କାନ୍ଥ
।। ଲକ୍ଷ୍ମୀନାରାୟଣ ହୋତା ।।
କାନ୍ଥର କାନ ଥିଲେ କ’ଣ ହେବ ?
ମୁହଁ ଥିଲେ ତ କହିବ ଶୁଣାକଥା
କାନ୍ଥ ପାଣି, ପବନ, ଗୁଳି ଖାଇ
ମୂକ ପହରାଦାର ଚାହିଁଥାଏ ନିର୍ଲିପ୍ତ ଲୟରେ
ଅଥଚ ଶୁଣାକଥାକୁ ଚାପି ରଖେ
ଗହନ ମନର ଗୋପନଗଡ଼ରେ
କାନ୍ଥ ଶୁଣେ କି ନା କେଜାଣି
କହିବାରେ ଯେ ଅସମର୍ଥ
ଏ କଥାଟି ସତସିଦ୍ଧ
କାନ୍ଥ ଶୁଣିଛି ବନ୍ଧୁକର ଶବ୍ଦ
ଛାତିରେ ସାଇତିଛି ଗୁଳିବିଦ୍ଧ ଦାଗ
ବଳାତ୍କୃତ ନାବାଳିକାର ରକ୍ତିମ ଚିତ୍କାର
ପାଶବିକ ପୀଡ଼ା, କାନ୍ଥରେ ନେହୁରା ପାପୁଲି ଚିହ୍ନ
ଏସବୁ ଶୁଣିଲେ ହେବ କ’ଣ ?
ସିଏ ସାକ୍ଷୀ ନୁହଁ କି ସହୋଦର
କାଠଗଡ଼ାକୁ ଯିବାର ନଥାଏ କାନ୍ଥର
କାନ୍ଥ ଦେହରେ ଖୁନ୍ଦି ହୋଇ ରହିଥାଏ
ପଲଟା ଟିକିଲି ଲଟକା ଦର୍ପଣ
ନାଲିଛିଟ ଘୋଡ଼ିଘାଡ଼ି ହୋଇ
ଜୁଲ୍କାରୁ ଚାହୁଁଥାନ୍ତି
ନଈରେ ଭାସିବା ଅପେକ୍ଷାରେ
ଅସ୍ଥିଖଣ୍ଡକରେ ସୀମିତ ପୂର୍ବଜ
କପାଳରେ ଝୁଲୁଥାଏ କ୍ୟାଲେଣ୍ଡର
ଚାବିପେନ୍ଥା, ଲାଫିଙ୍ଗ-ବୁଦ୍ଧ, ପରିଜନଙ୍କ ଫଟୋଚିତ୍ର
ବଦଳୁଥାଏ ତାରିଖ, ଆଖପାଖ ଦୃଶ୍ୟ
ଅଥଚ ସେମିତି ଠିଆ ମୁଦ୍ରାରେ କାକୁସ୍ଥ କାନ୍ଥ
କାନ୍ଥର ଆଉ ସବୁ ଥାଉ କି ନଥାଉ
କଦାଚିତ ନଥାଏ ମୁହଁ
ନିରବ ନିଶ୍ଚଳ କାନ୍ଥ
କିଛି ବି କହି ନପାରିବାର
ବିଷଣ୍ଣ ଅବସୋସରେ
ଏକାନ୍ତ କ୍ଳାନ୍ତ
ଝାରସୁଗୁଡ଼ା, 94372 20685