
ଥରେ କୋଣାର୍କ ରେ
।। ବୈଲୋଚନ ପାଣ୍ଡବ ।।
ଗୋପବନ୍ଧୁ, ନୀଳକଣ୍ଠ, ସଚ୍ଚି ରାଉତରା, ମାନସିଂହ
ଓ ଆହୁରି ଅନେକଙ୍କ ପରି
ମୁଁ ବି ଆଜି କୋଣାର୍କ ରେ,
ମୁଣ୍ଡକଟି, ପେଟ ଖଙ୍କାଳି ଗଡୁଥିବା
ପଇଡ଼ ଙ୍କ ମେଳରେ ।
ଓମେନ୍ ସ କଲେଜର ଚନ୍ଦ୍ରଭାଗା ମହାନ୍ତି
ଓ ସର୍କାରୀ କଲେଜର ଅଂଶୁମାନ ମିଶ୍ର ଏକତ୍ର
ସୂର୍ଯ୍ୟ ଓ ସମୁଦ୍ରସ୍ନାନ ସାରି ଫେରି ଆସିଛନ୍ତି
ପିକ୍ ନିକ୍ କରିବାକୁ ଝାଉଁବଣରେ ।
ଭଙ୍ଗା ପଂଝା ରେ, ବିଶାଳକାୟ ହାତୀକୁ
ମାଡ଼ି ବସିଛି ସିଂହ, ତଥାପି ପରାକ୍ରମରେ ।
ପଥରନଟୀ ସମେତ, ଗୌରଙ୍ଗୀ ବିଦେଶିନୀର
ଅନାବୃତ୍ତ ସ୍ତନ କାଲି ଶୋଭା ପାଇବ
ମହାରଣା ଭାଇଙ୍କ ଡ୍ରଇଂ ରୁମରେ ।
କହୁନ ଦେଖି ଆମେ କ’ଣ ଆଗକୁ ବଢ଼ିନେ
ଆଉ ଆଉ ମାନଙ୍କ ପରି ଚତୁରତାରେ !
ପାଖ ବଜାରରେ
‘କୋଣାର୍କ’ କେତେ କେତେ ଥର ଯେ
ଚୋରି ନହୁଏ ଦିନ ଦି’ପହରେ ??
ନ ଦେଖିକି, ମୁଁ କ’ଣ ୟା’ରି ଛବି ତେବେ ଆଙ୍କିଥିଲି
ସ୍କୁଲ ଦିନେ, ଡ୍ରଇଂ ଖାତାରେ !!
ତଥାପି ଏଠି କିନ୍ନରୀମାନେ ମିଳିତ ହୁଅନ୍ତି
ନୃତ୍ୟୋତ୍ସବରେ, ବର୍ଷକେ ଥରେ ।
ନରସିଂହ ଦେବଙ୍କ ପୁଞ୍ଜି ଫେରି ଆସୁଥାଏ
କେତେ ମାର୍ଗରେ ।
ଘୁଙ୍ଗୁର ରୁଷି ପୋତିପଡ଼େ ଚୋରା ବାଲିରେ ।
ମତେତ ଏଇନେ ଫେରିଯିବାକୁ ହେବ
ଏଇ ସଂଜ ବସ୍ ରେ।
ନଚେତ୍ କାଲି ସକାଳେ ଦେଖିଥାନ୍ତି
ତଥାପି କାଳେ ଏଠି ଗୋଟେ କୋଣାର୍କ ଥିଲା
ଜଣେ ରାଜାଙ୍କ ସ୍ୱପ୍ନରେ ।