
ଯେଉଁଦେଶ ବିଷୟରେ ମୁଁ କବିତା ଲେଖିଥାନ୍ତି
ସେଇ ଗୋଟିଏ ସ୍ବପ୍ନ ମରୁଭୂମିରେ ବଦଳିଗଲା
ଦେଖୁ ଦେଖୁ ମୁଁ ଅସହାୟ ଠିଆ ହେଇଥିଲି ସେଇ ମରୁଭୂମିରେ ଏକ୍ଲା !
ମୋ ଦେଶର ରାଜା ଜଣେ ଭଦ୍ରଲୋକର ଛଳନା କରି
ତ୍ରିରଙ୍ଗାକୁ ବାଣ୍ଟିଦେଲେ ତିନୋଟି ଭାଗରେ
ଗେରୁଆରଙ୍ଗ କାଳେ ହଜିଯିବ ରଙ୍ଗବାକ୍ସରୁ
ସେଥିପାଇଁ ସବୁଜରଙ୍ଗରେ ସେମାନେ ଧଳାରଙ୍ଗ ମିଶେଇ ଚାଲିଲେ,
ରଙ୍ଗ ସବୁ ତା’ର ଅସ୍ତିତ୍ବ ହରାଇବା ଯାଏଁ !
ଇଶ୍ବରଙ୍କୁ ଫେରାଇ ଆଣୁଥିବା ରାଜା
ଏ ଦେଶକୁ ଫେରାଇ ଦେଇପାରୁନାହାନ୍ତି ତା’ର ଅପହୃତ ପୂର୍ବ ଗୌରବ.. !
ଆଶ୍ଚଯ୍ୟ.. !!
ଯେଉଁ ଅମଲାତନ୍ତ୍ରର
ଚାଟୁକାରମାନେ ବୁଝିପାରନ୍ତି ନାହିଁ
ଯେ ଗଣତନ୍ତ୍ର କହିଲେ କେବଳ ଭୋଟବାକ୍ସ ନୁହେଁ,
ରାଜତନ୍ତ୍ର କହିଲେ କେବଳ ରାଜଗାଦି ନୁହେଁ
ସେହିମାନଙ୍କ କାନ୍ଧରେ ଗୋଡ ଥୋଇ ରାଜା
ଗାଦିରେ ଶାସନ କରନ୍ତି,
ସେମାନେ ଭୁଲିଯାଆନ୍ତି ଯେ’ ପାଦପିଢାର କାମ ବି ଦିନେ ଶେଷହୁଏ
ସେ ବି ଅଲୋଡ଼ା ଅଖୋଜା ପଡ଼ିରହେ
ଘରର ଅଳନ୍ଧୁ ଲାଗିଥିବା ଗୋଟେ କୋଣରେ !
ବିଧବାର ବୟସ ହିଁ ତା’ର ଶତ୍ରୁ
ଆଉ ଦେହଜିବୀର ଦେହ ପୁଞ୍ଜିର ନିବେଶ
ଏ ଦେଶ କିନ୍ତୁ ନା’ ବିଧବାର ବୟସ
ନା’ ଦେହଜିବୀର ଦେହ !
ଏ ଦେଶର ମେରୁହାଡ଼ରେ ଏବେ ବି ସଂଗ୍ରାମର ମେରୁମଞ୍ଜା ଖୁବ ପ୍ରବାହମାନ,
ତାକୁ ବିଦ୍ରୋହର ଲାଭାରେ ପରିଣତ କଲେ, ଇତିହାସର କବର ଫିଟେଇ
କେବଳ ଭଗତ ସିଂ ଆସିବେ ନାହିଁ…
ସଂଗ୍ରାମୀର ଉଦ୍ଧତଡ଼ାକ ପୁଣିଥରେ ଜୀବନ୍ୟାସ ଦେବ
ସେଇ ମୁକ୍ତି ସଂଗ୍ରାମୀମାନଙ୍କୁ
ଯାହାର ନାମ ମାତ୍ରକେ ଥରିଉଠିବ ଏକଛତ୍ରବାଦର ଛାତି ।
ଭୋ’ ରାଜନ୍,
ଗଣତନ୍ତ୍ର ବଞ୍ଚିରହୁ ଦୀର୍ଘଜୀବୀ ହେଇ..
ନଚେତ,
ନୃସିଂହଙ୍କ ହୁଙ୍କାର ଓ ନଖ ଫାଡି ଦେଇପାରେ
ଛପନଇଞ୍ଚର ଛାତି !
There are 3 comments
ଚମତ୍କାର କବିତା
ବର୍ତ୍ତମାନ ଗଣତନ୍ତ୍ରର ମୂଲ୍ୟବୋଧକୁ ସମ୍ପୁର୍ଣ୍ଣ ଗର୍ଭସ୍ଥ କରିଦେଇ ଶାସନ ଗାଦିର ମୋହରେ ନୈତିକତା ଭୁଲି ଯାଇଥିବା ଦେଶର ତଥାକଥିତ ବଡ଼ପଣ୍ଡା ମାନଙ୍କର ଚରିତ୍ର କୁ ଚମତ୍କାର ଭାବେ ଚିତ୍ରିତ କରିଥିବାରୁ ଅନ୍ତରରୁ ଧନ୍ୟବାଦ
ଧନ୍ୟବାଦ ଚଉକାଠ ର ସମ୍ପାଦକ ଏବଂ ପ୍ରକାଶକଙ୍କୁ
କବିତାଟି ଖୁବ ଭଲ ଲାଗିଲା l 💐💐
The entire poem is interesting , giving good messages.
But I liked most the stanza where all the colour got personified in a wonderful way.
Colour always attracts me. So much that in every year I go to the market place in winter where on the footpath many ladies and gents sell wools. Oh, how many colours and in soft texture of wool, I feel as if the place has become a riot of colour.
But that is about beauty.
Where as in this poem, personification of colour is done with strong messages.