
ଏ ସାରା ନୀଳଆକାଶ ମୋର ।
କିନ୍ତୁ ମୋ ଆଖିରେ,
ମୋ ହୃଦୟରେ ନୀଳରଙ୍ଗର
ପ୍ରବେଶ ନିଷିଦ୍ଧ ।
ରେ ବାୟୁ !
ତୁ ବିପରୀତ ଦିଗରେ ପ୍ରବାହିତ ହ’ ।
ଆକାଶମୁହାଁ ନ ହେଉ ଏବେ ମୋ ଶରୀର ।
ମୋ ଆଖି ଦେଖୁ….
ଗଭୀର ଅନ୍ତରରେ ପ୍ରବାହିତ ଲାଭାସ୍ରୋତ ।
ପ୍ରାକ୍ ଐତିହାସିକ ଯୁଗରୁ ତରଳି ଯାଉଥିବା,
ବିଗିଡି ଯାଉଥିବା
ପ୍ରେମର ବିଭିନ୍ନ ଆକାର ।
ମୁଁ କେଉଁ ଯୁଗରେ ଜନ୍ମିଥିଲି ?
କେଉଁ ନିଷିଦ୍ଧ ତିଥିରେ
ଖଞ୍ଜାହୋଇଥିଲା ହୃଦୟ
ମୋର ଶରୀରରେ !
ମୁଁ ପ୍ରଶ୍ନ ହିଁ ତ କରିନାହିଁ କାଳକୁ !
କାହିଁକି ମୁଁ ପଦ୍ମପତ୍ର ହେଲି !
ବିନ୍ଦୁଏ ପ୍ରେମକୁ ବି କେବେ
ନିଶ୍ଚିନ୍ତରେ ଧରି ନ ପାରିଲି !
ଏ ସାରା ଆକାଶ ତଥାପି ମୋର ।
ଏ କଳାମେଘ, ଲାଲ୍ ମେଘ,
ସବୁ ମୋର ।
ଖଣ୍ଡିଆଭୂତ ହୋଇ ଭୂଇଁଠୁ ଆକାଶକୁ
ଉଠୁଥିବା
ଏ ସୁତୀଵ୍ର ମାୟା ମୋହ
ସବୁ ମୋର ।
ଯାଉ ଛିନ୍ନଛତ୍ର ଉଡ଼ିଯାଉ
ଯେତେଯେତେ ସମ୍ପର୍କ, ଅସମ୍ପର୍କ ମୋର
ରକ୍ତର କଣିକାରେ ମିଶୁଥିବା
ଗୋଳିଆ ଭାବର ବ୍ୟାପାର ।
ଏ ସାରା ଆକାଶ ତଥାପି ମୋର ।
ନିମ୍ନମୁଖୀ ମୋର ଶରୀରକୁ
ଚିଲ ପରି ଝାମ୍ପି ନେଉଥିବା
ଆକାଶର ଏ ହାତ ଦୁଇଟି
କ’ଣ ତୋର !!
There are 16 comments
ଚମତ୍କାର କବିତା l ଖୁବ ଭଲ ଲାଗିଲା 🙏
ଧନ୍ୟବାଦ 🙏
ଏ ସାରା ଆକାଶ ମୋର
ହେଲେ ସେ ନୀଳରଙ୍ଗ–
ଚମତ୍କାର କବିତା । ଧନ୍ୟବାଦ ଅଶେଷ
ବହୁତ୍ ଧନ୍ୟବାଦ 🙏
ବେଦନା ବିଚ୍ଛେଦ ପ୍ରତିବାଦ ଓ ପ୍ରେମର ଏକ ଚମତ୍କାର କୋଲାଜ୍ କହିଲେ ଅତ୍ୟୁକ୍ତି ହେବନାହିଁ। ପ୍ରଣାମ 🙏💐
ଅନେକ ଧନ୍ୟବାଦ 🙏
କେମିତି ଲେଖନ୍ତି ଏମିତି କବିତା ଶର୍ମିଷ୍ଠା !
କବିତା ଯେମିତି ବହୁଛି ସୁନ୍ଦର ଛନ୍ଦରେ ତାଙ୍କ ପଢ଼ିବା ଶୈଳୀ ଟି ବି ସେମିତି ଧୀର, ନରମ, ଗମ୍ଭୀର।
ମୋତେ ଅସମ୍ଭବ ଭାବେ ଭଲ ଲାଗିଛି।
କିନ୍ତୁ ପ୍ରଥମରୁ ଆଖିରେ କହିଲା ପରେ ଆଉ ହୃଦୟରେ କହିବାର ଆବଶ୍ୟକତା ନାହିଁ
ପ୍ରଚୁର ଭଲ ପାଇବା ଏଇ କବିତା କୁ
ବହୁତ୍ ଧନ୍ୟବାଦ୍ ମୋନାଲିସା ନାନୀ।🙏
ବହୁତ୍ ଧନ୍ୟବାଦ୍ ମୋନାଲିସା ନାନୀ ।🙏❤️।
କାହିଁକି ମୁଁ ପଦ୍ମ ପତ୍ର ହେଲି, ବୁନ୍ଦାଏ ପ୍ରେମକୁ ବି ଧରି ରଖି ନ ପାରିଲି।
ଶର୍ମିଷ୍ଠା ଙ୍କ କବିତା ଖୁବ୍ ଭଲ ଲାଗିଲା।
ଅନ୍ୟାନ୍ୟ କବିତା ଟିକିଏ ପରେ ପଢ଼ିବି ନିରୋଳା ରେ, ଏବେ ଚା ଖଟି ରେ ସାଙ୍ଗ ଙ୍କ ମେଳ ରେ।
ବହୁତ୍ ଧନ୍ୟବାଦ୍ ମୋନାଲିସା ନାନୀ।🙏
ବହୁତ୍ ଧନ୍ୟବାଦ୍ କବି 🙏
ବହୁତ୍ ସୁନ୍ଦର୍ କବିତା ଓ ଆବୃତ୍ତି💕
ଧନ୍ୟବାଦ୍ ମୁକୁଲ ❤️
କବିତା ଖୁବ୍ ଭଲ ଲାଗିଲା। ବେସ୍ ଛୁଇଁଛି ମନକୁ ଅନ୍ତରରୁ ଶୁଭେଚ୍ଛା ଓ ଅଭିନନ୍ଦନ।
ଅନେକ ଧନ୍ୟବାଦ୍