ନାରୀଟିଏ
ସ୍ବପ୍ନ ଖୋଜୁଛି
ସ୍ବାଧୀନତାର ମଶାଲ ଜାଳି
ରାଜପଥର କୋଳାହଳରେ
ତା’ ପଛରେ ଘୁରି ବୁଲୁଛି
ଦୁର୍ଦ୍ଦଷ ଧର୍ମାନ୍ଧ ମାନଙ୍କ
ଶୀତଳ ମୃତ୍ୟୁର
କୋମଳ ଫାଶଟେ
ଦେଶ ଦେଶାନ୍ତର ହେଇ
କଲମକୁ ବଲମ କରି
ଶବ୍ଦକୁ ବୋମା କରି
ଯୁଦ୍ଧଂଦେହୀ ର ଡ଼ାକରା ଦେଇ
ସତ୍ୟ ଓ ମଣିଷର ପୂଜା କରୁଥିବା ନାରୀଟିକୁ ଧରି
ପେଶ କରିବେ
ଧର୍ମ ଦରବାରରେ
ଧର୍ମ ରକ୍ଷକ ବୋଲି
ଡେଙ୍ଗୁରା ପିଟୁଥିବା
ଧର୍ମାନ୍ଧ ମାନେ ତା’ର
ବିଚାର କରିବେ
ଧର୍ମ ଓ କୋରାନର ଦ୍ୱାହି
ମାନବିକତାକୁ ହତ୍ୟା କରି
ଚତୁରତାରେ ଢାଙ୍କି ଦିଆଯିବ
ସତ୍ୟ ଓ କଲମର ବିଜୟକୁ
ମାନବ ବାଦକୁ
ପରାଜୟର ମିଥ୍ୟା ଆବରଣ ତଳେ
ହାତରେ ହାତ ଛନ୍ଦି ଚାହିଁଥିବେ
ସମାଜର ବୁଦ୍ଧିଜୀବୀ ମାନେ
ଦଣ୍ଡ ବିଧାନର ରାୟକୁ,
ହେଇପାରେ ନିର୍ବାସନ
ଆଜୀବନ କାରାଦଣ୍ଡ
ଅବା ମୃତ୍ୟୁଦଣ୍ଡରେ
ଦଣ୍ଡିତ କରି ପାରନ୍ତି
ମହାମାନ୍ୟ ଧର୍ମାନ୍ଦ ସମ୍ରାଟ
ସମାଜର ବଡ଼ପଣ୍ଡା ଧର୍ମବକ ସାଜି
ମଣିଷର ଜୀବନ କାଳକୁ
ଆଙ୍ଗୁଳି ଟିପରେ
ହିସାବ କରୁଥିବା
ସମାଜ ପତି ମାନଙ୍କୁ
ସତ୍ୟର ସ୍ବରୂପ ଦେଖାଇ
ଅସତ୍ୟର ମହାଦୃମଟାକୁ
କଲମ ମୂନରେ
ଉଖାଡି ଫୋପାଡି ଦେବାର
ଆତ୍ମ ସନ୍ତୋଷରେ
ନିର୍ଭୀକ ହସ ହସୁଥିବ
ନାରୀ ଜଣକ,
ଶେଷ ପ୍ରଶ୍ନର ଉତ୍ତରରେ ବି
ମସ୍ତକ ଉପରେ ଝୁଲୁଥିବ
ଶାଣିତ କୃପାଣ !