ଫରୁଆ
।। ରୀନାରାଣୀ ସ୍ବାଇଁ ।।
ଆଲୁରୁବାଲୁରୁ କେଶଗୁଡ଼ିକ ସଜାଡ଼ି ପକାଇ ସାତସିଆ ଲୁଗା ସଫା କରି ରଖିଛି l ପିନ୍ଧିବ ପିନ୍ଧିବ ବୋଲି ହେଉଛି କାଳିଆ ବୋଉ। ସେ ଶାଢ଼ୀ କାଳେ ପିନ୍ଧିଲେ ତା ବୋଉ ଭାରି ସୁନ୍ଦର ଦିଶେ। ତା ବାପା ଦେଇଥିବା ଶେଷ ସନ୍ତକ ଏଇ ନୀଳଶାଢ଼ୀଟା..
ଏଣେ ତେଣେ ଅସଜଡ଼ା ଘରଟିକୁ ସଜାଡ଼ି ପକାଉଛି l ତାରି ଭିତରେ କେତେ କଥା ମନେ ପଡ଼ିଯାଉଛି…
ଆଜି ସେ ଥିଲେ କେତେ ଖୁସି ହେଇଥାନ୍ତେ….
ବାରପିଣ୍ଡା ତେର ପିଣ୍ଡି ହେଇ ଆ ଘରେ ତା ଘରେ ମୂଲ ଲାଗି ପିଲାଟିକୁ ମଣିଷ କରିଛି କାଳିଆ ବୋଉ l କାଳିଆର ଦେହ ଭଲ ରହୁନଥିଲା ବୋଲି, ଗାଁ ଠାକୁରାଣୀ ପାଖରେ କେତେ ମାନସିକ କରିଚି ଯେ ଆହୁରି ବାକି ରହିଛି ପୁଅ ଆସିଲେ ପୂରଣ କରିବ l
ବାପା ଛେଉଣ୍ଡ ପିଲାଟି, ବାପା ତ ଦେଶ ଲାଗି ଯୁଦ୍ଧରେ ସହିଦ ହେଇଛନ୍ତି, ତେଣୁ ଗୋଟିଏ ଜିଦ ସେ ମଧ୍ୟ ଆର୍ମିରେ ଯିବ l ଠାକୁରାଣୀଙ୍କ ଦୟାରୁ ପିଲାଟି କୂଳରେ ଲାଗିଲା….
ଏ’ସନ ଫଗୁଣରେ ତା’ ବାହାଘର ଟି ସାରିଦେବ ବୋଲି ଆଗରୁ ନିର୍ବନ୍ଧ କରିସାରିଛି… I
ଛ ‘ମାସ ପରେ ଘରକୁ ଆସୁଛି l ଏକା ସାଥିରେ କାମ ସାରିଦେବ l ଗାଁଗଣ୍ଡା ବୋଲା ହକା ରହିଛି, ଏବେ ଚଳଣିରେ ଟିକେ ସୁଧାର ହେଇଚି l ଗୋଡ଼ ଭାଙ୍ଗି ଛିଡ଼ା ହେବାକୁ ଆଉ ପଡୁନି ତେଜରାତି ଦୋକାନ ଆଗରେ l..
କେତେ ଦୁଃଖ କଷ୍ଟ ସହି ପିଲାଟିକୁ ମଣିଷ କରିଚି କାଳିଆ ବୋଉ.. ସେ କଥା ସୁମରି ସୁମରି ଲୁହ ନିଗିଡ଼ି ଯାଉଛି, ହଠାତ ଗାଡ଼ିର ହର୍ଣ ଶୁଣି ଓଦାଆଖିକୁ ପୋଛୁ ପୋଛୁ ଦେଖିଲା, ପୁଅ ଦାଣ୍ଡଦୁଆରେ…
ନାକ ସୁଡୁ ସୁଡୁ ଝରୁଥିବା କାଳିଆ ଆଜି ଫୌଜୀ ସାହେବ ହେଇଚି, କାଳ ବିଳମ୍ବ ନକରି ଦୌଡ଼ି ଯାଇ ପୂଜାଘରୁ ସଜଡ଼ା ଦୀପଥାଳି ଧରି ଦାଣ୍ଡଦୁଆରକୁ ଧାଇଁଲା,
ଆଖିରେ ଲୁହ, ଓଠରେ ହସ… କି ଅପୂର୍ବ ମିଳନ ମା’ ଆଉ ପୁଅର l ବନ୍ଦାପନା ସାରି ଭିଡ଼ି ଧରି ବହେ କାନ୍ଦି ପକାଇଲା କାଳିଆବୋଉ, କାଳିଆ ଏବେ ଭାରି ସୁନ୍ଦର ଦିଶୁଚି.. ପୂରା ରଜାପୁଅ ପରି l ଲୁଗାକାନିରେ ପୋଛି ପକାଇଲା ମୁଁହ l
ବାଢ଼ିଦେଲା ସଜ ପଖାଳ, ମାଛଭଜା, ବଡ଼ିଚୁରା, ବାଇଗଣଭଜା… ପାଖରେ ବସି ଖୁଆଇ ଦେଲା ଦି’ଗୁଣ୍ଡା, ଏ ସବୁ କଣ ସେଠି ମିଳେ?? ଭାରି ମନେପଡ଼େ ବୋଲି କାଳିଆ କେତେଥର କହିଥିବ ।
କଥା କଥାରେ ବେଳ କେତେ ହେଇଗଲା l ଝିଅଘର ଲୋକ ଆସି ପହଁଚିବେ l ତୁ ଟିକେ ସଜ ହୋଇପଡ଼େ ବୋଲି କହି ନିଜ କାମ ରେ ପୁଣି ଲାଗିଗଲା କାଳିଆବୋଉ….
