ତୁମେ ଯିବା ପରେ ହିଁ
ଅନେକ ଥର ଫେରିଛ
ଦେହରେ ନୁହେଁ ବିଦେହ ଧରି
ମାନଚିତ୍ରରେ ନୁହେଁ ମୋହରେ
ଇଶ୍ଵରଙ୍କ ପରି ଝୁଲିପଡ
ସକାଳର ଅନ୍ୟମନସ୍କତାରେ
ମେଘ ଫେରିଲେ ନୁହେଁ
ବୈଶାଖର ପରବର୍ତ୍ତୀ ତାତିରେ
ଅବସୋସରୁ ନିଗିଡ଼ି ପଡ଼ୁଥିବା
କେଇ ବୁନ୍ଦା ଶବ୍ଦ ପରି।
ଦୀର୍ଘ ନିଶ୍ୱାସରେ ଯନ୍ତ୍ରଣା ବଢ଼ିଲେ
ତୁମେ ବୟସ୍କ ଦୁଃଖ ପରି
ସାମ୍ନାରେ ଠିଆହୁଅ
ଗୋଟେ କାହାଣୀ ପରି,
କାହାଣୀର ବି ହାତ ଗୋଡ଼ ଅଛି
ସେ ପାଖେଇ ଆସେ
ଖୁବ୍ ପାଖକୁ
ଏତେ ପାଖକୁ ଯେ
ସବୁକିଛି ଜଳକା ଦିଶେ।
ହଠାତ୍ କାହାଣୀ ପୁଣି
କବିତା ପାଲଟିଯାଏ
ନା ନା କବିତା ନା ନଦୀ?!
ବାସ୍ ଏବେ ତୁମେ ବହିଯାଅ
କାଗଜଡ଼ଙ୍ଗାରେ ଆଉଜେଇ ନିଜକୁ
ଦେହରୁ ଓହ୍ଲାଇଯାଏ ଛାଇ…
ଛାଇ ନା ତୁମେ ?
କାହାକୁ ପଚାରିବି ଯେ
ତୁମେ ଲେଉଟିଯାଇ
କେଉଁଠି ସମ୍ପାଦିଲ ନିଜକୁ !
ମୁଁ ଜାଣେ
ମଉଳାଫୁଲରେ ଫେରେନି ବାସ୍ନା
ଓଠରୁ ଖସିଗଲେ ହସ
ଫେରେନା ଜହ୍ନରାତି
ତଥାପି ମୁଁ କାହିଁକି କେଜାଣି
ଟୋପା ଟୋପା କାକରବିନ୍ଦୁ ହୋଇ
ଫୁଲଗନ୍ଧରେ ବିଭୋର ହୋଇ
ଝରିପଡୁଥାଏ ସାରାରାତି
କେଉଁ ଏକ ଅପନ୍ତରାରେ
ଶେଫାଳିର ବକ୍ଷ ଦେଇ…
There are 2 comments
ସ୍ମୃତିରେ ବିଭୋର କବିତା
ବହୁତ ଭଲ ଲାଗିଲା
ଆପଣଙ୍କୁ ଅଜସ୍ର ଅଭିନନ୍ଦନ
ଖୁବ୍ ଖୁସି ଲାଗିଲା।
ଆନ୍ତରିକ ଧନ୍ୟବାଦ ଆପଣଙ୍କୁ 🙏💐