Home » Magazine » ଲିପିକା ଦାସ : ଆଲୋଚନା : କବି ସୂର୍ଯ୍ୟ ମିଶ୍ରଙ୍କ ‘ଅନେକ ନିଦ୍ରିତ ଛାଇ’ରେ ଏକ ପାଠକୀୟ ମତ

ଲିପିକା ଦାସ : ଆଲୋଚନା : କବି ସୂର୍ଯ୍ୟ ମିଶ୍ରଙ୍କ ‘ଅନେକ ନିଦ୍ରିତ ଛାଇ’ରେ ଏକ ପାଠକୀୟ ମତ

          ପଢି‌ ନ ଥିବା ବହି  ସବୁବେଳେ ନୂଆ। ସେ ଯେବେ ବି ଛପା ହେଇଥାଉ ନା କାହିଁକି..!! ଏଇ ଯେମିତି ଏବେ ଏବେ ପଢିଲି ଅଗ୍ରଜ ତଥା ଓଡ଼ିଆ କବିତାର ଅନ୍ୟତମ ସମୃଦ୍ଧ ସ୍ରଷ୍ଟା, କବି ସୂର୍ଯ୍ୟ ମିଶ୍ରଙ୍କୁ  ଟାଇମପାସ୍ ପ୍ରକାଶିତ କବିତା ସଂକଳନ “ଅନେକ ନିଦ୍ରିତ ଛାଇ”ରେ। ମୁଁ ସମୀକ୍ଷକ ତ  କଦାପି ନୁହଁ ହେଲେ ପାଠକ ନିଶ୍ଚିତ।

“ଜରାଜୀର୍ଣ୍ଣ ସମୟକୁ କାନ୍ଧରେ ଲଦି ଦୀର୍ଘଶ୍ୱାସ ଓ ବିଫଳତାକୁ ସ୍ନାୟୁ ସ୍ରୋତରେ ବୋହି…”

କବି ଆରମ୍ଭ କରିଛନ୍ତି କବିତା, ଯୋଉଠି ପୃଥିବୀ ପ୍ରସ୍ତୁତ ଅଧିକ ସହନଶୀଳତା ଓ ସମର୍ପଣ ପାଇଁ। ସୃଷ୍ଟି ହେଇଛି କାହାଣୀ, ରାତିର କାହାଣୀରେ କାକର ବର୍ଷୁ ନଥିବ କି ଅନ୍ଧାର ପାତଳ ହେଉ ନଥିବ , ବୁଢୀମା ଓ ବୟସ୍କ ଲୋକମାନଙ୍କ ଚାରିପାଖରେ ବସିଯିବେ ସମସ୍ତେ, ଅଗଣାରେ ତାରାମାନେ ସଜେଇ ହେବା ପରି । ଏତିକି ବେଳେ କେହି କେହି କବିଙ୍କୁ ପଚାରନ୍ତି, ଆପଣ କାଳେ ଲେଖା ଲେଖି କରନ୍ତି ! ଲେଖନ୍ତି ଭିତରର ନନାବାୟା, ନ ହେଲେ ପ୍ରାର୍ଥନା…

ଗୁଣୁଗୁଣୁ ରାଗ ଆଉ ଅପମାନ, ବିଳାସ ବିଷାଦ, ସବୁ ନେଇ ଘାଣ୍ଟି ହେବା କଥା ବଞ୍ଚିବାର କଠିଣ ଖେଳରେ। ଆପଣ ଲେଖନ୍ତି ବି ଦୁଃଖର ଆତ୍ମକଥା। “ଆତ୍ମିକ” ହୁଅନ୍ତି କବିଙ୍କ ଶବ୍ଦମାନେ, ଯେମିତିକି….

କଳା ପଡ଼ିଯାଇଥିବା ଲଣ୍ଠନ ଭିତରୁ ଆସୁଥିବା, ସୋରାଏ ହଳଦିଆ ଅସୁସ୍ଥ ଆଲୁଅ ବି ଲିଭିଯିବ, ଅତୀତର ଚଢ଼େଇମାନେ ଉଡ଼ିଯାଇଥିବେ,

ହୁତ୍ ହୁତ୍ ହେଇ ଜଳିଯାଇଥିବ ପୁରୁଣା ଦିନର ଅହଙ୍କାର….