ଆଜି ଏ ରୋଗୀଣା ଦେହଟାକୁ କେତେବଳ କୁଆଡୁ ଆସୁଚି କେଜାଣି..!! ଏକୁଟିଆ ଲିପା ପୋଛା, ଘର ସଜଡ଼ା ସବୁ କାମ କରିପକାଉଛି l କାଳିଆ ପରା ତାର ଏକୋଇର ବଳା…
ପୁଅ ଵିଭା କରିବ, ବୋହୂଟେ ଆସିବ…. ପିଲାପିଲି ହେଲେ ଜେଜୀମା ହେବ… ଏମିତି କେତେ କଥା, କେତେ ସପନ.. କେତେ ଆଶା ବୋଧ ହୁଏ ଏ ସବୁ ତା ଦେହର ଆଜି ଖୋରାକ ପାଲଟିଯାଇଛି l….
ଆଠଦିନ ଭିତରେ ସାଧାରଣ ଭାବରେ ବାହାଘରଟି ସରିଲା…। ଝିଅଟି ବେଶି ଗୋରା ନ ହେଲେ ବି ମୁଁହର ଗଢ଼ଣ ଭାରି ସୁନ୍ଦର l କାଳିଆ ସାଥିରେ ତାକୁ ଭଲ ମାନୁଛି l ପାଖରେ ବସାଇ ବୋହୂ ମାନୀକୁ ଗୋଟିଏ କଥା କୁହେ ସେ… ମାଆ ‘ରେ, ମୋ ପୁଅଟା ପିଲାରୁ ବାପ ଛେଉଣ୍ଡ। କେତେ ଦୁଃଖ କଷ୍ଟ ଭିତରେ ପିଲାଟି ପାଠ ପଢ଼ି ମଣିଷ ହେଇଚି l ମୁଁ ଆଜି ଅଛି କାଲି କି ନଥିବି, ହେଲେ ମୋ କାଳିଆକୁ ମା’ ପରି ବୁଝୁଥିବୁ, ସାଥିଟି ପରି ଦେଖୁଥିବୁ l ଘରର ଲଷ୍ମୀ ତୁ… ଯେମିତି ଚଲେଇବୁ ଘର ସେମିତି ଚଳିବ ରେ ମା… କହି କାନ୍ଦି ପକାଏ l ବୋହୂଟି ମଧ୍ୟ ଭାରି ସୁଧାର ଆଉ ସଂସ୍କାରି… ହାତଟିକୁ ଭିଡି ଧରି ଓଦାଆଖିରେ ମୁଣ୍ଡ ଟୁଙ୍ଗାରି ସହମତି ଜଣାଏ l
କାଳିଆବୋଉକୁ ଲାଗୁଥିଲା ଯେମିତି ଦଇବ ଟିକେ କୃପା କରିଛନ୍ତି l ଦୁଃଖର ଦିନଟା ଗଡିଗଲା କି..? ହେଲେ ପୁଣି ମନେ ମନେ କ’ଣ ଭାବି କେଜାଣି, ଲୁହ ପୋଛି ପକାଇ ନିରବୀ ଯାଏ… କାଳେ ଏ ଖୁସିରେ ତା ନିଜ ନଜର ଲାଗିଯିବନି ତ…l
ଚଉଠି ସରିଲା ଆଗକୁ ଅଷ୍ଟମଙ୍ଗଳା ବୋହୂ ନେଉଟାଣି ଯିବ ବାପଘରକୁ l
କଥାବାର୍ତ୍ତା ଚାଲୁଥିବା ସମୟ ରେ ହଠାତ ଫୋନ ବାଜିଲା…। କାଳିଆ ଫୋନରେ କଥା ହେଉଥାଏ; ତା’ କଥା ରୁ ଯାହା ଜଣାପଡୁଥିଲା ବୋଧେ, ହେଡ଼କ୍ୱାଟର୍ସରୁ ଆସିଛି, ଫୋନ ରଖି ଟିକେ ନୀରବ ବସିପଡ଼ିଲା କାଳିଆ l ମାନୀ ପଚାରୁଥାଏ.. କାହାର ଫୋନ? କିଏ କ’ଣ କହିଲେ କହୁନ କାହିଁକି.. ଘଡ଼ିଏ ପରେ କାଳିଆ କହିଲା, ମତେ ଫେରିବାକୁ ପଡ଼ିବ…
କାଳିଆବୋଉ ବିବ୍ରତ ହୋଇ ପଚାରୁଥାଏ
କୁଆଡ଼େ ଯିବୁ ?
