।। ଆବୃତ୍ତି : ତ୍ରିନାଥ ସିଂହ ।।
ସବୁ ପାଇବା ହରାଇବାର ଶେଷକଥା
।। ଅପର୍ଣ୍ଣା ମହାନ୍ତି ।।
ଆଉ ଲେଖୁପାରୁନି କବିତା… ।
ଭିତରର ଯେତେ କୋଳାହଳ
ଧୀରେଧୀରେ ନିରବ ନିଶ୍ଚଳ
ଆଖିରୁ ଶୁଖିଯାଉଛି ଲୁହ
ଛାତିରୁ ସରିଯାଇଚି କୋହ
ଟିକେ ଜଳେ
ଟିକେ ଲିଭେ
ଜୀବନ ସଳିତା… I
ଦୂରେ ..କେତେଦୂରେ ଆଜି
ଦିନେ ନିଜଠୁଁ ନିଜର ଲାଗୁଥିବା
ସବୁ ବନ୍ଧୁ ପରିଜନ ।
କେତେ ପାଖରେ ଦିଶୁଛି ସତେ
ଖୁବ୍ ଅପହଞ୍ଚ ଲାଗୁଥିବା
ଶେଷ ଶୁଭଦିନ ।
ଶାସ୍ତ୍ର ପୋଥି ପୁରାଣକୁ
ଥାକରେ ସାଇତି ଦେଇ
ପଢ଼ିବାକୁ ଇଚ୍ଛାହୁଏ
ଅଜଣା ଅଶୁଣା ଏଇ
ଆତ୍ମାର ସଂହିତା ।
ହୃଦୟ ପାଶୋରି ଦେଲାଣି
ପ୍ରେମ ଆଉ ବିଦ୍ରୋହର ରାଣ ।
ଦୁଇ ହାତ ପାପୁଲିରେ
ତଥାପି କାହିଁକି
ମୁଠେଇ ଧରିଛି ମୁଁ
କେବେ କାହାରି କିଛି
କରିପାରିନଥିବା
ଦି’ ମୁଠା, ଅକର୍ମଣ୍ୟ
ଅଲୋଡ଼ା କଲ୍ୟାଣ ।
ଏତିକି ତା’ହେଲେ କଣ
ସବୁ ପାଇବା, ହରାଇବାର
ଶେଷକଥା..!!
There are 6 comments
Thank you so much dear trinath and team choukatha .
ନମସ୍କାର ଅପର୍ଣ୍ଣା ଅପା…
ଆପଣଙ୍କର ଏହି କବିତାଟି ମୋତେ ବହୁଭାବରେ ଉଦବୁଦ୍ଧ ଓ ଆକ୍ରାନ୍ତ କରିଦେବାରୁ ଏହାକୁ ଚଉକାଠରେ ଉପସ୍ଥାପିତ କରିବାର ଲୋଭ ସମ୍ବରଣ କରିପାରିଲିନି। କେଜାଣି, ଆବୃତ୍ତି ଓ ଉପସ୍ଥାପନାରେ କବିତାକୁ ଉପଯୁକ୍ତ ନ୍ୟାୟ ଦେଇ ପାରିଛି କି ନାହିଁ..!!!
ସୁନ୍ଦର ଆବୃତ୍ତି ସହ ପାଇବା ହରାଇବା ଭିତରେ ମୁଁ କିଛି ମୁହୂର୍ତ୍ତ ପାଇଁ ହଜିଗଲି ଯେମିତି।
ମୁଠେଇ ଧରିଛି ମୁଁ କେବେ କାହାର କିଛି କରି ପାରିନଥିବା
ଦି’ମୁଠା ଅକର୍ମଣ୍ୟ ଅଲୋଡ଼ା କଲ୍ୟାଣ…
ଚମତ୍କାର!! କବିଙ୍କୁ ପ୍ରଣାମ 🙏💐
ଆପଣଙ୍କ ଟିପ୍ପଣୀ ସହ ଚଉକାଠ ସହମତ। କବିତାଟି ପାଠକକୁ ଆନମନା କରିଦେବ, ଏହା ନିଶ୍ଚିତ। ଦି’ମୁଠା ଅକର୍ମଣ୍ୟ ଅଲୋଡ଼ା କଲ୍ୟାଣ… ପାଖରେ ମୁଁ ବି ଅଟକି ଯାଇଥିଲି ବେଶ୍ କିଛିକ୍ଷଣ। ଆବୃତ୍ତି ଆପଣଙ୍କୁ ଛୁଇଁଛି ଜାଣି ଖୁସି ଲାଗିଲା।
ଅଶେଷ ଧନ୍ୟବାଦ ସହ ନମସ୍କାର ଜାଣିବେ।
ଅପର୍ଣ୍ଣା ମହାନ୍ତିଙ୍କ ସୁନ୍ଦର କବିତା ଓ ତ୍ରିନାଥ ବାବୁଙ୍କ ଆବୃତ୍ତି ବେସ୍ ଛୁଇଁଲା ମନ ହୃଦୟକୁ। ଅଭିନନ୍ଦନ ଉଭୟଙ୍କୁ।
ଆପଣଙ୍କ ମନ୍ତବ୍ୟ ଓ ସମର୍ଥନ ପାଇଁ ଅଶେଷ ଧନ୍ୟବାଦ ଓ ସମ୍ମାନ।