ତରଙ୍ଗ ସାଥୀଟିଏ ଜୀବନ ଯାତ୍ରାରେ ତୁମେ ଆଲୋକିତ ବତୀଘର ସମୁଦ୍ର ମଝିରେ।
There are 4 comments
ନବ ପ୍ରତିଭାଙ୍କର ଏ ସୁନ୍ଦର
ସ୍ୱାକ୍ଷରତା ଖୁବ୍ ମନକୁ ଛୁଇଁଲା💐🙏
ଅଶେଷ ଧନ୍ୟବାଦ ମତାମତ ପାଇଁ।
ଶ୍ୱେତପଦ୍ମାଙ୍କ ଦୁଇଟି କବିତା ଖୁବ୍ ଭଲ ଲାଗିଲା ।
ନବାଗତା କବି ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।
ଶ୍ୱେତପଦ୍ମାଙ୍କ ଦୁଇଟି କବିତା ଖୁବ୍ ଭଲ ଲାଗିଲା ।
ନବାଗତା କବି ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।