ହେଡ଼କ୍ୱାଟର୍ସରୁ ଫୋନ ଆସିଛି, ଭାରତ ସୀମାରେ ଯୁଦ୍ଧ ଲାଗିଗଲାଣି, ଦୁଇଦିନ ଭିତରେ ପହଂଚିବାକୁ ପଡ଼ିବ, ମୋର ଛୁଟି କେନସେଲ କରାଗଲା.. I
କଣ କହୁଚୁ?
ହଁ ବୋଉ ମତେ ଯିବାକୁ ହେବ, ଏଥିପାଇଁ ତ ଆର୍ମି ଜଇନ କରିଥିଲି ନା..।
ହେଲେ ଅଷ୍ଟମଙ୍ଗଳା ସରିନି… ଏବେ ତ ଚାରିଟା ଦିନ ହେଇଚି l ତୁ କ’ଣ ନ ଗଲେ ହେବନି l ଆମ ଓଡ଼ିଆ ଘରେ କଥା ଅଛି ପରା ଅଷ୍ଟମଙ୍ଗଳା ନ ଯିବା ଯାଏ ନଈ, ନାଳ, ମଶାଣି ଡେଇଁ ଯାଆନ୍ତିନାହିଁ l
କଣ କହୁଚୁ ବୋଉ..? ଏ ସବୁ ପୁରୁଣା କଥା,
ମୁଁ ଗୋଟେ ଆର୍ମି ଅଫିସର, ଦେଶ ଡାକରା ଦେଲାଣି ଏ ସମୟରେ ଏ ସବୁ କ’ଣ କହୁଚୁ… ତୋ କଥା ରଖିପାରିବିନି ବୋଉ… I
ମାନୀ ମଧ୍ୟ ବୁଝାଇ ପକାଇଲା ଯିବାକୁ ବାଧ୍ୟ ବୋଉ, ତାଙ୍କର କିଛି ହେବନି, ଯୁଦ୍ଧ ସରିଲେ ସେ ପୁଣି ଆସିବେ.. I
ମୁଁ କ’ଣ ଜାଣୁନି ମାନୀ ର ମନକଥା..!! ମୁହଁରେ ସିନା କହିଦେଉଛି.. ହେଲେ ସଜ ସିନ୍ଦୂର ମୁଁହଟି ଭିତରେ ଝାଉଁଳି ଯାଉଛି l
ରାତିଟି ଆଜି ଭାରି ଦାଉ ସାଜୁଛି ମାନୀ ପାଇଁ, ଏ ରାତିରେ ବଞ୍ଚିବାକୁ ହେବ ହଜାରେ ଆୟୁଷ… କାଲି କି କିଏ ଦେଖିଚି, ଅନେକ ଶଙ୍କା, ଆଶଙ୍କା, ଆଶା, ବିଶ୍ୱାସ ଭିତରେ ନିଜକୁ ସଂଜତ କରୁଥାଏ ମାନୀ l
କାଳିଆ ବାରମ୍ବାର ବୁଝାଉଥାଏ ମୁଁ ଫେରିବି… ମୁଁ ଆସିଲେ ପ୍ରଥମେ ପୁରୀ ଯିବା l ତାପରେ ବୋଉର ଭାରି ମନ ଥିଲା ଟିକେ ଅଯୋଧ୍ୟା ରାମ ମନ୍ଦିର ବୁଲିଯିବାକୁ ତାକୁ ମଧ୍ୟ ସାଙ୍ଗରେ ନେଇଯିବା l ଗୋଟିଏ ଗୋଟିଏ ମୁହୂର୍ତ୍ତ ସାଉଁଟୁଥାନ୍ତି ଦୁହେଁ ଦୁହିଁଙ୍କ ପାଇଁ l
ଭୋର ପାଞ୍ଚଟାରେ ଟ୍ରେନ ଲାଗିବ ଷ୍ଟେସନରେ, ତେଣୁ ସହଳ ଯିବାକୁ ହେବ…
ପାହିଗଲା ରାତି… ସଜ ହୋଇ ବାହାରିଲା କାଳିଆ, ଦେଶ ପାଇଁ କିଛି କରିବାର ସମୟ। ନିଜକୁ ପ୍ରସ୍ତୁତ କରୁଥାଏ ନିଜ ଭିତରେ….