ଜୀବନ ସରିବା ଯାଏଁ, କବିଙ୍କୁ ଇଛାହୁଏ ଶବ୍ଦର ତରଳ ଅନ୍ଧାରରେ ପଶି ସୃଜନ ରଙ୍ଗରେ ଉନ୍ମାଦ ହେବାକୁ। କେବି କେବି ନିଜକୁ ପ୍ରେମିକା ମନେକରି କବିତିକା ଲେଖନ୍ତି କବି। ପ୍ରେମରେ ପାଣ୍ଡିତ୍ୟ ନାହିଁ ବୋଲି ଅଭିମାନ ବି କରନ୍ତି । ପ୍ରେମରେ ସମ୍ମୋହିତ “ରାତିକୁ” ଆପଣେଇ ପାରନ୍ତିନି ବୋଲି…ରାତି ବଡ଼ ଅବିଶ୍ବାସୀ, ବଡ଼ ଭୟାନକ, ଭସେଇଦିଏ ଅଜବ ଭାବନାରେ, ମୁଁ ପଚାରି ବସେ ନିଜେ ନିଜେ କ’ଣ ହେଲି ? ନିରୋଳା ପ୍ରେମିକ ? ପତ୍ନୀବ୍ରତ ସ୍ବାମୀ ?

ତଥାପି ସାଇତି ରଖିଥାନ୍ତି “ପ୍ରେମିକାର ଚିଠି”। ଯୋଉ ଚିଠିରେ…ଅଭିମାନ  ଓ ଲୁହର ଡଉଲ ଡାଉଲ ଅକ୍ଷର, ସେଥିରୁ ବାହାରୁଥିବା ଅସୁମାରୀ ବାସ୍ନା, ଯେଉଁ ବାସ୍ନାରେ ମୋର ଉଦବାସ୍ତୁ ଦୀର୍ଘଶ୍ୱାସ ସବୁ ମିଳେଇ ଯାଉଥିଲେ ପବନରେ…… ଅଥଚ କେବେ ଇତି ଲେଖିବାର ସାହସ ନ ଥିଲା ସେ ଚିଠିରେ । ୟା ଭିତରେ “ବୟସ ବଢୁଥାଏ”…. ସେଇଠି…, ଛାଇମାନେ ନିଜଠାରୁ ସାନ ଲାଗିଲାବେଳକୁ, ଭଙ୍ଗା ଦର୍ପଣରେ ଦିଶୁଥାଏ ଆମର ଅନେକ ମୁହଁ।ଏସବୁ ଭିତରେ “ଭାଗ୍ୟ” ବି ଯୋଡ଼ିହେଇ ଯାଏ । ଶନି କୋପ କରନ୍ତି ତ ସବୁ ଛାରଖାର ହେଇଯାଏ, ବୃହସ୍ପତି ଅନୁଗ୍ରହ କଲେ, ଥୁଣ୍ଟା ଗଛେ ନେସିହୁଏ ବସନ୍ତର ନୀଳ…… ସକାଳୁ ସକାଳୁ ପୂଜା ଆୟୋଜନ କରେ ଗ୍ରହ ଶାନ୍ତି ପାଇଁ …। ଶେଷରେ “ଅନେକ ନିଦ୍ରିତ ଛାଇ” । କରୁଣାରେ କବି ଲେଖନ୍ତି, ଛାଇମାନେ ଆଉଟିକେ ଶୁଅନ୍ତୁ, ବିରାମ ଚିହ୍ନ ପରି ଥାଆନ୍ତୁ, ଶବ୍ଦ ଓ ଉଚ୍ଚାରଣମାନଙ୍କ ସହ ଯୁକ୍ତିତର୍କ କରି କ୍ଳାନ୍ତ ସେମାନେ, ଶୁଅନ୍ତୁ ।

କବିତା ସବୁ ଭଲ ଲାଗିଲା । କବିଙ୍କୁ ପ୍ରଣାମ।

Leave a Reply

Your email address will not be published. Required fields are marked *