ମାନୀ ମଧ୍ୟ ସଜ ହେଉଥାଏ ହେଲେ ଆଜି ସିନ୍ଦୂର ଫରୁଆ ବଢ଼ାଇଦେଲା କାଳିଆକୁ ଆଉ କହିଲା, ପିନ୍ଦେଇ ଦେଲ ଏ ସିନ୍ଦୂର…
ଏ ଫରୁଆ ଭିତରେ ତୁମକୁ ସାଉଁଟି ପକାଏ… ଯେତେ ଯେତେ ଥର ଏ ଫରୁଆ କୁ ଛୁଁଉଥିବି ସେତେ ସେତେ ଥର ତୁମକୁ ପାଉଥିବି… କହି ଭିଡ଼ି ଧରି କାନ୍ଦି ପକାଇଲା, ମାନୀ…
ଝାମ୍ପୁରି ମୁଣ୍ଡରେ ଓଦା ଆଖିରେ କାଳିଆବୋଉ ବନ୍ଦାପନା କରି ମଥାରେ ଟାଣି ଦେଲା ବିଜୟ ସିନ୍ଦୂର ଆଉ କଣ ମନ ଦମ୍ଭ ଧରୁଛି ଭୋ.. ଭୋ.. ହୋଇ କାନ୍ଦି ପକାଇଲା କାଳିଆବୋଉ l
କାଳିଆ ଯିବାର ଦଶଦିନ ହେଲାଣି କିଛି ଖବର ନାହିଁ, ଦିନସାରା ଘରେ ରେଡ଼ିଓ ବାଜୁଛି କାରଣ ସେଇ ଗାଁରେ ପ୍ରାୟ ତ ବିଜୁଳି ରହୁନାହିଁ, ଦୁଇପ୍ରାଣୀ ଦୁହେଁ ଦୁହିଁଙ୍କୁ ବୁଝାଉଥାନ୍ତି l ହେଲେ ଆଜି ସକାଳୁ ଏ କାଉ ଟା କାହିଁକି ଯେ ଘର ଛାତ ଉପରେ ରାଉ ରାଉ ହେଉଛି କେଜାଣି…!!
କିଛି ଖବର ଆସିବ କି…?
ଭାବନା ନ ସରୁଣୁ ହଠାତ ଫୋନ ବାଜିଉଥିଲା, ଆରେ ମା ମାନୀ କାହାର ଫୋନ ବାଜୁଛି ଦେଖିଲୁ…
ହଁ ବୋଉ.. ହେଲୋ…
ଆର ପାଖରୁ ଶବ୍ଦ.. ବହୁତ ଦୁଃଖର ସହ କହୁଛି… କାଳିଆ ପ୍ରସାଦ ମହାନ୍ତି ଯୁଦ୍ଧରେ ସହିଦ ହେଇଛନ୍ତି… ଆଉ ଅନେକ ବୀରତ୍ୱର କଥା ଶୁଭୁଥାଏ ହେଲେ ମାନୀ ନିଶ୍ଚଳ ହେଇ ଛିଡ଼ା ହେଇଥାଏ…
କାଳିଆବୋଉ ପଚାରୁଥିଲା କ’ଣ ହେଇଚି .. କିଏ କ’ଣ କହୁଛି.. ଆଲୋ କ’ଣ ହେଇଚି କହ… ଛିଡା ହେଇ ରହିଛୁ … ଝାଙ୍କି ପକାଇଲା କାଲିଆବୋଉ… ଗୋଟିଏ ପଦ ବୋଉ… ସେ ସହିଦ ହୋଇଯାଇଛନ୍ତି… କାଳିଆ ବୋଉ ଭୋ… ଭୋ ହେଇ କାନ୍ଦି ପକାଇଲେ.. ଘର ଫାଟି ପଡୁଥାଏ…
କଥାଟା ଆଖ ପାଖ ଗାଁ ଗଣ୍ଡା ଖେଳିଗଲା
ସମସ୍ତଙ୍କ ମୁଁହରେ କାଳିଆର ଚର୍ଚ୍ଚା…
ଆଃ ପିଲାଟା ଚାଲିଗଲା… କାଳିଆବୋଉ ଆଉ କ’ଣ ଜୀବନ ଧରିବ…?
ଏବେ ଏବେ ବୋହୂଟି ଆସିଲା ଚାରିଦିନର ସଂସାର କ’ଣ ସେ ଜାଣିଲା…
ସମସ୍ତଙ୍କ ମୁଁହରେ ସମବେଦନା…
କାଳିଆ ଆସିବ… ହେଲେ କାଚ ବାକ୍ସ ଭିତରେ..। ସହିଦ ହେଇଚି ତାକୁ ସଲାମୀ ଦିଆଯିବ.. ଏ ବୀରତ୍ବର କଥା ହେଲେ ମା କ’ଣ ବୁଝୁଚି….
ମାନୀ କଥା ଭାବି ଆହୁରି କଷ୍ଟ ଲାଗୁଚି ପିଲାଟାକୁ ବୋହୂ କରି ଆଣିଲି.. କି ସୁଖ ଦେଲି…
ହେଲେ ମାନୀ ବୁଝିଲା ପରି ସ୍ଥାଣୁ ପାଲଟି ଯାଇଛି… କଣେଇ କଣେଇ ଝରକାକୁ ଆଡେଇ ପକାଉଛି. ଦୂରରୁ ଶୁଭିଲାଣି ଜୟ ଧ୍ଵନି….
ମନ ଭାଙ୍ଗି ପଡୁଥିଲେ ବି ଦୃଢ଼ କରିବାକୁ ଚେଷ୍ଟା କରୁଛି.. ଛାତିରେ ଛାତିଏ କୋହ…
ଚେଷ୍ଟା କରୁଥିଲେ ବି ଦୌଡ଼ି ଯାଇପାରୁନି
ସେତକ ବି ତା ପାଇଁ ବାରଣ..
ଯେତେ ଯେତେ ପାଖେଇ ଆସୁଛି କାଳିଆର ଶବାଧାର ସେତେ ସେତେ ଦାଉ ଦାଉ ଜଳୁଛି ତା ମଥାର ସିନ୍ଦୂର…
ଦୁଆରେ ଆସି ଲାଗିଲା ଗାଡ଼ିଟି। କାଳିଆ ବୋଉ ଭୋ ଭୋ ହେଇ ଛାତି ପିଟି କାନ୍ଦୁଥାଏ…। ମାନୀ ଉଠିଲା… ଆଉ ଦେଖିଲା କାଳିଆକୁ… ତ୍ରିରଙ୍ଗା ପତାକାରେ ଓଢ଼େଇ ହେଇ ଶୋଇଛି କାଳିଆ କେତେ ନିଶ୍ଚିନ୍ତରେ। ସେ ଅଜାଡ଼ି ହେଇ ପଡ଼ିଲା କାଳିଆ ଉପରେ..।
ଫାଟି ପଡ଼ିଲା ଆଖ ପାଖ ଅଂଚଳ ସଲାମୀ ତୋପରେ…। ମାନୀ ସକାଳୁ ସିନ୍ଦୂର ଫରୁଆଟା ଖୋଲି ପକାଇଲା… ତା ଭିତରେ ଦେଖୁଚି କାଳିଆର ମୁଁହ……କ’ଣ ଭାବିଲା କେଜାଣି ବନ୍ଦ କରିଦେଲା ଫରୁଆଟା। ସତରେ କଣ ବିଧବା ରମଣୀମାନଙ୍କର ଭାଗ୍ୟ, ଭବିଷ୍ୟତ, ସ୍ବପ୍ନ, ସମ୍ଭାବନା କ’ଣ ଏହି ସିନ୍ଦୂର ଫରୁଆ ଭିତରେ…!! ବୀରାରମଣୀର ସିନ୍ଦୂର କେବେ ଲିଭେନି, ସେ ତ ଜଳୁଥାଏ ଭାରତମାତାର କପାଳରେ…!!